ପାରଳାଖେମୁଣ୍ଡିରେ ତେଲୁଗୁ ସିନେ ଜଗତର ସୁପ୍ରସିଦ୍ଧ ତାରକା ମେଘାଷ୍ଟାର ଚିରଞ୍ଜିଵୀଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର
ପାରଳାଖେମୁଣ୍ଡି, 21/8(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ତେଲୁଗୁ ସିନେମାର ସୁପ୍ରସିଦ୍ଧ ହିରୋ ମେଗାଷ୍ଟାର ଚିରଞ୍ଜିବୀଙ୍କ 71 ତମ ଜନ୍ମଦିନକୁ ପାରଳାଖେମୁଣ୍ଡି ସହରରେ ଚିରଞ୍ଜିଵୀ ଫ୍ୟାନ୍ସ ୱେଲ ଫେୟାର ଆସୋସିଏସନ ତରଫରୁ ମହାସମାରୋହରେ ଆଜି ପାଳନ କରାଯାଇଛି. ହିରୋ ଚିରଞ୍ଜିବୀଙ୍କ ଫ୍ୟାନ୍ସମାନଙ୍କ ସହ ପ୍ରଶଂସକମାନଙ୍କ ତତ୍ତ୍ୱାବଧାନରେ ଆଜି ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ପାରଳାଖେମୁଣ୍ଡି ସହର ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆୟୋଜିତ ହୋଇଯାଇଛି। ଏହି ଶିବିରରେ ଆଜି 10 ୟୁନିଟ ରକ୍ତଦାନ ଦ୍ୱାରା ସଂଗ୍ରହ କରାଯାଇ ପାରଳାଖେମୁଣ୍ଡି ବ୍ଲଡ୍ ବ୍ୟାଙ୍କକୁ ହସ୍ତାନ୍ତର କରାଯାଇଛି.

ଚିରଞ୍ଜିବୀଙ୍କ ଜନ୍ମଦିନରେ ତାଙ୍କର ଫ୍ୟାନ୍ସ ଓ ପ୍ରଶଂସକମାନେ ଚିରଞ୍ଜିବୀଙ୍କ ଦୀର୍ଘାୟୁ କାମନା କରିବା ସହ ଲୋକଙ୍କ ସେବା ଓ ସମାଜର ଉନ୍ନତି ପାଇଁ ସମସ୍ତେ କାର୍ଯ୍ୟ କରିବା ପାଇଁ ଆୱାନ ଦେଇଛନ୍ତି. ଆଜିର ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଚିରଞ୍ଜିଵୀ ଫ୍ୟାନ୍ସ ୱେଲ ଫେୟାର ଆସୋସିଏସନର ସଭାପତି ଏ. ରାମୁ, ସମ୍ପାଦକ ପି. ଶ୍ୟାମ କୁମାର, କାର୍ଯକାରୀ ସଦସ୍ୟ କେ. ଧର୍ମା, କ୍ରିଷ୍ଣା, ମୋହିନୀ ପ୍ରଧାନ, ଜେ. ଜୀବନ ପ୍ରମୁଖଙ୍କ ସହ ବହୁ ଜଣ ଫ୍ୟାନ୍ସ ଉପସ୍ଥିତ ଥିଲେ.ପାରଳାଖେମୁଣ୍ଡି ଖଲାସୀଙ୍କ ସମସ୍ୟାର ସମାଧାନ ଓ ଆର୍ଏମ୍ସି ବ୍ୟବସ୍ଥା ସୁଧାର ପାଇଁ ବିଧାୟକଙ୍କ ଆଲୋଚନା
ପାରଳାଖେମୁଣ୍ଡି, 21/8(ତାରିଣୀ ପ୍ରସାଦ ପଣ୍ଡା):
ଖଲାସୀମାନଙ୍କ ସ୍ୱାର୍ଥ ସୁରକ୍ଷା ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଖଲାସୀ ସଂଘ ପକ୍ଷରୁ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଏଥିସହ ଆର୍ଏମ୍ସି ବ୍ୟବସ୍ଥାରେ ସୁଧାର ଆଣିବା ସହ ଖଲାସୀମାନଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇଦେବାକୁ ମଧ୍ୟ ସଂଘ ପକ୍ଷରୁ ଦାବି କରାଯାଇଛି।
ସୂଚନା ଅନୁସାରେ, ଖଲାସୀମାନେ ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ବିଶେଷକରି ନିଜର ସାମଗ୍ରୀ ରଖିବା ଓ କାର୍ଯ୍ୟ ସୁବିଧା ପାଇଁ ଏକ ନିର୍ଦ୍ଦିଷ୍ଟ ଗୋଦାମ ଗୃହର ଆବଶ୍ୟକତା ରହିଛି। ହାଟପଦା ନିକଟରେ ଥିବା ଏକ ପୁରୁଣା ଗୋଦାମ ଗୃହର ପୁନରୁଦ୍ଧାର କରାଯାଇଥିଲେ ମଧ୍ୟ ତାହା ଖଲାସୀମାନଙ୍କ କାର୍ଯ୍ୟରେ ବ୍ୟବହାର ହୋଇପାରୁନଥିବା ନେଇ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି।

ଖଲାସୀ ସଂଘର ସଦସ୍ୟମାନେ ଆଜି ବିଧାୟକ ରୂପେଶ ପାଣିଗ୍ରାହୀଙ୍କ କାର୍ଯ୍ୟାଳୟକୁ ଯାଇ ସେମାନଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଗୁହାରି ଜଣାଇଥିଲେ। ଗୋଦାମ ଗୃହ ବ୍ୟବହାର ପାଇଁ ଖଲାସୀମାନଙ୍କୁ ଅନୁମତି ପ୍ରଦାନ, ଆର୍ଏମ୍ସି ବ୍ୟବସ୍ଥାରେ ଆବଶ୍ୟକ ସୁଧାର, ଖଲାସୀମାନଙ୍କ କାର୍ଯ୍ୟ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ଓ ସେମାନଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ଭଳି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା।
ଖଲାସୀ ସଂଘର ଦାବି ଶୁଣିବା ପରେ ବିଧାୟକ ରୂପେଶ ପାଣିଗ୍ରାହୀ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏନେଇ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବେ ବୋଲି ବିଧାୟକ ସଂଘର ସଦସ୍ୟମାନଙ୍କୁ ଜଣାଇଛନ୍ତି।
ଖଲାସୀମାନେ କହିଛନ୍ତି ଯେ, ସେମାନଙ୍କ ଜୀବିକା ସହ ଜଡ଼ିତ ସମସ୍ୟାଗୁଡ଼ିକର ସମାଧାନ ହେଲେ କାର୍ଯ୍ୟ ପରିଚାଳନାରେ ସୁବିଧା ହେବା ସହ ଆର୍ଏମ୍ସିର ସାମଗ୍ରିକ ବ୍ୟବସ୍ଥା ମଧ୍ୟ ଅଧିକ ସୁଚାରୁ ହୋଇପାରିବ। ତେଣୁ ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ଏହି ଦାବିଗୁଡ଼ିକୁ ଗୁରୁତ୍ୱ ଦେଇ ଶୀଘ୍ର ସମାଧାନ କରିବାକୁ ଖଲାସୀ ସଂଘ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
ଏହି ଦାବିକୁ ନେଇ ଆଜି ଖଲାସୀ ସଂଘର ସଦସ୍ୟମାନେ ବିଧାୟକଙ୍କ ସହ ଆଲୋଚନା କରିଥିବା ବେଳେ ଆଗାମୀ ଦିନରେ ପ୍ରଶାସନିକ ସ୍ତରରେ ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯିବା ନେଇ ଆଶା ପ୍ରକାଶ ପାଇଛି।
ପାରଳା ପୋଲିସର ସଫଳତା : ଚୋରି ଘଟଣାର ସଫଳ ପର୍ଦାଫାଶ, ଚୋର ଗିରଫ 14.176 ଲକ୍ଷ ଟଙ୍କାର ସମ୍ପତ୍ତି ଉଦ୍ଧାର
ପାରଳାଖେମୁଣ୍ଡି, 21/8(ତାରିଣୀ ପ୍ରସାଦ ପଣ୍ଡା ):
