Spread the love

ବୌଦ୍ଧ :କର୍ତ୍ତବ୍ୟରତ ଅବସ୍ଥାରେ ବଜ୍ରପାତରେ ପ୍ରାଣ ହରାଇଥିବା ଅବକାରୀ ଅଧିକାରୀଙ୍କ ମାଆଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ..

ବୌଦ୍ଧ କୁନା ଦିଗାଲ ଦର୍ଶନ ସମୀକ୍ଷା

କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ବଜ୍ରପାତରେ ଅକାଳ ବିୟୋଗ ଘଟିଥିବା ବୌଦ୍ଧ ଅବକାରୀ ବିଭାଗର ପୂର୍ବତନ ଅବକାରୀ ଉପନିରୀକ୍ଷକ ସ୍ୱର୍ଗତ ପୁରୁଷୋତ୍ତମ ବେବର୍ତ୍ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି l ମଞ୍ଜୁରୀପ୍ରାପ୍ତ ଏହି ଅର୍ଥରାଶି ସ୍ୱର୍ଗତ ବେବର୍ତ୍ତାଙ୍କ ମାତା ଶ୍ରୀମତୀ ଭାଗ୍ୟବତୀ ବେବର୍ତ୍ତାଙ୍କୁ ବୌଦ୍ଧ ଅବକାରୀ ଅଧୀକ୍ଷକ ଶ୍ରୀମତୀ ଶାନ୍ତି ମାରାଣ୍ଡି ପ୍ରଦାନ କରିଛନ୍ତି l ଶ୍ରୀମତୀ ବେବର୍ତ୍ତା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳର ଶ୍ରାନିକେତ ଗ୍ରାମର ବାସିନ୍ଦା ଅଟନ୍ତି l ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ପୁରୁଷୋତ୍ତମ ବେବର୍ତ୍ତା ୧୬.୦୬.୨୦୨୫ ତାରିଖରେ ଅବକାରୀ ବିଭାଗରେ ଯୋଗଦାନ କରିଥିଲେ l ମାତ୍ର ପ୍ରାୟ ଏକ ବର୍ଷ ତିନି ମାସର ସ୍ୱଳ୍ପ ଚାକିରି କାଳ ମଧ୍ୟରେ ୨୦.୦୯.୨୦୨୬ ତାରିଖରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ତାଙ୍କର ଅକାଳ ବିୟୋଗ ଘଟିଥିଲା l ସେଦିନ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସୂଚନା ପାଇ ସ୍ୱର୍ଗତ ବେବର୍ତ୍ତା ନିଜ ସହକର୍ମୀମାନଙ୍କ ସହିତ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଗୋଛାଗୋରା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଖୁଣ୍ଟିଗୋରା ଠାରୁ ଜାମୁଟ ଦିଗକୁ ଯାଉଥିବା ଏକ ଭ୍ୟାନ୍‌କୁ ଅବକାରୀ କର୍ମଚାରୀମାନେ ଦେଖିଥିଲେ l ଅବକାରୀ କର୍ମଚାରୀଙ୍କୁ ଦେଖି ଗାଡ଼ି ଚାଳକ ଗାଡ଼ିଟିକୁ ରାସ୍ତାରେ ଛାଡ଼ି ଫେରାର ହୋଇଯାଇଥିଲା l ପରେ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ଗାଡ଼ିକୁ ଜବତ କରାଯାଇଥିଲା l ଏହାର କିଛି ସମୟ ପରେ ଘଟଣାସ୍ଥଳରେ ହଠାତ୍ ବଜ୍ରପାତ ହେବାରୁ ସ୍ୱର୍ଗତ ବେବର୍ତ୍ତା ଗୁରୁତର ଭାବେ ଅଚେତ ହେଇପଡ଼ିଥିଲେ l ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଜଣେ ଯୁବ ଅବକାରୀ ଅଧିକାରୀଙ୍କ ଏଭଳି ଅକାଳ ବିୟୋଗ ସମଗ୍ର ଜିଲ୍ଲାରେ ଗଭୀର ଶୋକର ଛାୟା ଖେଳାଇ ଦେଇଥିଲା।ଯୁବ ପୁତ୍ରଙ୍କୁ ହରାଇଥିବା ମାତା ଶ୍ରୀମତୀ ଭାଗ୍ୟବତୀ ବେବର୍ତ୍ତାଙ୍କ ଦୁଃଖ ଓ ଯନ୍ତ୍ରଣା ଅବର୍ଣ୍ଣନୀୟ l ଏଭଳି ଏକ ଦୁଃଖଦ ସମୟରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଶୋକସନ୍ତପ୍ତ ପରିବାରକୁ କିଛି ମାତ୍ରାରେ ଆର୍ଥିକ ସମ୍ବଳ ଯୋଗାଇବ ବୋଲି ଆଶା ପ୍ରକାଶ କରାଯାଇଛି l ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସ୍ୱର୍ଗତ ପୁରୁଷୋତ୍ତମଙ୍କ Finding ସାନ୍ତ୍ୱନା ଦେଇ ତାଙ୍କ ପୁତ୍ରଙ୍କ କର୍ତ୍ତବ୍ୟନିଷ୍ଠା, ସାହସିକତା ଓ ବଳିଦାନ ଅବକାରୀ ବିଭାଗର ସହକର୍ମୀମାନଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ l

ବୌଦ୍ଧ : ମେରା ଯୁବ ଭାରତ ପକ୍ଷରୁ ଜିଲ୍ଲା ସ୍ତରୀୟ ଯୁବ ସଂସଦ ଅନୁଷ୍ଠିତ..

ବୌଦ୍ଧ ଜିଲ୍ଲା ରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଅଧିନସ୍ଥ “ମେରା ଯୁବ ଭାରତ” ବୌଦ୍ଧ ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ଯୁବ ସଂସଦ ୨୦୨୬-୨୭ କାର୍ଯ୍ୟକ୍ରମ ଜେଡି ହାଇସ୍କୁଲ ଠାରେ ଅନୁଷ୍ଠିତ ହେଇଯାଇଛି l ମେରା ଯୁବ ଭାରତର ଜିଲ୍ଲା ଅଧିକାରୀ ପ୍ରସନ୍ନ ମେହେରଙ୍କ ସଂଯୋଜନାରେ ନିଶାମୁକ୍ତ ଯୁବ ପାଇଁ ବିକଶିତ ଭାରତ ଶୀର୍ଷକ ବକୃତା ଓ ବିତର୍କ ପ୍ରତିଯୋଗିତା ଆୟୋଜିତ ହେଇଯାଇଛି l ବିଭିନ୍ନ କଲେଜ ଓ କ୍ଳବରୁ ୩୮ ଜଣ ଯୁବକ ଯୁବତୀ ଏଥିରେ ଅଂଶ ଗ୍ରହଣ କରିଥିଲେ l ବୌଦ୍ଧ ଏସ୍ ଡି ପି ଓ ଲରେନ୍ସ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ସୁଧର୍ମା ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଜେଡି ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଯୁବ ସଂସଦର ବିଚାରକ ଭାବରେ ପୂର୍ବତନ ବି ଇ ଓ ଅଖିଳ କୁମାର ପ୍ରଧାନ ଭୈରବୀ ଡିଗ୍ରୀ କଲେଜର ଅଧ୍ୟକ୍ଷ ରମେଶଚନ୍ଦ୍ର ତାରିଣିଆ, ମହିଳା କଲେଜର ପ୍ରିନସିପାଲ ରବିନ୍ଦ୍ରନାଥ ଗୁରୁ, ବୌଦ୍ଧ ପଞ୍ଚାୟତ କଲେଜର ଅଧ୍ୟାପକ ଡଃ ମୁକ୍ତିକାନ୍ତ ସାହୁ, ଅଭ୍ୟୁଦୟ କଲେଜର ଆଧ୍ୟାପକ ଡଃ ଶକ୍ତିକାନ୍ତ ମହାରଣା ଯୋଗ ଦେଇଥିଲେ l ଯୁବ ପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ସଂସଦିୟ ପରମ୍ପରା ନେତୃତ୍ୱ, ଦକ୍ଷତା ଓ ରାଷ୍ଟ୍ର ନିର୍ମାଣ ପ୍ରତି ଦାୟିତ୍ୱ ବୋଧ ସୃଷ୍ଟି ଉପରେ ଅତିଥି ମାନେ ଗୁରୁତ୍ୱ କରିଥିଲେ l ବିତର୍କ ପ୍ରତିଯୋଗିତାରେ ସ୍ଵର୍ଣ୍ଣବ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରୁଚିସ୍ମିତା ବେହେରା ଦ୍ୱିତୀୟ ସ୍ଥାନ ଓ ବର୍ଷା ରାଣୀ ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ l ଶେଷରେ ମେରା ଯୁବ ଭାରତର ସଂଯୋଜକ ଆସ୍ମାନ ମହାକୁଡ଼ ଧନ୍ୟବାଦ ଦେଇଥିଲେ l ମେରା ଭାରତର ସ୍ବେଛାସେବୀ ସୁଶୀଲ ପାତ୍ର, ଦେବାଶିଷ ସେଠି, ଆଜାଦ କଲତା, ଭୁବନ ବାଗ, ଅଭିନାଶ ମିର୍ଧା, ଦିପ୍ତିମୟୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଏହି ଯୁବ ସଂସଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଯୁବା ବର୍ଗ ବିଶେଷ ଖୁସି ଅନୁଭବ କରିଥିଲେ l

