ଗଜପତିରେ ଅର୍ଣ୍ଣବ ବାତ୍ୟା ସ୍ଥିତି ସମୀକ୍ଷା ପାଇଁ ପାଦଚଲାରେ ଗ୍ରାଉଣ୍ଡ ଜିରୋରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ପାରଳାଖେମୁଣ୍ଡି, 28/10(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାରେ ଅର୍ଣ୍ଣବ ବାତ୍ୟାଜନିତ ବିଭିନ୍ନ ସମସ୍ୟା କ୍ଷୟକ୍ଷତି ଓ ତ୍ବରିତ ପଦକ୍ଷେପ ଗ୍ରହଣ ପାଇଁ ଉଚ୍ଚ ଶିକ୍ଷା କ୍ରୀଡା ଓ ଯୁବ ବ୍ୟାପର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଗ୍ରାଉଣ୍ଡ ଜିରୋରେ ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରି ସମସ୍ୟାର ସମାଧାନ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରି ଗଜପତି ଜିଲ୍ଲାବାସୀଙ୍କ ବେଶ ନିକଟତର ହୋଇପାରିଥିବା ଦେଖା ଦେଇଛି. ମନ୍ତ୍ରୀ ଶ୍ରୀ ସୂରଜ ଗତକାଲି ଅପରାହ୍ନରେ ପାରଳାଖେମୁଣ୍ଡି ପହଞ୍ଚି ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ସହ ସମସ୍ତ ସମୀକ୍ଷା କରି ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱଆରୋପ କରିଥିଲେ. ଆଜି ସକାଳୁ ମନ୍ତ୍ରୀ ଶ୍ରୀ ସୂରଜ ପାରଳାଖେମୁଣ୍ଡିରୁ ବାହାରି ଗଜପତି ଜିଲ୍ଲାର ରାୟଗଡ, ନୂଆଗଡ, ଆର. ଉଦୟଗିରି ଓ ମୋହନା ଆଦି 4 ଗୋଟି ବ୍ଲକରେ ଗ୍ରାଉଣ୍ଡ ଜିରୋରେ ପାଦଚଲାରେ ପହଞ୍ଚି ସମସ୍ତ ସ୍ଥିତି ଅନୁଧ୍ୟାନ କରିଥିଲେ.

ମନ୍ତ୍ରୀଙ୍କ ଏହି ଅନୁଧ୍ୟାନ ବେଳେ ରାସ୍ତା ଉପରେ ଗଛ ପଡି ଅବରୋଧ ହୋଇଥିବା ନେଇ ତୁରନ୍ତ ଉଦ୍ଧାରକାରୀ ଦଳଙ୍କୁ ଘଟଣା ସ୍ଥଳକୁ ଡକାଇ ଗଛକୁ କାଟି ସଫା କରି ରାସ୍ତା ଅବରୋଧ ହଟାଇଥିଲେ. ସେହିପରି ଏହି 4 ଗୋଟି ବ୍ଲକରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ପରିଦର୍ଶନ କରି ଆଶ୍ରୟ ସ୍ଥଳୀରେ ରହୁଥିବା ଲୋକଙ୍କ ସୁରକ୍ଷା, ଖାଦ୍ୟପେୟ ଓ ସମସ୍ତ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ. ଏଥିସହ ଶ୍ରୀ ସୂରଜ 4 ଗୋଟି ବ୍ଲକରେ ରହିଥିବା ସମସ୍ତ ସରକାରୀ ଅଧିକାରୀ ଓ ନିୟୋଜିତ ସମସ୍ତ ସୁରକ୍ଷା ଦଳଙ୍କୁ ସାକ୍ଷାତ କରି ବାତ୍ୟାଜନିତ ସମସ୍ତ ଉଦ୍ଧାର କାର୍ଯ୍ୟକୁ ତ୍ବରିତ ପଦକ୍ଷେପ ଗ୍ରହଣ କରି ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ.
ଗଜପତିରେ ଅର୍ଣ୍ଣବ ବାତ୍ୟାର କରାଳ ରୂପ…..
ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ କୃତ୍ରିମ ନଦୀର ସୃଷ୍ଟି, 14271 ଜଣ ସୁରକ୍ଷା ସ୍ଥଳକୁ ସ୍ଥାନାନ୍ତର
ପାରଳାଖେମୁଣ୍ଡି, 27/10(ତାରିଣୀ ପ୍ରସାଦ ପଣ୍ଡା):
ଗଜପତିରେ ଅର୍ଣ୍ଣବ ବାତ୍ୟାର କରାଳ ରୂପ ଦେଖାଦେଇଛି. ଗତକାଲି ଠାରୁ ଆଜି ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବା ଯୋଗୁଁ କେତେକ ରାସ୍ତା ଉପରେ କୃତ୍ରିମ ନଦୀ ସୃଷ୍ଟି ହୋଇ ସାଧାରଣଙ୍କ ଜୀବନଯାତ୍ରା ବ୍ୟାହାତ ହୋଇଛି. ବର୍ତ୍ତମାନ ଖବର ଲେଖିବା ସୁଦ୍ଧା ମୋଟ 14271 ଜଣ ଲୋକଙ୍କୁ ସୁରକ୍ଷା ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି. ଅର୍ଣ୍ଣବ ବାତ୍ୟା ପାଇଁ ପାଣିପାଗ ବିଭାଗ ତରଫରୁ ଗଜପତି ଜିଲ୍ଲାକୁ ରେଡ କାଟୋଗାରୀ ସତର୍କତା ଗ୍ରହଣ ପାଇଁ ପୂର୍ବରୁ ସୂଚନା ଦିଆ ଯାଇଥିଲା. ସେଥି ଅନୁଯାୟୀ ଗତକାଲି ଠାରୁ ଲଗାତାର ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ବର୍ଷାର ପରିମାଣ ଅଧିକ ହୋଇଛି. ଯଦ୍ୱାରାକି ଗଜପତି ଜିଲ୍ଲାର ମହେନ୍ଦ୍ରତନୟା ନଦୀ ସମେତ ବିଭିନ୍ନ ପାହାଡ଼ ପର୍ବତରୁ ଜାତ ନଦୀ ଗୁଡିକରେ ଜଳ ସ୍ତର ବିଶେଷ ବୃଦ୍ଧି ପାଇଛି. ଏଥିସହ ଆଜିର ଅଧିକ ପରିମାଣରେ ବର୍ଷା ଯୋଗୁଁ ମହେନ୍ଦ୍ରଗିରିରେ ପାଦ ଦେଶରେ ଥିବା କଇଁପୁର ଠାରୁ ବୁରଖତ ରାସ୍ତା ପର୍ଯ୍ୟନ୍ତ ଏକ କୃତ୍ରିମ ନଦୀ ସୃଷ୍ଟି ହୋଇ କରାଳ ଓ ପ୍ରବଳ ବେଗରେ ପାଣିର ସ୍ରୋତ ଚାଲୁ ରହିଛି. ଯାହାକି ଅଞ୍ଚଳବାସୀଙ୍କ ଠାରେ ଭୟ ଓ ଆତଙ୍କର କାରଣ ହୋଇଛି. ସେହିପରି ଆର. ଉଦୟଗିରି, ନୂଆଗଡ, ମୋହନା ଆଦି ଅଞ୍ଚଳର କେତେକ ସ୍ଥାନରେ ପାହାଡ଼ରୁ କୃତ୍ରିମ ନାଳ ଜାତ ହୋଇ ରାସ୍ତା ଉପରେ ପ୍ରବାହିତ ହେବା ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଜୀବନ ଯାତ୍ରା ଠପ ହୋଇଛି. ସେହିପରି ଗୁମ୍ମା, ରାୟଗଡା, ନୂଆଗଡ,ଆର. ଉଦୟଗିରି ଓ ମୋହନା ଆଦି ବ୍ଲକର କେତେକ ସ୍ଥାନରେ ବାତ୍ୟା ଯୋଗୁଁ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା. ଏହାକୁ ଅଗ୍ନିଶମ ବିଭାଗ ଓ ସୁରକ୍ଷା ଦଳଙ୍କ ଦ୍ୱାରା ଅବରୋଧର କିଛି ଘଣ୍ଟା ମଧ୍ୟରେ ଗଛ ଗୁଡିକୁ କାଟି ସଫା କରାଯାଇ ଯାତାୟାତରେ ସୁବିଧା କରାଯାଇଛି. ସମଗ୍ର ଗଜପତି ଜିଲ୍ଲାରେ 281 ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି. ଏଥିରେ ଖବର ଲେଖିବା ସୁଦ୍ଧା 14,271 ଜଣଙ୍କୁ ସ୍ଥାନାନ୍ତରିତ କରାଯାଇ ଖାଦ୍ୟପେୟ ସହ ସମସ୍ତ ସୁବିଧା ପ୍ରଦାନ କରି ରଖା ଯାଇଛି. ମୋଟ 300 ଜଣ ଗର୍ଭବତୀ ମହିଳାଙ୍କୁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅଣାଯାଇ ବିଭିନ୍ନ ଡାକ୍ତରଖାନା, ମା ଗୃହ, ଅଙ୍ଗନବାଡି କେନ୍ଦ୍ର ଆଦିରେ ସମସ୍ତ ସୁବିଧା ପ୍ରଦାନ କରି ସୁରକ୍ଷାରେ ରଖା ଯାଇଛି. ଗଜପତିରେ ବାତ୍ୟା ଅର୍ଣ୍ଣବର କରାଳ ରୂପଜନିତ ବର୍ଷା ପବନ ହୋଇଥିଲେ ମଧ୍ୟ ସେପରି କିଛି ଅଘଟଣ ହୋଇନାହିଁ. ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଗଜପତି ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ବିଜୟ କୁମାର ଦାସଙ୍କ ସମେତ ଜିଲ୍ଲାର ସମସ୍ତ ଅଫିସର, ସରକାରୀ କର୍ମଚାରୀ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସମ୍ପୂର୍ଣ ସଜାଗ ରହି ବାତ୍ୟାଜନିତ ସମସ୍ୟାକୁ ତ୍ବରିତ ସମାଧାନ କରି ଚାଲିଥିବା ଯୋଗୁଁ ଗଜପତି ଜିଲ୍ଲାରେ ସେପରି କୌଣସି ଅସୁବିଧା ଘଟିନାହିଁ.











