ମାଲକାନଗିରି// ସି.ବି.ଏସ୍.ଇ. ଦଶମ ଶ୍ରେଣୀ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ, ଓ ଶିକ୍ଷାର ବିକାଶ ପାଇଁ ଜିଲ୍ଲାପାଳଙ୍କ ମାଷ୍ଟର ପ୍ଲାନ୍

Spread the love

ମାଲକାନଗିରି:( ଦର୍ଶନ ସମୀକ୍ଷା) ମନୋଜ ଦେବ ପାଙ୍ଗି

ମାଲକାନଗିରିରେ ସି.ବି.ଏସ୍.ଇ. ଦଶମ ଶ୍ରେଣୀ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ

ଆଜି ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲାପାଳ, ମାଲକାନଗିରି ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ସି.ବି.ଏସ.ଇ. ଦଶମ ପରୀକ୍ଷାରେ ୯୦% ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୨୮ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିଛନ୍ତି। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଓ ଭାଗୀରଥି ବେହେରା ଉପସ୍ଥିତ ଥିଲେ।

“ମାଲକାନଗିରି ଭଳି ଏକ ଆକାଂକ୍ଷୀ ଜିଲ୍ଲାର ପିଲାମାନେ ଜାତୀୟ ସ୍ତରର ପରୀକ୍ଷାରେ ଏଭଳି ଉତ୍କୃଷ୍ଟ ପ୍ରଦର୍ଶନ କରିବା ସମସ୍ତ ଜିଲ୍ଲାବାସୀଙ୍କ ପାଇଁ ଗର୍ବର ବିଷୟ। ଏମାନେ ଅନ୍ୟ ପିଲାମାନଙ୍କ ପାଇଁ ପ୍ରେରଣା। ଶିକ୍ଷା ହିଁ ପରିବର୍ତ୍ତନର ମୂଳ ଚାବି।” ବୋଲି ଜିଲ୍ଲାପାଳ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଅଁଳାପଦର ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଲକ୍ଷ୍ମଣ ଦୋରାଙ୍କୁ ୧୭ ବର୍ଷ ବିଭାଗ ଜାତୀୟ ବିଦ୍ୟାଳୟ କ୍ରିକେଟ ପାଇଁ ଚୟନିତ ହୋଇଥିବାରୁ ଅତିଥି ଗଣଙ୍କ ଦ୍ଵାରା ଶୁଭେଛା ଓ ସମ୍ମାନ ପ୍ରଦାନ କରାଗଲା ।

କାର୍ଯ୍ୟକ୍ରମରେ ଜବାହର ନବୋଦୟ ବିଦ୍ୟାଳୟରୁ ୧୧ ଜଣ, ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ୮ଜଣ, କେନ୍ଦ୍ରୀୟ ବିଦ୍ୟାଳୟରୁ ୩ ଜଣ ଏବଂ ଆଇ.ଏମ୍.ଏସ.ଟି. ବିଦ୍ୟାଳୟରୁ ୬ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନ ଫଳକ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ସେମାନଙ୍କ ପିତାମାତା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଯାଇଥିଲା।

ତତ ପରେ ଜିଲାସ୍ତରୀୟ ଶିକ୍ଷା ବିଭାଗ ସମୀକ୍ଷା ବୈଠକ ପ୍ରସ୍ତୁତି ହେଲା ଯେଉଁଥିରେ ଜିଲ୍ଲା ଶିକ୍ଷା ଅଧିକାରୀ , ଗୋଷ୍ଠୀ ଶିକ୍ଷା ଅଧିକାରୀ ସହ ବିଭିନ୍ନ ବିଭାଗୀୟ ମୁଖ୍ୟ ନିଜ ନିଜର କାର୍ଯ୍ୟ ନୂତନ ଜିଲ୍ଲାପାଳଙ୍କ ସମ୍ମୁଖରେ ଉପସ୍ଥାପନ କଲେ।

