କନ୍ଧମାଳ ସମ୍ବାଦ // ବାଲ୍ୟ ବିବାହରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ମାନ୍ୟବର କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ୧୦୦ ଦିନିଆ ରାଷ୍ଟ୍ରୀୟ ଅଭିଯାନ ‘ବାଲ୍‌ ବିବାହ ମୁକ୍ତ ଭାରତ ଅଭିଯାନ’

Spread the love

ବାଲ ବିବାହ ମୁକ୍ତି ରଥ କାରାଭାନ୍‌ କନ୍ଧମାଳରେ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରୟାସକୁ ସୁଦୃଢ କରିଛି
ଭୁବନେଶ୍ୱର: ଦର୍ଶନ ସମୀକ୍ଷା

ବାଲ୍ୟ ବିବାହରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ମାନ୍ୟବର କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ୧୦୦ ଦିନିଆ ରାଷ୍ଟ୍ରୀୟ ଅଭିଯାନ ‘ବାଲ୍‌ ବିବାହ ମୁକ୍ତ ଭାରତ ଅଭିଯାନ’ର ଅଂଶ ଭାବରେ କନ୍ଧମାଳ ଜିଲ୍ଲାରେ ପିଲାମାନଙ୍କୁ ବାଲ୍ୟ ବିବାହରୁ ସୁରକ୍ଷିତ ରଖିବା ସକାଶେ ଏକାଧିକ ପର୍ଯ୍ୟାୟର ବ୍ୟାପକ ସଚେତନତା ଓ ନିରାକରଣମୂଳକ କାର୍ଯ୍ୟକଳାପ କାର୍ଯ୍ୟକାରୀ କରାଯାଇଥିଲା ।
କନ୍ଧମାଳରେ ଏହି ଅଭିଯାନ ୨୦୨୫ ନଭେମ୍ବର ୨୬ ତାରିଖରେ ଫୁଲବାଣୀଠାରେ ଆରମ୍ଭ ହୋଇଥିଲା ଏବଂ ସେଥିରେ ଜିଲ୍ଲା ପ୍ରଶାସନ, ଶିଶୁ ସୁରକ୍ଷା କାର୍ଯ୍ୟକର୍ତ୍ତାଗଣ, ଆଇସିଡିଏସ୍‌ କର୍ମଚାରୀ, ପୋଲିସ, ସିଡବ୍ଲୁ୍ୟସି ସଦସ୍ୟାଗଣ, ସିଡିପିଓ ଏବଂ ଅନ୍ୟ ପ୍ରମୁଖ ସହଭାଗୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଏହି ଗତିଶୀଳତାକୁ ଆଗେଇ ନେଇ ସଚେତନତାମୂଳକ ବାର୍ତ୍ତାଗୁଡିକ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଏବଂ ଜନସାଧାରଣଙ୍କ ନିକଟକୁ ସିଧାସଳଖ ପହଞ୍ଚାଇବା ସକାଶେ ୨୦୨୬ ଫେବୃଆରୀ ୬ରୁ ୯ ତାରିଖ ପର୍ଯ୍ୟନ୍ତ ବାଲ୍‌ ବିବାହ ମୁକ୍ତି ରଥ କାରାଭାନ୍‌ ଆୟୋଜନ କରାଯାଇଥିଲା । ରଥକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, କନ୍ଧମାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ମଜଭୁତ ପ୍ରଶାସନିକ ସମର୍ଥନକୁ ପ୍ରତିଫଳିତ କରିଥିଲା ।
ଏହି ଅଭିଯାନ ହମାରା ବଚ୍‌ପନ ଟ୍ରଷ୍ଟ ପକ୍ଷରୁ ଜଷ୍ଟ ରାଇଟ୍‌ସ୍‌ ଫର ଚିଲଡ୍ରେନ (ଜେଆର୍‌ସି) କାର୍ଯ୍ୟକ୍ରମ ଅଧୀନରେ କୈଳାସ ସତ୍ୟାର୍ଥୀ ଚିଲ୍‌ଡ୍ରେନ୍‌ସ୍‌ ଫାଉଣ୍ଡେସନ (କେଏସ୍‌ସିଏଫ୍‌) ସହଭାଗୀତାରେ କାର୍ଯ୍ୟକାରୀ କରାଯାଉଛି । ୨୦୨୪ରୁ ହମାରା ବଚ୍‌ପନ ଟ୍ରଷ୍ଟ କନ୍ଧମାଳ ଜିଲ୍ଲାରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା, ବାଲ୍ୟ ବିବାହ ରୋକିବା ଏବଂ ଗୋଷ୍ଠୀ ପ୍ରୟାସକୁ ମଜଭୁତ କରିବା ନିମନ୍ତେ ନିରନ୍ତର କାର୍ଯ୍ୟ କରିଆସୁଛି ।
