ଅତି ଦାରିଦ୍ର୍ୟ ହେଉଛି ଦାରିଦ୍ର୍ୟର ସବୁଠାରୁ ଗମ୍ଭୀର ରୂପ, ଯାହା ଖାଦ୍ୟ, ପାଣି, ପରିମଳ, ସ୍ୱାସ୍ଥ୍ୟ ଏବଂ ଆଶ୍ରୟ ପରି ମୌଳିକ ଆବଶ୍ୟକତାର ଅଭାବ ଦ୍ୱାରା ଚିହ୍ନିତ- ଡ ସନ୍ତୋଷ କୁମାର ମହାପାତ୍ର ଲେଖକ ସ୍ତମ୍ଭକାର କଟକ

Spread the love

କେରଳ ମଡେଲ ଅନୁକରଣୀୟ

ଡ ସନ୍ତୋଷ କୁମାର ମହାପାତ୍ର

   ଦାରିଦ୍ର୍ୟ ଏକ  ଭୟଙ୍କର ସମସ୍ୟା । ଚରମ ବା ଅତି ଦାରିଦ୍ର୍ୟ ଦୂରୀକରଣ କରିବାରେ କେରଳ ଭାରତର  ପ୍ରଥମ ରାଜ୍ୟଭାବେ ଉଭା ହୋଇଛି ।  ୨୦୨୫ ନଭେମ୍ବର ୧ ତାରିଖ ରାଜ୍ୟର ୬୯ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଦିନ ଏହି ଘୋଷଣା କରିଛନ୍ତି ।  ଦାରିଦ୍ର୍ୟ ହାର ୧୯୭୩-୭୪ ରେ ୫୯.୮%ଥିଲାବେଳେ  ୨୦୧୧-୧୨ ରେ ୧୧.୩% କୁ ହ୍ରାସ ପାଇଥିଲା । ନୀତି ଆୟୋଗର ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (୨୦୨୩)ଅନୁସାରେ  କେରଳର ଦାରିଦ୍ର୍ୟ ହାର ମାତ୍ର ୦.୫୫% ଥିଲା  ଯାହା ସବୁ ରାଜ୍ୟ ତୁଳନାରେ ଆପାତତଃ  କମ୍ ମଧ୍ୟ  ଥିଲା। ସେହି ସମୟରେ ବହୁମୁଖୀ ଦାରିଦ୍ର୍ୟ ହାର  ଜାତୀୟ ସ୍ତରରେ ହାରାହାରି ୧୪.୯୬% ଥିଲା।  ସାଧାରଣତଃ ଦାରିଦ୍ର୍ୟରେଖା   ଯେଉଁ ମାନଦଣ୍ଡ ବା ପଦ୍ଧତ୍ତିରେ    ଆକଳନ କରାଯାଉଛି ତାହା ଜଣକୁ ଏକ ସୁନ୍ଦର ଜୀବନ ବିତାଇବା ସମ୍ଭବ ନୁହେଁ ।  କିନ୍ତୁ ତାହାସତ୍ତ୍ଵେ ଯେଉଁ ମାନଦଣ୍ଡ ରେ ଆକଳନ କରାଯାଉନା କାହିଁକି, ଅତି ଦାରିଦ୍ର୍ୟ ଦୂରୀକରଣ ଦୃଷ୍ଟିରୁ କେରଲ ସବୁ ରାଜ୍ୟ ଆଗରେ । ଅତି ଦାରିଦ୍ର୍ୟ ହେଉଛି ଦାରିଦ୍ର୍ୟର ସବୁଠାରୁ ଗମ୍ଭୀର ରୂପ, ଯାହା ଖାଦ୍ୟ, ପାଣି, ପରିମଳ, ସ୍ୱାସ୍ଥ୍ୟ ଏବଂ ଆଶ୍ରୟ ପରି ମୌଳିକ ଆବଶ୍ୟକତାର ଅଭାବ ଦ୍ୱାରା ଚିହ୍ନିତ। ବିଶ୍ୱ ବ୍ୟାଙ୍କ ଏହାକୁ ପ୍ରାୟତଃ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ପରିମାଣରୁ କମ୍ ଟଙ୍କାରେ ଜୀବନଯାପନ କରିବା ଭାବରେ ପରିଭାଷିତ କରିଥାଏ, ଯାହା ଦେଶଗୁଡ଼ିକ ମଧ୍ୟରେ ମୁଦ୍ରାସ୍ଫୀତି ଏବଂ ଜୀବନଯାପନ ଖର୍ଚ୍ଚ ପାର୍ଥକ୍ୟକୁ ନେଇ ସ୍ଥିର କରାଯାଇଥାଏ। ବିଶ୍ୱ ବ୍ୟାଙ୍କ ଆନୁଷ୍ଠାନିକ ଭାବରେ ଏହାର ଆନ୍ତର୍ଜାତୀୟ ଅତି ବା ଚରମ ଦାରିଦ୍ର୍ୟ ସୀମାକୁ ପ୍ରତିଦିନ ୨୦୨୧ କ୍ରୟ ଶକ୍ତି ସମତା (PPP) ଅନୁସାରେ ୩ଡଲାର ଆୟକୁ ବୃଦ୍ଧି  କରିଛି। ଏହା ପୂର୍ବରୁ ଏହା ୨.୧୫ ଡଲାର  (୨୦୧୭ କ୍ରୟ ଶକ୍ତି ସମତା) ଥିଲା । ଜୁନ୍ ୨୦୨୫ରେ ଘୋଷଣା କରାଯାଇଥିବା ଏହି ସଂଶୋଧନ ନିମ୍ନ-ଆୟକାରୀ ଦେଶଗୁଡ଼ିକରେ ଜୀବନଯାପନ ଖର୍ଚ୍ଚର ଏକ ବାସ୍ତବବାଦୀ ଆକଳନ କରିଥାଏ।

