ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ପ୍ରେରଣାର ପର୍ବ ‘ସାହିତ୍ୟ ସମ୍ବାଦ //ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ଭାରତୀୟ ସ୍ଥଳସେନାର ଅବସରପ୍ରାପ୍ତ ମେଜର ଜେନେରାଲ ଜି. ଡି. ବକ୍ସି । କହିଲେ ମୁଁ ଜୀବନରେ ସାମ୍ନା କରିଥିବା ଅନେକ ଯୁଦ୍ଧରେ ଯେଉଁଭଳି ଭାବରେ ମୋ ସେନାର ଯବାନମାନଙ୍କ ମୃତ୍ୟୁକୁ ଖୁବ୍ ପାଖରୁ ଦେଖିଛି, ସେଥିରେ ମୁଁ ବଞ୍ଚି ରହିବାଟା ହିଁ ମୋ ଜୀବନର ସର୍ବଶ୍ରେଷ୍ଠ ଘଟଣା।

Spread the love

•ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ପ୍ରେରଣାର ପର୍ବ ‘ସାହିତ୍ୟ ସମ୍ବାଦ’
ବାରଙ୍ଗ.୦୭/୦୩ (ଦର୍ଶନ ସମୀକ୍ଷା)

“ଥରେ ମୋତେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ ଅବସରରେ ନିର୍ବାଚନ କମିଶନର କ୍ୟାବିନେଟ୍ ସଚିବ ଟି. ଏସ୍. ସୁବ୍ରମଣ୍ୟମ୍ ପଚାରିଥିଲେ, ମେଜର ବକ୍ସି, ଆପଣ ଏତେଦିନ ଧରି ଦେଶସେବା କରିବା ମଧ୍ୟରେ ଆପଣଙ୍କ ଜୀବନର ସର୍ବଶ୍ରେଷ୍ଠ ଘଟଣା କେଉଁଟି ? ଉତ୍ତରରେ ମୁଁ କହିଥିଲି, “ମୋର ବଞ୍ଚି ରହିବା ହିଁ ମୋ ପାଇଁ ସର୍ବଶ୍ରେଷ୍ଠ ଉପଲବ୍ଧି । କାରଣ ମୁଁ ଜୀବନରେ ସାମ୍ନା କରିଥିବା ଅନେକ ଯୁଦ୍ଧରେ ଯେଉଁଭଳି ଭାବରେ ମୋ ସେନାର ଯବାନମାନଙ୍କ ମୃତ୍ୟୁକୁ ଖୁବ୍ ପାଖରୁ ଦେଖିଛି, ସେଥିରେ ମୁଁ ବଞ୍ଚି ରହିବାଟା ହିଁ ମୋ ଜୀବନର ସର୍ବଶ୍ରେଷ୍ଠ ଘଟଣା।” ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ପ୍ରେରଣାର ପର୍ବ ‘ସାହିତ୍ୟ ସମ୍ବାଦ’ର ମୁଖ୍ୟ ଅତିଥି ଭାବରେ ଯୋଗଦେବା ଅବସରରେ ଏକଥା କହିଛନ୍ତି ଭାରତୀୟ ସ୍ଥଳସେନାର ଅବସରପ୍ରାପ୍ତ ମେଜର ଜେନେରାଲ ଜି. ଡି. ବକ୍ସି ।

