​ସ୍ୱର୍ଗରେ ହଟଚମଟ!ସ୍ୱର୍ଗରେ ଅଫିସର ଙ୍କ ଡିଜିଟାଲ୍ ଦୁର୍ନୀତି ଧରାପଡ଼ିଗଲା

Spread the love

ସ୍ୱର୍ଗରେ ଡିଜିଟାଲ୍ ଦୁର୍ନୀତି!

​ହଠାତ୍ ଅସମୟରେ ଚିତ୍ରଗୁପ୍ତଙ୍କୁ ଦେଖି ଯମରାଜ ନିଜ ମହିଷ (ମଇଁଷି) ଉପରୁ ପ୍ରାୟ ଡେଇଁ ପଡ଼ିଲେ! ସବୁବେଳେ ମନ୍ଦହାସ୍ୟ ଓ ଶାନ୍ତ ଦିଶୁଥିବା ଚିତ୍ରଗୁପ୍ତ ଆଜି କାହିଁକି ବଲବଲ ଆଖିରେ, ଚଷମାକୁ ନାକ ଉପରକୁ ଖସାଇ ଦୁଃଖୀ ମନରେ ଛିଡ଼ା ହୋଇଛନ୍ତି?
​ଯମରାଜ ପଚାରିଲେ, “କିହୋ ଚିତ୍ରଗୁପ୍ତ! ଲଞ୍ଚ୍ ଟାଇମ୍‌ରେ ମୋ ଆସନ ପାଖରେ? କ’ଣ ହେଲା? କୌଣସି ପାପୀ ଅଭିଶାପ ଦେଲା କି?”
​ଚିତ୍ରଗୁପ୍ତ ଦୀର୍ଘଶ୍ୱାସ ପକାଇ କହିଲେ, “ପ୍ରଭୁ! ଚିତ୍ରଗୁପ୍ତ ଜୀବନରେ ବିଶ୍ରାମ କାହିଁ? ଜୀବନସାରା ଖାଲି Duty… Duty… Duty! ମର୍ତ୍ତ୍ୟର ଲୋକଙ୍କ ଆୟୁଷ ଗଣି ଗଣି ମୋ ଆଖିର ପାୱାର କମିଗଲାଣି। ଆଉ ସେପଟେ ଗାଳି? ‘ଶଳା ଚିତ୍ରଗୁପ୍ତ’ କହି ଛୋଟ ପିଲାରୁ ବୁଢ଼ା ଯାଏ ସମସ୍ତେ ମୋତେ ହିଁ ଶୋଧୁଛନ୍ତି।”
​ଯମରାଜ ହସି କହିଲେ, “ଆରେ ଭାଇ, ମୁଁ ତ ସମସ୍ତଙ୍କର ଅଣ-ସରକାରୀ ଶାଳକ! ଭଉଣୀ ନଥାଇ ବି ମୁଁ ମର୍ତ୍ତ୍ୟଲୋକର ସର୍ବବୃହତ୍ ‘ଶଳା’! ତୁମେ ଏତେ ବର୍ଷ ଧରି ସୁଚାରୁ ରୂପେ କାମ କରିଛ, ଚାହଁ ଯଦି ମୁଁ ସ୍ୱର୍ଗର ସର୍ବୋଚ୍ଚ ‘ବେଷ୍ଟ ଏମ୍ପ୍ଲୋୟୀ’ ଆୱାର୍ଡ ଦେବି!”
​ଚିତ୍ରଗୁପ୍ତ ବ୍ୟାଗରୁ କାଗଜଟିଏ କାଢ଼ି ବଢ଼ାଇ ଦେଲେ, “ସାର୍, ଆୱାର୍ଡ ନୁହେଁ, ମୋତେ VRS (ସ୍ୱେଚ୍ଛାକୃତ ଅବସର) ଦରକାର! ସ୍ତ୍ରୀଙ୍କୁ କେବେ ସ୍ୱର୍ଗର ପାରିଜାତ ବଗିଚା ବୁଲାଇବାକୁ ନେଇନି, ସେ ସବୁବେଳେ ଅଭିମାନ କରୁଛନ୍ତି।”
​ଯମରାଜ ବହୁତ ବୁଝାଇଲେ, କିନ୍ତୁ ଚିତ୍ରଗୁପ୍ତ ନଛୋଡ଼ବନ୍ଦା। ଶେଷରେ ଯମରାଜ ପଚାରିଲେ, “ହଉ ଠିକ୍‌ ଅଛି! ହେଲେ ତୁମ ସ୍ଥାନରେ କାହାକୁ ପୋଷ୍ଟିଙ୍ଗ୍ କରିବି? ଏମିତି ସଚୋଟ ଓ ବିଜ୍ଞ ଲୋକ କିଏ ଅଛି?”
​ଚିତ୍ରଗୁପ୍ତ ଚଷମା ପୋଛି କହିଲେ, “ସାର୍, ଭାରତ ଭୂଖଣ୍ଡରୁ ଜଣେ ‘ଶ୍ରେଷ୍ଠ ପ୍ରଶାସକ’ (IAS/ସରକାରୀ ଅଫିସର)ଙ୍କୁ ଆଣନ୍ତୁ! ସେମାନେ ସରକାରୀ ଯୋଜନା ଓ ଫାଇଲ୍ ସାମ୍ଭାଳିବାରେ ମାଷ୍ଟର!”
*​ଯମରାଜଙ୍କୁ କଥାଟା ପସନ୍ଦ ଆସିଲା। ଭାରତର ଜଣେ ବରିଷ୍ଠ ଅବସରପ୍ରାପ୍ତ ସୁପ୍ରଶାସକଙ୍କୁ ସ୍ୱର୍ଗପୁରର “ନୂତନ *ଚିତ୍ରଗୁପ୍ତ” ଭାବେ ନିଯୁକ୍ତି ଦିଆଗଲା।*
​ସ୍ୱର୍ଗରେ ହଟଚମଟ!
​କିଛି ଦିନ ସବୁ ସୁରୁଖୁରୁରେ ଚାଲିଲା। କିନ୍ତୁ ମାସେ ପରେ ଯମରାଜ ଦେଖିଲେ— ଯମଦୂତମାନେ ଡ୍ୟୁଟି ଆୱାର୍ଡ଼ରେ ‘ଲୁଡୋ’ ଖେଳୁଛନ୍ତି, ମଇଁଷି ଗୋଠରେ ବନ୍ଧା ହୋଇ ସୋଇଛି!
​ଯମରାଜ ଗର୍ଜନ କଲେ, “ଆରେ! ଆଜି ମର୍ତ୍ତ୍ୟରୁ କେହି ମରୁନାହାନ୍ତି କି? କାମ କୁଆଡ଼େ ଗଲା?”
ଜଣେ ଦୂତ କହିଲା, “ସାର୍, ନୂଆ ଚିତ୍ରଗୁପ୍ତ ସାର୍ ଆସିବା ପରଠାରୁ ମୃତ୍ୟୁ ସଂଖ୍ୟା ହଠାତ୍ କମିଯାଇଛି! ଆମର ଆଉ କିଛି କାମ ନାହିଁ।”
​ଯମରାଜଙ୍କ ସନ୍ଦେହ ହେଲା। ସେ ତୁରନ୍ତ ଏକ ‘ତଦନ୍ତ କମିଟି’ ଗଠନ କଲେ। ତଦନ୍ତ ରିପୋର୍ଟ ଆସିବା ପରେ ଯମରାଜଙ୍କ ମୁଣ୍ଡ ଘୁରାଇଗଲା!
*​ଚିତ୍ରଗୁପ୍ତଙ୍କ ଦିବ୍ୟ ପାଞ୍ଜିରେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନାଁ ପାଖରେ ନାଲି କାଳିରେ ମୋବାଇଲ୍ ନମ୍ବର *ଲେଖାଯାଇଛି! ଆଉ ମୃତ୍ୟୁ ତାରିଖ ଉପରେ ହ୍ୱାଇଟନର (Whitener) ମାରି ନୂଆ ତାରିଖ ଲେଖାହୋଇଛି!
​ଯମରାଜ ନିଜ ସରକାରୀ ମୋବାଇଲରୁ “ମନୋଜ ମଲ୍ଲିକ” ନାମକ ଜଣେ ବ୍ୟକ୍ତିଙ୍କୁ କଲ୍ କଲେ।
​— “ହେଲୋ! ମନୋଜ ମଲ୍ଲିକ କହୁଛ?”
— “ହଁ, ନମସ୍କାର ଚିତ୍ରଗୁପ୍ତ ସାର୍!” (ଆରପଟୁ ମନୋଜ ବାବୁ କହିଲେ)
— ଯମରାଜ ଆଶ୍ଚର୍ଯ୍ୟ ହୋଇ କହିଲେ, “ମୁଁ ଯମରାଜ କହୁଛି! ତୁମେ ଏ ନମ୍ବର କେମିତି ପାଇଲ?”
— ମନୋଜ ବାବୁ ଭୟରେ କାନ୍ଦିପକାଇ କହିଲେ, “ସାର୍! Truecaller ରେ ନମ୍ବରଟା ‘Chitragupt Heaven Office’ ଦେଖାଉଛି, ଆଉ ମୁଁ ସେଭ୍‌ ବି କରିଛି! ଗତ ଫେବୃଆରୀରେ ସାର୍ ମୋତେ କଲ୍ କରିଥିଲେ।”
​ଯମରାଜ ପଚାରିଲେ, “କାହିଁକି କଲ୍ କରିଥିଲେ?”
​ମନୋଜ ବାବୁ କହିଲେ, “ସାର୍, Renewel (ନବୀକରଣ) ପାଇଁ! ସାର୍ କହିଲେ— ‘ମନୋଜ ବାବୁ, ମାର୍ଚ୍ଚ ୧୦ ରେ ତୁମର ଖେଳ ଖତମ୍!’ ମୁଁ ତ ଶୁଣି କାନ୍ଦିଲି। କହିଲି— ପ୍ରଭୁ! ନାତିର ବାହାଘର ଦେଖିନି, ଆଉ ତିରିଶ ବର୍ଷ ଆୟୁଷ ବଢ଼ାଇଦିଅନ୍ତୁ! ସାର୍ କହିଲେ— ‘ବର୍ଷକୁ ୧୦ ଲକ୍ଷ ହିସାବରେ ୩ କୋଟି ହେବ। କାଲି ସନ୍ଧ୍ୟା ସୁଦ୍ଧା ମୋ PhonePe ରେ QR Code ସ୍କାନ୍ କରି ପଠାଇଦିଅ, ଆୟୁଷ ଗ୍ୟାରେଣ୍ଟି ସହ Extent (ବୃଦ୍ଧି) ହୋଇଯିବ!’ ମୁଁ ତୁରନ୍ତ ୩ କୋଟି ଟଙ୍କା ପଠାଇ ଦେଲି ସାର୍!”
​ଯମରାଜ ଫୋନ୍ କାଟିଦେଲେ। ଗୋଟିଏ ପରେ ଗୋଟିଏ ନମ୍ବରକୁ କଲ୍ କଲେ…
ସକାଳୁ ସଞ୍ଜ, ସଞ୍ଜରୁ ରାତି! କାହାର ‘Google Pay’ ରେ ତ କାହାର ‘Real Estate Land’ ବଦଳରେ ଆୟୁଷ ବଢ଼ାଯାଇଛି! ସ୍ୱର୍ଗପୁରରେ ଆୟୁଷର ‘ସବ୍‌ସ୍କ୍ରିପସନ୍ ପ୍ୟାକ୍’ (Subscription Pack) ଚାଲିଛି!
*​ଯମରାଜ ମୁଣ୍ଡରେ ହାତ ଦେଇ ବସିପଡ଼ିଲେ— “ହେ ଭଗବାନ! ଭାରତ ଭୂଖଣ୍ଡରୁ ଆସିଥିବା ଏହି ଅଫିସର ଜଣକ ସ୍ୱର୍ଗପୁରରେ ବି ‘ଡିଜିଟାଲ୍ ଲାଞ୍ଚ’ ଏବଂ ‘ସରକାରୀ ଦୁର୍ନୀତି’ ପଶାଇଦେଲା? ଯେଉଁଠି ଦେବତାମାନେ ରହନ୍ତି, ସେଠାରେ ବି ସ୍କାମ୍‌?!” ଯମରାଜ ତୁରନ୍ତ ଚିତ୍ରଗୁପ୍ତଙ୍କୁ ଡ଼କାଇ କହିଲେ, ତୁମ ଭିଆରଏସ ଅଡରକୁ ମୁଁ ପ୍ରତ୍ୟାହାର କଲି, ତୁମେ ବର୍ତ୍ତମାନ ଠୁ ଡିଉଟି କର, ନଚେତ ସବୁଆଡେ ଅରାଜକତା ବ୍ୟାପିଯିବ l ନାରାୟଣ, ମୋ ଗାଦି ଵି ଚାଲିଯିବ l