ଗଜପତିରେ ବସୁଧା ଯୋଜନା ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ….. ପିଇବା ପାଣି ପାଇଁ ମହିଳାଙ୍କୁ 1 କିମି ପାଦ ଚଲାରେ ଯିବାକୁ ପଡୁଛି
ପାରଳାଖେମୁଣ୍ଡି,8/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ଗଜପତିରେ ବସୁଧା ଯୋଜନା ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଥିବା ଲକ୍ଷ୍ୟ କରାଯାଇଛି. ପିଇବା ପାଣି ପାଇଁ ମହିଳାଙ୍କୁ 1 କିମି ପାଦ ଚଲାରେ ଯିବାକୁ ପଡୁଥିବା ଦେଖିବାକୁ ମିଳିଛି. ଜଳ ବିନା ବଞ୍ଚିବା ଅସମ୍ଭବ ହେଲେ ପ୍ରତି ଘରକୁ ଘର ପାଣି ଯୋଗାଇବା ପାଇଁ ସରକାର ବହୁ ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ତାହା ସଫଳ ରୂପାୟନ ହେବା ପରିବର୍ତ୍ତେ ଲୋକେ ଜଳ କଷ୍ଟ ଭୋଗୁଛନ୍ତି. ଏଭଳି ସମ୍ପୂର୍ଣ ପ୍ରତିଫଳିତ ହୋଇଛି ଗୁମ୍ମା ବ୍ଲକ ଉଖୁରା ପଞ୍ଚାୟତ ସ୍ଥିତ ଗମାଙ୍ଗ ସାହିରେ। ଏହି ସାହିରେ ବସବାସ କରନ୍ତି ୨୦ ରୁ ଉର୍ଦ୍ଧ ପରିବାର। ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭ ହେଉ ହେଉ ଏମାନଙ୍କ ଦୁଃଖ ଦ୍ବିଗୁଣିତ ହୋଇଯାଏ କାରଣ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହୋଇଯାଆନ୍ତି। ସାହିରେ କୌଣସି ପିଇବା ପାଣିର ବ୍ୟବସ୍ଥା ନାହିଁ। ଗାଧୋଇବା ଓ ଲୁଗା ସଫା କରିବା ତ ଦୂରର କଥା। ପୂର୍ବରୁ ଗ୍ରାମ ବିକାଶ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପାହାଡ଼ରୁ ଝରଣା ପାଣି ଆଣି ଗଛିତ କରି ଗମାଙ୍ଗ ସାହି ଗ୍ରାମରେ ଯୋଗାଇବା ବ୍ୟବସ୍ଥା କରିଥିଲେ । କିନ୍ତୁ ଏହି ବ୍ୟବସ୍ଥା ବର୍ତ୍ତମାନ ଖରା ଦିନ ଆସୁ ଆସୁ ଝରଣା ଶୁଖି ଯାଉଛି ପାଣି ଆସୁନି ସେହିପରି ଗୋଟିଏ ନଳକୂପ ଅଛି ତାହା ମଧ୍ୟ ଅଚଳ ସେଥିରେ ଗୋଳିଆ ପାଣି ବାହାରୁଛି। କିଛି ବିକଳ୍ପ ନଥିବା ହେତୁ ଗ୍ରାମବାସୀ ବାଧ୍ୟହୋଇ ପାଣି ଆଣିବା ପାଇଁ ଏକ କିଲୋ ମିଟର ଯାଇ ଏକ କୂଅରେ ଲୁଗା ସଫା, ଗାଧୁଆ ସାରି ରୋଷେଇ ଏଵଂ ପିଇବା ପାଇଁ ସେହିଠାରୁ ପାଣି ଆଣନ୍ତି। ଦୁଃଖର ବିଷୟ ବୁଢାବୁଢୀ ଓ ବିକଳାଙ୍ଗ ଏତେ ବାଟ ଯାଇ ପାରନ୍ତି ନାହିଁ। ତେଣୁ ଗ୍ରାମର ପଡୋଶୀ ତାଙ୍କ ପାଇଁ ଗୋଟିଏ ହାଣ୍ଡି ପାଣି ଆଣିଦେଲେ ତାହାହିଁ ସେମାନେ ବ୍ୟବହାର କରନ୍ତି। କୌଣସି ଜନ ପ୍ରତିନିଧି କି କୌଣସି ଅଧିକାରୀଙ୍କ ଦୃଷ୍ଟି ମଧ୍ୟ ପଡ଼ି ନଥିବାରୁ ଗମାଙ୍ଗ ସାହି ଗ୍ରାମବାସୀ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ । ଏହାକୁ ନେଇ ବିଧାୟକ ଗୁମ୍ମା ବିଡିଓଙ୍କୁ ଦେଖା କରିବା ପାଇଁ ସୁପାରିଶ କରିଥିଲେ। ହେଲେ ଗ୍ରାମବାସୀମାନେ ଦୁଇ ଥର ବ୍ଲକ ଅଫିସକୁ ଆସି ବିଡ଼ିଓଙ୍କୁ ଦେଖା କରିବାକୁ ଦିନସାରା ଅପେକ୍ଷା କରିଥିଲେ ମଧ୍ୟ ବିଡ଼ିଓଙ୍କ ଦେଖା ମିଳିନଥିଲା। ବର୍ତ୍ତମାନ ଯଦି ତୁରନ୍ତ ଉଖୁରା ଗ୍ରାମର ଗମାଙ୍ଗ ସାହିରେ ପାଣି ଯୋଗାଇବାର ପ୍ରଶାସନ ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଆବଶ୍ୟକ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ଗମାଙ୍ଗ ସାହିର ଆମରଜିତ ଗମାଙ୍ଗ, ଅଜିଅ ଗମାଙ୍ଗ, ସୁମନରାଣୀ ଶବର, ଜୁନିତା ଗମାଙ୍ଗ ଓ ଈଗାନ ଗମାଙ୍ଗ ଚେତାବନୀ ଦେଇଛନ୍ତି।
ଗଜପତିରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଚତୁର୍ଥ କିସ୍ତି ପ୍ରଦାନ
ପାରଳାଖେମୁଣ୍ଡି,୮.୦୩.(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ସଦରମହକୁମା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ର ଚତୁର୍ଥ କିସ୍ତି ପ୍ରଦାନ କରାଯାଇଛି। ଆଜିର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯତୀନ୍ଦ୍ର କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ଗଜପତି, ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ୱୀରାଜ ମଣ୍ଡଳ, ନିର୍ମଳା ସେଠୀ, ଅଧ୍ୟକ୍ଷା, ପୌରପରିଷଦ ପାରଳାଖେମୁଣ୍ଡି, ମନୋରମା ଦେବୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗଜପତି , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗଜପତି ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ଥିଲେ।
ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଜିଳ୍ଲାର ଯୋଗ୍ୟା ହିତାଧିକାରୀଙ୍କୁ ଡିବିଟି ମାଧ୍ଯମରେ ଜିଲ୍ଲାର ୧ ଲକ୍ଷ ୪୪ ହଜାରରୁ ଉର୍ଦ୍ଧ ମହିଳାମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନେ ସୁଭଦ୍ରା ବିଷୟରେ ଅନ୍ୟମାନଙ୍କୁ ସଚେତନତା ସୃଷ୍ଟି କରିବା ଓ ନିଜର ଆର୍ଥିକ ସମସ୍ୟାକୁ ସୁଦୃଢ କରି ସଫଳତାର କାର୍ଯ୍ୟ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ମହିଳା ମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ସେହିପରି ମହିଳାମାନଙ୍କ ଅର୍ଥନୈତିକ, ସାମାଜିକ କ୍ଷେତ୍ରରେ ସାମିଲ କରି ଉଚିତ ସମ୍ମାନ ଦେବା ଦେବା ପାଇଁ ମାନ୍ୟବର ବିଧାୟକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସ୍ଥାନୀୟ ବିଭିନ୍ନ ଅନୁଷ୍ଠନ ର କଳାକାର ମାନଙ୍କ ଦ୍ବାରା ରଙ୍ଗା ରଙ୍ଗ ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରେ ପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତୀ ପ୍ରତିଯୋଗୀଙ୍କୁ ଅଥିତିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକର ସିଡିପିଓ ,ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କର୍ମଚାରୀ ମନୋଜ କୁମାର ପଣ୍ଡା ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବହୁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ପରେ ପରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପରିସମାପ୍ତି ପରେ ରାଜ୍ଯସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା ।