କେରଳର ଜନସଂଖ୍ୟା ଭାରତର ଜନସଂଖ୍ୟାର ୨.୮% ଏବଂ ଏହାର ଭୂମି ଦେଶର କ୍ଷେତ୍ରଫଳର ୧.୨% ଅଟେ। ଭାରତର ଜିଡ଼ିପିରେ କେରଳଡ଼ ଅବଦାନ ୪% ରୁ ଅଧିକ ରହିଛି ।କେରଳର ବିକାଶ ସଫଳତା, ଯାହାକୁ ପ୍ରାୟତଃ “କେରଳ ଘଟଣା” କିମ୍ବା “କେରଳ ମଡେଲ” କୁହାଯାଏ,ତାହା ଉଚ୍ଚ ମାନବ ବିକାଶ ସୂଚକାଙ୍କ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ, ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ଉପରେ ପର୍ଯ୍ୟବସିତ । ଏହି ମଡେଲ ମୁଖ୍ୟତଃ ଇ.ଏମ୍.ଏସ୍. ନାମ୍ବୁଦିରିପାଦଙ୍କ ନେତୃତ୍ୱରେ ରାଜ୍ୟର ପ୍ରଥମ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାର ଦ୍ୱାରା ଆରମ୍ଭ ହୋଇଥିବା ଭୂମି ସଂସ୍କାର, ସାମାଜିକ ଉନ୍ନତି , ସକ୍ରିୟ ନାଗରିକ ସମାଜ ଅଂଶଗ୍ରହଣରୁ ଉତ୍ପନ୍ନ ହୋଇଥିଲା ଏବଂ ଏକ ସାମାଜିକ ଗଣତାନ୍ତ୍ରିକ କଲ୍ୟାଣ ଆଭିମୁଖ୍ୟ ମାଧ୍ୟମରେ ଏହାକୁ ବଜାୟ ରଖାଯାଇଛି। ମେ ୨୦୨୧ରେ ପିନାରାଇ ବିଜୟନଙ୍କ ନେତୃତ୍ୱରେ ବାମପନ୍ଥୀ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ଅତି ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ (EPEP) ଆରମ୍ଭ କରିବା ପାଇଁ ସିଦ୍ଧାନ୍ତ ନିଆଯାଇଥିଲା। ରାଜ୍ୟ ସରକାର ଏକ ୪ ବର୍ଷୀୟା ଯୋଜନା ହାତକୁ ନେଇଥିଲେ । ୪ ଲକ୍ଷ ଗଣନାକାରୀ ୬୪,୦୦୬ ଦୁର୍ବଳ ପରିବାରକୁ ଚିହ୍ନଟ କରିଥିଲେ । ଏହାର ମୁକାବିଲା ପାଇଁ ପ୍ରୟାସରେ ସରକାରୀ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ସିଧାସଳଖ ନଗଦ ସ୍ଥାନାନ୍ତର ଅନ୍ତର୍ଭୁକ୍ତ, ଯାହାଯୋଗୁଁ କିଛି ଅଞ୍ଚଳରେ ଦାରିଦ୍ର୍ୟ ହାରରେ ଉଲ୍ଲେଖନୀୟ ହ୍ରାସ ପାଇଛି।

  କେବଳ ଆୟର ଅଭାବ ନୁହେଁ ଖାଦ୍ୟ, ଆଶ୍ରୟ ଏବଂ ସ୍ୱାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତା ନଥିବା ପରିବାରଗୁଡ଼ିକୁ ଚିହ୍ନଟ କରଯାଇଥିଲା ।     ଆଗରୁ ବିଭିନ୍ନ ପ୍ରକାର ପଦକ୍ଷେପ ଯଥା  ଭୂ -ସଂସ୍କାର, ସାର୍ବଜନୀନ ଶିକ୍ଷା ଓ ସ୍ଵାସ୍ଥ୍ୟ ବ୍ୟବସ୍ଥା, ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ମହିଳାଙ୍କ ସଶକ୍ତିକରଣପାଇଁ କୁଡୁମ୍ବଶ୍ରୀ ମିଶନ କାର୍ଯ୍ୟକାରୀ କରଯାଇଥିଲା ।  ସମ୍ପ୍ରତି  ପ୍ରତ୍ୟେକ ପରିବାର ପାଇଁ କ୍ଷୁଦ୍ର, ମଧ୍ୟମ ଏବଂ ଦୀର୍ଘକାଳୀନ ପର୍ଯ୍ୟାୟରେ ସେମାନଙ୍କର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟକ୍ତିଗତ, ଉପଯୁକ୍ତ ସୂକ୍ଷ୍ମ-ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ୧୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ, ସରକାର ୨୦,୬୪୮ ପରିବାର ପାଇଁ ଦୈନିକ ଖାଦ୍ୟ ସୁନିଶ୍ଚିତ କରିଥିଲେ। ସେମାନଙ୍କ ମଧ୍ୟରୁ ୨,୨୧୦ ପରିବାର ଗରମ ଖାଦ୍ୟ ପାଉଛନ୍ତି। ୮୫,୭୨୧ ଜଣଙ୍କୁ ଆବଶ୍ୟକୀୟ ଚିକିତ୍ସା ଏବଂ ଔଷଧ ଯୋଗାଇଛନ୍ତି । ୪୬୭୭ବାସହୀନ ପରିବାର ଚିହ୍ନଟ କରାଯାଇଥିଲା, ଏବଂ ୪,୦୦୦ରୁ ଅଧିକ ପରିବାରଙ୍କୁ ଜୀବନ ମିଶନ ଯୋଜନାରେ ଗୃହ ଯୋଗାଇ ଦିଆଯାଇଥିଲା । ୫,୪୦୦ ରୁ ଅଧିକ ନୂଆ ଘର ନିର୍ମାଣ ହୋଇଛି କିମ୍ବା ନିର୍ମାଣାଧୀନ ଅଛି। ୫,୫୨୨ ଘର ମରାମତି କରାଯାଇଛି ଏବଂ ୨,୭୧୩ ଭୂମିହୀନ ପରିବାର ବାସସ୍ଥାନ ନିର୍ମାଣ ପାଇଁ ଜମି ପାଇଛନ୍ତି। ଅତ୍ୟାବଶ୍ୟକୀୟ ସେବା ଯଥା  ଆଧାର କାର୍ଡ, ରାସନ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ପେନସନ ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଉପଲବ୍ଧତା ସୁନିଶ୍ଚିତ କରାଯାଇଥିଲା।  ୨୧,୨୬୩ ଜଣ ପ୍ରଥମ ଥର ପାଇଁ ରାସନ କାର୍ଡ, ଆଧାର ଏବଂ ପେନସନ ଭଳି ଜରୁରୀ କାଗଜପତ୍ର ପାଇଥିଲେ। ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସ୍ଥିର ଭାବରେ କାମ କରିପାରୁନଥିବା ଲୋକଙ୍କ ପାଇଁ କ୍ଷୁଦ୍ର ବ୍ୟବସାୟ ଭଳି ସ୍ଥାୟୀ ଆୟ ଉତ୍ସ ସୃଷ୍ଟି କରିବା ପାଇଁ ସହାୟତା ପ୍ରଦାନ କରାଯାଇଥିଲା। ଏହି ପ୍ରକଳ୍ପ ସ୍ଥାନୀୟ ସ୍ୱାୟତ୍ତଶାସନ ବିଭାଗ ଦ୍ୱାରା ପରିଚାଳିତ ହୋଇଥିଲା ଏବଂ ଏଥିରେ ସ୍ଥାନୀୟ ସଂସ୍ଥା ଏବଂ କୁଡୁମ୍ବଶ୍ରୀ ଭଳି ସଂଗଠନର ଘନିଷ୍ଠ ସହଯୋଗ ଅନ୍ତର୍ଭୁକ୍ତ ଥିଲା। ବିଭିନ୍ନ ସରକାରୀ ବିଭାଗ, ମିଶନ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ସୂକ୍ଷ୍ମ-ଯୋଜନାଗୁଡ଼ିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଏକାଠି କାମ କରିଥିଲେ। ଏହି  କାର୍ଯ୍ୟକ୍ରମଯୋଗୁଁ ୧,୦୩,୦୯୯ଲୋକ ଦାରିଦ୍ର୍ୟ ଗହ୍ଵର ଉପରୋକୁ ଉଠିଥିଲେ । 

