ଭୁବନେଶ୍ୱର : ୪୪ବର୍ଷ ତଳେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସର୍ବଭାରତୀୟ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟି ଗଠନ କରାଯିବାବେଳେ ଏହାର ଅନ୍ୟତମ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଥିଲା ଦେଶ ଓ ବିଶ୍ୱରେ ‘ଗାନ୍ଧୀବାଦୀ ସମାଜବାଦ’ର ପ୍ରତିଷ୍ଠା ପାଇଁ ନିରନ୍ତର ଉଦ୍ୟମ କରିବା । ଏ ଦିଗରେ ଦଳ କେତେ ସଫଳତା ହାସଲ କରିଛି ସେ ସମ୍ପର୍କରେ ସମୀକ୍ଷା କରାଯିବା ଆବଶ୍ୟକ ରହିଛି ବୋଲି ବିଜେପି ପ୍ରତିଷ୍ଠା ସମାରୋହରେ ସେତେବେଳେ ଯୋଗ ଦେଇଥିବା ଜଣେ ପୁରାତନ କାର୍ଯ୍ୟକର୍ତ୍ତା କହିଛନ୍ତି ।
ଭାରତୀୟ ଜନସଂଘ ୧୯୭୭ ମସିହାରେ ଜନତା ପାର୍ଟିରେ ବିଲୀନ ହୋଇଥିଲା । ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଚାଲିଥିବା ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ୭୦ଦଶକରେ ଜନସଙ୍ଘ ସକ୍ରିୟ ଭୂମିକା ନିଭାଇଥିଲା ଏବଂ ଜରୁରୀ ପରିସ୍ଥିତି ସମୟରେ ଅନ୍ୟମାନଙ୍କ ସହିତ ଜନସଂଘର ବହୁ କର୍ମୀ ଓ ନେତା ଗିରଫ ହୋଇଥିଲେ । ମୋରାର୍ଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ୱରେ ଗଠିତ ଜନତା ପାର୍ଟି ସରକାରରେ ଅଟଳବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ଭଳି ତୁଙ୍ଗ ନେତାମାନେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ତେବେ ଜନତା ପାର୍ଟିରେ ବିଭାଜନ ସହ ମୋରାର୍ଜୀ ସରକାରଙ୍କ ପତନ ପରେ ବିକଳ୍ପ ରାଜନୈତିକ ମଞ୍ଚ ଗଠନ ଲାଗି ଦିଲ୍ଲୀରେ ଅନୁଷ୍ଠିତ ସମ୍ମିଳନୀରେ ୧୯୮୦ ଏପ୍ରିଲ ୬ ତାରିଖରେ ବିଜେପି ଜନ୍ମ ନେଇଥିଲା । ୧୯୩୦ର ଏହି ଦିବସରେ ମହାତ୍ମା ଗାନ୍ଧୀ ଦାଣ୍ଡିରେ ଲୁଣମାରି ଆଇନ ସ୍ୱାଧୀନତା ଆନ୍ଦୋଳନକୁ ତ୍ୱରାନ୍ୱିତ କରିଥିବା ପରିପ୍ରେକ୍ଷୀରେ ବିଜେପି ପ୍ରତିଷ୍ଠା ପାଇଁ ଏପ୍ରିଲ ୬କୁ ବାଛିବା ସହ ତାହାର ଅନ୍ୟତମ ଭିତ୍ତିଭାବେ ଗାନ୍ଧୀବାଦୀ ସମାଜବାଦକୁ ଗ୍ରହଣ କରିଥିଲା ।

ବିଜେପି ଗଠିତ ହେବାପରେ ଏହି ଦଳର ମାତ୍ର ଦୁଇଜଣ ନିର୍ବାଚିତ ସାଂସଦ ଥିଲେ । ପରବର୍ତ୍ତୀ ସମୟରେ ବିଜେପି ଦେଶକୁ ଦୁଇଜଣ ପ୍ରଧାନମନ୍ତ୍ରୀ ଦେବାସହ ପ୍ରାୟ ୧୬ବର୍ଷ ଦେଶ ଶାସନ କଲାଣି । ଏ ପରିପ୍ରେକ୍ଷୀରେ ଗାନ୍ଧୀବାଦୀ ସମାଜବାଦର ରୂପାୟନ ବିଜେପି କେତେ କରିଛି ଓ ଆଉ କେତେ କରିବାକୁ ଅଛି ସେ ସମ୍ପର୍କରେ ଦଳ ସମୀକ୍ଷା କରିବାର ଆବଶ୍ୟକତା ରହିଛି ।
tathya












Leave a Reply