ପ୍ରବାଦ ପୁରୁଷ ଭୂମିପୁତ୍ର ବିଜୁ ବାବୁ ଓଡ଼ିଆ ସ୍ୱାଭିମାନର ଆତ୍ମା !!!
ପ୍ରଦୀପ କୁମାର ପଣ୍ଡା ଭୁବନେଶ୍ୱର
ପ୍ରବାଦ ପୁରୁଷ ଭୂମିପୁତ୍ର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ, ଯାହାଙ୍କୁ ଓଡ଼ିଆମାନେ ସ୍ନେହରେ ବିଜୁ ପଟ୍ଟନାୟକ ବା ବିଜୁ ବାବୁ ବୋଲି ଡାକନ୍ତି, ଓଡ଼ିଶାର ଜନଜୀବନରେ ଓଡ଼ିଆ ସ୍ୱାଭିମାନର ଆତ୍ମା I ବିଜୁ ବାବୁ ଜାତୀୟ ଜୀବନ ଓ ରାଜନୀତିରେ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଜୀବନ ଏକ ଅସାଧାରଣ ସାହସ, ତ୍ୟାଗ, ବୀରତ୍ୱ ଓ ପ୍ରତିଭାର ମହାକାବ୍ୟ ଥିଲା।
୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକ, ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ବିଜୁ ପଟ୍ଟନାୟକ ସ୍ୱାଧୀନତା ସଂଗ୍ରାମୀ, ଆଦର୍ଶବାଦୀ ଓ ଦେଶପ୍ରେମୀ ପରିବାରରୁ ଆସିଥିଲେ। ସେ କଟକର ମିଶନ ପ୍ରାଥମିକ ବିଦ୍ୟାଳୟ ଓ ରେଭେନ୍ସା କଲେଜିଏଟ୍ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ ଏବଂ ପରେ ପ୍ରସିଦ୍ଧ ରେଭେନ୍ସା ମହାବିଦ୍ୟାଳୟରେ ବିଜ୍ଞାନ ଶାଖାରେ ଅଧ୍ୟୟନ କରିଥିଲେ।
ଛାତ୍ରାବସ୍ଥାରୁ ହିଁ ବିଜୁ ପଟ୍ଟନାୟକ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିଲେ। ସ୍କୁଲ ଦିନରେ ସେ ୧୯୨୬ରେ ମହାତ୍ମା ଗାନ୍ଧୀଙ୍କୁ ଭେଟିବାକୁ ଚେଷ୍ଟା କରିବା ସମୟରେ ପୋଲିସର ଲାଠିଚାର୍ଜର ଶିକାର ହୋଇଥିଲେ। ତାଙ୍କ ଯୁବବର୍ଷଗୁଡ଼ିକରେ ମହାତ୍ମା ଗାନ୍ଧୀ, ଓଡ଼ିଶାର ମହାନ ରାଷ୍ଟ୍ରବାଦୀ ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସଙ୍କ ପ୍ରଭାବ ପଡ଼ିଥିଲା । ସେ ସକ୍ରିୟଭାବେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇଥିଲେ ଏବଂ ଅରୁଣା ଆସଫ୍ ଆଲି ଭଳି ବିପ୍ଲବୀ ନେତାଙ୍କ ସହିତ ମିଶି ଭାରତ ଛାଡ ଆନ୍ଦୋଳନରେ ଭାଗ ନେଇଥିଲେ। ୧୯୪୩ରୁ ୧୯୪୫ ପର୍ଯ୍ୟନ୍ତ ସେ କାରାବାସ ଭୋଗ କରିଥିଲେ।
