ଧଉଡାଗୁଡା ଗ୍ରାମବାସୀ ଡହଳବିକଳ//ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧୀନ ଧଉଡ଼ାଗୁଡା ଗ୍ରାମରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି।

Spread the love

ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ବ ପାଣି ପାଇଁ ଧଉଡାଗୁଡା ଗ୍ରାମବାସୀ ଡହଳବିକଳ

ଅଚଳ ହୋଇପଡିଛି ସୋଲାର ପ୍ରକଳ୍ପ ଓ ନଳକୂପ
ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ନାଳ ପାଣି
ଅଭିଯୋଗ ପରେ ବି ଶୁଣୁନାହାନ୍ତି କତୃପକ୍ଷ

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧୀନ ଧଉଡ଼ାଗୁଡା ଗ୍ରାମରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି।ପ୍ରାୟ ଏକ ବର୍ଷରୁ ଉର୍ଦ୍ଧଦିନ ହେବ ଏହି ଗ୍ରାମରେ ଅଚଳ ହୋଇ ପଡିଛି ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଓ ନଳକୂପ।ଜଳ ମୁନ୍ଦାଏ ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି।
ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ
୮ କି.ମି ଦୂର ଏକ ପାହାଡ ଉପରେ ଏହି ଧଉଡ଼ାଗୁଡା ଗାଁ ଥିବା ବେଳେ ଏହା ଉପରେ ଆଦୌ ନଜର ପଡୁନି ପଞ୍ଚାୟତ କିମ୍ବା ବିଭାଗୀୟ କତୃପକ୍ଷଙ୍କର।ଏ ସମ୍ପର୍କରେ ଗ୍ରାମବାସୀ ବହୁବାର ପଞ୍ଚାୟତ କତୃପକ୍ଷ ଏବଂ ଜଳ ଓ ପରିମଳ ବିଭାଗରେ କନିଷ୍ଠ ଯନ୍ତ୍ରୀ, ବ୍ଲକ କତୃପକ୍ଷ ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ କହିଥିଲେ ବି କେହି କର୍ଣ୍ଣପାତ କରୁ ନାହାନ୍ତି ବୋଲି ଗ୍ରାମର ଅଜୁ ଗୋଲରୀ, ରାମ ଖରା, ବାଲି ଗୋଲରୀ, ମୁଲିଆ ଗୋଲରୀ, ଲବ ଖରା, ଗୋପାଳ ଖିଲ, ହରି ଚନ୍ଦ୍ର ଖରା, ଅର୍ଜୁ ଖରା ଆନନ୍ଦ ଗୋଲରୀ, ସାଲ ଖରା, ଜେମା ଗୋଲରୀ, କମଳା ଗୋଲରୀ, ଅଁଳା ଖରା, ରତନୀ ଗୋଲରୀଙ୍କ ସମେତ ସମସ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମରେ ପ୍ରାୟ ୫୦ ରୁ ଉର୍ଦ୍ଧ ପରିବାର
ଦୀର୍ଘ ବର୍ଷ ଧରି ବସବାସ କରି ଆସୁଛନ୍ତି।ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପ୍ରାୟ ୫/୬ବର୍ଷ ପୂର୍ବେ ଏକ ସୌର ଚାଳିତ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା।ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ହୋଇଥିଲା। ଏଥି ପାଇଁ ବିଭାଗ ପକ୍ଷରୁ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ ହୋଇଥିଲା।ଏହି ପ୍ରକଳ୍ପଟି କିଛି ମାସ ସୁରୁଖୁରୁରେ ଚାଲିବ ପରେ ଆଜକୁ ପ୍ରାୟ ଏକ ବର୍ଷ ହେବ ପ୍ରକଳ୍ପଟି ସମ୍ପୂର୍ଣ ଭାବେ ଅଚଳ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି।
ଖାଲି ଏତିକି ନୁହେଁ ଗ୍ରାମରେ ଥିବା ନଳକୂପ ମଧ୍ୟ ଅଚଳ ହୋଇ ପଡି ରହିଛି।ଲୋକେ ଗାଁ ଠାରୁ ପ୍ରାୟ ୭୦୦ମିଟର ଦୁରରେ ପ୍ରବାହିତ ହେଉଥିବା ଏକ ନାଳରୁ ପାଣି ସଂଗ୍ରହ କରି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।ଗ୍ରାମରେ ଦୀର୍ଘଦିନ ହେବ ଜଳ ସଙ୍କଟ ଲାଗି ରହିଥିବାରୁ ଗ୍ରାମବାସୀଙ୍କ ସମେତ ଗାଇ ଗୋରୁ ଓ ଅନ୍ୟାନ୍ୟ ଗୃହ ପାଳିତ ପ୍ରାଣୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏ ନେଇ ଜଳ ଓ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ ରବିନ୍ଦ ବିଶ୍ୱାଳଙ୍କୁ ଅବଗତ କରାଇବାରୁ ସେ କହିଛନ୍ତି ଯେ, କିଛି ମାସ ପୂର୍ବେ ଉକ୍ତ ପ୍ରକଳ୍ପର ମରାମତି କରାଯାଇଥିଲା। ଫାଟିଥିବା ପାଣିଟାଙ୍କିକୁ ବାହାର କରି ନୂଆ ଟାଙ୍କି ଲଗାଯାଇଥିଲା।ଆସନ୍ତା କାଲି ବିଭାଗର କର୍ମଚାରୀ ମାନଙ୍କୁ ଉକ୍ତ ଗ୍ରମକୁ ପଠାଇ ଅଚଳ ହୋଇଥିବା ନଳକୂପ ଓ ସୌର ଚାଳିତ ପ୍ରକଳ୍ପ କୁ ମରାମତି କରାଯିବ ବୋଲି ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ବିଶ୍ୱାଳ କହିଛନ୍ତି।

Leave a Reply

Your email address will not be published. Required fields are marked *