ବିଲୁଆଖାଇର ବିଭୀଷିକା : ଛବିରାଣୀକୁ ରେପ୍ ଆଣ୍ଡ ମର୍ଡ଼ର
- ରାୟ ପ୍ରକାଶର ଗୋଟିଏ ଦିନ ପୂର୍ଵରୁ ଜିଲ୍ଲା ଦୌରା ଜଜଙ୍କୁ ମୁଣ୍ଡ ଗଡ଼ିବା ଧମକ
-”ସମୟ’ ଓ ‘ସମୟ ସାପ୍ତାହିକ’ରେ ଜଜ କୃଷ୍ଣଚନ୍ଦ୍ର କରଙ୍କ ବିରଳ ସାକ୍ଷାତକାର - ଛବିରାଣୀଙ୍କ ସ୍ୱାମୀ ନବବାବୁ ଘର ଛାଡି ଆତ୍ମ ଗୋପନ କଲେ
- ୧୦୦ ପୃଷ୍ଠାର ରାୟ, ଆଠ ଅଭିଯୁକ୍ତ ଦୋଷୀ : ପରେ ହାଇକୋର୍ଟରେ ଭିନ୍ନ ରାୟ : ସୁପ୍ରିମକୋର୍ଟରେ ରଦ୍ଦ
” ବହୁତ ଉତୁରୁଛୁ I ତୋ ମୁଣ୍ଡ ରହିଲେ ହେଲା’।
ଛବିରାଣୀ ଧର୍ଷଣ ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇବାର ଗୋଟିଏ ଦିନ ପୂର୍ବରୁ ଏମିତି ଜଣେ ଅପରିଚିତ ବ୍ୟକ୍ତି ମୋତେ ଫୋନ୍ କରି ଧମକ ଦେଲା I ରାୟ ପରିବର୍ତ୍ତନ ପାଇଁ ସେ ଚାହୁଁଥିଲା I ମୁଁ କିନ୍ତୁ ଡରିଲି ନାହିଁ I ଭଗବାନଙ୍କୁ ଭରସା କରି ଓ ଜୀବନକୁ ବାଜି ଲଗାଇ ରାୟ ପ୍ରକାଶ କଲି।”
୧ ଜୁଲାଇ ୨୦୦୨ରେ 'ସମୟ' ଓ 'ସମୟ ସାପ୍ତାହିକ' ପାଇଁ ସାକ୍ଷାତକାର କରୁଥିବାବେଳେ ଏଭଳି ଚାଞ୍ଚଲ୍ୟକର କଥା କହିଥିଲେ ପୂର୍ବତନ କଟକ ଜିଲ୍ଲା ଦୌରା ଜଜ୍ କୃଷ୍ଣଚନ୍ଦ୍ର କର I
- ମୁଁ ତାଙ୍କୁ ପଚାରିଲି – ଆପଣଙ୍କ ଠାରେ ଏତେ ସାହସ ଆସିଲା କେମିତି?
- କୃଷ୍ଣଚନ୍ଦ୍ର କହିଥିଲେ, “ମୋର ବଡ଼ ବାପାଙ୍କ ଠାରୁ ଆସିଛି I ସେ କଟକରେ ଏକ ସ୍କୁଲରେ ସଂସ୍କୃତ ଶିକ୍ଷକ ଥିଲେ I ଆମେ କଟକରେ ଥିଲୁ I ବାପା କେନ୍ଦ୍ରାପଡ଼ାରେ ଚାଷ କାର୍ଯ୍ୟ କରୁଥିଲେ I ବହୁ କଷ୍ଟରେ ବଡ଼ ବାପା ଆମକୁ ପାଠ ପଢାଉଥିଲେ I ହେଲେ ପିଲାଦିନୁ ସଂସ୍କାର, ନିର୍ଭିକ ଓ ସଚୋଟତା ଶିକ୍ଷା ଦେଇଥିଲେ I ସେଇ ପ୍ରଭାବ ମୋ ଉପରେ ପିଲା ଦିନୁ ଆଜି ଯାଏ ରହିଛି I “
-ମୁଁ ପଚାରିଲି ସାର,- ” କଟକର ଦୌରା ଜଜ ହେବା ପୂର୍ବରୁ କେଉଁଠି ଥିଲେ??
