ଝାରସୁଗୁଡ଼ା : ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ..
ଝାରସୁଗୁଡ଼ା : କୁନା ଦିଗାଲ (ଦର୍ଶନ ସମୀକ୍ଷା)
ବିଶ୍ୱ ଜନନୀ ମହାସଂଘର ମିଳିତ ଆନୁକୂଲ୍ୟରେ ସଂସ୍କୃତି ଭବନ ସ୍ଥିତ ଜିଲ୍ଲା ଗ୍ରନ୍ଥାଗାର ପରିସରରେ ଆଜି ‘ସୁଭଦ୍ରା ଶକ୍ତି କାଫେ’ ଆନୁଷ୍ଠାନିକ ଭାବେ ଉଦଘାଟିତ ହେଇଯାଇଛି l ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାଫେର ଶୁଭ ଉଦଘାଟନ କରିଛନ୍ତି l ଏହି ଅବସରରେ ଜିଲ୍ଲାପାଳ କାଫେ ସ୍ଥାପନ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହା ଏକ ଉଦାହରଣୀୟ ପ୍ରୟାସ ବୋଲି କହିଥିଲେ l ଏଥିସହିତ ମହିଳା ଶକ୍ତିକୁ ସଦୃଢ଼ କରିବା ଏବଂ ଜୀବିକା ନିର୍ବାହର ନୂତନ ସୁଯୋଗ ସୃଷ୍ଟି କରୁଥିବା ଏଭଳି ମହିଳା-ପରିଚାଳିତ ଉଦ୍ୟୋଗଗୁଡ଼ିକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି l
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜୟନ୍ତୀ ଗଡତିଆ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ଡକ୍ଟର ପୁଷ୍ପଶ୍ରୀ ନାୟକ, ଝାରସୁଗୁଡ଼ା ସହରାଞ୍ଚଳ ସିଡିପିଓ ଶ୍ରୀମତୀ ସଲମା ଟୁଡୁ, ଡେପୁଟି କଲେକ୍ଟର ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହରେକୃଷ୍ଣ ବରିହା ପ୍ରମୁଖ ଉପସ୍ଥିତ ଥିଲେ l ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଦିଗରେ ଏହି କାଫେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ସାଜିବ l ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ମହାସଂଘର ବହୁ ମହିଳା ସଦସ୍ୟା ଉପସ୍ଥିତ ରହିଥିଲେ l












Leave a Reply