ବୌଦ୍ଧ : ବେଆଇନ ସାମଗ୍ରୀ, ପି ଡି ଏସ୍ ଚାଉଳ ପୁନଃ ପ୍ୟାକିଂ ଓ ନିଶା କାରବାର ଉପରେ ଉପ ଜିଲ୍ଲାପାଳଙ୍କ ନେତୃତ୍ବରେ ମିଳିତ ଚଢ଼ାଉ..
ବୌଦ୍ଧ କୁନା ଦିଗାଲ ଦର୍ଶନ ସମୀକ୍ଷା
ଜିଲ୍ଲାରେ ସରକାରୀ ଯୋଗାଣ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା, ସାଧାରଣ ଗ୍ରାହକଙ୍କ ସ୍ୱାର୍ଥ ସୁରକ୍ଷା କରିବା ଏବଂ ବେଆଇନ କାରବାର ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଯାଞ୍ଚ ଓ ଚଢ଼ାଉ କରାଯାଇଛି l
ବିଶ୍ୱସନୀୟ ସୂତ୍ରରୁ ସୂଚନା ପାଇ ବୌଦ୍ଧ ଉପଜିଲ୍ଲାପାଳ ଶ୍ରୀ ବିନୟ କୁମାର ଭୋଇ, ହରଭଙ୍ଗା ତହସିଲଦାର ଶ୍ରୀ କର୍ଣ୍ଣ ସୁନା, ବୌଦ୍ଧ ଜିଲ୍ଲା ଯୋଗାଣ ଅଧିକାରୀ (CSO) ଶ୍ରୀମନ୍ତ ହାଁସଦା ଏବଂ ଅବକାରୀ ନିରୀକ୍ଷକ ସୁଧୀର କୁମାର ମିଶ୍ର ନିଜ ନିଜ ବିଭାଗୀୟ ଟିମ୍ ସହିତ ହରଭଙ୍ଗା ତହସିଲ ଅଧୀନରେ ଥିବା ବିଭିନ୍ନ ଦୋକାନ ଓ ଗୋଦାମରେ ମିଳିତ ଭାବେ ଯାଞ୍ଚ କରିଥିଲେ l
ଯାଞ୍ଚ ସମୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଅଧୀନରେ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଥିବା ଚାଉଳର ବେଆଇନ ପୁନଃ ପ୍ୟାକିଂ ହେଉଥିବା ସନ୍ଦେହରେ ବିଭିନ୍ନ ଦୋକାନ ଓ ଗୋଦାମରୁ ମୋଟ ୧୬୭ଟି ପ୍ୟାକେଟ୍ର ନମୁନା ସଂଗ୍ରହ କରାଯାଇଥିଲା l ଏହାର ଆବଶ୍ୟକ ଯାଞ୍ଚ ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ l ସେହିପରି ବିଭିନ୍ନ ଦୋକାନରେ ମିଳିଥିବା ମିଆଦ ଶେଷ ଖାଦ୍ୟ ସାମଗ୍ରୀଗୁଡ଼ିକର ଗୁଣବତ୍ତା ଓ ବୈଧତା ଯାଞ୍ଚ କରି ଆବଶ୍ୟକ ରିପୋର୍ଟ ଦାଖଲ କରିବା ପାଇଁ ଖାଦ୍ୟ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା l
ଏହା ସହିତ ଜିଲ୍ଲାରେ ନିଶାମୁକ୍ତି ଅଭିଯାନକୁ ଅଧିକ ସକ୍ରିୟ କରିବା ଉଦ୍ଦେଶ୍ୟରେ ସନ୍ଦେହଜନକ ସ୍ଥାନଗୁଡ଼ିକରେ ମଧ୍ୟ ମିଳିତ ଚଢ଼ାଉ କରାଯାଇଥିଲା l ଜିଲ୍ଲାରେ ବେଆଇନ ନିଶାଦ୍ରବ୍ୟର ଗଚ୍ଛିତକରଣ, ଚୋରା କାରବାର ଓ ବିକ୍ରୟ ଉପରେ କଡ଼ା ନଜର ରଖାଯାଉଛି l ଏ ସମ୍ପର୍କରେ ଉପଜିଲ୍ଲାପାଳ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି ଯେ, ବୌଦ୍ଧ ଜିଲ୍ଲାର ସମସ୍ତ ପଞ୍ଚାୟତରେ ବେଆଇନ ସାମଗ୍ରୀ ଗଚ୍ଛିତ ରଖୁଥିବା ସନ୍ଦେହଜନକ ଦୋକାନ ଓ ଗୋଦାମଗୁଡ଼ିକ ଉପରେ ବିଭିନ୍ନ ବିଭାଗର ମିଳିତ ଟିମ୍ ପକ୍ଷରୁ ନିୟମିତ ଯାଞ୍ଚ ଓ ଚଢ଼ାଉ ଜାରି ରହିବ l ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ନିୟମାନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ l ଜନସାଧାରଣ ନିଜ ଅଞ୍ଚଳରେ PDS ଚାଉଳର ବେଆଇନ କାରବାର, ନିଶାଦ୍ରବ୍ୟର ଚୋରା ବିକ୍ରୟ କିମ୍ବା ମିଆଦ ଶେଷ ଖାଦ୍ୟ ସାମଗ୍ରୀ ବିକ୍ରୟ ସମ୍ପର୍କରେ କୌଣସି ସୂଚନା ପାଇଲେ ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ଅନୁରୋଧ କରାଯାଇଛି l