ଗଜପତି ହୋଲସେଲ ବ୍ୟବସାୟୀ ଟମାଟୋ କିଲୋ 2 ରୁ 3 ଟଙ୍କା ରଖିଛନ୍ତି, ଟମାଟୋ ତୋଳିବା ଦର ମିଳୁ ନଥିବାରୁ କ୍ଷେତରେ ଛାଡି ଚାଷୀ କ୍ଷତି ସହୁଛନ୍ତି ପାରଳାଖେମୁଣ୍ଡି, 8/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାରେ ଟମାଟୋର ଅଭାବୀ ବିକ୍ରି ଯୋଗୁଁ ଚାଷୀକୂଳ ଚଳିତ ବର୍ଷ ବେଶ କ୍ଷତି ସହିଥିବା ଅଭିଯୋଗ କରି କହିଛନ୍ତି, ବର୍ଷ ଆରମ୍ଭରୁ ଟମାଟୋର ଚାହିଦା ଠିକ ଥିଲା. ଦୈନିକ ବଜାରର ହୋଲସେଲ ବ୍ୟବସାୟୀମାନେ ଟମାଟୋକୁ ଠିକ ଦର ପ୍ରଦାନ କରୁଥିଲେ. ହେଲେ ପରବର୍ତୀ ସମୟରେ ବର୍ତ୍ତମାନ ଗତ କିଛି ଦିନ ହେଲା ହୋଲସେଲ ମାର୍କେଟରେ ବ୍ୟବସାୟୀମାନେ ସମସ୍ତ ଚାଷୀଙ୍କୁ କିଲୋ ପିଛା 2 ରୁ 3 ଟଙ୍କା ଦେଉଛନ୍ତି. ତେଣୁ ଟମାଟୋକୁ ତୋଳି ଆଣିବା ମଜୁରୀ ମିଳୁ ନଥିବାରୁ କ୍ଷେତରେ ପାଚିଲା ଟମାଟୋକୁ ଆଦାୟ ନ କରି ଛାଡି ଦେବାକୁ ବାଧ୍ୟ ହେଉଛୁ ବୋଲି ଚାଷୀମାନେ କହିଛନ୍ତି. ଗଜପତି ଜିଲ୍ଲାର ଗୋଷାଣୀ ଓ କାଶୀନଗର ବ୍ଲକ ଅଞ୍ଚଳ ପନିପରିବା ଚାଷ ଓ ଏହାର ଉତ୍ପାଦନ ଅଧିକ ହୋଇଥାଏ. ପ୍ରତେକ ବର୍ଷ ବହୁ ଚାଷୀ କୋବି, ମକା, ଟମାଟୋ, ଛୁଇଁ, ଶାଗ, ବାଇଗଣ ଆଦି ପନିପରିବା ଚାଷ କରି ନିଜ ନିଜ ପରିବାର ଭରଣପୋଷଣ କରି ଆସୁଛନ୍ତି। କେବଳ ଗଜପତି ଜିଲ୍ଲା ନୁହେଁ, ଗୋଷାଣୀ ଓ କାଶୀନଗର ଅଞ୍ଚଳ ହେଉଛି ପରିବା ବଜାରର ଏକ ହବ୍। ଏଠାରୁ ବିଭିନ୍ନ କିସମର ପନିପରିବା ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଆନ୍ଧ୍ରକୁ ମଧ୍ୟ ପ୍ରତେକ ବର୍ଷ ରପ୍ତାନୀ ହୋଇଥାଏ | ହେଲେ ଏବେ ଏଠାରେ ଉତ୍ପାଦିତ ଟମାଟୋ ଅଭାବୀ ବିକ୍ରି ଦେଖାଦେଇଛି। ହେଲେ ଟମାଟୋର ବହୁଳ ଉତ୍ପାଦନ ଯୋଗୁଁ ଟମାଟୋ କିଲୋ ପିଛା ୨ ରୁ 3 ଟଙ୍କା ହୋଲସେଲ ବେପାରୀ ଦେଉଛନ୍ତି. ଟମାଟୋକୁ କ୍ଷତରୁ ଆଦାୟ କରି ହୋଲସେଲ ଵ୍ୟବସାୟକୁ ବିକ୍ରି କରିବା ପାଇଁ ମୁଖ୍ୟ ରାସ୍ତା କଡ଼କୁ ବୋହି ଆଣିବା ପାଇଁ କିଲୋ ପିଛା 2 ରୁ 3 ଟଙ୍କା ଖର୍ଚ୍ଚ ଓ ଅଧିକ ପରିଶ୍ରମ କରିବାକୁ ପଡୁଛି. ତେଣୁ ଚାଷୀ ନିଜ ବାଡ଼ରୁ ଟମାଟୋ ନ ତୋଳି ସେଠାରେ ହିଁ ଛାଡ଼ି ଚାଲିଆସୁଛନ୍ତି। ଟମାଟୋ ତୋଳିବା ମଜୁରି ମଧ୍ୟ ବିକ୍ରି କଲେ ମିଳୁନି ବୋଲି କିଛି ଚାଷୀ କହିଛନ୍ତି। ଅପରପକ୍ଷରେ ଗଜପତି ଜିଲ୍ଲାରେ ସରକାରୀ କିମ୍ବା ବେସରକାରୀ ଭାବେ ଗୋଟିଏ ହେଲେ ଶୀତଳଭଣ୍ଡାର ନ ଥିବାରୁ ଚାଷୀ ଅଧିକ ଅମଳ ସମୟରେ ପନିପରିବାକୁ ସଂରକ୍ଷଣ ରଖି ନ ପାରି ଉଚିତ ଦାମ ପାଇପାରୁନାହାନ୍ତି. ସରକାର ଅତି ତୁରନ୍ତ ଶୀତଳ ଭଣ୍ଡାର ପ୍ରତିଷ୍ଠା କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି.












Leave a Reply