Spread the love

କାହିଁକି ଓଡିଆରେ ସରକାରୀ କାର୍ଯ୍ୟ ହେଉନାହିଁ ???
ପ୍ରଦୀପ କୁମାର ପଣ୍ଡା ଦର୍ଶନ ସମୀକ୍ଷା ଭୁବନେଶ୍ୱର

ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକସେବା ଭବନ ସ୍ଥିତ ନିଜ ଦପ୍ତରକୁ ଯିବାର ପ୍ରଥମ ଦିନ ସ୍ପଷ୍ଟଭାବେ କହିଥିବାବେଳେ ଏବେ ଜଣକ ପରେ ଜଣେ ମନ୍ତ୍ରୀ ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି । ଏପରିକି କର୍ମଚାରୀମାନଙ୍କୁ ଓଡିଆ ଭାଷାରେ କାର୍ଯ୍ୟ କିଭଳି ହେବ ତାହା ଶିଖିବାପାଇଁ ପରାମର୍ଶ ବି ଦେଇଛନ୍ତି ।

ବର୍ତ୍ତମାନ ସମସ୍ତ ସରକାରୀ ନଥି କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ ହେଉଥିବାବେଳେ ସରକାରଙ୍କର ଅଧିକାଂଶ କମ୍ପ୍ୟୁଟରରେ ଓଡିଆ ସଫ୍ଟୱେର ନଥିବା ଜଣାଯାଇଛି । ସେହିଭଳି ସଂଖ୍ୟାଧିକ କର୍ମଚାରୀମାନେ ମଧ୍ୟ ଓଡିଆ ଭାଷାରେ କମ୍ପ୍ୟୁଟରରେ ଲେଖିବା ଜାଣିନାହାନ୍ତି । ଏପରିକି ବହୁ ଯୁବ କର୍ମଚାରୀ ସଠିକ ଭାବେ ଓଡିଆ ଭାଷାରେ ଲେଖିପାରୁ ନାହାନ୍ତି ।

କିଛିବର୍ଷ ତଳେ ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ପାଇଁ ସରକାର ନିର୍ଦ୍ଦେଶ ଦେବାପରେ ବହୁ ପରିମାଣରେ ଓଡିଆ ସଫ୍ଟୱେର ଖରିଦ କରାଯିବା ସହିତ ତାହାକୁ ବିଭିନ୍ନ ଦପ୍ତରରେ ଥିବା କମ୍ପ୍ୟୁଟରରେ ଲଗାଯାଇଥିଲା । ତେବେ ଅଳ୍ପ କିଛି ଦିନର ଓଡିଆ ଭାଷାରେ କାର୍ଯ୍ୟ ପରେ କର୍ତ୍ତୃପକ୍ଷ ଆଉ ସେଥିପ୍ରତି ଧ୍ୟାନ ଦେଇନଥିଲେ । ଫଳରେ ଏହି ଓଡିଆ ସଫ୍ଟୱେରଗୁଡିକର ଆଉ ନବୀକରଣ ହୋଇନଥିଲା ।

ବର୍ତ୍ତମାନ ଅଧିକାଂଶ ସରକାରୀ କମ୍ପ୍ୟୁଟରରେ ଆଉ ଓଡିଆ ଭାଷାର ସଫ୍ଟୱେର ନାହିଁ କି ଯେଉଁଠି ବି ଅଛି ତାହା ନୂଆ କମ୍ପ୍ୟୁଟରରେ ଚାଲୁନାହିଁ । ତେଣୁ ଏଭଳି ସ୍ଥିତିରେ ଓଡିଆ ଭାଷାରେ କିଭଳି ସରକାରୀ ଚିଠିପତ୍ର ହେବ ତାହା କେହି ଜାଣିପାରୁ ନାହାନ୍ତି । ସ୍ଥିତିର ମୁକାବିଲା ପାଇଁ ଏବେ କେତେକ ବିଭାଗ ଠିକା ସଂସ୍ଥା ଓ କର୍ମଚାରୀଙ୍କ ଦ୍ୱାରା କାମ ଚଳାଇବା ଆରମ୍ଭ କରିଛନ୍ତି । ତେବେ କର୍ମଚାରୀମାନେ ଠିକଣା ତାଲିମ ନନେଲେ ଓ କମ୍ପ୍ୟୁଟରରେ ଓଡିଶା ସଫ୍ଟୱେର ନରହିଲେ କାର୍ଯ୍ୟ କରିବା ସମ୍ଭବପର ନୁହେଁ ବୋଲି ଅଧିକାରୀମାନେ କହୁଛନ୍ତି ।

ଇତି ମଧ୍ୟରେ ଓଡିଶା ସରକାରଙ୍କ ୱେବ୍‍ ପୋର୍ଟାଲ ଇଂରାଜୀ ସହିତ ଓଡିଆ ଭାଷାରେ ହୋଇଥିବାବେଳେ କେତେକ ବିଭାଗ ମଧ୍ୟରେ ସେମାନଙ୍କ ପୋର୍ଟାଲକୁ ଓଡିଆ ଭାଷାରେ କରିଛନ୍ତି । ତେବେ ଏହି କାର୍ଯ୍ୟ ଠିକାସଂସ୍ଥାଗୁଡିକ ଜରିଆରେ କରାଯାଉଛି । ଅନ୍ୟ ପକ୍ଷରେ ଓଡିଆ ଭାଷାରେ ସରକାରୀ କାର୍ଯ୍ୟ କରିବାପାଇଁ ଓଡିଶା ଭର୍ଚୁଆଲ ଏକାଡେମୀ ଓଡିଆ ଲିପିରେ ଏକ ଅତ୍ୟାଧୁନିକ ସଫ୍ଟୱେର ତିଆରି କରିଛି । ତେବେ କୌଣସି କାରଣ ଯୋଗୁଁ ଏହାର ଉନ୍ମୋଚନ ହୋଇପାରୁ ନାହିଁ କି ସରକାରୀ ଦପ୍ତରରେ କାର୍ଯ୍ୟକାରୀ ହୋଇପାରୁନାହିଁ । ତୁରନ୍ତ ଏହି ସଫ୍ଟୱେରକୁ ସରକାରୀ କମ୍ପ୍ୟୁଟରଗୁଡିକରେ ସାମିଲ କରିବାପାଇଁ ମତପ୍ରକାଶ ପାଉଛି ।

ଏଥି ସହିତ ଯୁବ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶୁଦ୍ଧ ଓଡିଆ ଭାଷାରେ ଲେଖା ପଢା ସହିତ ସରକାରୀ ଚିଠିପତ୍ର ପ୍ରସ୍ତୁତି ନେଇ ତାଲିମ ପ୍ରଦାନ କରିବାକୁ ବି ମତପ୍ରକାଶ ପାଉଛି । ବର୍ତ୍ତମାନ ସଂଖ୍ୟାଧିକ ସରକାରୀ ଚିଠି, ବିଜ୍ଞପ୍ତି ଆଦି ଇଂରାଜୀ ଭାଷାରେ ହେଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହା ଓଡିଆ ଭାଷାରେ ହେବ । ତାହା ପୂର୍ବରୁ କର୍ମଚାରୀମାନଙ୍କୁ ସଠିକ ତାଲିମ ପ୍ରଦାନ ପାଇଁ ମତପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *