କୃଷକ ସଂଗଠନକୁ ବେଆଇନ ଘୋଷଣା କରି ପୁଲିସର ଗିରଫଦାରୀ
ଫୁଲନଖରା, ୩୦/୩ (ଦର୍ଶନ ସମୀକ୍ଷା) : ଘଟଗାଁ ତାରିଣୀ ମନ୍ଦିରରୁ ବାହାରି ଭୁବନେଶ୍ଵର ଅଭିମୁଖେ ପଦଯାତ୍ରାରେ ଯାଉଥିବା ନବ ନିର୍ମାଣ କୃଷକ ସଂଗଠନର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନଙ୍କୁ ଫୁଲନଖରା ଛକ ଠାରେ ପୁଲିସ ଅଟକାଇଛି । ଫଳରେ ସେମାନଙ୍କର ପ୍ରସ୍ତାବିତ ବିଧାନସଭା ଘେରାଉ ଅଭିଯାନ ବିଫଳ ହୋଇଛି । ଆଜି ମଧ୍ୟାହ୍ନରେ ଶତାଧିକ କର୍ମୀ ୧୬ନମ୍ବର ଜାତୀୟ ରାଜପଥରେ ଯାଉଥିଲାବେଳେ ଫୁଲନଖରା ଛକରେ ପୁଲିସ ସେମାନଙ୍କୁ ଘେରିଯାଇ ତାଙ୍କର ପଥ ଅବରୋଧ କରିଥିଲା । ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ଚାଷୀ ନେତା ରାକେଶ ଟିକାୟତଙ୍କୁ ପୁଲିସ ଗିରଫ କରିଥିଲା I ଏହାର ପ୍ରତିବାଦରେ କର୍ମୀମାନେ ରାଜପଥରେ ଶୋଇ ରହିଥିଲେ । ପୁଲିସ ଆୟୁକ୍ତ, ଏସିପି, ଡିସିପି, ଆଇଆଇସି ଓ ଶତାଧିକ ପୁଲିସ କର୍ମଚାରୀ ସେମାନଙ୍କୁ ବଳପୂର୍ବକ ରାଜପଥରୁ ଉଠାଇ ନେଇ ୩ଶହରୁ ଉର୍ଦ୍ଧ୍ବ ସଂଖ୍ୟକ କର୍ମୀଙ୍କୁ ଗିରଫ କରିଥିଲା ।

ଏହାଦ୍ଵାରା ଦୁଇଘଣ୍ଟା କାଳ ସମ୍ପୃକ୍ତ ସର୍ଭିସ ରୋଡ଼ରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ସୂଚନାଯୋଗ୍ୟ ଚାଷୀଙ୍କ ବିଭିନ୍ନ ସମସ୍ୟା ଦୂରୀକରଣ ଦିଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଓ ଦୃଢ଼ ଦାବି ଉପସ୍ଥାପନ କରିବା ନେଇ ସଂଗଂନ ତରଫରୁ ଏହି ଅଭିଯାନ ଆୟୋଜନ ହୋଇଥିଲା । ମାତ୍ର ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ଏହି କାର୍ଯ୍ୟକ୍ରମକୁ ବିଫଳ କରିଥିଲା ।












Leave a Reply