ଭଗବତ୍ ଗୀତାର ଜୀବନ୍ତ ଶିକ୍ଷାଗୁଡ଼ିକୁ ଉଦାହରଣ ସହ ବ୍ୟାଖ୍ୟା କରିବା ଅବସରରେ ସେ ତାଙ୍କ ଜୀବନର ସମସ୍ତ ଦୁଃସାହସିକ ଅଭିଯାନଗୁଡ଼ିକ ସମ୍ପର୍କରେ କହିବାକୁ ଭୁଲି ନ ଥିଲେ । ଏହାର ଅନୁଭବ, ଅନୁଭୂତି, ଦର୍ଶନ ଓ ଶ୍ରୁତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଭୟ ବିରୋଧରେ କିଭଳି ବିଜୟପ୍ରାପ୍ତ କରିହେବ, ସେ ସମ୍ପର୍କରେ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ । ୧୯୭୧ ଯୁଦ୍ଧରେ ସହକର୍ମୀ ସେକେଣ୍ଡ ଲ୍ୟୁଟନାଣ୍ଟ ମହେନ୍ଦ୍ର ପ୍ରତାପ ସିଂଙ୍କୁ ପାକ୍ ସେନା କିଭଳି ଯନ୍ତ୍ରଣାଦାୟକ ମୃତ୍ୟୁ ପ୍ରଦାନ କରିଥିଲା, ଉକ୍ତ ଲୋମହର୍ଷଣକାରୀ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଜବାବରେ ଭାରତ କିଭଳି ୯୩ ହଜାର ପାକସ୍ତାନୀ ସୈନ୍ୟଙ୍କୁ ବନ୍ଦୀ କରିଥିଲା, ସେ ସମ୍ପର୍କରେ କହିଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଇଂରାଜୀ ସାହିତ୍ୟକାର ତଥା କର୍ପୋରେଟ୍ ବ୍ୟକ୍ତିତ୍ୱ ସଞ୍ଜୀବ ସରିନ, କୁଳାଧ୍ୟକ୍ଷା ପ୍ରଫେସର ରଜିତା କୁଲକର୍ଣ୍ଣୀ, ଆର୍ଟ ଅଫ୍ ଲିଭିଂ ଡବ୍ଲୁଡବ୍ଲୁସିସି ଅଧ୍ୟକ୍ଷା ଭାନୁମତି ନରସିଂହନ୍, ଜ୍ଞାନପୀଠ ପୁରସ୍କାର ବିଜୟିନୀ ଓଡ଼ିଆ ସାହିତ୍ୟିକା ପଦ୍ମଭୂଷଣ ଡ. ପ୍ରତିଭା ରାୟ, ବିଶିଷ୍ଟ ଅନୁବାଦକ, ସମାଲୋଚକ ଓ ସ୍ତମ୍ଭକାର ପ୍ରଫେସର ଯତିନ୍ଦ୍ର ନାୟକ, ବିଶିଷ୍ଟ ଔପନ୍ୟାସିକ ତଥା ସାହିତ୍ୟିକ ଗୌରହରି ଦାସ, ବିଶିଷ୍ଟ ସିନେ ଅଭିନେତା ସତ୍ୟବ୍ରତ(କୁନା) ତ୍ରିପାଠୀ, ବ୍ୟାଙ୍କର ମିହିର ପଟ୍ଟନାୟକ ଓ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ପୀତବାସ ରାଉତରାୟ ପ୍ରମୁଖ ବିଭିନ୍ନ ଅଧିବେଶନରେ ଉପସ୍ଥିତ ରହି ନିଜ ବକ୍ତବ୍ୟ ଜରିଆରେ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସମେତ ଶିକ୍ଷକ, କର୍ମଚାରୀଙ୍କୁ ଉଦବୁଦ୍ଧ କରିଥିଲେ । ପ୍ରଥମେ ଆଡମିନ୍ ଅଧିକାରୀ ସୌରଭ ବାୱେଜା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୁଳପତି ଡ. ତେଜପ୍ରତାପ ସ୍ୱାଗତ ଭାଷଣ ଦେଇଥିଲେ । ଓଡ଼ିଶୀ ନୃତ୍ୟ ଦଶାବତାରମରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ ଦର୍ଶକ ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ଅଧିବେଶନକୁ ଡ. ବିପ୍ଳବ ବିଶ୍ୱାଳ, ଡ. ଭରତ ଦାଶ, ଡ. କେଶରୀ ସିଂହ, ଡ. ମଧୁମିତା ଦାସ, ଡ. ରାକେଶ ତ୍ରିପାଠୀ ଏବଂ ଡ. ଡି. ଡି. ସ୍ୱାଇଁ ପ୍ରମୁଖ ସଞ୍ଚାଳନ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ କୁଳପତି ପ୍ରଫେସର ଡ. ତେଜପ୍ରତାପ, କୁଳସଚିବ ଡ. ଅନିଲ କୁମାର ଶର୍ମା, କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ଏବଂ ବିଦ୍ୟାର୍ଥୀ କଲ୍ୟାଣ ବିଭାଗ ଡିନ୍ ପ୍ରଫେସର ଡ. ଜୟପ୍ରକାଶ ଭଟ୍ଟ, ମାନବସମ୍ବଳ ବିଭାଗ ଉପନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ଗଡ଼ନାୟକ ପ୍ରମୁଖ ଆୟୋଜକମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *