ରାଜସ୍ୱ କର୍ମଚାରୀଙ୍କ କଳା ବ୍ୟାଚ ପିନ୍ଧି ଆନ୍ଦୋଳନ
୨୨ ତାରିଖ ରୁ ପିନ୍ଧିଲେ କଳା ବ୍ୟାଚ ।
ମାଲକାନଗିରି: ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ରାଜ୍ୟରେ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ ସାଜିଥିବା କ୍ଷେତ୍ର କର୍ମଚାରୀମାନେ ଏବେ ତୀବ୍ର ଅସନ୍ତୋଷ ମଧ୍ୟ ଦେଇ ଗତି କରୁଛନ୍ତି। ଅମାନୁଷିକ କାର୍ଯ୍ୟଭାର, ଭିତ୍ତିଭୂମିର ଅଭାବ ଏବଂ ଦୀର୍ଘ ଦିନରୁ ପଡ଼ି ରହିଥିବା ଦାବି ପୂରଣ ନହେବା ପ୍ରତିବାଦରେ ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ଆନ୍ଦୋଳନ ପାଇଁ ରଣନୀତି ପ୍ରସ୍ତୁତକୁ ନେଇ ମାଲକାନଗିରି ଜିଲ୍ଲା ସଂଘ ସଭାପତି ଶ୍ରୀନିବାସ ପଟ୍ଟନାୟକ ଙ୍କ ନେତୃତ୍ଵରେ ସଂଘ ମିଶନ ସ୍ଵାଭିମାନ ବ୍ୟାନରରେ ଜିଲ୍ଲା ର ପ୍ରତ୍ୟେକଟି ତହସିଲ୍ ରୁ ସମସ୍ତ କ୍ଷେତ୍ର କର୍ମଚାରୀ ଏବଂ ରାଜସ୍ବ ନୀରିକ୍ଷକ ମାନେ ମିଶି ପ୍ରତୀ ତହସିଲର ତହସିଲଦାର ମାନଙ୍କୁ ଗୋଟାଏ ଗୋଟାଏ ଦାବିପତ୍ର ଦେବାସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଳା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଗୋଟାଏ ଦାବିପତ୍ର ଦିଆ ଯାଇଥିବା ଜଣାପଡ଼ିଛି । ୨୨ ଜୁନରୁ କଳାବ୍ୟାଜ୍ ପରିଧାନ କରିଥିବା ବେଳେ ୨୫ ଜୁନରୁ ସମସ୍ତ ସରକାରୀ ହ୍ୱାଟ୍ସଆପ୍ ଗ୍ରୁପ୍ ଛାଡ଼ିବା ସହ ଅନଲାଇନ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଇଛି। ଏହାପରେ ମଧ୍ୟ ଦାବିଗୁଡ଼ିକ ଯଦି ପୂରଣ ନହୁଏ ଜୁଲାଇ ୧ ତାରିଖରୁ ସମୂହ ଛୁଟି ଓ ଗଣଇସ୍ତଫା ଦିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଜରିଆରେ ଜଣାଇ ଦିଆଯାଇଛି।
୫୦% କର୍ମଚାରୀଙ୍କୁ ନେଇ ଚାଲିଛି କାମ, ସରକାର ବଞ୍ଚାଇଲେଣି ୭୧୫ କୋଟି ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୯,୯୧୦ଟି ପଦବୀ ମଧ୍ୟରୁ ୪,୫୬୬ଟି ପଦବୀ (ପ୍ରାୟ ୪୬%) ଖାଲି ପଡ଼ିଛି। ମାତ୍ର ୫୦% କର୍ମଚାରୀଙ୍କୁ ନେଇ ସରକାର ୨୦୦% କାର୍ଯ୍ୟ ହାସଲ କରୁଛନ୍ତି। ବିଗତ ୩ ବର୍ଷ ଧରି ନିଯୁକ୍ତି ନହେବା, ଗ୍ରୁପ୍-ଡି କର୍ମଚାରୀ ନରହିବା, ମୋବାଇଲ୍ ଓ ଯାତ୍ରା ଭତ୍ତା ନମିଳିବା କାରଣରୁ ସରକାରଙ୍କ ରାଜକୋଷରୁ ପ୍ରାୟ ୭୧୫.୭୩ କୋଟି ଟଙ୍କା ବଞ୍ଚିତ ହୋଇଛି, ଯାହା କ୍ଷେତ୍ର କର୍ମଚାରୀଙ୍କ ସ୍ଵେଦର କମାଣ।
ନିଜ ପକେଟରୁ ଖର୍ଚ୍ଚ କରୁଛନ୍ତି ଆର.ଆଇ ଓ ଏ ଆର୍ ଆଈ
ଗ୍ରୁପ୍-ଡି କର୍ମଚାରୀ ନଥିବାରୁ ରାଜସ୍ୱ ନିରୀକ୍ଷକ ଓ ଅମିନମାନେ ନିଜେ ଅଫିସ୍ ସଫା କରିବା ଠାରୁ ଆରମ୍ଭ କରି ନୋଟିସ୍ ବାଣ୍ଟିବା ଓ ବିଦ୍ୟୁତ୍ ବିଲ୍ ମଧ୍ୟ ନିଜ ପକେଟରୁ ଦେଉଛନ୍ତି। ଏଥିସହ ୨୦୨୪ ଡିସେମ୍ବର ମାସରୁ ପ୍ରାୟ ୧୧.୩୧ କୋଟି ଟଙ୍କାର ଯାତ୍ରା ଭତ୍ତା ଏବଂ ଗତ ୩ ବର୍ଷର ମୋବାଇଲ୍ ଭତ୍ତା ବାକି ରହିଛି। ବିନା ଇଣ୍ଟରନେଟ୍ ସୁବିଧା, ଲାପଟପ୍ ବା ପ୍ରିଣ୍ଟରରେ କର୍ମଚାରୀମାନେ ନିଜସ୍ୱ ଖର୍ଚ୍ଚରେ ମ୍ୟୁଟେସନ, ପ୍ରମାଣପତ୍ର ଓ ଇ-ପାଉତି ଭଳି ଗୁରୁତ୍ୱପୂର୍ଣ୍ଣ ଅନଲାଇନ କାମ କରୁଛନ୍ତି।
ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଆର.ଆଇ ଓ କ୍ଷେତ୍ର କର୍ମଚାରୀଙ୍କୁ ସୁଭଦ୍ରା ଯୋଜନା, ଧାନ ସଂଗ୍ରହ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ଯାଞ୍ଚ ଏବଂ OPID ଭଳି ଅଣ-ରାଜସ୍ୱ କାର୍ଯ୍ୟରେ ବ୍ୟସ୍ତ ରଖାଯାଉଛି। ଏହାଦ୍ୱାରା ସେମାନେ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ ହେଉଛନ୍ତି, ଯାହା ସେମାନଙ୍କର ପାରିବାରିକ ଜୀବନକୁ ନଷ୍ଟ କରୁଛି ଓ ସମ୍ବିଧାନର ଧାରା ୨୧ (ଜୀବନ ଜୀବିକାର ଅଧିକାର)କୁ କ୍ଷୁର୍ଣ୍ଣ କରୁଛି।ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ାଯାଇ ନିମ୍ନଲିଖିତ ଦାବି ଉପସ୍ଥାପନ କରାଯାଇଛି।ତୁରନ୍ତ ପ୍ରଶାସନିକ ସମାଧାନ (୩୦ ଦିନ ମଧ୍ୟରେ):
କଲମ-୨ ସଂଶୋଧନ କାର୍ଯ୍ୟକ୍ରମରୁ ବାଧ୍ୟତାମୂଳକ ଟାର୍ଗେଟ ହଟାଇବା ଓ ଅତିରିକ୍ତ କର୍ମଚାରୀ (ରାଜସ୍ୱ ସାଥୀ) ନିଯୁକ୍ତ କରିବା।
ଅଣ-ରାଜସ୍ୱ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବା।ସମସ୍ତ ଆର.ଆଇ ଅଫିସକୁ ଲାପଟପ୍, ପ୍ରିଣ୍ଟର, ଇଣ୍ଟରନେଟ୍ ଏବଂ ବାର୍ଷିକ ୨୫,୦୦୦ ଟଙ୍କାର ଆକସ୍ମିକ ପାଣ୍ଠି ପ୍ରଦାନ।
ବାକି ଥିବା ଯାତ୍ରା ଭତ୍ତା ଏବଂ ମାସିକ ୧,୦୦୦ ଟଙ୍କା ମୋବାଇଲ୍ ଭତ୍ତା ପ୍ରଦାନ।ରବିବାର ଓ ସରକାରୀ ଛୁଟିଦିନରେ କାର୍ଯ୍ୟଭାର ବନ୍ଦ କରିବା।
ମୁଖ୍ୟ ଦାବି ୩ ମାସ ମଧ୍ୟରେ
କ୍ୟାଡରର ସମ୍ପୂର୍ଣ୍ଣ ପୁନର୍ଗଠନ ଓ ତୁରନ୍ତ ଡି ପି ସି ବୈଠକ ଆୟୋଜନ। ଜନସଂଖ୍ୟା ଭିତ୍ତିରେ ଏକ ଗ୍ରାମ ପଞ୍ଚାୟତ – ଏକ ଆର.ଆଇ ସର୍କଲ ଗଠନ।
ରାଜସ୍ୱ ସୁପରଭାଇଜର ପଦବୀକୁ ଡେପୁଟି ତହସିଲଦାର ଭାବେ ନାମିତ କରି ଅଧିକ କ୍ଷମତା ପ୍ରଦାନ।
ଗ୍ରୁପ୍-ଡି ସମେତ ସମସ୍ତ ଖାଲି ପଡ଼ିଥିବା ପଦବୀ ତୁରନ୍ତ ପୂରଣ।
ସଂଘ ସ୍ପଷ୍ଟ କରିଛି ଯେ, ଯଦି ସରକାର ସେମାନଙ୍କୁ ମେସିନ୍ ନଭାବି ଜଣେ ମଣିଷ ଭଳି ସମ୍ମାନର ସହ ଦାବିଗୁଡ଼ିକୁ ବିଚାର ନକରନ୍ତି ତେବେ ଆଗାମୀ ଦିନରେ ସମଗ୍ର ରାଜ୍ୟରେ ରାଜସ୍ୱ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯିବ ଯେଉଁଥିପାଇଁ ଶାସନ ଓ ପ୍ରଶାସନ ଦାୟୀ ରହିବେ। ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେବାବେଳେ ସଙ୍ଘର ସଭାପତି ଶ୍ରୀ ପଟ୍ଟନାୟକ ଙ୍କ ସହ ସଂଘର ସମ୍ପାଦକ ସୁଶାନ୍ତ ଅନ୍ତିଆ , କାର୍ଯ୍ୟକାରୀ ସଭାପତି ସନ୍ତୋଷ ରାଉତ , ରିନା ମାଡକାମି , ପ୍ରଦୀପ କୁମାର ରଥ , ବିଜୟ ମଜୁମଦାର,ମନୋଜ କ୍ରିସାନି ଙ୍କ ସମେତ ବହୁ ଆର୍ ଆଈ , ଏ ଆର୍ ଆଈ ପ୍ରମୁଖ ଉପସ୍ଥିତ ଥିଲେ।












Leave a Reply