ସମସ୍ତ ତଥ୍ୟ ଅବଗତ ପରେ ଜିଲ୍ଲାପାଳ ବିଦ୍ୟାଳୟ ସୁରକ୍ଷା ଓ ବାଳିକାଙ୍କ ସ୍ୱାସ୍ଥ୍ୟକୁ ନିୟମିତ ପରଖିବା, ପାଠ ଛାଡିଥିବା ପିଲାଙ୍କୁ ମୁଖ୍ୟ ସ୍ରୋତକୁ ଫେରେଇ ଆଣିବା, ବିଦ୍ୟାଳୟ ପୋଷାକ ଓ ପୁସ୍ତକ ବଣ୍ଟନକୁ ତ୍ୱରାନ୍ୱିତ କରିବା, ଦଶମ ଶ୍ରେଣୀ ପିଲାଙ୍କ ଭଲ ଫଳାଫଳ ପାଇଁ ଅଭିନବ କାର୍ଯ୍ୟକ୍ରମ ହାତକୁ ନେବା, ପାଠ୍ୟଖସଡା ସଠିକ୍ ସମୟରେ ସାରିବା ଏବଂ ବିଚାର ମଞ୍ଚ କିମ୍ବା ଶିକ୍ଷା ଷ୍ଟୁଡିଓ ମାଧ୍ୟମରେ ଉନ୍ନତ ଶିକ୍ଷା ପ୍ରଣାଳୀ ପ୍ରସ୍ତୁତ କରିବା ଆଦି ବିଷୟକୁ ଅତି ଗୁରୁତ୍ତର ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ମାଲକାନଗିରିରେ ଶିକ୍ଷାର ବିକାଶ ପାଇଁ ଜିଲ୍ଲାପାଳଙ୍କ ମାଷ୍ଟର ପ୍ଲାନ୍

ଏକଲବ୍ୟ ବିଦ୍ୟାଳୟ ପରିଦର୍ଶନ ସହ ଭିତ୍ତିଭୂମିର ସମୀକ୍ଷା

ମାଲକାନଗିରି
ଜିଲ୍ଲାରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମିଳିବ ଉଚ୍ଚକୋଟୀର ଶିକ୍ଷା ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗ। ଶିକ୍ଷାର ମାନ ବୃଦ୍ଧି ଏବଂ ଭିତ୍ତିଭୂମିର କାୟାକଳ୍ପ ପାଇଁ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିବା ସହ ସେଠାକାର ଶିକ୍ଷାଦାନ ପଦ୍ଧତି ଓ ବିଦ୍ୟାଳୟର ସାମଗ୍ରିକ ସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି। ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଏବଂ ରୂପାନ୍ତରଣ ପାଇଁ ଏକ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ବା କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ସେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାପାଳ ନିଜ ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରତିଟି ବିଭାଗକୁ ବୁଲି ଦେଖିବା ସହ ପିଲାମାନେ କିଭଳି ପାରମ୍ପରିକ ପଦ୍ଧତିରୁ ଊର୍ଦ୍ଧ୍ୱକୁ ଯାଇ ଆଧୁନିକ ତଥା ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବେ, ସେଥିପାଇଁ ବିହିତ ପଦକ୍ଷେପ ନେବାକୁ ଗୁରୁତ୍ୱ ଦେଇଛନ୍ତି। ପାଠପଢ଼ାର ମାନକୁ କିଭଳି ଜାତୀୟ ସ୍ତରର ବିଦ୍ୟାଳୟ ସହ ସମାନ କରାଯାଇପାରିବ, ସେ ନେଇ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ଓ ଶିକ୍ଷକମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ବିଦ୍ୟାଳୟ ପରିସରରେ ଥିବା ଆବାସିକ ସୁବିଧା, ପାନୀୟ ଜଳ, ପରିମଳ ଏବଂ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ପାଇଁ ସେ ପ୍ରକଳ୍ପ ପ୍ରଶାସକଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି।ଏହି ସମୀକ୍ଷା କାଳରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହଳଧର ଶବର ଉପସ୍ଥିତ ରହି ବିଦ୍ୟାଳୟର ସମ୍ପ୍ରସାରଣ ଓ ଆବଶ୍ୟକୀୟ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପିଲାମାନଙ୍କ ମଧ୍ୟରେ ଥିବା ସୃଜନଶୀଳ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଦୁର୍ଗମ ଅଞ୍ଚଳର ଏହି ଶିକ୍ଷାନୁଷ୍ଠାନକୁ ଜିଲ୍ଲାର ଏକ ମଡେଲ ସ୍କୁଲ ଭାବେ ଗଢ଼ି ତୋଳିବା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାର ଆର୍ଥିକ ଓ ବୈଷୟିକ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *