ଗଜପତିରେ ପ୍ରଶାସନିକ ଅବହେଳା….. 76 ବୟସ୍କ ବୃଦ୍ଧା ଭତ୍ତା ନ ପାଇ ଦୁଃଖଦ ଜୀବନ ବିତାଉଛନ୍ତି ପାରଳାଖେମୁଣ୍ଡି, 11/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ସରକାର ଗରୀବ ଅସହାୟ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ଧକ୍ୟ ଓ ବିଧବା ଭତା ସମେତ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କୁ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ମାସିକ ଭତ ପ୍ରଦାନ କରୁଥିବା ବେଳେ ଗଜପତିରେ ପ୍ରଶାସନିକ ଅଧିକାରୀ ଅବହେଳା ଓ ଜନ ପ୍ରତିନିଧୂମାନଙ୍କ ଅଣଦେଖା କାରଣରୁ ପ୍ରକୃତ ଯୋଗ୍ଯ ହିତାଧିକାରୀମାନେ ସରକାରଙ୍କ ଏହି ଯୋଜନା ଗୁଡିକରୁ ବଞ୍ଚିତ ହେଉଛନ୍ତି ।

ଏହା ସହ ଦୟନୀୟ ସ୍ଥିତିରେ ଜୀବନ ବିତାଉଛନ୍ତି ଏଭଳି ଘଟଣା ଦେଖୂବକୁ ମିଳିଛି, ଗଜପତି ଜିଲ୍ଲା ମୋହନା ବ୍ଲକ ଢେପାଗୁଡା ପଞ୍ଚାୟତ ଅନ୍ଧାରୀ ବାରୀଗୁଡା ଗାଁରେ । ଗାଁର ଶାରି ମଲ୍ଲିକଙ୍କ ଦୁଃଖ କହିଲେ ନ ସରେ । ବୟସ ଏବେ ୭୬ ଟପିଲାଣି । ବୟସର ଅପରାହ୍ନରେ ଦୁଇ ପୁଅ ବୁଦ୍ଧା ମାଆଙ୍କୁ ପଚାରୁ ନାହାଁନ୍ତି । ଫଳରେ ଘର ବାରଣ୍ଡାରେ ଅତ୍ୟନ୍ତ ଦୁଃଖଦ ଜୀବନ ବିତାଉଛନ୍ତି ବୃଦ୍ଧା ଜଣକ. ତାଙ୍କର ଅଣ୍ଟା ନଇ ପଡ଼ିଲାଣି । ଆଖୁକୁ ମଧ୍ଯ ଭଲ ଦିଶୁନି ଚାଲିବା ପାଇଁ ବାଡି ହିଁ ସାହାରା ପାଲଟିଛି ।ବିଡମ୍ବନା ବିଷୟ ଯେ, ବୃଦ୍ଧାଙ୍କ ଏଭଳି ଅବସ୍ଥାରେ ବର୍ଷେ ହେଲା. ହେଲେ ବୃଦ୍ଧା ମାଆଙ୍କୁ ବିଧବା ଭତା ମିଳୁ ନାହିଁ । କୌଣସି କାରଣରୁ ବର୍ଷେ ହେଲା ଭତା ବନ୍ଦ ହୋଇଯାଇଥିବା ବେଳେ ତିନି ମାସ ହେଲା ରାସନ୍ ରାଉଳ ମଧ୍ୟ ବନ୍ଦ ହୋଇ ଯାଇଛି । ଗ୍ରାମ ଗ୍ରାମବାସୀ ଦୟାରେ ବୃଦ୍ଧାଙ୍କୁ ଯାହା ମୁଠେ ମିଳେ ସେତିକିରେ ଭରସା କରି ଘର ବାରଣ୍ଡାରେ ପଡି ରହିଛନ୍ତି I ତେବେ ସରକାରଙ୍କ ଏତେ ଯୋଜନା ଥାଇ ମଧ୍ଯ ସେହି ସବୁ ଯୋଜନା କାହା ପାଇଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବୃଦ୍ଧାଙ୍କ ଏଭଳି ସ୍ଥିତିରେ ନା ପଂଚାୟତ ପ୍ରତିନିଧ୍ ଏହି ବୃଦ୍ଧା ମାଆଙ୍କ ଦୁଃଖ ବୁଝୁଛନ୍ତି ନା ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେଉଛନ୍ତି । ପରିଣତ ବୟସରେ ବୃଦ୍ଧା ମାଆ ଆଗକୁ କିଭଳି ବାକି ଜୀବନ ଭଲରେ ଅତିବାହିତ କରିବେ, ସେଥିପାଇଁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ କରି ରାସନ୍ ରାଉଳ ସହ ମାସିକ ଭତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ଗଜପତିର ଭାରତ୍ତୋଳନ କନ୍ୟା ଜ୍ୟୋସ୍ନା।
ପାରଳାଖେମୁଣ୍ଡି, 11/3(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପେକଟ ଗ୍ରାମର ଜ୍ୟୋସ୍ନା ଶବର ଭାରତ୍ତୋଳନରେ କୃତିତ୍ୱ ଅର୍ଜନ କରିଥିବା ଯୋଗୁଁ ପୁରୀ ଠାରେ ଆୟୋଜିତ ଏକ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି. ଏଠାରେ ସୂଚନାଯୋଗ୍ୟଯେ, ଭାରତ୍ତୋଳନରେ ଚାମ୍ପିଅନ ହୋଇ ବିଗତ ବର୍ଷ ମହାମହିମା ରାଷ୍ଟ୍ରପତିଙ୍କ ଠାରୁ ବାଲ୍ ପୁରସ୍କାର ପାଇଥିଲେ । ସମଗ୍ର ଦେଶରେ ୨୧ ଜଣ ଶିଶୁଙ୍କୁ ସମ୍ମାନ ଜନକ ବାଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଚଳିତ ବର୍ଷ ପୁରୀ ଜିଲ୍ଲାରେ ଆୟୋଜିତ ରାଜ୍ୟସ୍ତରୀୟ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି । ପ୍ରକାଶ ଯେ ୨୦୧୯ ମସିହାରୁ ସେ ନିୟମିତ ଭାବେ ଭୁବନେଶ୍ବର ସ୍ଥିତ କଳିଙ୍ଗ ଇନଷ୍ଟିଟ୍ଯୁଟ ଓଫ ସୋସିଏଲ ସାଇନ୍ସରେ ରହି ଶିକ୍ଷା ଲାଭ ସହ କଳିଙ୍ଗ ଷ୍ଟାଡିୟମରେ ଭାରୋତ୍ତୋଳନରେ ପ୍ରଶିକ୍ଷଣ ଗ୍ରହଣ କରିଆସୁଛନ୍ତି । ପେକଟ ଗ୍ରାମ ଭଳି ପୁରପଲ୍ଲୀରୁ ଜ୍ୟୋସ୍ନାଙ୍କ ଏଭଳି ସଫଳତା ପାଇଁ ସମଗ୍ର ଗଜପତି ଜିଲ୍ଲା ଗର୍ବିତ । ଜ୍ୟୋତ୍ସନାଙ୍କ ପିତା କୀର୍ତ୍ତନ ଶବର ଜଣେ କୃଷକ ଭାବେ କାର୍ଯ୍ୟ କରୁଛନ୍ତି।
ମିନିଗାଁଗୁଡା ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ କିଶାନ ମଜଦୁର ସଭା କମିଟି
ପାରଳାଖେମୁଣ୍ଡି, 11/3(ତାରିଣୀ ପ୍ରସାଦ ପଣ୍ଡା):
-ଗଜପତି ଜିଲ୍ଲା କାଶୀନଗର ବ୍ଲକର କେ.ସୀତାପୁର ପଞ୍ଚାୟତ ଅନ୍ତର୍ଗତ ମିନିଗାଁଗୁଡା ଗାଁକୁ ରାସ୍ତା ନଥିବାରୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି. ବାରମ୍ବାର ଆନ୍ଦୋଳନ ଏବଂ ଅଭିଯୋଗ ପରେ ମଧ୍ୟ ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ଵ ଦିଆଯାଉ ନଥିବାରୁ ଅଖିଳ ଭାରତ କିଶାନ୍ ମଜଦୁର ସଭା ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହନନଗାଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିବା ସହ ରାସ୍ତା ସମସ୍ୟାର ସମାଧାନ ନିମନ୍ତେ ଅନୁରୋଧ କରିଛନ୍ତି । ଯଦି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ଵ ନଦିଏ ପୁଣି ଥରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି । ପ୍ରାୟ ୬୦ ରୁ ଉର୍ଦ୍ଧ ପରିବାରର ୫୦୦ଉର୍ଦ୍ଧ ଜନବସତି ବିଶିଷ୍ଠ ଗ୍ରାମର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ବିଶେଷ କରି ଗ୍ରାମ ଠାରୁ ମୁଖ୍ୟ ସଡ଼କକୁ ମାତ୍ର ଦୁଇ କିଲୋମିଟର ରାସ୍ତା ନିର୍ମାଣ ହୋଇନଥିବାରୁ ଗ୍ରାମବାସୀଙ୍କୁ ଯାତାୟାତ ପାଇଁ ବହୁ ସମସ୍ୟାର ସମୁଖୀନ ହେଉଛନ୍ତି । ରୋଗୀଙ୍କୁ ଚିକିତ୍ସା ପାଇଁ ମେଡିକାଲ ଠାରୁ ଆରମ୍ଭ କରି ପିଲାମାନେ ପାଠପଢ଼ିବା ପାଇଁ ଯାତାୟାତର ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି । ବିଶେଷ କରି ବର୍ଷା ଋତୁରେ ଗ୍ରାମବାସୀଙ୍କ ନାହିଁନଥିବା ଅସୁବିଧାର ଭୋଗୁଛନ୍ତି । ଏହି ସମସ୍ୟାକୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ଠାରୁ ଆରମ୍ଭ କରି ଗ୍ରାମବାସୀମାନଙ୍କ ଦ୍ବାରା ବହୁବାର ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ରାସ୍ତା ନିର୍ମାଣର କାର୍ଯ୍ୟ ହୋଇ ପାରିନାହିଁ । ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂରତାରେ ରହିଥିଲେ ମଧ୍ୟ ଦୀପ ତଳେ ଅନ୍ଧାର ସଦୃଶ୍ୟ ପାଲଟିଛି ବୋଲି କହିଛନ୍ତି ଗ୍ରାମବାସୀ। ଏହି ଦାବୀ ପତ୍ର ପ୍ରଦାନ ବେଳେ ଅଖିଳ ଭାରତ କିଶାନ ମଜଦୁର ସଭାର କେଦାର ଶବର, କେ.ସୀତାପୁର ସରପଞ୍ଚ କେ.ତେଜେଶ୍ବର ରାଓ ପ୍ରମୁଖଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
ଗଜପତିର ଗୁରୁଝୋଳି ଗ୍ରାମରେ ହାଡ଼ଫୁଟି ରୋଗରେ ପ୍ରାଦୁର୍ଭାବରେ ଲୋକେ ଆତଙ୍କିତ ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାର ଦୁର୍ଗମ ଗ୍ରାମ ଗୁରୁଝୋଳିରେ ହାଡଫୁଟି ରୋଗ ପ୍ରାଦୁର୍ଭାବରେ ଲୋକେ ଆତଙ୍କିତ ହୋଇପଡିଛନ୍ତି. ଏହି ଗ୍ରାମରେ ଗତକାଲି ସୁଦ୍ଧା ୧୦ରୁ ଉର୍ଦ୍ଧ ଜଣ ହଡ଼ଫୁଟି ରୋଗରେ ଆକ୍ରାନ୍ତ ହୋଇଛନ୍ତି. ପ୍ରଶାସନ ଏହି ରୋଗର ପ୍ରାଦୁର୍ଭାବ ଜାଣିବା ପରେ ଗୁରୁଝୋଳି ଗ୍ରାମକୁ ମେଡିକାଲ୍ ଟିମ୍ ପଠାଇଛନ୍ତି. ଏହି ଟିମ ଲୋକଙ୍କୁ ଆବଶ୍ୟକ ସେବା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଥିବାରୁ ଗୁରୁଝୋଳି ଗ୍ରାମରେ ହଡ଼ଫୁଟି ରୋଗ ବର୍ତ୍ତମାନ ଆୟତ୍ତ ଥିବା ଜଣା ପଡିଛି. ଗଜପତି ଜିଲ୍ଲା ମୋହନା ବ୍ଲକ ଗୁରୁଝୋଳି ଗାଁରେ ଗତ କିଛି ଦିନ ହେଲାଣି ଗାଁର ମହିଳା ପୁରୁଷଙ୍କ ସମେତ ଶିଶୁମାନେ ହାଡଫୁଟି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗତ କିଛି ଦିନ ପୂର୍ବରୁ ଗାଁରେ ୬ ଜଣ ହାଡ଼ଫୁଟିରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଳେ ଗାଁରେ ଏବେ 10 ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ୭ ଜଣ ମହିଳା ରହିଛନ୍ତି. ଏହି ରୋଗର ଖବର ପାଇ ମୋହନା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମୃତ ରାଜ ଜେନା ସୁପ୍ରଭାଇଜର ବିମ୍ବାଧର ମଲ୍ଲୀକଙ୍କ ସମେତ ସ୍ଵାସ୍ଥ୍ୟକର୍ମୀ ଓ ଟିମ୍ ଗୁରୁଝୋଳି ଗ୍ରାମକୁ ଗସ୍ତ କରି ଆକ୍ରାନ୍ତଙ୍କୁ ଆବଶ୍ୟକୀୟ ଔଷଧ ଦେବା ସହ ସଚେତନ କରିଛନ୍ତି । ଗାଁରେ ଯେପରି ଅଧୂକ ନ ବ୍ୟାପିବ ସେଥିପାଇଁ ନିଜକୁ ଆଇସୋଲେଟ୍ କରି ରହିବାକୁ ପରାମର୍ଶ ଦେଇଛନ୍ତି ।
ଚୀନ ବିରୁଦ୍ଧରେ ଋଣହୁଙ୍କାର ଦେଲେ ଗଜପତିର ଚନ୍ଦ୍ରଗିରି ତିବତୀୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଞ୍ଚଳରେ ବିଗତ ବହୁ ବର୍ଷ ଧରି ବସତି ସ୍ଥାପନ କରିଥିବା ତିବତୀୟମାନେ ଚୀନ ବିରୁଦ୍ଧରେ ଆଜି ଋଣହୁଙ୍କାର ଦେଇଛନ୍ତି. ପ୍ରତେକ ବର୍ଷ ମାର୍ଚ୍ଚ 10 ତାରିଖ ଦିନ ଚନ୍ଦ୍ରଗିରି ଠାରେ ରହୁଥିବା ତିବତୀୟମାନେ ଚୀନ ବିରୁଦ୍ଧରେ ଋଣହୁଙ୍କାରର ଡାକରା ଦେଇ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଆଦି କରି ଆସୁଛନ୍ତି. ଏଥି ଅନୁଯାୟୀ ତିବତୀୟମାନଙ୍କ ପ୍ରତି ଚୀନର ଅନ୍ୟାୟ ଓ ବର୍ବରତା ବିରୁଦ୍ଧରେ ଚନ୍ଦ୍ରଗିରିର ତିବତୀୟମାନେ ସେଠାକାର ତିବତୀୟ ସେଟେଲମେଣ୍ଟ ଅଫିସ ଠାରୁ ଶତାଧିକ ତିବତୀୟ ପୁରୁଷ, ମହିଳା ଓ ସ୍କୁଲ ଛାତ୍ରଛାତ୍ରୀମାନେ ମିଳିତ ଭାବେ ଚୀନ ବିରୁଦ୍ଧରେ ପ୍ଲାକାର୍ଡ ଧରି ପ୍ରତିବାଦ କରିବା ସହ ରାଲି କରିଛନ୍ତି. ତିବତୀୟମାନେ ଏହି ରାଲିରେ ସ୍ଲୋଗାନ ଦ୍ୱାରା ଦାବି କରିଛନ୍ତିଯେ ବିଗତ 1995 ମସିହା ଠାରୁ ଦଲାଇଲାମାଙ୍କ ଉତ୍ତରାଧିକାରୀ ପେଞ୍ଚନ ଲାମାଙ୍କୁ ଚୀନ ଅପହରଣ କରି ନେଇଛି.ବର୍ତ୍ତମାନ ସୁଦ୍ଧା ତାଙ୍କୁ ମୁକ୍ତ କରାଯାଇ ନାହିଁ. ବର୍ତ୍ତମାନ ସେ ଜୀବିତ ନା ମୃତ ସେ ନେଇ ମଧ୍ୟ ତିବତୀୟମାନେ ସନ୍ଦେହଘେରରେ ରହିଛନ୍ତି. ଅତି ତୁରନ୍ତ ଚୀନ ପେଞ୍ଚn ଲାମାଙ୍କୁ ମୁକ୍ତ କରିବା ସହ ତିବତୀୟମାନଙ୍କ ଉପରେ ଚୀନ ଚଳାଇ ଥିବା ଅନ୍ୟାୟକୁ ବନ୍ଦ କରୁ. ଏଥିସହ ତିବତୀୟମାନଙ୍କ ଧର୍ମ, ସଂସ୍କୃତି ପ୍ରତି ଚୀନ ଜାରି ରଖିଥିବା ବର୍ବରତାକୁ ବନ୍ଦ କରୁ ବୋଲି ସେମାନେ ଦାବି କରିଛନ୍ତି.












Leave a Reply