ଏକ ସତ୍ୟ ରାଷ୍ଟ୍ରବାଦୀ ଭାବରେ ବିଜୁ ପଟ୍ଟନାୟକ ଏକ ପ୍ରେରଣାଦାୟକ ନେତା ଥିଲେ, ଯିଏ ଜାତୀୟ କାର୍ଯ୍ୟ, ଜନକଲ୍ୟାଣ ଓ ବିକାଶ ପ୍ରତି ଗଭୀର ପ୍ରତିବଦ୍ଧତା ରଖିଥିଲେ। ସେ ହୃଦୟରେ ସମାଜବାଦୀ ଥିଲେ ଏବଂ ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଜୟପ୍ରକାଶ ନାରାୟଣ, ଡ଼ା. ରାମମନୋହର ଲୋହିଆ ଓ ମିନୁ ମସାନିଙ୍କ ଆଦର୍ଶରୁ ପ୍ରେରଣା ପାଇଥିଲେ। ତାଙ୍କ ଜୀବନ ଏକ ଉଜ୍ଜ୍ୱଳ ଉଦାହରଣ ଥିଲା ଯେ କିଛି ଉତ୍ତମ ମାନବୀୟ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତା କିପରି ଜନତାର କଲ୍ୟାଣର ପଥପ୍ରଦର୍ଶକ ହୋଇପାରେ। ସେ ଜନସାଧାରଣର ନେତା ଥିଲେ ଯିଏ ଜାତୀୟ ପ୍ରତିନିଧି ସଂସ୍ଥାଗୁଡ଼ିକରେ ସେମାନଙ୍କ ଚିନ୍ତାଧାରାକୁ ଉପସ୍ଥାପନ କରୁଥିଲେ।
ତାଙ୍କ ଦୀର୍ଘ ଜନସେବା କାଳରେ ବିଜୁ ପଟ୍ଟନାୟକ ବାରମ୍ବାର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ସେବା କରିଥିଲେ। ୧୯୪୭ରେ ପ୍ରଥମଥର ପାଇଁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଆଉ ଛଅଥର ନିର୍ବାଚିତ ହୋଇଥିଲେ। ଏହି ଘଟଣାପୂର୍ଣ୍ଣ ବର୍ଷଗୁଡ଼ିକ ମଧ୍ୟରେ ସେ ୧୯୬୧-୬୩ ଏବଂ ତିନି ଦଶନ୍ଧି ପରେ ୧୯୯୦-୯୫ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳିଥିଲେ।
ସଂସଦୀୟ ଗଣତନ୍ତ୍ର ପ୍ରତି ବିଜୁ ପଟ୍ଟନାୟକଙ୍କ ପ୍ରତିବଦ୍ଧତା, ଦେଶର ବିକାଶ ଓ ପ୍ରଗତି ପାଇଁ ଶିଳ୍ପାୟନ, ରାଜ୍ୟଗୁଡ଼ିକର ବିକାଶ ପ୍ରତି ଚିନ୍ତା ଏବଂ ପ୍ରକୃତ ସଂଘିଅବାଦ ପ୍ରତି ବିଶ୍ୱାସ ସମଗ୍ର ବିକାଶର ଏକ ରୋଡ଼ମ୍ୟାପ୍ ଓ କାର୍ଯ୍ୟଯୋଜନା ପ୍ରଦାନ କରିଥିଲେ । ବିଜୁ ପଟ୍ଟନାୟକଙ୍କୁ ଆଧୁନିକ ଓଡ଼ିଶାର ନିର୍ମାତା ଏବଂ ରାଜ୍ୟରେ ଶିଳ୍ପାୟନର ସ୍ଥପତି ଭାବରେ ସମ୍ମାନ କରାଯାଏ। ନିଜେ ଏକ ସଫଳ ଶିଳ୍ପପତି ହୋଇ ସେ ଓଡ଼ିଶାକୁ ଭାରତର ଶିଳ୍ପ ମାନଚିତ୍ରରେ ସ୍ଥାନ ଦେଇଥିଲେ।
ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ କଳିଙ୍ଗ ଏୟାରଲାଇନ୍ସ,, କଳିଙ୍ଗ ଟ୍ୟୁବ୍ସ,, ଓଡ଼ିଶା ଟେକ୍ସଟାଇଲ୍ ମିଲ୍ସ,, କଳିଙ୍ଗ ଆୟର୍ନ ଇଣ୍ଡଷ୍ଟ୍ରିଜ୍ ଆଦି ସ୍ଥାପନ କରି ଓଡ଼ିଶାର ଶିଳ୍ପାୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ପାରାଦୀପ ବନ୍ଦର, ଏକ୍ସପ୍ରେସ୍ ହାଇୱେ, ମୀଗ ଏୟାର ଇଞ୍ଜିନ୍ ଫ୍ୟାକ୍ଟରୀ, ସିମେଣ୍ଟ୍ ଫ୍ୟାକ୍ଟରୀ, ବହୁ ଜଳସେଚନ ପ୍ରକଳ୍ପ ଆଦିର ନିର୍ମାଣ ପାଇଁ ଓଡ଼ିଶାର ଅର୍ଥନୈତିକ ବିକାଶ ବିଜୁ ପଟ୍ଟନାୟକଙ୍କ ସ୍ୱର୍ଣ୍ଣିମ ଅବଦାନ । ସେ ରାଜ୍ୟରେ ଦୁଇଟି ବିଶ୍ୱବିଦ୍ୟାଳୟ ଓ ଅନେକ ଉଚ୍ଚଶିକ୍ଷା କେନ୍ଦ୍ର ଆରମ୍ଭ କରିଥିଲେ।
