ଚକଲୋଟ ପ୍ରଲୋଭନରେ ସମ୍ପର୍କୀୟା ନାବାଳିକା ଭଉଣୀଙ୍କୁ ଗର୍ଭବତୀ କରି ଭାଇ ଗିରଫ
ପାରଳାଖେମୁଣ୍ଡି, 22/11 (ତାରିଣୀ ପ୍ରସାଦ ପଣ୍ଡା) : ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ନଜରକୁ ଆସିଛି. ଚକଲୋଟ ପ୍ରଲୋଭନ ଦେଖାଇ ସମ୍ପର୍କୀୟା ନାବାଳିକା ଭଉଣୀଙ୍କୁ ଗର୍ଭବତୀ କରି ଭାଇ ଗିରଫ ହୋଇଥିବା ସୂଚନା ମିଳିଛି. ଏହି ଘଟଣାଟି ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତରେ ଘଟିଛି. ଜଣେ ୧୬ ବର୍ଷୀୟା ନାବାଳିକା ଭଉଣୀକୁ ଗର୍ଭବତୀ କରିବା ଅଭିଯୋଗରେ ପୁଲିସ ଜଣେ ସମ୍ପର୍କୀୟ ଭାଇଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣକ ଗଙ୍ଗାବାଡ଼ ଗ୍ରାମର ସମ୍ବରା ଧାଙ୍ଗଡ଼ାଭୂୟାଁ (୨୩) ବୋଲି ଜଣାପଡ଼ିଛି । ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ସମ୍ବରା ନିଜ ସମ୍ପର୍କୀୟ ନାବାଳିକା ଭଉଣୀଙ୍କୁ ଚକଲୋଟ ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ । ଫଳରେ ନାବାଳିକା ଜଣକ ୬ ମାସର ଗର୍ଭବତୀ ହୋଇଥିଲେ । ଏ ସମ୍ପର୍କରେ ପୀଡ଼ିତା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଘଟଣାଟି ପଦାକୁ ଆସିଥିଲା । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ପୁଲିସ ଗତକାଲି ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଇଛି । ନାବାଳିକାଙ୍କୁ ଶିଶୁ ସୁରକ୍ଷା ୟୁନିଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତ ସମ୍ବରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ସୂଚନା ଦେଇଛନ୍ତି ।
130 ବର୍ଷର ପୁରାତନ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା କେବେ….?
ପାରଳାଖେମୁଣ୍ଡି, 22/11(ତାରିଣୀ ପ୍ରସାଦ ପଣ୍ଡା):
1896 ମସିହାରେ ସ୍ଥାପିତ ଓଡିଶାର ବହୁ ପୁରାତନ ତଥା ଗଜପତି ଜିଲ୍ଲାର ଗର୍ବ, ଗୌରବ ଓ ଐତିହ୍ୟର ପରିଚାୟକ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଆଉ କେବେ ମିଳିବ ବୋଲି ଜିଲ୍ଲାବାସୀଙ୍କ ଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି. ଏହି ମାନ୍ୟତା ହାସଲ ପାଇଁ କଲେଜର ପୁରାତନ ଛାତ୍ରଙ୍କ ସମେତ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ଏକାଠି ହୋଇ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ ପାଇଁ ଆବଶ୍ୟକ ଉଦ୍ୟମ ଆରମ୍ଭ କରିଛନ୍ତି. ଏନେଇ ପୁରାତନ ଛାତ୍ର ସଂଜୟ କୁମାର ରାଉତ, ରାକେଶ ସ୍ବାଇଁ, ଲୋକନାଥ ମିଶ୍ର ଓ ସଂଜୟ ଜେନା କଲେଜ ଅଧ୍ୟକ୍ଷ ରାଧାକାନ୍ତ ଭୂୟାଁଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।

ଏହି ଆଲୋଚନାରେ କଲେଜର କେତେକ ଅଧ୍ୟାପକ ମଧ୍ୟ ସାମିଲ ହୋଇଛନ୍ତି। କଲେଜର ଶିକ୍ଷାଗତ ଦକ୍ଷତା, ଅଧ୍ୟାପକଙ୍କ ସଂଖ୍ୟା ଓ ଯୋଗ୍ୟତା, ଭିତ୍ତିଭୂମି, ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନିୟମାବଳୀ ଏବଂ ଆବଶ୍ୟକ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
୫ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଏହି ବହୁ ପୁରାତନ ଶିକ୍ଷାନୁଷ୍ଠାନ ଏଯାଏଁ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇନାହିଁ । ଅନ୍ୟପକ୍ଷରେ, ତୁଳନାତ୍ମକ ଭାବେ କମ୍ ଐତିହ୍ୟ ଓ କମ୍ ପରିସରରେ ଥିବା କେତେକ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଥିବାରୁ ଏହି ଆଲୋଚନାରେ ଅସନ୍ତୋଷ ପ୍ରକାଶ ପାଇବା ସହ ସରକାର ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଏହି ଆଲୋଚନାରେ ଦାବି କରାଯାଇ ସରକାରଙ୍କ ନିକଟକୁ ଦାବିପତ୍ର ପ୍ରେରଣ କରାଯାଇଥିବା ଜଣାଯାଇଛି.
