(୧) “ଓଡ଼ିଶାର ଚାରିଆଡ଼େ ବୁଲୁଛି ତଦନ୍ତ,
ସମସ୍ତ ତଦନ୍ତ କିନ୍ତୁ ବିଗଳିତ ଦନ୍ତ”,
(୧୯୬୦ ଦଶକରେ ଓଡ଼ିଶା ସାମ୍ବାଦିକତା ଜଗତର ଅନ୍ୟତମ ଉଜ୍ଜ୍ୱଳତମ ନକ୍ଷତ୍ର ଶ୍ରୀ ଗୋଦାବରୀଶ ମହାପାତ୍ରଙ୍କ ସମ୍ପାଦିତ ନିଆଁଖୁଣ୍ଟା ପତ୍ରିକାର କୌଣସି ଏକ ସଂସ୍କରଣରେ ପ୍ରକାଶିତ ହୋଇଥିଲା, ଯାହା ଏବେ ସାରା ଦେଶରେ ସଚରାଚର।)
(୨) ନ୍ୟାୟପାଳିକାରେ ତ ” ତାରିଖ ପେ ତାରିଖ ପେ ତାରିଖ ମିଲତା ହୈ ହଜୁର ଲେକିନ ଇନସାଫ ନେହିଁ ମିଲତା” ମୁଦ୍ରାରେ,
(୩)ବିଶିଷ୍ଟ ଆମେରିକୀୟ ବ୍ୟଙ୍ଗ ଚିତ୍ରକାର ‘ସଲ୍ ଷ୍ଟେନବର୍ଗ (Saul Steinberg)’ଙ୍କର ପ୍ରସିଦ୍ଧ “The Sharpies” ବ୍ୟଙ୍ଗଚିତ୍ରରେ, “କେତେକ ଦୁର୍ବଳ କୁକୁର ଅଛନ୍ତି, ଯେଉଁମାନଙ୍କର ମୁଣ୍ଡ “ଆସଲେ ଫାଉଣ୍ଟେନ୍ ପେନ୍ର ନିବ୍ ପରି।” ସେମାନେ ସମସ୍ତେ,
” ଝୁଲୁଥିବା ଖଣ୍ଡିଏ ଶୁଖିଲା ହାଡ଼ ଆଡ଼କୁ ବିକଳ ଭାବରେ ଚାହିଁ ଦୌଡ଼ୁଛନ୍ତି।”
“ଚିତ୍ରର ରୂପକ (Metaphor)”:- “କଲମଧାରୀ, ଲେଖକ, ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ କେବେ କେବେ ସତ୍ୟ, ଜ୍ଞାନ କିମ୍ବା ଆଦର୍ଶର ସନ୍ଧାନରେ ଦୌଡ଼ୁଛନ୍ତି ବୋଲି ଭାବନ୍ତି; କିନ୍ତୁ ଅନେକ ସମୟରେ ସେମାନଙ୍କ ଗନ୍ତବ୍ୟସ୍ଥଳ କେବଳ ଏକ ଶୁଷ୍କ, ନିଷ୍ଫଳ ହାଡ଼,ଯେଉଁଥିରେ ପୋଷଣ (ମାଂସ)ନାହିଁ, ତୃପ୍ତି ନାହିଁ।”
“ପ୍ରଶ୍ନ ହେଉଛି”:-
“ଏଭଳି ନିବ୍-ମୁହଁଥିବା କୁକୁରମାନେ କିଏ? ସେମାନେ ସତ୍ୟର ସନ୍ଧାନୀ, ନା ଏକ ମରୀଚିକା ପଛରେ ଦୌଡ଼ୁଥିବା ବିଭିନ୍ନ ବର୍ଗର…,ବିଶେଷକରି, ବର୍ତ୍ତମାନ ସମୟରେ ଏଭଳି ତିନୋଟି କୁକୁରଗୁଡିକ,
✒️🐕 ✒️🐕 ✒️🐕
କିଏ, କିଏ, କିଏ?”
(ଚିତ୍ରଟିର ରେଖାଚିତ୍ର, କାଳିର ବ୍ୟବହାର ଏବଂ ଦାର୍ଶନିକ ବ୍ୟଙ୍ଗର ଆଧାରରେ ଅନେକ କଳା-ଇତିହାସବିଦ୍, ଏହା ପ୍ରାୟ ୧୯୫୫–୧୯୬୫ ମଧ୍ୟର ସୃଷ୍ଟ ବୋଲି ନିର୍ଣ୍ଣୟ କରିଛନ୍ତି।)
(୪)ଶ୍ରୀ ଚିତ୍ତରଞ୍ଜନ ଦାସଙ୍କ ଲିଖିତ ୨୦୦+ ବହିରୁ ମୁଁ ଯେତିକି (ଅଳ୍ପ) ପଢିଛି, ତା ଭିତରୁ ତାଙ୍କର ” ବିଦ୍ୟାବନ୍ତେ ଶୁନ” ବହିର ୩୧ ଓ ୩୨ ପୃଷ୍ଠାରେ ଥିବା ” ଯିଏ ଯେଝାପାଇଁ ଲାଗିଲେ ” ଲେଖାଟି
( ତା ୩୧.୦୫.୧୯୮୮ରିଖରେ ଲିଖିତ) ନିମ୍ନରେ ସ୍ଥାନିତ ଅଛି;
“ଆରମ୍ଭ”:-” ଶିକ୍ଷକମାନେ ଶିକ୍ଷାପାଇଁ ନଲାଗି ନିଜ ପାଇଁ ଲାଗିଲେ , ଚାକିରିଆମାନେ ଯେଉଁଥିପାଇଁ ଦରମା ପାଉଛନ୍ତି ସେଥିପାଇଁ ନଲାଗି ପ୍ରାପ୍ତ ଗୋଟାସୁଦ୍ଧା ନିଜ ପାଇଁ ଲାଗିଲେ।ଆପଣାର ଆୟଗୁଡାକ ସେମାନଙ୍କୁ ପ୍ରାୟ କିଛି ବୋଲି ଦିଶିଲାନାହିଁ ବୋଲି ପାରୁପର୍ଯ୍ୟନ୍ତ ଅଣଆୟଗୁଡାକୁ ବଢାଇଲେ।ମନ୍ତ୍ରୀ ବିଚରା ବା ଅଧିକ କ’ଣ କରି ପାରିଥାନ୍ତେ?ସେମାନେ ବି ତ ଠିକ ଆମରି ଭଳି ମଣିଷ। ସେମାନଙ୍କର ବି ତ ରକ୍ତ-ମାଂସର ଜୀବନଟି ଲାଗି ଲୋଭ ଅଛି; ତେଣୁ ସେମାନେ ବି ନିଜ ପାଇଁ ଲାଗିଗଲେ।ହାଉଆ ଯେଉଁ ଭଳି ବୋହୁଥିଲା,ସେମାନେ ତାହାରି ପ୍ରତିନିଧିତ୍ୱ କଲେ।ଯିଏ ପୁଲିସ ହୋଇଥିଲା, ସିଏ ଶାନ୍ତିରକ୍ଷା ପାଇଁ ନଲାଗି ନିଜ ପାଇଁ ଲାଗିବାକୁ ବାଧ୍ୟ ହେଲା ।ଆମ ଓକିଲ ଓ ନ୍ୟାୟର ଅଧୀଶ୍ଵରମାନେ ଅନ୍ୟ ପ୍ରକାରେ ଆଚରଣ କରିଥିଲେ ଯୁଗର ଆଖିରେ ବୋକା ବନି ରହିଥାନ୍ତେ,ତେଣୁ ସେମାନେ ମଧ୍ୟ ଯୁଗକୁ କଦର ଦେଖାଇ ଯଥାସମ୍ଭବ ନିଜ ପାଇଁ ଲାଗିଲେ।
ଧର୍ମଗୁଡାକ ମଧ୍ୟ ଆଉ ପୃଥିବୀ ପାଇଁ ହୋଇ ରହି ପାରିଲା ନାହିଁ। ସେଗୁଡିକ ମଠରେ ପରିଣତ ହୋଇଗଲା ଓ ନିଜ ପାଇଁ ଲାଗିଲା। ମଣିଷମାନେ ଦେଉଳ ଭିତରକୁ ଯାଇ ଭଗବାନଙ୍କୁ ମଧ୍ୟ ପ୍ରଧାନତଃ ନିଜ ପାଇଁ ଏଇଟା ବା ସେଇଟା ମାଗିଲେ।ଋପ ମାଗିଲେ,ଧନମାଗଣା କଲେ, ଯଶ ମାଗିଲେ, ଶତୃମାନଙ୍କ କ୍ଷୟ ଲାଗି ପ୍ରାର୍ଥନା କଲେ, ବେଳେବେଳେ ମନୋରମା ଭାର୍ଯ୍ୟାଟିଏ ମଧ୍ୟ ମାଗିଲେ; ଭଗବାନ ନିଲଠା ହୋଇ ଅନେଇ ରହିଲେ।ଯେଉଁମାନେ ତାଙ୍କ ପାଇଁ କୋଠାଘର କରିଦେଲେ, ତାଙ୍କ ମୁଣ୍ଡ ଉପରେ ଚାନ୍ଦୁଆ ଟଙ୍ଗାଇଦେଲେ ଓ ଶଂଖମର୍ମର ପଥରରେ ପାହାଚ ବସେଇଦେଲେ, ସିଏ ସେମାନଙ୍କୁ ମୁହଁ ଖୋଲି ଆଦୌ କିଛି କହି ପାରିଥାନ୍ତେ କିପରି?