ଝାରସୁଗୁଡ଼ା :ଜିଲ୍ଲାସ୍ତରୀୟ ନିର୍ବାଚନ ସାକ୍ଷରତା ପ୍ରତିଯୋଗିତା.ଭବିଷ୍ୟତର ଭୋଟରମାନଙ୍କୁ ନୈତିକ ମତଦାନ ପାଇଁ ସଚେତନ କରିବାକୁ ପ୍ରୟାସ

ଝାରସୁଗୁଡ଼ା ଜିଲ୍ଲା ନିର୍ବାଚନ ସାକ୍ଷରତାର ପ୍ରସାର ତଥା ଯୁବ ଓ ଭବିଷ୍ୟତର ଭୋଟରମାନଙ୍କୁ ନିର୍ବାଚନରେ ନୈତିକ ଅଂଶଗ୍ରହଣ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଡିଏମଏଫ୍ ଅଡିଟୋରିୟମଠାରେ ନିର୍ବାଚନ ସାକ୍ଷରତା କ୍ଲବ୍ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଚୂଡ଼ାନ୍ତ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହେଇଯାଇଛି l ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମନୋନୀତ ହୋଇଥିବା ଚୂଡ଼ାନ୍ତ ପ୍ରତିଯୋଗୀମାନେ ଏଥିରେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରି ନିର୍ବାଚନ ସଚେତନତା ସମ୍ପର୍କରେ ନିଜର ଜ୍ଞାନ ଓ ପ୍ରତିବଦ୍ଧତାର ପରିଚୟ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଭାବବିନିମୟ କରିଥିଲେ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହେବାକୁ ସେମାନଙ୍କୁ ଆହ୍ୱାନ ଦେଇଥିଲେ l ଏହି ଅବସରରେ ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀମତୀ ଲୋପାମୁଦ୍ରା କାଲୋ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂହ ଏବଂ ସହକାରୀ ନିର୍ବାଚନ ଅଧିକାରୀ ଶ୍ରୀ ରବୀନ୍ଦ୍ର ମାଝୀ ଉପସ୍ଥିତ ଥିଲେ l ଶିକ୍ଷାବିତ୍ ଅତିଥିମାନଙ୍କ ମଧ୍ୟରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ଡଃ ସ୍ୱର୍ଣ୍ଣମୟୀ ପୁରୋହିତ, ଓଡ଼ିଆ ଅଧ୍ୟାପିକା ଡଃ ଦୀପଶିଖା ସୋହେଲା ଏବଂ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟର ହିନ୍ଦୀ ଅଧ୍ୟାପିକା ଡଃ ସଂଘମିତ୍ରା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ l
କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା, ଯେଉଁଥିରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା l

କନ୍ଧମାଳ : ଆକ୍‌ଭାନ୍ ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ସହିତ ୧୦,୨୪୦ ଜଣଙ୍କୁ ସ୍ଥାନାନ୍ତରଣ ଲକ୍ଷ୍ୟ, ସନ୍ଧ୍ୟା ୫ଟା ସୁଦ୍ଧା ୨,୭୦୬ ସ୍ଥାନାନ୍ତରିତ..ରାତି ସୁଦ୍ଧା ସମସ୍ତଙ୍କୁ ଆଶ୍ରୟସ୍ଥଳୀରେ ପହଞ୍ଚାଇବାକୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ..

