ଉଦୟବଟ’ ସମ୍ବାଦପତ୍ରର ୨୨ତମ ବାର୍ଷିକ ଉତ୍ସବ
ଗଣମାଧ୍ୟମ ସମାଜ ଓ ରାଷ୍ଟ୍ରର ପଥପ୍ରଦର୍ଶକ : ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ
ଯାଜପୁର ୩୦/୧୨ (ଦର୍ଶନ ସମୀକ୍ଷା) : ସତ୍ୟ, ସାହସ ଓ ସାମାଜିକ ଦାୟିତ୍ୱକୁ ଆଧାର କରି ଡିଜିଟାଲ ଓ ଇ-ନ୍ୟୁଜ କ୍ଷେତ୍ରରେ ଦୁଇ ଦଶକ ଧରି ନିରନ୍ତର ସଂଘର୍ଷ ଓ ସଫଳତାର ଯାତ୍ରା କରୁଥିବା ‘ଉଦୟବଟ’ ସମ୍ବାଦପତ୍ରର ୨୨ତମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ଉତ୍ସାହ ଓ ଉଦ୍ଦୀପନା ସହିତ ଅନୁଷ୍ଠିତ ହୋଇଯାଇଛି।
ଉଦୟବଟ ସମ୍ପାଦକ ଦୁଷ୍ମନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମକୁ ସମାଜ ଓ ରାଷ୍ଟ୍ରର ପଥପ୍ରଦର୍ଶକ ବୋଲି ଅଭିହିତ କରିଥିଲେ। ମନ୍ତ୍ରୀ ଶ୍ରୀ ବଳ ସାମନ୍ତ କହିଥିଲେ ଯେ, “ଲୋକତନ୍ତ୍ରର ମୂଳ ଶକ୍ତି ହେଉଛି ସ୍ୱାଧୀନ ଓ ନିଷ୍ପକ୍ଷ ସମ୍ବାଦ ମାଧ୍ୟମ। ଡିଜିଟାଲ ଯୁଗରେ ଇ-ନ୍ୟୁଜ ମାଧ୍ୟମ ଜନସାଧାରଣଙ୍କ ସ୍ୱରକୁ ସରକାର ପର୍ଯ୍ୟନ୍ତ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସାମାଜିକ ନ୍ୟାୟ, ଲୋକହିତ ଓ ଉନ୍ନତିମୂଳକ ଯୋଜନାଗୁଡ଼ିକୁ ସାଧାରଣ ଲୋକଙ୍କ ନିକଟକୁ ପହଞ୍ଚାଇବା ସମ୍ବାଦ ମାଧ୍ୟମର ମୁଖ୍ୟ ଦାୟିତ୍ୱ।”ସେ ଆହୁରି କହିଥିଲେ ଯେ, ସତ୍ୟ ଓ ସାହସିକ ସାମ୍ବାଦିକତା ମାଧ୍ୟମରେ ସରକାରୀ ଯୋଜନା, ଗ୍ରାମୀଣ ଉନ୍ନତି, ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ସମସ୍ୟାଗୁଡ଼ିକୁ ଲୋକମାନଙ୍କ ସମ୍ମୁଖରେ ଆଣିବା ଆଜିର ସମୟର ମୁଖ୍ୟ ଆବଶ୍ୟକତା। ଏହି ଦିଗରେ ‘ଉଦୟବଟ’ ଭଳି ମାଧ୍ୟମର ଅବଦାନ ପ୍ରଶଂସନୀୟ। କାର୍ଯ୍ୟକ୍ରମରେ ଅନୀଲ କୁମାର ରାୟ (ବନଖଣ୍ଡ ଅଧିକାରୀ, କଟକ), ରସାନନ୍ଦ ମହାନ୍ତି (ପୂର୍ବତନ ଅଧ୍ୟକ୍ଷ, ବ୍ୟାସନଗର ପୌର ପରିଷଦ), ପବିତ୍ର ମୋହନ ଦାଶ (ଭାଜପା ପ୍ରଭାରୀ, ଖୋର୍ଦ୍ଧା ଜିଲ୍ଲା), ଚନ୍ଦ୍ରମଣି ସାମଲ (ସମ୍ପାଦକ, ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚ) ଓ ଡାକ୍ତର ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମାରୋହରେ ସାମ୍ବାଦିକତା, ସାମାଜିକ ସେବା ଓ ଲୋକକଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ‘ଉଦୟବଟ ସମ୍ମାନ–୨୦୨୫’ ପ୍ରଦାନ କରାଯାଇଥିଲା।ସେମାନଙ୍କ ମଧ୍ୟ ରେ ଶ୍ରମ ବିଭାଗ ର ଜଣେ ବରିଷ୍ଟ , ଦାୟିତ୍ୱବାନ ତଥା ଦକ୍ଷ ଅଧିକାରୀ ଭାବେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ବେଶ ସୁନାମ ଅର୍ଜନ କରିଥିବା ଅବସରପ୍ରାପ୍ତ ଯୁଗ୍ମ ଶ୍ରମ କମିଶନର ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାପାତ୍ରଙ୍କୁ ‘ ଉଦୟବଟ ଶ୍ରେଷ୍ଠ ତଥା ବରିଷ୍ଟ ଅଧିକାରୀ ସମ୍ମାନ – ୨୦୨୫ ‘ ପ୍ରଦାନ କରାଯାଇଥିଲା | କାର୍ଯ୍ୟକ୍ରମରେ ଉଦୟବଟ ପରିବାରର ସଦସ୍ୟ, ବରିଷ୍ଠ ସାମ୍ବାଦିକ, ରାଜନୈତିକ ନେତୃତ୍ୱ, ସାମାଜିକ କର୍ମୀ ଓ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।












Leave a Reply