Spread the love

ସାଂସଦ ଭାବରେ ୭ବର୍ଷର ହିସାବ ଦେଲେ ଅପରାଜିତା
୭ ବର୍ଷରେ ୫୫ପ୍ରକାର ବିକାଶ ଓ ସେବା କାର୍ଯ୍ୟର ବିବରଣୀ ଦେଲେ ଭୁବନେଶ୍ୱର ସାଂସଦ
୮୮% ଜନ ଅଭିଯୋଗ ର ହୋଇଛି ସମାଧାନ

ଭୁବନେଶ୍ୱର ତା ୨୬.୦୮: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ବିକାଶ ଓ ସେବା ହିଁ ରାଜନୀତି ର ମୂଳ ମନ୍ତ୍ର। ଯାହାକୁ ପାଥେୟ କରି ଜନସଂପର୍କ,ସଂଗଠନ ଗଢ଼ିବା ସହିତ ସାଂସଦ ଭାବରେ ସଂସଦ ଓ ଦେଶ ବିଦେଶରେ ବିଭିନ୍ନ ଭୂମିକାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛି। ସାଂସଦ ଭାବରେ ନିଜର କାର୍ଯ୍ୟକାଳ ର ୭ ବର୍ଷ ପୂରଣ କରିଥିବା ବେଳେ ଏଭଳି କିଛି କହି ୭ବର୍ଷର ନିଜ କାର୍ଯ୍ୟ ମାନଙ୍କର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତ ୨୦୧୯ ମସିହାରେ ପ୍ରଥମ ଥର ଲାଗି ଜଣେ ଦକ୍ଷ ପ୍ରଶାସିକା ରୁ ରାଜନେତା ବନିଥିବା ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ସାଂସଦ ଭାବରେ ନିର୍ବାଚିତ ହୋଇ ପାଞ୍ଚ ବର୍ଷ ନିଜ କାର୍ଯ୍ୟକାଳ ପୂରଣ କରିଥିଲେ। ପୁନର୍ବାର ୨୦୨୪ ନିର୍ବାଚନ ରେ ଭୁବନେଶ୍ଵର ବାସୀ ଅପରାଜିତା ଙ୍କୁ ନିଜର ପ୍ରଥମ ପସନ୍ଦ ଭାବରେ ବାଛିଥିଲେ।ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ କାର୍ଯ୍ୟକାଳ ର ୭ବର୍ଷ ପୂରଣ ପରେ ନିଜ ୭ ବର୍ଷ ର ୭୦ ବିକାଶ ଓ ସେବା ମୂଳକ କାର୍ଯ୍ୟର ବିବରଣୀ ପ୍ରଦାନ କରିଛନ୍ତି ଅପରାଜିତା।

ନିଜ କାର୍ଯ୍ୟକାଳ ରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,କ୍ରୀଡ଼ା,କୃଷି ଆଦିର ବିକାଶ, ପାନୀୟ ଜଳ ଯୋଗାଣ,ବିଦ୍ୟୁତ ଯୋଗାଣ ସମେତ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା କୁ ଉଜ୍ଜୀବିତ ରଖିବା ପାଇଁ ସମସ୍ତଙ୍କର ସହଯୋଗ ରେ କାମ କରାଯାଉଥିବା ଦର୍ଶାଇଛନ୍ତି ସାଂସଦ।ଜନ ଅଭିଯୋଗ ଶୁଣାଣୀ ଏବଂ ସଂସଦୀୟ କ୍ଷେତ୍ରର ୮ଟି ବ୍ଲକ ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଲୋକଙ୍କ ଦାବି ଓ ଆବଶ୍ୟକତାକୁ ନେଇ ,ସାଂସଦ ଭାବରେ କରିଥିବା ନିଜର ବିକାଶ ଓ ସେବା କାର୍ଯ୍ୟ ମଧ୍ୟରେ ପ୍ରମୁଖ ରହିଛି…..