- ବିଚାରପତି ସାର କହିଲେ,”ବାଲେଶ୍ୱରର ଜିଲ୍ଲା ଜଜ ଭାବେ କାର୍ଯ୍ୟରତ ଥିବା ସମୟରେ ହଠାତ ହାଇକୋର୍ଟରୁ ମୁଖ୍ୟ ବିଚାରପତିଙ୍କ ଠାରୁ ଏକ ଫୋନ ଆସିଲା ଯେ’ ତୁରନ୍ତ କଟକ ଜିଲ୍ଲା ଜଜ ଭାବେ ଯୋଗାଦେବାକୁ I ହଠାତ ଏମିତି ବଦଳି କାହିଁକି? ମୁଁ ଆଶ୍ଚର୍ଯ୍ୟ ହୋଇଯାଇ ଥିଲି I ପରଦିନ ଆସବାବପତ୍ର ଧରି ବାଲେଶ୍ୱରରୁ କଟକ ଆସିଲି I ହାଇକୋର୍ଟରେ ପହଂଚିବା କ୍ଷଣି ମୋତେ ମୁଖ୍ୟବିଚାରପତି ଛବିରାଣୀ ହତ୍ୟାକାଣ୍ଡର ଶୁଣାଣୀ କରିବ ବୋଲି ନିର୍ଦେଶ ଦେଲେ I ଏହା ଶୁଣି ମୁଁ ପ୍ରଥମେ ଧୈର୍ଯ୍ୟ ହାରି ଦେଇଥିଲି I ପରେ ମାନସିକ ପ୍ରସ୍ତୁତ ହୋଇ ବାପାଙ୍କ କଥାକୁ ସ୍ମରଣ କରି ଶୁଣାଣୀ ଆରମ୍ଭ କଲି I ମାତ୍ର ପ୍ରଥମରୁ ମୋର ଜୀବନ ପ୍ରତି ବିପଦ ଥିଲା I “
କୃଷ୍ଣଚନ୍ଦ୍ର କହିଲେ,…
“ଛବିରାଣୀ ଧର୍ଷଣ ଓ ହତ୍ୟାକାଣ୍ଡ ମାମଲା ରାଜନୈତିକ ଦୃଷ୍ଟିକୋଣରୁ ବେଶ ସମ୍ବେଦନଶୀଳ ଥିଲା I ଓଡ଼ିଶା ସମେତ ସାରା ଭାରତ ବର୍ଷରେ ଏହି ଲୋମହର୍ଷକ ଘଟଣା ବେଶ ଚହଳ ପକାଇ ଦେଇଥିଲା I “
“ତେବେ ଶୁଣାଣୀ ଶେଷରେ ୧୯୯୧ରେ ୧୦୦ ପୃଷ୍ଠା ବ୍ୟାପୀ ଦଣ୍ଡାଦେଶ ଲେଖିବା ପୂର୍ବରୁ “ରାୟ” ପ୍ରକାଶ କରିଥିଲି I “
“ଛବିରାଣୀ ଧର୍ଷଣ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମୋଟ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ ହୋଇଥିଲେ I ହେଲେ ୮ ଜଣ ଆଜୀବନ କାରାଦଣ୍ଡ ଭୋଗୀଥିଲେ।”
-କ’ଣ ପାଇଁ ୧୯୯୩ରେ ହାଇକୋର୍ଟରେ ଅପରାଧୀମାନେ ନିର୍ଦୋଷରେ ଖଲାସ ହେଲେ ?
- କୃଷ୍ଣଚନ୍ଦ୍ର କହିଥିଲେ – “ରାଜନୈତିକ ଚାପ I ହେଲେ ସେ ବିଷୟରେ କିଛି କହିବି ନାହିଁ I ହାଇକୋର୍ଟଙ୍କ ରାୟ ପାଇଁ ମୁଁ କିଛି ବର୍ଷ ପରିବାର( ପତ୍ନୀ, ଚାରି ପୁଅ, ଗୋଟିଏ ଝିଅ) ସହ ଭୟ ଓ ଆତଙ୍କ ଭିତରେ ରହିଥିଲି I ୨୩ ଏପ୍ରିଲ ୨୦୦୨ରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ସ୍ଥିତି ବଦଳିଲା I ସୁପ୍ରିମକୋର୍ଟର ବିଚାରପ୍ରତିଦ୍ୱୟ ଥିଲେ ନ୍ୟାୟାଧୀଶ ଆର ପି ସେଠୀ ଓ ଦୋରାସ୍ୱାମୀ ରାଜୁ I “
// ହାଇକୋର୍ଟ ରାୟ ପରେ ନବ କିଶୋର ଗାଁ ଛାଡିଦେଲେ//
୩ ଅକ୍ଟୋବର ୧୯୮୦, ରାତ୍ରୀ ୭. ୩୨ରେ ଅମା ଅନ୍ଧାରର ସୁଯୋଗ ନେଇ ବିରିଡ଼ି ବିଲୁଆଖାଇ ନଦୀ ବାଲି ଶଯ୍ୟାରେ ଛବିରାଣୀକୁ ଜଣେ ପରେ ଜଣେ ଆଠ ଗୁଣ୍ଡା ‘ରେପ୍ ଆଣ୍ଡ ମର୍ଡର’ କରିଥିଲେ I କଟକ ଜିଲ୍ଲା ଦୌରା ଜଜଙ୍କ ରାୟ ଆସିଲା ୧୯୯୧ରେ I ଏନେଇ ନବ ବାବୁ ଏବଂ ଓଡ଼ିଶା ବାସୀ ବେଶ ଖୁସି ଥିଲେ I
ମାତ୍ର ୧୯୯୩ରେ ହାଇକୋର୍ଟ ଅପରାଧୀଙ୍କୁ ନିର୍ଦୋଷରେ ଖଲାସ କରିବା ପରେ ନବ ବାବୁଙ୍କର ବିଚାରଳୟ ଉପରେ ବିଶ୍ୱାସ ତୁଟି ଯାଇଥିଲା I ସେଥିପାଇଁ ସେ ୨୨ ମୌଜା ଛାଡି ଲୁକ୍କାୟିତ ଭାବେ କୋରାପୁଟ ପଳାଇ ଥିଲେ I
୨୦୦୨ରେ ସୁପ୍ରିମକୋର୍ଟ ଜିଲ୍ଲା ଦୌରା ଜଜଙ୍କ ରାୟକୁ କାଏମ ରଖିବା ପରେ ପୁଣି ଅପରାଧୀମାନେ ଆଜୀବନ ଜେଲ ଗଲେ I












Leave a Reply