“ଆମର ଆଦୌ ଧାରଣା ନଥାଏ ଯେ କେଉଁ ଛୋଟ କଥା, କେଉଁ ନଗଣ୍ୟ ଘଟଣା କିମ୍ବା ତଳସ୍ତରରେ କାମ କରୁଥିବା କେଉଁ ସାଧାରଣ ମଣିଷଟିଏ ଆମକୁ ଜୀବନର ସବୁଠାରୁ ବଡ଼ ଶିକ୍ଷା ଦେଇଦିଏ!”
ଆଜି (୦୬.୦୮.୨୦୨୬) ପାହାନ୍ତିଆ ସମୟରେ ମୁଁ ଆମ ଦେଶର “ପୂର୍ବତନ ମୂଖ୍ୟ ନିର୍ବାଚନ କମିଶନର -FORMER CHIEF ELECTION COMMISSIONER” ଏସ୍ .ୱଇ.କ୍ୟୁ୍ରୈଶୀଙ୍କ ଦ୍ୱାରା ଲିଖିତ ଇଗ୍ଲିଶଭାଷାର”INDIA AND I” ବହିଟିକୁ ପଢୁଥିବା ସମୟରେ,”We often have no idea which seemingly insignificant moment, which trivial incident, or which ordinary person working quietly at the grassroots will end up teaching us the greatest lesson of our lives” ବାକ୍ୟଟି ଉପରେ
ମୋର ନଜର ଅଟକି ରହିଥିଲା, ଯାହାର ଆମ ଓଡ଼ିଆ ଭାଷାର ଅନୁବାଦିତ ସାରାଂଶ ହେଉଛି, “ଆମର ଆଦୌ ଧାରଣା ନଥାଏ ଯେ କେଉଁ ଛୋଟ କଥା, କେଉଁ ନଗଣ୍ୟ ଘଟଣା କିମ୍ବା ତଳସ୍ତରରେ କାମ କରୁଥିବା କେଉଁ ସାଧାରଣ ମଣିଷଟିଏ ଆମକୁ ଜୀବନର ସବୁଠାରୁ ବଡ଼ ଶିକ୍ଷା ଦେଇଦିଏ!”, ଯାହା ବି ଆଜିର ଲେଖାଟିର ଶୀର୍ଷକ।
କୁରୈଶୀ ମହାଶୟଙ୍କର ଜନ୍ମ ୧୯୪୭ ମସିହା ଜୁନ୍ ମାସରେ। ସେ ଏବଂ ଆମ ସ୍ୱାଧିନଭାରତ, ଦୁହେଁ ଏକାଠି ବଢ଼ିଛନ୍ତି। ଏହି କାରଣରୁ ହିଁ ସେ ବହିଟିର ବହିଟିର ନାମ”INDIA AND I-ଭାରତ ଓ ମୁଁ” ରଖିଛନ୍ତି।
ତାଙ୍କର ଏଭଳି ଲେଖାର କାରଣ ବି ବହିରେ ରହିଛି, ଯାହା ଆମ ଓଡ଼ିଆ ଭାଷାରେ ହେଉଛି 👇 ;
ଏସ୍ .ୱଇ.କ୍ୟୁ୍ରୈଶୀ , ୧୯୭୩ ମସିହାରେ ଆଇ.ଏ.ଏସ. ହେବାପରେ ତାଙ୍କର ପ୍ରଥମ ନିଯୁକ୍ତି “ହରିୟାଣାର ସୋନିପତଠାରେ ଏସ.ଡି.ଏମ. ଭାବରେ ହୋଇଥିଲା।” ନୂଆ ନୂଆ ଆଇ.ଏ.ଏସ. ହୋଇଥିବା ଜଣେ ଯୁବକଙ୍କଠାରେ ଟିକିଏ ଗର୍ବ, ଆଭିଜାତ୍ୟ ଓ ରୋବ୍-ରୁତବା ରହିବା ସ୍ୱାଭାବିକ, ଯେହେତୁ ସେହି ବର୍ଗର ଲୋକମାନେ ଭାବି ଥାଆନ୍ତି ଯେ “ସେମାନେ ଜୀବନରେ କିଛି ବିରାଟ କାମ କରିପକାଇଛନ୍ତି।”
ଦିନେ ସେ ନିଜ ସରକାରୀ ବଙ୍ଗଳାରେ ବସିଥିଲେ। ବାହାରକୁ ଆସି ଦେଖିଲେ ଯେ ତାଙ୍କ ବଗିଚାର ମାଳିଟି ଗଛ କଟାକଟି କରି କାମ କରୁଛି। ମାଳିଟି ଅତି ଧୀରେ ଧୀରେ କାମ କରୁଥିବାରୁ,ଯୁବ ଅଫିସର କୁରୈଶୀ ତାଙ୍କୁ ଟିକିଏ ପାଟି କରି ଗାଳିଦେଇଥିଲେ। ସେହି ମାଳିଟି ବହୁତ ଶାନ୍ତ, ସଂଯତ ଓ ନମ୍ର ଭାବରେ ଦୁଇହାତ ଯୋଡ଼ି କହିଥିଲେ, “ହଜୁର, ଆପଣ ହେଉଛନ୍ତି ମୋ ସାମ୍ନାରେ ୨୮ତମ ଏସ.ଡି.ଏମ.। ୨୮ତମ ଏସ.ଡି.ଏମ.।”
ଏତିକି ଶୁଣୁ ଶୁଣୁ କୁରୈଶୀ ସାହେବଙ୍କ ଅଫିସରଗିରିର ସବୁ ଅହଂକାର ନିମିଷକେ ମାଟିରେ ମିଶିଯାଇଥିଲା। ସେହି ସାଧାରଣ ମାଳିଟି ବୁଝାଇଥିଲେ ଯେ “ଆପଣଙ୍କ ପୂର୍ବରୁ ଏଠାକୁ କେତେ ଜଣ ଆସିଲେଣି ଏବଂ ଚାଲିଗଲେଣି। ଭବିଷ୍ୟତରେ ୨୯, ୩୦ କିମ୍ବା ୪୦ ନମ୍ବର ଅଫିସର ଆସିବେ, ସମସ୍ତେ ଆସିବେ ଓ ଦିନେ ନା ଦିନେ ଚାଲିଯିବେ।”
କୁରୈଶୀ ସାହେବ ଲେଖିଛନ୍ତି ଯେ, ସେହି ଦିନଠାରୁ ଜଣେ ବଡ଼ ଅଫିସର ଭାବରେ ତାଙ୍କ ମନରେ ଥିବା ସମସ୍ତ ଅହଂକାର ନିୟନ୍ତ୍ରଣକୁ ଆସିଯାଇଥିଲା।
ସେ ଏହି ସତ୍ୟଟିକୁ ଅନୁଭବ କରି ଆହୁରି ଲେଖିଛନ୍ତି ଯେ, “ଆମେ ଯେତେ ବଡ଼ ପଦବୀରେ ଥାଉ ନା କାହିଁକି, ଏହା ବୁଝିନେବା ଦରକାର ଯେ ଆମକୁ ମିଳିଥିବା ଏହି ସଫଳତା ଓ କ୍ଷମତା ସବୁକିଛି ଅସ୍ଥାୟୀ। କାରଣ ମଣିଷ କ୍ଷମତା ପାଇଲେ ନିଜକୁ ସବୁକିଛି ଭାବିବାର ଭ୍ରମରେ ପଡ଼ିଯାଏ।”
ଏହି ଭାବନାକୁ ବ୍ୟକ୍ତ କରିବାକୁ ଯାଇ ସେ ବହିଟିରେ ପ୍ରସିଦ୍ଧ କବି ହବୀବ ଜାଲିବ ସାହେବଙ୍କର ପ୍ରସିଦ୍ଧ ପଙ୍କ୍ତିଟିଏକୁ ଉଦ୍ଧୃତ କରିଛନ୍ତି, ଯେଉଁଥିରେ ଜାଲିବ ମହାଶୟ ପାକିସ୍ତାନର ସିଂହାସନ ଓ କ୍ଷମତାର ଗର୍ବରେ ଅନ୍ଧ ହୋଇଥିବା ଶାସକଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ଲେଖିଥିଲେ;
“ତୁଝସେ ପେହଲେ ଯୋ ଏକ ଶଖ୍ସ ୟହାଁ ତଖ୍ତ-ନଶୀଁ ଥା,
ଉସକୋ ଭୀ, ଉସକୋ ଭୀ ଆପନେ ଖୁଦା ହୋନେ କା ଇତନା ହୀ ୟକୀଁ ଥା”, ଯାହା ଆମ ଓଡ଼ିଆ ଭାଷାରେ ହେଉଛି “ଆପଣଙ୍କ ପୂର୍ବରୁ ଯେଉଁ ବ୍ୟକ୍ତି ଏହି ସିଂହାସନରେ ବିରାଜମାନ ଥିଲେ, ତାଙ୍କର ମଧ୍ୟ ନିଜକୁ ସର୍ବଶକ୍ତିମାନ୍ କିମ୍ବା ଭଗବାନ ଭାବିବାର ଏହିପରି ଅହଂକାର ଓ ବିଶ୍ୱାସ ଥିଲା, କିନ୍ତୁ ଶେଷରେ ତାଙ୍କର ସେହି କ୍ଷମତା ମଧ୍ୟ ଚାଲିଗଲା।”
ଜୀବନ ଆମକୁ କେତେବେଳେ କେଉଁ ଶିକ୍ଷା ଦିଏ, ତାହା ବହୁତ ମହତ୍ତ୍ୱପୂର୍ଣ୍ଣ।ଆମର ଆଦୌ ଧାରଣା ନଥାଏ ଯେ “କେଉଁ ଛୋଟ କଥା, କେଉଁ ନଗଣ୍ୟ ଘଟଣା କିମ୍ବା ତଳ ସ୍ତରରେ କାମ କରୁଥିବା କେଉଁ ସାଧାରଣ ମଣିଷଟିଏ ଆମକୁ ଜୀବନର ସବୁଠାରୁ ବଡ଼ ଶିକ୍ଷା ଦେଇଦିଏ!”
“କେତେ ଋଷି ଗଲେଣି, ଏଇ ଜଟା ପଡ଼ିଛି” ଭଳି ଓଡ଼ିଆ ଲୋକକଥାଟିର ଆଧାରରେ, ଅନେକ ଆଇଏଏସ୍ ଅଧିକାରୀ ଆସିଛନ୍ତି, ଯାଇଛନ୍ତି, ଅଛନ୍ତି,ଯିବେ କିନ୍ତୁ ପୂର୍ବତନ ମୂଖ୍ୟ ନିର୍ବାଚନ କମିଶନର ଶ୍ରୀ ଟି.ଏନ.ସେଶାନ’ଙ୍କ ଏହି ପଦବୀରେ ଥିବା ସମୟର କାର୍ଯ୍ୟକଳାପର ଭୂୟସୀ ପ୍ରଶଂସା ଏବେ ବି କରାଯାଉଛି।”
(ବିଶେଷ ଦ୍ରଷ୍ଟବ୍ୟ:- ଶ୍ରୀ Tirunellai Narayana Iyer (T. N.) Seshan,ତା୧୨.୧୨.୧୯୯୦ରିଖରେ ଭାରତର ଦଶମ ମୁଖ୍ୟ ନିର୍ବାଚନ କମିଶନର (CEC) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ଯେତେବେଳେ କି ଆଉ କୌଣସି କମିଶନର ନଥିଲେ।
ସେ “ନିର୍ବାଚନକୁ ନିରପେକ୍ଷ, ଗୁଣ୍ଡାମାନଙ୍କର ପ୍ରଭାବ ବିହୀନ, ସରକାରଙ୍କ ଚାପରେ ଅଧିକାରୀମାନଙ୍କ ପକ୍ଷପାତିତା “‘ଇତ୍ୟାଦିକୁ ଦୃଢହସ୍ତରେ ଦମନ କରିବା ତତ୍କାଳୀନ ନରସିଂହ ରାଓ ସରକାରଙ୍କୁ
ସହ୍ୟ ନହେବାରୁ, ନିର୍ବାଚନ କମିଶନକୁ ତିନିଜଣିଆ ସଦସ୍ୟ ବିଶିଷ୍ଟ କରାଯାଇଥିଲେ ମଧ୍ୟ ଶେସାନ ମହାଶୟ ଅବଦମିତ ରହି ନିଜର ଦାୟିତ୍ଵ ସେହି ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ତୁଲାଇଥିଲେ।
ସେ,ତା୧୧.୧୨,୧୯୯୬ରିଖରେ ସେ ଏହିu ପଦରୁ ଅବସର ନେବାପରେ,୧୯୯୭ ମସିହାର ରାଷ୍ଟ୍ରପତି ନିର୍ବାଚନ ଲଢ଼ିଥିଲେ, କିନ୍ତୁ K. R. Narayananଙ୍କଠାରୁପରାଜିତ ହୋଇଥିଲେ।
ଏହାପରେ ,୧୯୯୯ ଲୋକସଭା ନିର୍ବାଚନରେ ସେ ଲାଲକୃଷ୍ଣ ଆଡଭାନୀଙ୍କ ବିରୋଧରେ ଗାନ୍ଧୀନଗର (ଗୁଜରାଟ) ଆସନରୁ Indian National Congress ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।ସେହି ନିର୍ବାଚନରେ ସେ ପରାଜିତ ହେବା ସହ ତାଙ୍କର ଜମା ରାଶି (security deposit) ମଧ୍ୟ ଜବତ (forfeited) ହୋଇଯାଇଥିଲା, କାରଣ ସେ ମୋଟ ବୈଧ ଭୋଟର ଏକ-ଷଷ୍ଠାଂଶ (ସେତେବେଳର ନିୟମ) ହାସଲ କରିପାରିନଥିଲେ। )
ଅଥଚ, କିଛିବର୍ଷ ତଳେ ସମ୍ପୂର୍ଣ୍ଣ ରାମରାଜ୍ୟ ପ୍ରତିଷ୍ଠା ଦିଗରେ ଧପାଲିଥିବା ଗୋଟିଏ ରାଜ୍ୟର ସାମ୍ବାଦିକଟିଏ ” ମଧ୍ୟାହ୍ନ ଭୋଜନରେ କେବଳ ଋଟି ଓ ଲୁଣ ଦିଆଯାଇଛି” ଭଳି ରିପୋର୍ଟକରି ଅକଥନୀୟ ନିର୍ଯାତନାର ଶୀକାର ହୋଇ ମରି ଯାଇଥିଲେ।
ଖାଲି ଏତିକି ନୁହେଁ ” ପ୍ରଶ୍ନପତ୍ର ପ୍ରଘଟ ହୋଇଗଲା ଓ ଏହା ବାବଦରେ ଯିଏ ଜଣାଇଲେ , ତାଙ୍କୁ ଜେଲକୁ ପଠାଗଲା”, ଯାହା ଯାହା ଆଇଏଏସ୍ ଜିଲ୍ଲାପାଳଙ୍କ କାଳରେ ହୋଇଥିଲା।
ଏବଂ, ଏବେ ଏବେ ପ୍ରକାଶିତ ଖବରଟିଏ ଅନୁସାରେ “ଏବେକୁ ସମ୍ପୂର୍ଣ୍ଣ ରାମରାଜ୍ୟ ହୋଇ ସାରିଥିବା” ସେହି ରାଜ୍ୟଟିର ଗୋଟିଏ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ “ଭାତ କି ରୁଟି ନାହିଁ, କେବଳ ଢଙ୍କ ସରସର ଡାଲିପାଣିରେ କଖାରୁ କେତେଖଣ୍ଡ ଦିଶୁଛି “,
ଏବଂ ସାରାଦେଶରେ, “୨୦୦୫ ମସିହାରୁ ଏ ପର୍ଯ୍ୟନ୍ତ ୨୨୦ଥର ପ୍ରଶ୍ନପତ୍ର ପ୍ରଘଟ ହୋଇଛି”।
ଏଠାରେ ଇତିହାସର ବିଡ଼ମ୍ବନା ଏହି କିଯେ, “ନିଜର ଅବସର ଗ୍ରହଣପରେ ଶ୍ରୀ ଶେଷାନ ଲୋକସଭା ନିର୍ବାଚନରେ ଅଂଶ ଗ୍ରହଣ କରି, ଆମର ମହାନ ଭୋଟରମାନଙ୍କ କର୍ତ୍ତୃକ ନିଜର ଅମାନତ ହରେଇଥିବାସ୍ଥଳେ(” ଅଧିକ ବିବରଣୀ ଲେଖା ଶେଷରେ ରହିଛି), ଆମ ଗଣତନ୍ତ୍ରର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଖୁଣ୍ଟଗୁଡ଼ିକର ମହାମହିମଗଣରୁ ସଂଖ୍ୟାଧିକ ‘ରାଜା ‘ଧ’ କହିଲେ ମାଡି ବସୁଛନ୍ତି, ରାଜା ‘ଆଣ୍ଠାଅ’ କହିଲେ ଗୁଋଣ୍ଡୁଛନ୍ତି, କେବଳ ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନପାଇଁ, ଚାକିରି କାଳରେ ଓ ଚାକିରୀକାଳ ପରେ ପୁଣିପୁନଃ ଥଇଥାନ ପାଇଁ “, “ଦେଶ, ଦେଶରଲୋକେ , ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ବ୍ୟବସ୍ଥାସମୂହ ‘ଭାଡ୍ (ଅତ୍ୟଧିକ ତାପଯୁକ୍ତ ଚୁଲି, Blast Furnace ଇତ୍ୟାଦି) ମେ ଯାଏ”ପରିସ୍ଥିତିର ସମ୍ମୁଖୀନ ହେଉଥାଆନ୍ତୁ ପଛେ।”