ଖୋର୍ଦ୍ଧା ରାମେଶ୍ୱର ଠାରୁ କଟକ ଟାଙ୍ଗି ପର୍ଯ୍ୟନ୍ତ ୮୩୦୭କୋଟି ଟଙ୍କା ମଞ୍ଜୁର ହୋଇଥିବା ୬ଲେନ୍ ଵିଶିଷ୍ଟ ୧୧୧କିଲୋମିଟର ରାସ୍ତା,ଖୋର୍ଦ୍ଧା,ବାଘମାରି,ରାଜ ସୁନାଖଳା,ବେଗୁନିଆ ଓ ପୁବୁ ସାହି ବାଇପାସ୍,ପଳାଶୁଣୀ ସେତୁ ସମ୍ପ୍ରସାରଣ,ପଳାଶୁଣୀ ରୁ ରସୁଲଗଡ ରାସ୍ତାର ଭିତ୍ତିଭୂମି ବିକାଶ,ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ୩୭ଟି ସଡ଼କ ପ୍ରକଳ୍ପ,ସର୍ଭିସ ରୋଡ ଓ ଡ୍ରେନ୍ ନିର୍ମାଣ ସମେତ ଭୁବନେଶ୍ୱର କୁ ଟ୍ରାଫିକ ଭିଡମୁକ୍ତ ଏବଂ ସୁଗମ ଯାତାୟାତ ସୁବିଧା ସମ୍ପନ୍ନ ସହର ଭାବରେ ଗଢ଼ି ତୋଳିବା ପାଇଁ ନୂତନ ସଡ଼କ ପ୍ରକଳ୍ପ ଇତ୍ୟାଦି।ଏଥିସହିତ ଗମନାଗମନ କୁ ଅଧିକ ସୁଗମ କରିବା ପାଇଁ,ବିଭିନ୍ନ ସ୍ଥାନରେ ରାସ୍ତା ସହିତ ସେତୁ, ୨୪୦ କୋଟି ଟଙ୍କା ବ୍ୟୟରେ ୭ଟି ଫ୍ଲାଏ ଓଭର ବ୍ରିଜ୍,୧୮୬ କୋଟି ଟଙ୍କା ବ୍ୟୟରେ ୧୬ଟି ଅଣ୍ଡର ପାସ୍ ଆଦି କରାଯାଇଥିବା ନିଜ ରିପୋର୍ଟ କାର୍ଡ ରେ ଦର୍ଶାଇଛନ୍ତି ସାଂସଦ। ଗମନା ଗମନ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ର ବିକାଶ ସମେତ ଭୁବନେଶ୍ୱର, ମଞ୍ଚେଶ୍ୱର, ଲିଙ୍ଗରାଜ ଷ୍ଟେସନ୍ ର ନବୀକରଣ,ପଟିଆ ଓ କଲାରାହାଙ୍ଗ ରେ ରେଳ ଓଭର୍ ବ୍ରିଜ୍ ଏବଂ ଅଟ୍ରି,ସାନପଦର,ତାରାବୋଇ, ବୋଲଗଡ ଆଦି ଷ୍ଟେସନ୍ ରେ ରେଳ ରହଣି ପାଇଁ ବ୍ୟବସ୍ଥା କରାଯାଇଛି।

ଅନୁରୂପ ଭାବରେ ସଂସଦୀୟ କ୍ଷେତ୍ରରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କୁ ଗୁରୁତ୍ୱ ଦିଆଯିବା ସହିତ ୫କୋଟି ୪୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୮ଟି ବ୍ଲକ ଲେବୁଲ ମଡର୍ଣ୍ଣ ଲାଇବ୍ରେରୀ ଓ କୋଚିଂ ସେଣ୍ଟର ଓ ୨୩କୋଟି ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୫୬ ଟି ପଞ୍ଚାୟତ ସ୍ତରୀୟ ଲାଇବ୍ରେରୀ ନିର୍ମାଣ ସମେତ ଶିକ୍ଷାନୁଷ୍ଠାନ ମାନଙ୍କ ବିକାଶ ପାଇଁ ବ୍ୟାପକ କାର୍ଯ୍ୟ କରାଯାଇଥିବାର ବିବରଣୀ ରେ ଉଲ୍ଲେଖ ରହିଛି।ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ନିକଟତର କରିବାକୁ ବ୍ଲକ ସ୍ତରରେ ସାଂସଦ ଚିକିତ୍ସା ଶିବିରର ଆୟୋଜନ କରାଯାଇ ୩୦୦୦୦ ରୁ ଉର୍ଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମେତ ଔଷଧ ପ୍ରଦାନ କରାଯାଇଛି। ନିଜସ୍ୱ ଉଦ୍ୟମ ରେ ବିଭିନ୍ନ ଡାକ୍ତରଖାନା ମାନଙ୍କରେ ୨୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିବା ସହିତ ଦିବ୍ୟଙ୍ଗ ମାନଙ୍କ ପାଇଁ ସହାୟକ ଉପକରଣ ଆଦି ବଣ୍ଟନ କରାଯାଇଥିବା ଦର୍ଶାଇଛନ୍ତି ସାଂସଦ।