କନ୍ଧମାଳ ଜିଲ୍ଲା ରେ ସମ୍ଭାବ୍ୟ ଆକ୍‌ଭାନ୍ ବାତ୍ୟାର ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତିକୁ ଜୋରଦାର କରାଯାଇଛି l ଜିଲ୍ଲାର ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲାପାଳ ଜିଲ୍ଲା ଓ ବ୍ଲକସ୍ତରୀୟ ସମସ୍ତ ଅଧିକାରୀଙ୍କ ସହ ପ୍ରସ୍ତୁତି ବୈଠକ କରି ବିଭିନ୍ନ ବିଭାଗକୁ ଜରୁରୀ ଦାୟିତ୍ୱ ବଣ୍ଟନ କରିଛନ୍ତି l ଜିଲ୍ଲାର ଭୂସ୍ଖଳନ ଓ ଅନ୍ୟାନ୍ୟ ବିପଦପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ଗ୍ରାମଗୁଡ଼ିକରୁ ମୋଟ ୧୦,୨୪୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାର ଲକ୍ଷ୍ୟ ରଖାଯାଇଛି l ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ୨,୭୦୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅବଶିଷ୍ଟ ଲୋକଙ୍କୁ ରାତି ସୁଦ୍ଧା ସୁରକ୍ଷିତ ଆଶ୍ରୟସ୍ଥଳୀରେ ପହଞ୍ଚାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ଏଥିପାଇଁ ସମସ୍ତ ବ୍ଲକ୍ ପ୍ରଶାସନ ଓ ସମ୍ପୃକ୍ତ ଅଧିକାରୀଙ୍କୁ ସମନ୍ୱୟ ରଖି ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି l ବାତ୍ୟାର ଗତିବିଧି ଓ ପାଣିପାଗ ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଜରୁରୀ ସୂଚନା ଆଦାନପ୍ରଦାନ ପାଇଁ ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ l ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ପ୍ରତି ଦୁଇ ଘଣ୍ଟାରେ ବର୍ଷା ପରିମାଣ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ରିପୋର୍ଟ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି l ଉଦ୍ଧାର ଓ ଜରୁରୀକାଳୀନ ସେବା ପାଇଁ ଅଗ୍ନିଶମ ବିଭାଗର ୧୩ଟି ଟିମ୍ ମୁତୟନ କରାଯାଇଛି l ପ୍ରତ୍ୟେକ ଟିମ୍‌ରେ ୬ ଜଣ ଲେଖାଏଁ କର୍ମଚାରୀ ରହିଛନ୍ତି। ଅନ୍ୟପକ୍ଷରେ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଆଶ୍ରିତଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି l ଆଶ୍ରୟସ୍ଥଳୀଗୁଡ଼ିକରେ ପୋଲିସ କର୍ମଚାରୀ ମୁତୟନ ପାଇଁ ଏସ୍‌ପିଙ୍କୁ କୁହାଯାଇଛି।ସେହିପରି ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ସିଡିଏମ୍‌ଓଙ୍କୁ ଆବଶ୍ୟକ ଔଷଧ, ଡାକ୍ତରୀ ଦଳ ଓ ଅନ୍ୟାନ୍ୟ ଜରୁରୀ ସ୍ୱାସ୍ଥ୍ୟସେବା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଛି l ଯୋଗାଣ ବିଭାଗ ପକ୍ଷରୁ ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ ସାମଗ୍ରୀ ଓ ପାନୀୟ ଜଳର ଉପଲବ୍ଧତା ନିଶ୍ଚିତ କରାଯିବ l ବାତ୍ୟା ପରେ ରାସ୍ତା ଅବରୋଧ ହେଲେ ତୁରନ୍ତ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବା ଓ ଉଦ୍ଧାର କାର୍ଯ୍ୟକୁ ସୁଗମ କରିବା ପାଇଁ ରାସ୍ତା ଓ କୋଠାବାଡ଼ି (R&B) ଏବଂ ଗ୍ରାମ୍ୟ ଉନ୍ନୟନ (RD) ବିଭାଗକୁ ଜେସିବି, ଚେନ୍ ମେସିନ୍, ଟ୍ରଲର ଓ ଟ୍ରାକ୍ଟର ଆଦି ଯନ୍ତ୍ରପାତି ଓ ଯାନବାହନ ପ୍ରସ୍ତୁତ ରଖିବାକୁ କୁହାଯାଇଛି l କୃଷି ଓ ପଶୁ ସମ୍ପଦ ବିଭାଗକୁ ମଧ୍ୟ ନିଜ ନିଜ କ୍ଷେତ୍ରରେ ଆବଶ୍ୟକ ପ୍ରସ୍ତୁତି ଓ ସହାୟତା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ଏଥିସହ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ଓ ଆକାଶମାର୍ଗରେ ସହାୟତା ପାଇଁ ଜିଲ୍ଲାର ୭୩ଟି ସ୍ଥାନକୁ ସମ୍ଭାବ୍ୟ ହେଲିପ୍ୟାଡ୍ ଭାବେ ଚିହ୍ନଟ କରାଯାଇଛି l ଏହି ସ୍ଥାନଗୁଡ଼ିକର ଭୌଗୋଳିକ ଅବସ୍ଥିତି ବା ଜିଓ-ଲୋକେସନ୍ ସଂଗ୍ରହ କରିବାକୁ ମଧ୍ୟ କୁହାଯାଇଛି l ବାତ୍ୟା ସମୟରେ ଜିଲ୍ଲାର କୌଣସି ଅଞ୍ଚଳ ଯେପରି ଅସୁବିଧାରେ ନ ପଡ଼େ ଏବଂ ଜନସାଧାରଣଙ୍କୁ ତୁରନ୍ତ ସହାୟତା ମିଳିପାରେ, ସେଥିପାଇଁ ସମସ୍ତ ବିଭାଗକୁ ସଜାଗ ରହିବା ସହ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି l