ବାଣପୁର ମୁକ୍ତି ଦିବସ ସମାରୋହ ଆରମ୍ଭ, ଫିରିଙ୍ଗି ଭାରତରେ ପ୍ରଥମ ସ୍ଵାଧୀନତା ଘୋଷଣାର ମହାନାୟକ ବୀର ବିପ୍ଳବୀ ସହୀଦ କୃତ୍ତିବାସଙ୍କୁ ବାଣପୁରବାସୀ ଦେଲେ ଅଶେଷ ଶ୍ରଦ୍ଧାଞ୍ଜଳି।
ବାଣପୁର – (ଦର୍ଶନ ସମୀକ୍ଷା)
ପରାଧୀନ ଭାରତର ଅତ୍ୟାଚାରୀ ଫିରିଙ୍ଗି ସରକାରଙ୍କ ବିରୁଦ୍ଧରେ ୧୮୧୭ରେ ବକ୍ସି ଜଗବନ୍ଧୁଙ୍କ ଡାକରାରେ ବାଣପୁର ମାଟିରେ ପ୍ରଥମେ ସଂଗଠିତ ହୋଇଥିବା ପାଇକ ବିଦ୍ରୋହର ପ୍ରଚଣ୍ଡସ୍ଵର ଫିରିଙ୍ଗି ଶକ୍ତି ଆଗରେ ଧୀରେ ଧୀରେ ନରମି ଯାଇଥିଲେ ମଧ୍ୟ ତାହା ନିର୍ବାପିତ ନ ହୋଇ ପୁନର୍ବାର ୧୯ ବର୍ଷ ପରେ ୧୮୩୬ ମସିହା ଜୁନ୍ ପହିଲାରୁ ଲେଲିହାନ ଅଗ୍ନି ଶିଖାରେ ପ୍ରଜ୍ବଳିତ ହୋଇ ଆରମ୍ଭ ହୋଇଥିଲା ଆଉ ଏକ ବିଦ୍ରୋହ | ଜୁନ ପହିଲାରୁ ଆରମ୍ଭ ହୋଇଥିବା ଏହି ବିଦ୍ରୋହ ରାଜା ଶରଣ ସିଂହ (ପଞ୍ଚାନନ ନାୟକ)ଙ୍କ ନିର୍ଦ୍ଦେଶରେ ବାଣପୁର ଅରାଙ୍ଗ ଗଡ଼ର ଦଳବେହେରା ବୀର ବିପ୍ଲବୀ ସେନାପତି କୃତ୍ତିବାସ ପାଟଶାଣୀଙ୍କ ନେତୃତ୍ୱରେ ପାଇକ ସର୍ଦ୍ଦାର ଲୋଚନ ବିଶୋଇ,ଶିବ ବିଶୋଇ, ସାଧୁ ଜାନି ଦୀନାଜାନି ଏବଂମାଳ ଅଞ୍ଚଳର ଶହଶହ କନ୍ଧଶଉରା ପାଇକଙ୍କ ସହିତ ବାଣପୁରର ବିଭିନ୍ନ ଗ୍ରାମର ଦୁର୍ଦ୍ଦାନ୍ତ ପାଇକମାନେ ସଂଗଠିତ ହୋଇ ଜୁନ ୪ରିଖରେ ପଲଟଣ ଠାରେ ଥିବା କାର୍ଯ୍ୟାଳୟର
ଗୋରା ଫିରିଙ୍ଗି ସିପାହୀମାନଙ୍କ ଉପରେ ଅତର୍କିତ ଆକ୍ରମଣ କରି ଛିନ୍ଛତ୍ର କରିଦେଇଥିଲେ । ପାଇକଙ୍କ ଆକ୍ରମଣରେ ମୃତାହତ ପରେ ଅବଶିଷ୍ଟ ଗୋରାସିପାହୀମାନେ ଭୟରେ ବଡ଼କୂଳ ଆଡକୁ ଚାଲିଯାଇଥିଲେ । ଏହା ଦେଖି ପାଇକମାନେ ଅତ୍ୟଧିକ ଉତ୍ସାହିତ ହୋଇ ବାଣପୁର ଥାନା ପୋଡ଼ି, ଫିରିଙ୍ଗି ସରକାରଙ୍କ ଖଜଣାଖାନା ଲୁଟ କରି ସେଠାରୁ ବଡ଼କୂଳ ଆଡ଼କୁ ଅଗ୍ରସର ହେବାପରେ ସେଠାରେ ଥିବା ଫିରିଙ୍ଗି ସେନା ଭୟରେ ସେ ସ୍ଥାନ ଛାଡ଼ି ଚ଼ିଲିକା ଦେଇ ହୁମାବାଟେ ସୁରକ୍ଷିତ ସ୍ଥାନକୁ ଚାଲିଗଲେ । ପରଦିନ ବିଦ୍ରୋହୀମାନେ ସରକାରୀ ଲୁଣ ଗୋଦାମ ଓ କାର୍ଯ୍ୟାଳୟରେ ନିଆଁଲଗାଇ ଦେବା ଫଳରେ ସବୁ ଛାରଖାର ହୋଇ ଜାଇଥିଲା । ସେଠାରୁ ବିଦ୍ରୋହୀ ପାଇକମାନେ ଆହୁରି ଅଧିକ ସଂଗଠିତ ହୋଇ ଟାଙ୍ଗିଥାନା ଅଧିକାର କରିବାକୁ ଯୋଜନା କରିଥିଲେ । ଏହି ଜୁନ୍ ଚାରି, ପାଞ୍ଚ, ଛଅ ତିନିଦିନ ବାଣପୁର ସଂପୂର୍ଣ୍ଣ ପିରିଙ୍ଗି ମୁକ୍ତ ରହିବାରୁ ସେନାପତି କୃତ୍ତିବାସ ବାଣପୁର ସ୍ଵାଧୀନ ହେଲା ବୋଲି ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ କୁଚକ୍ରୀ ଦେଶଦ୍ରୋହୀ ମାନଙ୍କ ସହଯୋଗରେ ଫିରିଙ୍ଗି ସରକାର ସେହିବୀର ପୁଙ୍ଗବ କୃତ୍ତିବାସ ଓ ତାଙ୍କ ସହଯୋଗୀ ବିଦ୍ରୋହୀ ପାଇକମାନଙ୍କୁ କଳେ ବଳେ କୌଶଳେ ବନ୍ଦୀ କରି ତାଙ୍କୁ କଳାପାଣି ଦଣ୍ଡ ପ୍ରଦାନ କରିଥିଲେ ଓ ଅନ୍ୟ ସର୍ଦ୍ଦାର ମାନଙ୍କୁ ଫାଶି ଜେଲ୍ ଦଣ୍ଡ ଦିଆଯାଇଥିଲା । । ମା’ମାଟି ମଣିଷକୁ ଫିରିଙ୍ଗିର ଶୋଷଣ କଷଣ ଅତ୍ୟାଚାରରୁ ରକ୍ଷା କରିବା ପାଇଁ ଲଢ଼େଇ କରି ଶେଷରେ କଳାପାଣି ଦଣ୍ଡଭୋଗି ଆଣ୍ଡାମାନ ଠାରେ ଜୀବନ ହାରି ଜନ୍ମମାଟିର ମୁକ୍ତିପାଇଁ ସହୀଦ ହୋଇଥିଲେ ସେ।ସେହି ମହାନାୟକ ଦେଶପ୍ରେମୀ ସହୀଦ କୃତ୍ତି ବାସଙ୍କ ସହିତ ସମସ୍ତ ସହୀଦଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବାପାଇଁ ଆଜିର ଦିବସରେ ବାଣପୁରର ବିଭିନ୍ନ ସାରସ୍ଵତ, ସାଂସ୍କୃତିକ, ସାମାଜିକ ଅନୁଷ୍ଠାନର ପ୍ରତିନିଧି କବି ପୁରୁଷୋତ୍ତମ ମହାପାତ୍ର, ଶିକ୍ଷାବିତ୍ ଡ଼ଃ ଚିନ୍ତାମଣି ମିଶ୍ର, ରବୀନ୍ଦ୍ରନାଥ ମାନସିଂ ଆନନ୍ଦଚନ୍ଦ୍ର ସେନାପତି, ଶିଶିର କୁମାର ଦାସ, ଶଶିଭୂଷଣ ବରାଳ ,ସଂଧ୍ୟା ଦେବୀ, ଅନନ୍ତଚରଣ ବାରିକି, ସଂଗଠକ ନନ୍ଦକିଶୋର ମିଶ୍ର, ଦାଶରଥୀ ସାହୁ, ଉମାକାନ୍ତ ଲାଠି, ଜୟକୃଷ୍ଣ ଦାସ, ସେନାକର୍ମଚାରୀ କୃଷ୍ଣଚନ୍ଦ୍ର ନାହାକ, ସୁଧୀର ଜେନା, ଅରୁଣପାତ୍ର, ଗୋବର୍ଦ୍ଧନ ତରାଇ, ସର୍ବେଶ୍ଵର ବିଶୋଇ, ରବୀନ୍ଦ୍ର ଷଡ଼ଙ୍ଗୀ, ଉମାକାନ୍ତ ବରାଳ , ମନୋରଞ୍ଜନ ମିଶ୍ର, ବିରଞ୍ଚି ନାରାୟଣ ପାଢ଼ୀ, ପବିତ୍ର ପାଇକରାୟ ସହିତ ବହୁ ବୁଦ୍ଧିଜୀବି ଏକାଠି ହୋଇ
ଦୁଇ ଦୁଇଟି ପାଇକ ବିଦ୍ରୋହର ମୁକସାକ୍ଷୀ ଐତିହାସିକ ପଲଟଣ ପଡ଼ିଆରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ତ୍ୟାଗ ଓବଳିଦାନ ପ୍ରତି କୃତଜ୍ଞତା ଜ୍ଞାପନ ପୂର୍ବକ ସମସ୍ତେ ମୁକ୍ତି ପତାକା ତଳେ ସହୀଦଙ୍କ ଜୟଗାନ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମୁକ୍ତି ଦିବସ ସ୍ମୃତି କମିଟିର ମିଳିତ ସହଯୋଗରେ ଆୟୋଜିତ ଆଜିର ଏହି ପ୍ରଥମ ଦିବସର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସହିତ
ତିନି ଦିନ ଧରି ହେବାକୁଥିବା ଏହି ସମାରୋହର ଶେଷ ଉଦଯାପନ ଦିବସ ଜୁନ ୬ତାରିଖ ଅପରାହ୍ନ ୪ଘଟିକାରୁ ସହୀଦକୃତିବାସ ଭବନଠାରେ ଅନୁଷ୍ଠିତ ହୋଇ ମୁକ୍ତି ପତାକା ଅବତରଣ କରାଯିବ ବୋଲି ମୁଖ୍ୟଆୟୋଜକ ପରିଷଦର ଅଧ୍ୟକ୍ଷ ମିଟୁନାୟକ ଓ ସ୍ମୃତି କମିଟିର ସଂପାଦକ ବାଳମୁକୁନ୍ଦ ଦାସ ସୂଚ଼ନା ପ୍ରଦାନ କରିଛନ୍ତି ।












Leave a Reply