ପାରଳାରେ ଭାଗବାନ ଶ୍ରୀସତ୍ୟସାଇଙ୍କ 101 ତମ ଜନ୍ମ ଦିବସ ପାଳିତ
ପାରଳାଖେମୁଣ୍ଡି, 22/11(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ 101 ତମ ଜନ୍ମ ବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି. ପାରଳା ସହରର ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ରାଜଦାଣ୍ଡ ଠାରେ ଥିବା ସତ୍ୟସାଇଙ୍କ ମନ୍ଦିର ଠାରେ ଆଜି ଭୋର ସକାଳୁ ଦ୍ବୀପ ଧୂପ ପ୍ରଦାନ କରି ବାବାଙ୍କୁ ପୂଜା ପାଠ କରାଯାଇଥିଲା.

ଏହାପରେ ମଧ୍ୟାହ୍ନ ସମୟରେ ବାବାଙ୍କ ମନ୍ଦିର ସମ୍ମୁଖରେ ପାରଳାଖେମୁଣ୍ଡି ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଅନ୍ନପ୍ରସାଦ ପ୍ରଦାନ କରାଯାଇଥିଲା. ଆଜିର ଏହି କାର୍ଯ୍ୟକ୍ରମରେ ସେବା ସମିତିର ସମସ୍ତ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ. 1200 ରୁ ଅଧିକ ଲୋକଙ୍କୁ ବାବାଙ୍କ 101ତମ ଜନ୍ମ ବାର୍ଷିକୀ ଅବସରରେ ଅନ୍ନପ୍ରସାଦ ପ୍ରଦାନ କରାଯାଇଥିଲା.
ଗଜପତି : ୟୁଏଚଆରସି ପକ୍ଷରୁ ପାରଳା ଆଇଆଇସି ଓ ସବ୍ଜେଲ୍ ଅଧିକାରୀଙ୍କୁ ସମ୍ମାନୀତ
ପାରଳାଖେମୁଣ୍ଡି,22/11(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲା United Human Rights and Anti Corruption Council (ୟୁଏଚଆରସି), ଶାଖା ପକ୍ଷରୁ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇଆଇସି ପ୍ରଶାନ୍ତ ଭୂପତି ଏବଂ ପାରଳାଖେମୁଣ୍ଡି ସବ୍ଜେଲ୍ର ସୁପରିଟେଣ୍ଡେଣ୍ଟ କାମାକ୍ଷୀ ପ୍ରସାଦ ପତି ଉଭୟଙ୍କୁ ବିଭିନ୍ନ କାର୍ଯ୍ୟଦକ୍ଷତା ନେଇ ପୁଷ୍ପଗୁଚ୍ଛ ପ୍ରଦାନ କରି ସୌଜନ୍ୟମୂଳକ ଭାବେ ସମ୍ମାନୀତ କରାଯାଇଥିଲା।
ଏହି ଅବସରରେ ୟୁଏଚଆରସି ଗଜପତି ଜିଲ୍ଲା ଟିମ୍ ପକ୍ଷରୁ ଜିଲ୍ଲାରେ ମାନବାଧିକାରର ସୁରକ୍ଷା, ଜନସାଧାରଣଙ୍କ ମୌଳିକ ଅଧିକାର, ସାମାଜିକ ନ୍ୟାୟ ଓ ସମ୍ମାନର ସୁରକ୍ଷା ଦିଗରେ କିପରି ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯାଇପାରିବ, ସେନେଇ ଆଲୋଚନା ହୋଇଥିଲା।
ବିଶେଷକରି ମହିଳା, ଯୁବକ, ଛାତ୍ରଛାତ୍ରୀ ଏବଂ ସମାଜର ସମସ୍ତ ବର୍ଗର ଲୋକଙ୍କ ଅଧିକାର ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ସାମାଜିକ ସଚେତନତା, ନ୍ୟାୟ ପ୍ରଦାନ, ମାନବାଧିକାର ସୁରକ୍ଷା ଏବଂ ଦୁର୍ନୀତି ବିରୋଧୀ କାର୍ଯ୍ୟକ୍ରମକୁ ଜିଲ୍ଲାରେ ଅଧିକ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ଦିଗ ଉପରେ ମତବିନିମୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୟୁଏଚଆରସି ଗଜପତି ଜିଲ୍ଲାର ସଭାପତି, ମହିଳା ସଭାନେତ୍ରୀ ଶ୍ରୀମତୀ ତନୁଜା ଶତପଥୀ, ଉପସଭାନେତ୍ରୀ ଶ୍ରୀମତୀ ଜସ୍ମିନ ଶେଖ ଏବଂ ଆର୍. ଉଦୟଗିରି ବ୍ଲକ୍ ସଭାପତି ଶ୍ରୀ ମିହିର କୁମାର ଉପସ୍ଥିତ ରହିଥିଲେ।











