ଗଜପତି // 80 ଜଣଙ୍କୁ ହଜିଥିବା ମୋବାଇଲ ପୋଲିସ ଦ୍ବାରା ଫେରସ୍ତ ଓ ମାଓନେତା ସବ୍ୟସାଚୀ ନିର୍ଦୋଷରେ ଖଲାସ

Spread the love

ଗଜପତି ଜିଲ୍ଲା ଦୌରାଜଜ କୋୖର୍ଟରୁ ପୁଣି ଏକ ମାମଲାରେ ମାଓନେତା ସବ୍ୟସାଚୀ ନିର୍ଦୋଷରେ ଖଲାସ
ପାରଳାଖେମୁଣ୍ଡି, 26/8(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାର ମୋହନା ଥାନା ଅଞ୍ଚଳରେ ଘଟିଥ‌ିବା ଏକ ମାଓବାଦୀ ସମ୍ପର୍କିତ ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି ଗଜପତି ଜିଲ୍ଲା ଦୌରାଜଜ. ସୂଚନା ଅନୁଯାୟୀ, ମୋହନା କେନ୍ଦୁପଡା ପରେଷ୍ଟ ନିକଟରୁ ୧୦ କିମି ଦୂରରେ ସତ୍ୟସାଚୀ ପଣ୍ଡାଙ୍କ ନେତୃତ୍ୱରେ କମ୍ବି ଅପରେସନ ଚାଲିଥିବା ସମୟରେ ପ୍ରଦୀପ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ସେ ସମୟରେ ପ୍ରଦୀପ ମାଝୀ ସଂଗଠନ ସହ ଜଡ଼ିତ ଥିବା ଦର୍ଶାଇ ତାଙ୍କୁ ମାଓବାଦୀ ଭାବେ ଅଭିହିତ କରାଯାଇଥିଲା ।