ବିଜୁ ପଟ୍ଟନାୟକ ବିଶ୍ୱାସ କରୁଥିଲେ ଯେ ରାଜ୍ୟଗୁଡ଼ିକ ବିତଶାଳୀ ନ ହେଲେ ଭାରତ କେବେ ସମୃଦ୍ଧ ହୋଇପାରିବ ନାହିଁ। ସେ କହୁଥିଲେ ଯେ ଓଡ଼ିଶାର ବିକାଶ ପାଇଁ ତାଙ୍କର ପ୍ରୟାସ କୌଣସି ସଂକୀର୍ଣ୍ଣ ଚିନ୍ତାଧାରାରୁ ନୁହେଁ, ବରଂ ଦେଶକୁ ସମଗ୍ରଭାବେ ବଳଶାଳୀ ଓ ସମୃଦ୍ଧ କରିବା ପାଇଁ। ସେ ଜୋର୍ ଦେଇ କହୁଥିଲେ ଯେ ପ୍ରକୃତ ସଂଘୀୟବାଦ ଭାରତର ଏକତାରେ ବିବିଧତାକୁ ଶକ୍ତିଶାଳୀ କରିବ ଏବଂ ଦେଶର ପ୍ରଗତିର ଗତିବେଗକୁ ତ୍ୱରାନ୍ୱିତ କରିବ।
ଦରିଦ୍ର ଓ ନିମ୍ନବର୍ଗୀୟଙ୍କ ପ୍ରତି ଚିନ୍ତିତ ହୋଇ ମୁଖ୍ୟମନ୍ତ୍ରୀ ଭାବରେ ସେ ରାଜ୍ୟରେ ନ୍ୟୂନତମ ମଜୁରୀ ବୃଦ୍ଧି କରିବାର ଏକ ବଡ଼ ପଦକ୍ଷେପ ନେଇଥିଲେ। ସେ ମହିଳା ସଶକ୍ତିକରଣର ଏକ ସ୍ପଷ୍ଟ କଣ୍ଠସ୍ୱର ଥିଲେ ଏବଂ ମହିଳାମାନଙ୍କର ପ୍ରତିଭାକୁ ମାନ୍ୟତା ଦେବା ପାଇଁ ନିଯୁକ୍ତି ସହିତ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଆରକ୍ଷଣ ପ୍ରବର୍ତ୍ତନ କରିଥିଲେ। ମହିଳା କଲ୍ୟାଣ ପ୍ରତି ତାଙ୍କର ପ୍ରତିବଦ୍ଧତା ହେତୁ ସେ ନିଷେଧାଜ୍ଞା କଡ଼ାକଡ଼ି କରିବା ଓ ଯୌତୁକ ପ୍ରଥା ନିର୍ମୂଳ କରିବାର କଠୋର ପଦକ୍ଷେପ ନେଇଥିଲେ।
ଜାତୀୟ ସ୍ତରରେ ବିଜୁ ପଟ୍ଟନାୟକ ଏକ ପ୍ରସିଦ୍ଧ ସାଂସଦ ଭାବରେ ପରିଚିତ ହୋଇଥିଲେ। ସେ ଷଷ୍ଠ, ସପ୍ତମ, ଅଷ୍ଟମ ଓ ଏକାଦଶ ଲୋକସଭାର ସଦସ୍ୟ ଥିଲେ ଏବଂ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରୁ ୧୯୭୭-୭୯, ୧୯୮୦-୮୪, ୧୯୮୪-୮୯ ଏବଂ ଆସ୍କା ନିର୍ବାଚନମଣ୍ଡଳୀରୁ ୧୯୯୬-୯୭ ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ। ୧୯୭୧ରେ ସେ ରାଜ୍ୟସଭାର ସଦସ୍ୟ ଥିଲେ। ୧୯୯୬-୯୭ରେ ସେ ସଂସଦୀୟ ଅର୍ଥ ସ୍ଥାୟୀ ସମିତିର ଅଧ୍ୟକ୍ଷ ଥିଲେ। ୧୯୭୭-୮୦ ମଧ୍ୟରେ କେନ୍ଦ୍ରୀୟ ଇସ୍ପାତ, ଖଣି ଓ କୋଇଲା ମନ୍ତ୍ରୀ ଭାବରେ ସେ ଦେଶର ଇସ୍ପାତ ଶିଳ୍ପକୁ ନୂତନ ଦିଗ ଓ ଗତିଶୀଳତା ପ୍ରଦାନ କରିଥିଲେ। ଭୂମିପୁତ୍ର ୧୯୯୭ ଏପ୍ରିଲ ୧୭ ତାରିଖରେ ୮୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ।