ହିନ୍ଦୀ ଭାଷାର ବିଶିଷ୍ଟ କବି, ଶ୍ରୀ ମୂକେଶ କୁମାରଙ୍କ ରଚିତ”हँसो,ହଁସୋ-ହସନ୍ତୀ”ଶୀର୍ଷକ କବିତାଟିଏର
ଓଡ଼ିଆ ଭାଷାରେ ସାରମର୍ମ 👇:-
“ଯେଉଁ ହସକୁ ଶାସନ ଭୟ କରେ,
ସେହି ହସ ହିଁ ସ୍ୱାଧୀନତାର ପ୍ରଥମ ଘୋଷଣା।
ହସିବା ସହଜ ନୁହେଁ,
ହସିବାର ମଧ୍ୟ ଏକ ମୂଲ୍ୟ ଅଛି।
ଶାସନର ସିଂହାସନରେ ବସି
ଯିଏ ହସେ,ତା’ର ହସରେ
ସାହସଠାରୁ ଅଧିକ
ଅହଙ୍କାରର ପ୍ରତିଧ୍ୱନି ଥାଏ।
ରାଜା ହସେ ନାହିଁ,
ହସେ ତା’ର ରାଜଦଣ୍ଡ;
ମନ୍ତ୍ରୀ ହସେ ନାହିଁ,
ହସେ ତା’ର ପଦ;
ପହରାଦାର ହସେ ନାହିଁ,
ହସେ ତା’ର ପୋଷାକର ଅଧିକାର।
କିନ୍ତୁ ସମୟର ଚକ୍ର ଘୁରିଲେ,
ସିଂହାସନ ଖାଲି ହେଲେ,
ସେହି ହସ
ଶରତର ଶୁଖିଲା ପତ୍ର ପରି
ଝଡ଼ିପଡ଼େ ନିରବରେ।
ଅଥଚ,
ଯେଉଁ ମଣିଷର ହାତରେ
ନାହିଁ କ୍ଷମତା,
ନାହିଁ ସୁରକ୍ଷା,
ନାହିଁ ପ୍ରଭାବ,
ତା’ର ମୁହଁର ଏକ ଛୋଟ ହସ
କୌଣସି ଆନନ୍ଦର ପ୍ରକାଶ ମାତ୍ର ନୁହେଁ,
ତାହା ହେଉଛି,
“ଅନ୍ୟାୟ ବିରୁଦ୍ଧରେ ଏକ ଘୋଷଣା,
ଭୟ ବିରୁଦ୍ଧରେ ଏକ ବିଦ୍ରୋହ,
ନୀରବତା ବିରୁଦ୍ଧରେ ଏକ ଗର୍ଜନ”।
ଏହି ହସକୁ ଦମନ କରିବାକୁ
ଶାସନ ଶତତ ଚେଷ୍ଟାରେ ଥାଏ,
କିନ୍ତୁ ଶାସନ ମନେ ମନେ ସେହି ହସକୁ
ଭୟ କରୁଥାଏ, ଯେହେତୁ ଏହା ହିଁ
ସ୍ୱାଧୀନ ମଣିଷର ପ୍ରକୃତ ପରିଚୟ।
ତଳୱାର ସାମ୍ରାଜ୍ୟ ଗଢ଼ିପାରେ,
କିନ୍ତୁ ଏକ ନିର୍ଭୀକ ହସ
ସାମ୍ରାଜ୍ୟକୁ କମ୍ପାଇ ଦେଇପାରେ।
କାରଣ,”ଯେଉଁ ହସକୁ ଶାସନ ଭୟ କରେ,
ସେହି ହସ ହିଁ ସ୍ୱାଧୀନତାର ପ୍ରଥମ ଘୋଷଣା।”
(ଏହା,ହିନ୍ଦୀ ଭାଷାର ବିଶିଷ୍ଟ କବି ଶ୍ରୀ ମୂକେଶ କୁମାରଙ୍କ ଦ୍ଵାରା ରଚିତ ‘हँसो,ହଁସୋ”କବିତାର ଓଡ଼ିଆ ଭାଷାରେ ଆପାତତଃ ଅନୁବାଦିତ କବିତାଟିଏ।)
ତୁଝସେ ପେହଲେ ଯୋ ଏକ ଶଖ୍ସ ୟହାଁ ତଖ୍ତ-ନଶୀଁ ଥା,ଉସକୋ ଭୀ, ଉସକୋ ଭୀ ଆପନେ ଖୁଦା ହୋନେ କା ଇତନା ହୀ ୟକୀଁ ଥା -ତୁଷାର କାନ୍ତ ଶତପଥୀ ଭୁବନେଶ୍ୱର
















Leave a Reply