 କେବଳ ଦାରିଦ୍ର୍ୟ ହ୍ରାସ କାହିଁକି ମାନବ ଉନ୍ନୟନ୍ନ ସୂଚକାଙ୍କ  , ନିରନ୍ତର ବିକାଶ ଲକ୍ଷ୍ୟ  ସୂଚକାଙ୍କ ଓ ସ୍ବାକ୍ଷରତ୍ତାହାର ଦୃଷ୍ଟିରୁ କେରଳ ଏକ ନମ୍ବର । କେରଳରେ ସାକ୍ଷରତା ହାର ୯୯ % , ଯାହା ସର୍ବାଧିକ । ହାରାହାରି ଜୀବନର ଆୟୁ  ୭୭.୩ ବର୍ଷ; ଏବଂ ସର୍ବାଧିକ ଲିଙ୍ଗ ଅନୁପାତ, ପ୍ରତି ୧୦୦୦ ପୁରୁଷରେ ୧,୦୮୪ ମହିଳା । ଜନସଂଖ୍ୟା ବୃଦ୍ଧି ହାର କମ୍ । ଏହା ଦ୍ୱିତୀୟ ସର୍ବାଧିକ ସହରୀକରଣ ରାଜ୍ୟ।  କେରଳ ଭାରତରେ ସର୍ବାଧିକ ଗଣମାଧ୍ୟମ ପ୍ରସାରଣର ରାଜ୍ୟ  । ମୁଖ୍ୟତଃ ନଅଟି ଭାଷାରେ ଖବରକାଗଜ ପ୍ରକାଶିତ ହୁଏ, ମୁଖ୍ୟତଃ ମାଲାୟଲମ ଏବଂ ଇଂରାଜୀ। ନ୍ୟାସନାଲ ଜିଓଗ୍ରାଫିକ୍ ଟ୍ରାଭେଲର୍ ଦ୍ୱାରା ବିଶ୍ୱର ଦଶଟି ସ୍ୱର୍ଗ ମଧ୍ୟରୁ ଗୋଟିଏ ଭାବରେ ନାମିତ, କେରଳ ଭାରତର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ । ନଡ଼ିଆ-ରେଖାଯୁକ୍ତ ବାଲୁକାମୟ ବେଳାଭୂମି, ପାହାଡ଼ ଷ୍ଟେସନ, ଆୟୁର୍ବେଦିକ ପର୍ଯ୍ୟଟନ ଏବଂ ଉଷ୍ଣକଟିବନ୍ଧୀୟ ସବୁଜିମା ଏହାର ପ୍ରମୁଖ ଆକର୍ଷଣ। କେରଳ ଏକ ସ୍କାଣ୍ଡିନେଭିୟାନ୍ ଦେଶ ନୁହେଁ, କିନ୍ତୁ ଏହାର ଉଚ୍ଚ ସାମାଜିକ ବିକାଶ ସୂଚକାଙ୍କ ଏବଂ ମାନବ ବିକାଶ ସୂଚକାଙ୍କ ଯୋଗୁଁ ଏହାକୁ ପ୍ରାୟତଃ "ଭାରତର ସ୍କାଣ୍ଡିନେଭିୟା" କୁହାଯାଏ। ଏକଥା ଲଣ୍ଡନରୁ ପ୍ରକାଶିତ ' ଦି ଇକୋନୋମିଷ୍ଟ ' ନାମକ ପ୍ରଖ୍ୟାତ ମାଗାଜିନ୍ ଉଲ୍ଲେଖ କରିଛି। ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ରରେ କେରଳର ସଫଳତାକୁ ପ୍ରାଧ୍ୟାନ ପାଇଁ ଏହି ତୁଳନା କରାଯାଏ, ଯାହା ପ୍ରାୟତଃ ସ୍କାଣ୍ଡିନେଭିୟାନ୍ ଦେଶଗୁଡ଼ିକରେ ଦେଖାଯାଏ।: ବିକଶିତ ଦେଶ ତୁଳନାରେ ପ୍ରତି ମୁଣ୍ଡପିଛା ଆୟ ତୁଳନାତ୍ମକ ଭାବରେ କମ୍ ଥିବା ସତ୍ତ୍ୱେ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଖାଦ୍ୟ ଯୋଗାଣ ଭଳି କ୍ଷେତ୍ରରେ କେରଳ ଏହାର ଦୃଢ଼ ସାମାଜିକ ଭିତ୍ତିଭୂମି ପାଇଁ ପ୍ରସିଦ୍ଧ। ଏଣୁ କେରଳ ମଡେଲ ଅନୁକରଣୀୟ।

ମୋ:୯୪୩୭୨୦୮୭୬୨

Leave a Reply

Your email address will not be published. Required fields are marked *