ବିଜୁ ପଟ୍ଟନାୟକ ଅସାଧାରଣ ସାହସ, କର୍ମ ଓ ସୃଜନଶୀଳତାର ବ୍ୟକ୍ତି ଥିଲେ। ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ ସମୟରେ ୧୯୪୦ର ଦଶନ୍ଧିରେ ସେ ଉଦ୍ଧାର ଅଭିଯାନ ଚଳାଇ ସେଠାକାର ରାଷ୍ଟ୍ରପତି ସୁକର୍ନୋଙ୍କ ଜୀବନ ରକ୍ଷା କରିଥିବାରୁ ଇଣ୍ଡୋନେସିଆରେ ତାଙ୍କୁ ‘ଭୂମିପୁତ୍ର’ ଭାବରେ ସମ୍ମାନ କରାଯାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୦-୪୨ରେ ସେ ଏୟାର ଟ୍ରାନ୍ସପୋର୍ଟ କମାଣ୍ଡର ନେତୃତ୍ୱ ଦେଇଥିଲେ। ୧୯୪୫ରେ ଯୁଦ୍ଧରତ ସୋଭିଏତ ସୈନ୍ୟଙ୍କୁ ସହାୟତା ପ୍ରଦାନ କରିବା ପାଇଁ ରଶିଆ ତାଙ୍କୁ ସମ୍ମାନିତ କରିଥିଲା। ୧୯୪୮ରେ ସେ ଶ୍ରୀନଗରରେ ପ୍ରଥମ ପ୍ଲାଟୁନ୍ ସୈନ୍ୟ ଅବତରଣ କରାଇ ପାକିସ୍ତାନୀ ଆକ୍ରମଣକାରୀଙ୍କ ବିରୋଧରେ ଯୁଦ୍ଧ କରାଇଥିଲେ।
ଭାରତର ଯୁବକ ଓ ନୂତନ ପିଢ଼ି ପାଇଁ ଆଦର୍ଶ, ବିଜୁ ପଟ୍ଟନାୟକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ମହାନ ପୃଷ୍ଠପୋଷକ ଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଫାଉଣ୍ଡେସନ୍ ଓ କଳିଙ୍ଗ ପୁରସ୍କାର (ୟୁନେସ୍କୋ ଦ୍ୱାରା ପରିଚାଳିତ) ସମାଜର ଆଧୁନିକୀକରଣ ପାଇଁ ତାଙ୍କର ଦୂରଦୃଷ୍ଟିର ଚିରସ୍ଥାୟୀ ପ୍ରମାଣ। ୧୯୫୧ରେ ପ୍ରତିଷ୍ଠିତ ଏହି ପୁରସ୍କାର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରେରଣାର ଉତ୍ସ ହୋଇଛି।
କିମ୍ବଦନ୍ତୀ ବିଜୁ ପଟ୍ଟନାୟକ ଏକ ମହାନ ଆଶାବାଦୀ ଥିଲେ ଏବଂ ଦେଶର ଯୁବକମାନଙ୍କର ଅନନ୍ତ ସମ୍ଭାବନା ଉପରେ ଅଟଳ ବିଶ୍ୱାସ ରଖିଥିଲେ। ସେ ଏକ ସମୃଦ୍ଧ ଓଡିଶା ତଥା ଭାରତର ସ୍ୱପ୍ନ ଦେଖୁଥିଲେ ଯେଉଁଠାରେ ପ୍ରତ୍ୟେକର ବ୍ୟକ୍ତିତ୍ୱ ବିକାଶ ଓ ପୂର୍ଣ୍ଣ ସମ୍ଭାବନା ଉପଭୋଗ କରିବାର ସୁଯୋଗ ରହିବ। ପ୍ରବାଦ ପୁରୁଷ ଭୂମିପୁତ୍ର ଓଡ଼ିଆ ସ୍ୱାଭିମାନର ଆତ୍ମା ବିଜୁ ବାବୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି!












Leave a Reply