ପାରଳାଖେମୁଣ୍ଡି ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି. ସ୍ଥାନୀୟ ସଞ୍ଜୟ ଗାନ୍ଧୀ କଲୋନୀରେ ଘଟିଥିବା ଏକ ବଡ଼ ଧରଣର ଘର ଭାଙ୍ଗି ଚୋରି ଘଟଣାର ସଫଳ ପର୍ଦ୍ଦାଫାସ କରି ଅଭିଯୁକ୍ତ ସର୍ବସୁଧି କୁମାର ସ୍ୱାମୀ (୩୦), ସଞ୍ଜୟ ଗାନ୍ଧୀ କଲୋନୀ, ପାରଳାଖେମୁଣ୍ଡିଙ୍କୁ ଗିରଫ କରାଯାଇଅଛି । ଏ ସମ୍ପର୍କରେ ଆଦର୍ଶ ଥାନା ପାରଳାଖେମୁଣ୍ଡି କେସ୍ ନଂ. ୩୨୭, ତା.୦୮.୦୮.୨୦୨୬, ଦଫା ୩୩୧(୪)/୩୦୫(ଏ)/୩(୫) ମାମଲା ରୁଜୁ ହୋଇଥିଲା । ଅଭିଯୋଗକାରିଣୀ ଶ୍ରୀମତୀ ସରାବସୁଧି ସନ୍ତୋଷିନୀ (୪୫) ଘରେ ନଥିବା ସମୟରେ ୦୭/୦୮.୦୮.୨୦୨୬ ମଧ୍ୟରାତ୍ରିରେ ଅଜଣା ଦୁର୍ବୃତ୍ତମାନେ ତାଙ୍କ ଘର ଓ ଆଲମାରୀର ତାଲା ଭାଙ୍ଗି ସୁନା, ରୂପା ଅଳଙ୍କାର ସହିତ ନଗଦ ୫,୫୦,୦୦୦ ଟଙ୍କା ଚୋରି କରିନେଇଥିଲେ। ତଦନ୍ତ ସମୟରେ ମିଳିଥିବା ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ୨୦.୦୮.୨୦୨୬ ତାରିଖରେ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ା ଅଞ୍ଚଳରୁ ଠାବ କରି ଗିରଫ କରିଥିଲା । ପରବର୍ତ୍ତୀ ତଦନ୍ତ ଓ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ପ୍ରାୟ ୭.୫ ତୋଳା ସୁନା ଅଳଙ୍କାର, ଯାହାର ଆନୁମାନିକ ମୂଲ୍ୟ ୯,୭୫,୦୦୦ ଟଙ୍କା, ପ୍ରାୟ ୯୦ ତୋଳା ରୂପା ସାମଗ୍ରୀ, ଯାହାର ଆନୁମାନିକ ମୂଲ୍ୟ ୩,୦୦,୦୦୦ ଟଙ୍କା, ନଗଦ/ଚୋରି ସାମଗ୍ରୀ ବିକ୍ରୟରୁ ପ୍ରାପ୍ତ ୧,୮୨,୦୦୦ ଟଙ୍କା ଏବଂ ୧୯,୫୦୦ ଟଙ୍କା ମୂଲ୍ୟର ଗୋଟିଏ OPPO K14x 5G ମୋବାଇଲ୍ ଫୋନ୍ ଜବତ କରିଛି । ଏହିପରି ମୋଟ ପ୍ରାୟ ୧୪,୭୬,୫୦୦ ଟଙ୍କା ମୂଲ୍ୟର ଚୋରି ସମ୍ପତ୍ତି ଓ ସମ୍ପୃକ୍ତ ସାମଗ୍ରୀ ଉଦ୍ଧାର ଓ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଆଜି ଅଦାଲତକୁ ଚାଲାଣ କରାଯାଇଛି। ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ଏବଂ ବଳକା ଚୋରି ସମ୍ପତ୍ତି ଉଦ୍ଧାର ପାଇଁ ତଦନ୍ତ ଜାରି ରହିଥିବା ପାରଳା ପୋଲିସ ତରଫରୁ ସୂଚନା ମିଳିଛି ।
ଗଜପତି : ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ବୁଦ୍ଧି ଓ ସାହସ ଯୋଗୁଁ ଦୁର୍ଘଟଣାରେ ଗୁରୁତର ହୋଇ ସୁଦ୍ଧା ନିଜ ଜୀବନ ବଞ୍ଚାଇଲେ