ଏହି ଘଟଣାକୁ ନେଇ ୨୦୧୩ ମସିହାରେ ମୋହନା ଥାନାରେ ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ୨୪/୧୩ ନମ୍ବର ସମୟରେ ଅଭିଯୋଗ ସପକ୍ଷରେ ଆବଶ୍ୟକ ପ୍ରମାଣ ଉପସ୍ଥାପନ ହୋଇପାରି ନଥିବାରୁ ଅଦାଲତ ସବ୍ୟସାଚୀ ପଣ୍ଡାଙ୍କୁ ଏହି ମାମଲାରୁ ଦୋଷମୁକ୍ତ କରିଛନ୍ତି । ପ୍ରମାଣ ଅଭାବରୁ ସବ୍ୟସାଚୀ ପଣ୍ଡା ପୁଣି ଏହି ମାମଲାରେ ଖଲାସ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଗଜପତି ପୋଲିସର ମୋବାଇଲ ଫେରସ୍ତ ମେଳା….. 80 ଜଣଙ୍କୁ ହଜିଥିବା ମୋବାଇଲ ଦିଆଗଲା
ପାରଳାଖେମୁଣ୍ଡି, 26/8(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲାର ବିଭିନ୍ନ ଥାନାରେ ଗତ ୩ ବର୍ଷ ମଧ୍ୟରେ ରିପୋର୍ଟ ହୋଇଥ‌ିବା ମୋବାଇଲ ହଜିବା ଘଟଣାରୁ ୧୦୦ଟି ମୋବାଇଲ ଉଦ୍ଧାର କରାଯାଇଛି। ଏହା ମଧ୍ୟରୁ ୮୦ଟି ମୋବାଇଲ ଫେରସ୍ତ ପାଇଁ ଗଜପତି ଜିଲା ପୁଲିସ କାର୍ଯ୍ୟାଳୟ ପରିସରରେ ମୋବାଇଲ ଫେରସ୍ତ ମେଳା ଆୟୋଜିତ ହୋଇଥିଲା । ମେଳାରେ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନା ଯୋଗଦେଇ ପ୍ରକୃତ ମାଲିକମାନଙ୍କୁ ଉଦ୍ଧାର ମୋବାଇଲ ହସ୍ତାନ୍ତର କରିଥିଲେ । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଞ୍ଚଳରୁ ସର୍ବାଧ‌ିକ ୨୯ ଟି, ଆର୍.ଉଦୟଗିରି ଥାନାରୁ ୧୧ଟି, ସାଇବର ସେଲ୍ ଓ ଓ ଅର୍ଥନୈତିକ ଅପରାଧ ଥାନାରୁ ୫ଟି, କାଶୀନଗର ଓ ସେରଙ୍ଗ ଥାନାରୁ ୪ଟି ଲେଖାଏଁ, ଗୁରାଣ୍ଡି ଓ ଗାରାବନ୍ଧ ଥାନାରୁ ୩ଟି ଲେଖାଏଁ ଏବଂ ରାୟଗଡ଼ ଥାନାରୁ ଗୋଟିଏ ମୋବାଇଲ ଫେରସ୍ତ କରାଯାଇଛି । ଅବଶିଷ୍ଟ ୨୦ଟି ମୋବାଇଲ ଜିଲାର ଅନ୍ୟାନ୍ୟ ଥାନା ପକ୍ଷରୁ ମାଲିକଙ୍କୁ ଫେରାଇ ଦିଆଯାଇଛି। ଆରକ୍ଷୀ ଅଧୀକ୍ଷକଙ୍କ ସୂଚନାନୁସାରେ, ହଜିଥିବା ମୋବାଇଲର ଲୋକେସନ୍ ଟ୍ରାକ୍ କରାଯାଇ ଠାବ କରାଯାଇଥିଲା। ଉଦ୍ଧାର ୧୦୦ଟି ମୋବାଇଲ ମଧ୍ୟରୁ ୮୦ଟି ଗଜପତି ଜିଲାର ହୋଇଥ‌ିବା ବେଳେ ୨୦ଟି ଅନ୍ୟ ରାଜ୍ୟର ବୋଲି ଜଣାପଡ଼ିଛି । ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ । ଦୀର୍ଘଦିନ ପରେ ନିଜ ମୋବାଇଲ ଫେରିପାଇ ମାଲିକମାନେ ଖୁସି ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିରଞ୍ଚି ବାଗ, ଉପ ଅଧୀକ୍ଷକ ଅମିତାଭ ପଣ୍ଡା, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା, କାଶୀନଗର ଥାନା ଅଧୂକାରୀ ତ୍ରିନାଥ ସେଠୀଙ୍କ ସମେ ମତ ଅନ୍ୟ ପୁଲିସ ଅଧୂକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ନିଟ୍ ପରୀକ୍ଷାରେ ଗଜପତି ଜିଲ୍ଲାର ଆଦିବାସୀ ଛାତ୍ରଙ୍କ ସଫଳତା
ପାରଳାଖେମୁଣ୍ଡି, 26/8(ତାରିଣୀ ପ୍ରସାଦ ପଣ୍ଡା):

ନିଟ୍ ପରୀକ୍ଷାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର ଚମ୍ପାସାହି ଗ୍ରାମର ଜଣେ ସାଧାରଣ ଚାଷୀ ଅଜିତ ଭୂୟାଁ ଓ ସବିତା ଭୂୟାଁଙ୍କ ପୁତ୍ର କାହ୍ନୁ ଭୂୟାଁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ରାୟଗଡ ଆଦର୍ଶ ବିଦ୍ୟାଳୟରୁ +୨ ବିଜ୍ଞାନରେ ପାସ୍ ହୋଇଥିଲେ। ତାଙ୍କର ଏହି ବିରଳ କୃତିତ୍ୱ ପାଇଁ ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ତୋଷିନୀ ପାଢୀ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ରାୟଗଡ ବ୍ଲକର ଅଧ୍ଯକ୍ଷା ପୂର୍ଣ୍ଣବାସୀ ନାଏକ ଏବଂ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ଶୁଭେଚ୍ଛା ଜଣାଇଛନ୍ତି।
ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷକ ମହାବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମରେ ନାମଲେଖାଇବେ। ଜଣେ ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବାକୁ ନିଜର ସ୍ୱପ୍ନ ରଖିଛନ୍ତି।ଏଥିପାଇଁ ସେ ନିଜର ପିତାମାତା ଓ ରାୟଗଡ ଆଦର୍ଶ ବିଦ୍ୟାଳୟର ଅଧ୍ଯକ୍ଷା ଓ ସମସ୍ତ ଶିକ୍ଷକ ତଥା ଶିକ୍ଷୟତ୍ରୀଙ୍କ ଆଶୀର୍ବାଦ ରହିଥିବା ନିଜର ମନ୍ତବ୍ୟରେ କହିଛନ୍ତି।