ଯୋଗାଣ ମନ୍ତ୍ରୀ ଙ୍କ ବାସଭବନରେ ମର୍ତ୍ତୁ // ୟୁଡି କେସ ରୁଜୁ କରି ତରବରିଆ ଭାବେ ଶବ ହସ୍ତାନ୍ତର କରାଯାଇଛି,ଗଣମାଧ୍ୟମ ପ୍ରତିନିଧିଙ୍କୁ ମୃତକଙ୍କ ପରିବାର ସହିତ ବାର୍ତ୍ତାଳାପ କରାଇ ନଦେବା, ଅଧିକ ସନେ୍ଦହ ସୃଷ୍ଟି କରିଛି -ବିଜେଡି

Spread the love

ନଂ ୬୬/ପର/ବିଜେଡି/୦୧/୨୦୨୬

ଯୋଗାଣ ମନ୍ତ୍ରୀଙ୍କ ବାସଭବନରେ ତାଙ୍କ ସହଯୋଗୀଙ୍କ ମୃତୁ୍ୟକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି
କେବଳ ୟୁଡି କେସ ରୁଜୁ କରି ତରବରିଆ ଭାବେ ଶବ ହସ୍ତାନ୍ତର କରାଯାଇଛି
ଗଣମାଧ୍ୟମ ପ୍ରତିନିଧିଙ୍କୁ ମୃତକଙ୍କ ପରିବାର ସହିତ ବାର୍ତ୍ତାଳାପ କରାଇ ନଦେବା, ଅଧିକ ସନେ୍ଦହ ସୃଷ୍ଟି କରିଛି
ବିଧିବଦ୍ଧ ତଦନ୍ତ କରି ମୃତୁ୍ୟର କାରଣ ଓ କିଏ ଦାୟୀ, ସ୍ପଷ୍ଟୀକରଣ ରଖନ୍ତୁ ସରକାର
ଭୁବନେଶ୍ୱର, ୩୦/୦୧/୨୦୨୬:( ଦର୍ଶନ ସମୀକ୍ଷା) ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ତାଙ୍କର ଜଣେ ସହଯୋଗୀଙ୍କ ଅପମୃତୁ୍ୟ ଓ ତରବରିଆ ଭାବେ ମୃତକଙ୍କ ଶବ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବାକୁ ନେଇ ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି ସରକାରଙ୍କୁ କାଠଗଡାରେ ଛିଡା କରିଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳ ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କର ଜଣେ ସହଯୋଗୀଙ୍କ ଅକଷ୍ମାତ ମୃତୁ୍ୟ ଘଟୁଛି ଓ ସରକାର କେବଳ ଏକ ୟୁଡି କେସ ରୁଜୁ କରି ମୃତକଙ୍କ ଶବ ତାଙ୍କ ପରିବାରକୁ ହସ୍ତାନ୍ତର କରି ଦେଇଛନ୍ତି । ସରକାରଙ୍କ ଏହି ତରବରିଆ ଉଦ୍ୟମ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ରାଜ୍ୟର ଗୃହ ମନ୍ତ୍ରାଳୟର ଦାୟିତ୍ୱ ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝିଙ୍କ ପାଖରେ ଥିବାରୁ ଏହି ଘଟଣାର ସତ୍ୟାସତ୍ୟ ସେ ଓଡିଶାବାସୀଙ୍କ ସମ୍ମୁଖରେ ରଖିବା ଉଚିତ । ବ୍ୟକ୍ତି ଜଣଙ୍କର ମୃତୁ୍ୟ ବିଦୁ୍ୟତ ଆଘାତରେ ହେଲା ବୋଲି କୁହାଯାଉଥିବା ବେଳେ, ସରକାରୀ ବାସଭବନରେ ବିଦୁ୍ୟତ ଆଘାତରେ ମୃତୁ୍ୟ ଘଟିବା ଏକ ସାଙ୍ଘାତିକ ଘଟଣା । ଏହା ନିଶ୍ଚିତ ଭାବେ ଏକ ସୁରକ୍ଷା ତ୍ରୁଟି । ବ୍ୟକ୍ତି ଜଣଙ୍କର ମୃତୁ୍ୟ କିପରି ହେଲା ଓ ତାଙ୍କ ମୃତୁ୍ୟ ପାଇଁ କିଏ ଦାୟୀ, ଏନେଇ ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକ ଅଛି । ମୃତକଙ୍କ ଶବ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ପରିବାର ସଦସ୍ୟଙ୍କ ସହିତ ବାର୍ତ୍ତାଳାପ କରିବାକୁ ବାରଣ କରାଯାଇଥିଲା । ଏହାଦ୍ୱାରା ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଜଣାପଡୁଛି । ତେଣୁ ରାଜ୍ୟ ସରକାର ଏହି ମାମଲାର ଉପଯୁକ୍ତ ତଦନ୍ତ କରି ମୃତୁ୍ୟର କାରଣ ସମ୍ୱନ୍ଧରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶ୍ରୀ ଦାସବର୍ମା କହିଥିଲେ ।

Leave a Reply

Your email address will not be published. Required fields are marked *