ଅନ୍ଲାଇନ ଗେମ୍ରୁ କୋଟିପତି ହେବା ଘଟଣା: ମୁହଁ ଖୋଲୁନାହାନ୍ତି ଘର ଲୋକେ, ଫେରିଗଲେ ଇଡିର ୪୦ଜଣିଆ ଟିମ୍
ଅନ୍ଲାଇନ୍ ଗେମ୍ରୁ ଅଚଳାଚଳ ସମ୍ପତ୍ତି । ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର କାରବାର । ଅତି ସାଧାରଣ ଜୀବନ ଜିଉଁଥିବା ଯୁବକମାନେ କେଇଟା ବର୍ଷରେ କିପରି କୋଟି କୋଟି ଟଙ୍କା ରୋଜଗାର କଲେ? ଗାଁରେ ଆଖି ଖୋସି ହୋଇଯିବା ଭଳି କୋଠା ତୋଳାଇଲେ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଅସମାହିତ ହୋଇରହିଛି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ୪୦ ଜଣିଆ ଟିମ୍ ଚଢ଼ଉ କରି ଫେରିଯାଇଥିବାବେଳେ ସେମାନେ ମଧ୍ୟ କୌଣସି ସୂଚନା ଦେଇନାହାନ୍ତି । ଗ୍ରାମବାସୀ ମଧ୍ୟ କିଛି କହୁନଥିବାରୁ ଘଟଣା ଏବେ ବି ରହସ୍ୟାବୃତ୍ତ ।
ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ବଡ଼ଗୋଗୁଆ ଗ୍ରାମର ୬ଜଣ ଯୁବକ ଅନ୍ଲାଇନ୍ ଗେମ୍ (ଫି-ୱିନ୍) ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି । ଏତେ ପରିମାଣର ଟଙ୍କା ନେଣଦେଣ ଘଟଣା ଆସିଥିଲା ଇଡି ସ୍କାନରକୁ । ଗତ ଶୁକ୍ରବାର କୋଲକାତାରୁ ଆସିଥିବା ଇଡିର ୪୦ଜଣିଆ ଟିମ୍ ବଡ଼ଗୋଗୁଆ ଗାଁରେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଜଣେ ଯୁବକ ଘରେ ଥିଲେ । ଅନ୍ୟମାନେ ଗାଁରେ ନ ଥିଲେ । କେବଳ ସେମାନଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ଚଢ଼ାଉ ସମୟରେ କାହାରିକୁ ଭିତରକୁ ଛଡ଼ାଯାଇ ନ ଥିଲା । ଘର ଲୋକଙ୍କୁ ନଜରବନ୍ଦୀ କରି ରଖାଯାଇଥିଲା । ସିଆର୍ପିଏଫ୍ ଯବାନ ମୁତୟନ କରାଯାଇଥିଲା । ଦିନତମାମ ଖୋଳତାଡ଼ ସହ ସମ୍ପୃକ୍ତ ଯୁବକଙ୍କ ଘର ଲୋକଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ ଇଡି ଅଧିକାରୀ ।
ଶନିବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଇଡି ଅଧିକାରୀମାନେ କୋଲକାତା ଫେରି ଯାଇଛନ୍ତି । ହେଲେ ସେମାନେ କ’ଣ ତଥ୍ୟ ହାସଲ କଲେ, କ’ଣ ଜବତ ହେଲା ସେ ସମ୍ପର୍କରେ ସୂଚନା ଦେଇନାହାନ୍ତି । ଯେଉଁ ଘରେ ଚଢ଼ଉ ହୋଇଥିଲା ସେମାନଙ୍କ ପରିବାର ସଦସ୍ୟ କିଛି କହୁନାହାନ୍ତି । ଗାଁ ଲୋକେ ମଧ୍ୟ ମୁହଁ ଖୋଲୁନାହାନ୍ତି । ଅଧିକ ତଦନ୍ତ ପାଇଁ ଆଉ ଥରେ ଇଡି ଅଧିକାରୀମାନେ ଆସିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ସମ୍ପୃକ୍ତ ୬ ଜଣ ଯୁବକ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି । ହେଲେ ଟ୍ୟାକ୍ସ ଫାଙ୍କିଥିବାରୁ ଏହି ଚଢ଼ଉ ହୋଇଥିବା ଚର୍ଚ୍ଚା ହେଉଛି।