ପାରଳାଖେମୁଣ୍ଡି, 21/8(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଛାତ୍ର ନିଜର ବୁଦ୍ଧି ଓ ସାହସ ଯୋଗୁଁ ନିଜ ଜୀବନ ବଞ୍ଚାଇ ଥିବା ସୂଚନା ମିଳିଛି. ଦୁର୍ଘଟଣା ଯୋଗୁଁ ପେଟରେ ଗଭୀର ଆଘାତ ଲାଗି ଅନ୍ତଃନଳୀ ବାହାରକୁ ବାହାରିଯାଇଥିଲେ ମଧ୍ୟ ତାହାକୁ ସ୍କୁଲ ୟୁନିଫର୍ମ ସାର୍ଟରେ ଜାବୁଡ଼ି ଧରି ପ୍ରାୟ ୩ କିଲୋମିଟର ଚାଲି ଘରେ ପହଞ୍ଚିଥିଲେ। ପରେ ବଡ଼ଗଡ଼ ଡାକ୍ତରଖାନା ଦେଇ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲରେ ପହଞ୍ଚି ଚିକିତ୍ସା ପରେ ନୂଆ ଜୀବନ ପାଇଛନ୍ତି ଛାତ୍ର ଚିନୁ ମଲ୍ଲିକ। ଘଟଣାରୁ ପ୍ରକାଶ, ଚିନୁ ଗଜପତି ଜିଲ୍ଲା ମୋହନା ବ୍ଳକ ଜରଭ ପଞ୍ଚାୟତ ବାଲିପଦର ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର । ତାଙ୍କ ବୟସ 11 ବର୍ଷ ଏବଂ ଘର ଗଞ୍ଜାମ ଜିଲ୍ଲା ଧରାକୋଟ ବୃକ ତାନାର୍ଜିପଲ୍ଲୀ ଗ୍ରାମରେ।

ଗତ ସୋମବାର ଦିନ ସେ ସାଇକେଲରେ ସ୍କୁଲ ଯାଉଥିବାବେଳେ ପାହାଡ଼ିଆ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ। ପେଟରେ ଗଭୀର ଆଘାତ ଯୋଗୁଁ ଅନ୍ତଃନଳୀ ବାହାରକୁ ବାହାରି ଆସିଥିଲା। ତଥାପି ସେ ଭୟଭୀତ ନହୋଇ ନିଜ ସାଇକେଲ ଛାଡ଼ି ନିଜ ବୁଦ୍ଧି ଓ ସାହସକୁ ମୁଖ୍ୟ କରି ଅନ୍ତଃନଳୀକୁ ସାର୍ଟରେ ଧରି ଚାଲିଚାଲି ଘରେ ପହଞ୍ଚିଥିଲେ। ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରିନଥିଲା । ପରିବାର ଲୋକେ ଚିନୁଙ୍କୁ ବାଇକ୍ରେ ପ୍ରାୟ ୧୦ କିଲୋମିଟର ଦୂର ବଡ଼ଗଡ଼ ମେଡିକାଲକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ୍କୁ ନିଆଯାଇଥିଲା। ଏମକେସିଜିରେ ଶିଶୁ ଶଲ୍ୟ ବିଭାଗରେ ଚିନ୍ହଙ୍କ ଚିକିତ୍ସା କରାଯାଇଥିଲା। ବାହାରକୁ ବାହାରି ଆସିଥିବା ଅନ୍ତଃନଳୀକୁ ପୁଣି ପେଟ ଭିତରେ ରଖୁବା ସହ ଆକ୍ରାନ୍ତ ଅଂଶର ଚିକିତ୍ସା କରାଯାଇଥିଲା। ଅଧିକ ରକ୍ତସ୍ରାବ ହୋଇଥିବାରୁ ତାଙ୍କୁ ରକ୍ତ ମଧ୍ଯ ଦିଆଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟାର ଅସ୍ତ୍ରୋପଚାର ପରେ ଚିନୁଙ୍କ ସ୍ବାସ୍ଥ୍ୟବସ୍ଥା ସୁଧୁରିଥିବା ଜଣାପଡ଼ିଛି। ଶିଶୁ ଶଲ୍ୟ ବିଭାଗର ଡାକ୍ତର ମାନସ ରଞ୍ଜନ ଦାସଙ୍କ କହିବାନୁସାରେ, ଚିନୁଙ୍କ ସାହସ ଓ ତାଙ୍କ ବୁଦ୍ଧି ଜୀବନ ରକ୍ଷାରେ ବଡ଼ ଭୂମିକା ନେଇଛି। ଚିନୁଙ୍କ ଏହି ସାହସିକତାକୁ ନେଇ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।