ପାନୀୟ ଜଳ ଯୋଗାଣ ସମେତ ଭୁବନେଶ୍ୱର ରେ ସ୍ୱରେଜ୍ ନେଟୱାର୍କ ର ବିକାଶ,ଜଳସେଚନ ,ବିଭିନ୍ନ କେନାଲ ଓ ଗଙ୍ଗୁଆ ନାଳର ବ୍ୟାପକ ପୁନରୁଦ୍ଧାର ଆଦି କାର୍ଯ୍ୟ ନେଇ ହିସାବ ଦେଇଛନ୍ତି ଅପରାଜିତା।
ଅଞ୍ଚଳର ବିଜୁଳି ସେବା କୁ ଲୋକାଭିମୁଖୀ କରିବା ପାଇଁ ବାଲିଅନ୍ତା ରେ ୬୧୬କୋଟି ଟଙ୍କାରେ ଗ୍ରିଡ୍ ସବ୍ ଷ୍ଟେସନ୍,୧୯ କୋଟି ଟଙ୍କା ବ୍ୟୟରେ ନାଗେଶ୍ୱର ଟାଙ୍ଗି ସବ୍ ଷ୍ଟେସନ୍ ନିର୍ମାଣ ସମେତ ଅନେକ ସ୍ଥାନରେ ସୌର ଆଲୋକ ସ୍ଥାପନ କରାଯାଇଛି।
କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ବେଗୁନିଆ ରେ ଏକ ବ୍ଲକ୍ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ସମେତ ଅନେକ ସ୍ଥାନରେ ମାଗଣା କ୍ରୀଡ଼ା ସାମଗ୍ରୀ ପ୍ରଦାନ କରାଯାଇଛି।
ଲୋକଙ୍କ ଦାବୀ ମୁତାବକ ପାଣ୍ଡରା ଠାରେ ୫୭ କୋଟି ଟଙ୍କା ବ୍ୟୟ ଅଟକଳରେ ଆଧୁନିକ ମାଛ ବଜାର ସମେତ,ବହୁ ଭେଣ୍ଡିଙ୍ଗ ଜୋନ୍ ନିର୍ମାଣ,ସହିଦନଗର ହାଟ ପାଇଁ ଜମି ଯୋଗାଣ ଆଦି କାର୍ଯ୍ୟ ଚାଲୁ ରହିଛି।
ବାଲିଅନ୍ତା ର ଜଗନ୍ନାଥପୁର ଠାରେ ୧୫ଏକର ଜମିରେ ୨୫୦କୋଟି ଟଙ୍କା ବ୍ୟୟରେ ଏକ ବୃହତ୍ ବୟନ ଓ ପୋଷାକ ଶିଳ୍ପ କାରଖାନା କାର୍ଯ୍ୟ ଚାଲୁ ରହିଥିବା ବେଳେ,ଯୋଗ ଓ ପ୍ରାକୃତିକ ଚିକିତ୍ସା ଗଭେଷଣା ପ୍ରତିଷ୍ଠାନ ଆରମ୍ଭ ହୋଇଥିବା ରିପୋର୍ଟ କାର୍ଡ ରେ ଦର୍ଶାଇଛନ୍ତି ଅପରାଜିତା ଷଡ଼ଙ୍ଗୀ।
ଅନ୍ୟପଟେ ଓଡ଼ିଶାର କଳା, ସଂସ୍କୃତି,ପରମ୍ପରା ଓ ଐତିହ୍ୟ କୁ ଉଜ୍ଜୀବିତ ରଖିବା ପାଇଁ ଲିଙ୍ଗରାଜ, କପିଳେଶ୍ୱର ମନ୍ଦିର ସମେତ ୨୯ଟି ମନ୍ଦିର ର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଖୋର୍ଦ୍ଧା ଠାରେ ସାଂସ୍କୃତିକ ପ୍ରେକ୍ଷାଳୟ,ଭୁବନେଶ୍ୱର ରେ ୬୩୦ କୋଟି ଟଙ୍କା ବ୍ୟୟରେ ଆଧୁନିକ କଳା ଗ୍ୟାଲେରୀ ଆଦି ପାଇଁ କାର୍ଯ୍ୟ ଜାରି ରହିଥିବା ଦର୍ଶାଇଛନ୍ତି ସାଂସଦ।
ଏସବୁ ବାଦ୍ ପ୍ରସିଦ୍ଧ ନୀଳାମ୍ବୁ ଚିଲିକା ର ଉନ୍ନତିକରଣ କାର୍ଯ୍ୟ ସହିତ ସଂସଦୀୟ କ୍ଷେତ୍ରରୁ ପ୍ରାପ୍ତ ୨୩୪୭୮ ଟି ଜନ ଅଭିଯୋଗ ମଧ୍ୟରୁ ୨୦୬୬୧ ଟି ଅର୍ଥାତ୍ ୮୮% ସମାଧାନ କରାଯାଇଥିବା ନିଜ ରିପୋର୍ଟ କାର୍ଡ ରେ ଦର୍ଶାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।