ତା’ ପରେ ସଂଗ୍ରାମୀମାନେ ଆସି ପହଞ୍ଚିଲେ। ସଂଗ୍ରାମ ସରିନଥିଲା।ମାତ୍ର ସେମାନେ ବୁଢା ହୋଇ ଯାଇଥିଲେ।ତେଣୁ ଭତ୍ତା ମାଗିଲେ, ନିଜ ପାଇଁ ଲାଗିଲେ। ଆହୁରି ଅଧିକ ଦିଅ ବୋଲି ଅଝଟ ଲଗାଇଲେ।କଳାକାରମାନେ ନିଜକୁ ଦୁଃସ୍ଥ କହି ସେ ଖାତାରେ ନିଜର ନାଆଁ ଲେଖାଇବାକୁ ସଂଘ ଗଢିଲେ।ନିଜ ପାଇଁ ଲାଗିଲେ। କଳାକୁ ଭୂତ ଖାଇଗଲା।ସାହିତ୍ୟିକମାନେ ବି ସହରରେ ସଭା ମଣ୍ଡାଇ ଦୁଃସ୍ଥ ହେଲେ,ହାତ ପତେଇଲେ।ନିଜ ପାଇଁ ଲାଗିଲେ। ସାହିତ୍ୟକୁ ନେଇ ସାହୁକାରଙ୍କ ଘରେ ବାନ୍ଧିଦେଇ ଆସିଲେ।ଯିଏ ଯେଝାପାଇଁ ଲାଗି ଗୌରବ ଅନୁଭବ କଲେ।
ଯିଏ ତ ଯେଝାପାଇଁ ଲାଗିଲେ, ଯେଝା ନିଶକୁ ଦର୍ପଣ ଭିତରେ ଦେଖି ଫୁଲେଇ ହେଲେ।ତେବେ, ଦେଶ ପାଇଁ, ମଣିଷ ପାଇଁ କିମ୍ବା ନ୍ୟାୟ ପାଇଁ କଥା କହିବାକୁ ଆଉ କେଉଁମାନେ ବାକି ରହିଲେ? ମାତ୍ର ଅଧିକରୁ ଅଧିକ ମଣିଷ ତଥାପି ଦେଶ ବିଷୟରେ ଭାଷଣ ଦେଲେ।ଆଦର୍ଶ ବିଷୟରେ ପିଲାମାନଙ୍କୁ ତ୍ୟାଗର ଉଦବୋଧନ ଦେଲେ।ଏଣିକି ଚରିତ୍ର ବିଷୟରେ ଅଧିକ କଥା କୁହାଗଲା, ଧର୍ମସଭାରେ ଅଧିକ ଉତ୍ସାହ ଓ ଉଛନ୍ନପଣିଆ ଦେଖାଇ ଧର୍ମକଥାର ଉଦଗାର ହେଲା।ଶ୍ରଦ୍ଧାଳୁ ଶ୍ରୋତାମାନେ ରାତି ଅନିଦ୍ରା ହୋଇ ସେହି ଉଦଗାରଗୁଡିକ ଶୁଣିଲେ, କୃତ୍ୟକୃତ୍ୟ ହେଲେ, ମର ଜୀବନକୁ ଧନ୍ୟ କଲେ।ପରଜୀବନ ପାଇଁ ପୁଣ୍ୟ କିଣି ରଖିଲେ।
କିଏ କେଉଁଠୁ ଛତରା ପିଲାଟିଏ ଯଦି ଏହିସବୁ ଆଖଡା ଭିତରେ ଆସି ପଶିଯାଆନ୍ତା ଓ କେବଳ ଆପଣା ପାଇଁ ଲାଗିଥିବା ଏହି ମହାମଣିଷମାନଙ୍କର ପିତ୍ତଗ୍ରନ୍ଥି ଭିତରେ ରହିଥିବା କଥାଟିକୁ ଖୋଲି କହିଦିଅନ୍ତା, ତେବେ ତାହା ସତକୁ ସତ କେଡେ ବଢିଆ କଥାଟିଏ ହୁଅନ୍ତା!”( ଲେଖା ଶେଷ)
“ମୋ କଥା” :-“ଏଭଳି ଛତରା ପିଲାଏ ମଝିରେ ମଝିରେ ବାହାରନ୍ତି କିନ୍ତୁ ସେହି ମହାମଣିଷମାନଙ୍କର ପିତ୍ତଗ୍ରନ୍ଥି ଏତେ ଜ୍ୱାଳାମୟୀ ଯେ, ସେମାନେ ତାହା ଭିତରେ ଦଗ୍ଧ ହୋଇଯାଆନ୍ତି।”
(୫)ତାହେଲେ ଆଉ ରହିଲେ କିଏ?
(୬) ” ବିଲେଇ ବେକରେ ଘଣ୍ଟି କିଏ ବାନ୍ଧିବ” ତ ଯୁଗଯୁଗର
ଅସମାହିତ ସମସ୍ୟାଟିଏ।
















Leave a Reply