ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ୧ ଲକ୍ଷ ୩୨ ହଜାର ଚାଷୀଙ୍କୁ ସି.ଏମ୍. କିଷାନ କିସ୍ତି ଅର୍ଥରାଶି ପ୍ରଦାନ
ଢ଼େଙ୍କାନାଳ, ତା. ୨୦.୪.୨୦୨୬- ( ଦର୍ଶନ ସମୀକ୍ଷା )
ଆଜି ଅକ୍ଷୟ ତୃତୀୟା ତିଥି ଅବସରରେ ଗନ୍ଦିଆ ସ୍ଥିତ ସରକାରୀ ବିହନ ଉତ୍ପାଦନ କୃଷି ଫାର୍ମ ଠାରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚ଼ନ୍ଦ୍ର ପାତ୍ର ଯୋଗ ଦେଇ ପୂଜାର୍ଚ୍ଚନା କରିବା ପରେ ପାରମ୍ପାରିକ ହଳ କରି ଅକ୍ଷିମୁଠି ଅନୁକୂଳ କରିଥିଲେ । ଆୟୋଜିତ ସଭାରେ ଯୋଗଦେଇ, କୃଷି ଓ କୃଷକ ବନ୍ଧୁମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ସି.ଏମ୍. କିଷାନ କିସ୍ତି ୨ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ ଯୋଗୁଁ ଜିଲ୍ଲାର ୧ ଲକ୍ଷ ୩୨ ହଜାର ୩୯୫ ଜଣ ଚାଷୀ ଉପକୃତ ହେବେ ବୋଲି ସେ କହିଛନ୍ତି । ଜିଲ୍ଲାର ସମସ୍ତ ଚାଷୀଙ୍କ ଠାରୁ ମୋଟ ୧ ଲକ୍ଷ ୬୩ ହଜାର ମେଟ୍ରିକ ଟନ୍ ଧାନ କିଣାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । କୃଷିକୁ ପ୍ରୋତ୍ସାହିତ କରାଯାଉ ଥିବା ହେତୁ ରାଜ୍ୟରେ ରେକର୍ଡ ପରିମାଣର ଧାନ ଉତ୍ପାଦନ ହୋଇପାରିଛି ବୋଲି ପ୍ରକାଶକରି କୃଷକ ମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏକ କୃଷି ସଚେତନତା ରଥକୁ ମାନ୍ୟବର ମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲ , ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ତଥା ମୁଖ୍ୟ କୃଷି ବୈଜ୍ଞାନିକ ଶ୍ରୀ ବିମଳେନ୍ଦୁ ମହାନ୍ତି, ବିଭାଗୀୟ କୃଷି ଅଧିକାରୀଗଣ, ଚାଷୀ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଶ୍ଵନାଥ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।












Leave a Reply