Spread the love

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନ ଫଳାଫଳ ନେଇ କଂଗ୍ରେସର ଅଭିଯୋଗ ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଇଲେକ୍‌ଟ୍ରୋନିକ ଭୋଟିଂ ମେସିନ୍‌ (ଇଭିଏମ୍‌)ରେ ଟ୍ୟାମ୍ପରିଂ ଯୋଗୁଁ କଂଗ୍ରେସ ନିଶ୍ଚିତ ବିଜୟରୁ ବଞ୍ଚିତ ହୋଇଛି ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ଏସଂପର୍କରେ ସେମାନେ ଭାରତର ନିର୍ବାଚନ କମିସନଙ୍କୁ ଭେଟି ଫେରାଦ ହୋଇଛନ୍ତି। ଏଭଳି ଅଭିଯୋଗ ପରେ ଇଭିଏମ୍‌ର ବିଶ୍ବସନୀୟତାକୁ ନେଇ ପୁଣି ପ୍ରଶ୍ନ ଉଠିଲାଣି। ଇଭିଏମ୍ ବଦଳରେ ବାଲଟ୍ ପେପର ବ୍ୟବହାର କରିବାକୁ କେତେକ ବିରୋଧୀ ଦଳ ପୁଣି ଦାବି କଲେଣି।

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍ଆର୍ କଂଗ୍ରେସର ମୁଖ୍ୟ ଜଗନମୋହନ ରେଡୀ ଆଜି ଏକ ବିବୃତି ଦେଇ ତାଙ୍କର ପୁରୁଣା ଦାବିକୁ ପୁଣି ଦୋହରାଇଛନ୍ତି। ସେ କହିଛନ୍ତି ଯେ ହରିୟାଣା ନିର୍ବାଚନ ଫଳକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି, ତାହା ଇଭିଏମ୍‌ର ବିଶ୍ବସନିୟତା ଉପରେ ବିରାଟ ପ୍ରଶ୍ମଚିହ୍ନ ଲାଗି ଦେଇଛି। ଗତ ଆନ୍ଧ୍ର ପ୍ରଦେଶ ନିର୍ବାଚନରେ ମଧ୍ୟ ଏଭଳି ପ୍ରଶ୍ନ ଉଠିଥିଲା। ଏହି ମାମଲା ଏବେ ବି କୋର୍ଟଙ୍କ ବିଚାରାଧୀନ ରହିଛି। ବାଲଟ ପେପର ସପକ୍ଷରେ ଯୁକ୍ତି ବାଢ଼ି ସେ କହିଛନ୍ତି ଯେ ଇଭିଏମରୁ ବାଲଟ ପେପର ଯୁଗକୁ ଫେରିବାକୁ ପଡ଼ିବ। ଏହାଦ୍ବାରା ଗଣତନ୍ତ୍ର ଆହୁରି ମଜବୁତ ହୋଇପାରିବ। ଆମେରିକା, ବ୍ରିଟେନ, କାନାଡ଼ା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସ୍ବିଜରଲାଣ୍ଡ, ଜର୍ମାନୀ, ଫ୍ରାନ୍ସ, ଜାପାନ, ନରୱେ ଓ ଡେନମାର୍କ ସମେତ ଅଧିକାଂଶ ବିକଶିତ ରାଷ୍ଟ୍ର ନିର୍ବାଚନ॥େର ଏବେ ବି ବାଲଟ ପେପର ବ୍ୟବହାର କରୁଛନ୍ତି। ବାଲଟ୍ ପେପର ହିଁ ଭୋଟଦାତାଙ୍କ ମଧ୍ୟରେ ବିଶ୍ବାସକୁ ମଜବୁତ କରିପାରିବେ। ଏହି ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତ ରାଜନୈତିକ ଦଳ ଅଭିଯାନ ଆରମ୍ଭ କରିବା ପାଇଁ ଜଗନ ରେଡୀ ଆହ୍ବାନ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ-ମଇ ମାସରେ ଆନ୍ଧ୍ରରେ ଅନୁଷ୍ଠିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଜଗନଙ୍କ ଦଳ ଅପ୍ରତ୍ୟାଶିତ ଭାବେ ପରାଜୟର ସମ୍ମୁଖୀନ ହୋଇଥିଲା। କ୍ଷମତାରେ ଥିବା ତାଙ୍କ ଦଳ ପୁଣି ବିଜୟୀ ହେବ ବୋଲି ବିଭିନ୍ନ ସଂସ୍ଥା ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ସର୍ଭେରେ ଆକଳନ କରାଯାଇଥିଲା।

Leave a Reply

Your email address will not be published. Required fields are marked *