ଚାରିଦିନିଆ କାର୍ଯ୍ୟକ୍ରମ ସମୟରେ ରଥ ଫୁଲବାଣୀ, ଫିରିଙ୍ଗିଆ, ଖଜୁରିପଡା, ଟିକାବାଲି ଏବଂ ରାଇକିଆ ଆଦି ବ୍ଲକ୍‌ଗୁଡିକରେ ପ୍ରାୟ ୭୫୦ କିଲୋମିଟର ପଥ ଅତିକ୍ରମ କରିବା ସହିତ ମୋଟ ୫୦ଟି ଗ୍ରାମ ପଞ୍ଚାୟତ, ୩୫୦ ଗ୍ରାମ ଏବଂ ୧୩ଟି ସହରାଞ୍ଚଳ ୱାର୍ଡକୁ ଗସ୍ତ କରିଥିଲା । ଏହି ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମ ମଧ୍ୟ ଜିଲ୍ଲାର ଦୁର୍ଗମ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳ ସମେତ ୮ଟି ସ୍କୁଲ, ୩ କଲେଜ ଏବଂ ୩୫୦ ଅଙ୍ଗନବାଡି କେନ୍ଦ୍ରକୁ ସମ୍ପ୍ରସାରିତ ହୋଇଥିଲା ।
ସିଏମ୍‌ପିଓ, ସିଡବ୍ଲୁ୍ୟସି ସଦସ୍ୟା, ଅଙ୍ଗନବାଡି କର୍ମୀ, ସୁରକ୍ଷା ଅଧିକାରୀ, ଶିକ୍ଷକ, ୱାର୍ଡ ସଦସ୍ୟ ଏବଂ ପିଆର୍‌ଆଇ ପ୍ରତିନିଧିଙ୍କ ସମେତ ୩୦୦ରୁ ଅଧିକ ସହଭାଗୀ ସକ୍ରିୟ ଭାବରେ ଏଥିରେ ଅଂଶଗ୍ରହଣ କରିôଥଲେ । ଏହି ଅଭିଯାନ ପ୍ରତ୍ୟକ୍ଷ ଭାବରେ ୩୦୦୦ରୁ ଅଧିକ ପିଲା ଓ କିଶୋର ତଥା ୨୦୦୦ରୁ ଅଧିକ ପିତା ମାତା ଓ ଗୋଷ୍ଠୀ ସଦସ୍ୟଙ୍କ ନିକଟରେ ପହଞ୍ଚିଥିଲା । ଏହାର ପ୍ରତ୍ୟକ୍ଷ ପରିଣାମ ଆକାରରେ ଚାରିଶ ପିତା ମାତା ଆନୁଷ୍ଠାନିକ ଭାବରେ ଅଣ୍ଡରଟେକିଂ ପ୍ରଦାନ କରିଥିଲେ, ଯାହା ଏକାଧିକ ନିକଟରେ ହେବାକୁ ଥିବା ବାଲ୍ୟ ବିବାହକୁ ଏଡାଇବାରେ ସହାୟକ ହୋଇଥିଲା ।
ରଥ ପକ୍ଷରୁ ଏକ ମୂଳ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଚାର କରାଯାଇଥିଲା ଯେ, ବାଲ୍ୟ ବିବାହ ହେଉଛି ଏକ ଦଣ୍ଡନୀୟ ଅପରାଧ । ସେଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଥିଲା ଯେ ୧୮ ବର୍ଷରୁ କମ୍‌ ବୟସର ବାଳିକା ଏବଂ ୨୧ ବର୍ଷରୁ କମ୍‌ ବୟସର ବାଳକ ଆଇନଗତ ଭାବରେ ବିବାହ କରିପାରିବେ ନାହିଁ । ପାଞ୍ଚଟି ଗ୍ରାମ ପଞ୍ଚାୟତ ବାଲ୍ୟ ବିବାହ କରିବା ନିମନ୍ତେ ଉଦ୍ୟମ କରୁଥିବା ଯେକୋ÷ଣସି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ପ୍ରସ୍ତାବ ଗୃହୀତ କରାଇଥିଲେ, ଯାହା ଗୋଷ୍ଠୀର ଉତ୍ତରଦାୟିତ୍ୱକୁ ପୁନଃଦୃଢୀକରଣ କରିଥିଲା ।
ଗ୍ରାମ, ବିଦ୍ୟାଳୟ ଓ ଅଙ୍ଗନବାଡି ସ୍ତରରେ ବୈଠକ ଏବଂ ଜନସଚେତନତା କାର୍ଯ୍ୟକ୍ରମଗୁଡିକ ଜରିଆରେ ଏହି ଅଭିଯାନ ଆଲୋକପାତ କରିଥିଲା ଯେ, ପରିବାର ଓ ଗୋଷ୍ଠୀ ସ୍ତରରେ ବାଲ୍ୟ ବିବାହ ରୋକିବା ପଦକ୍ଷେପ ଆରମ୍ଭ ହୋଇଥାଏ । ବାଲ୍‌ବିବାହ ମୁକ୍ତି ରଥ କାରାଭାନ୍‌ର ସଫଳ ଆୟୋଜନ ଏକ ବାଲ୍ୟବିବାହ ମୁକ୍ତ ଜିଲ୍ଲା ହେବା ନିମନ୍ତେ କନ୍ଧମାଳର ସାମୂହିକ ପ୍ରତିବଦ୍ଧତା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହୋଇଛି ।

Leave a Reply

Your email address will not be published. Required fields are marked *