ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜିଉ : ଚାଲିଛି ପ୍ରସ୍ତୁତି
ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜିଉ । ପଦ୍ମରେ ଝଟକି ଉଠିବ ବଡ଼ଠାକୁରଙ୍କ ଶ୍ରୀମୁଖ । ଆସନ୍ତା ୧୦ ତାରିଖ ଶନିବାରଦିନ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ପଦ୍ମମୁଖ ବେଶ । ପ୍ରତିବର୍ଷ ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଏହି ବେଶ ହେବାର ପରମ୍ପରା ରହି ଆସିଛି । ମହାପ୍ରଭୁ କଳା କିମ୍ବା ନୀଳ ଘୋଡ଼ରେ ଥାଇ ଏହି ବେଶ ହୁଅନ୍ତି । ଏହି ବେଶ ଥାଇ ରାତ୍ର ପହୁଡ଼ ହୁଏ। ତହିଁ ପରଦିନ ସକାଳେ ମଧ୍ୟ ଏହି ବେଶ ଦର୍ଶନର ସୁଯୋଗ ଭକ୍ତଙ୍କୁ ମିଳିଥାଏ ।
ଏହି ବେଶର ମହତ୍ତ୍ୱ ହେଉଛି, ସମ୍ପୂର୍ଣ୍ଣ ବେଶ କାର୍ଯ୍ୟ ପାଣି ସୋଲରେ ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ପଦ୍ମ ଫୁଲଠୁ ନେଇ ପଦ୍ମ ପାଖୁଡ଼ା, ପଦ୍ମ କେଶର, ଆମ୍ବକଷି, ଡାଳି, ୭ଟି ଗଛ, ୭ଟି ସିଂହାସନ, ୩ଟି ଶ୍ରୀମୁଖ ପଦ୍ମ ସବୁକିଛି ସୋଲ ଓ ଜରିରେ ପ୍ରସ୍ତୁତ ହେଉଛି । ଏହାବ୍ୟତୀତ ୩ଟି ବଡ଼ ଚୂଳ ମଧ୍ୟ ପ୍ରସ୍ତୁତ କରାଯାଉଛି । ସୋଲକୁ କାଗଜ ଭଳି କାଟି ପ୍ରସ୍ତୁତ କରିବା ପରେ ଏହାକୁ ପଦ୍ମ ଫୁଲର ରୂପ ଦିଆଯାଉଛି । ପ୍ରଭୁଙ୍କ ବେଶ ନିମିତ୍ତ କାରିଗର ମାନେ ଦିନରାତି ଲାଗିପଡିଛନ୍ତି ।
ଏହାବ୍ୟତୀତ ସନ୍ତରାରେ ବଳା ତିଆରି କରାଯାଇଛି। ବେଶ ପ୍ରସ୍ତୁତ କରୁଥିବା ଶିଳ୍ପୀଙ୍କ କହିବାଅନୁସାରେ , ଶ୍ରୀମୁଖରେ ତୁଳସୀକୁ ବଳା ସଦୃଶ ପ୍ରସ୍ତୁତ କରି ସଜ୍ଜାଯାଏ। ପରେ ବେଶ ବନ୍ଧା ଯାଇଥାଏ । ବଡ଼ଛତା ମଠ ପକ୍ଷରୁ ଏହି ବେଶର ସମସ୍ତ ଖର୍ଚ୍ଚ ବହନ କରାଯାଏ। ବେଶ ପାଇଁ ଆବଶ୍ୟକ ସୋଲ, ଜରି, କଇଁଥ ଅଠା, କନା, ବେତ, ବାଉଁଶ, ସନ୍ତରା ଆଦି ମଠ ତରଫରୁ ଯୋଗାଇ ଦିଆଯାଇଥାଏ। ପଣ୍ଡୁ ପୂର୍ଣ୍ଣିମାଠାରୁ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଏ।
ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। ଖାସ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ମହାପ୍ରଭୁଙ୍କ ବର୍ଷକୁ ଗୋଟିଏ ଥର ପଦ୍ମ ବେଶରେ ସଜ୍ଜିତ କରାଯାଏ। ସପ୍ତଦଶ ଶତାବ୍ଦୀରୁ ଏହି ବେଶ ହୋଇ ଆସୁଛି ବୋଲି ଗବେଷକମାନେ ମତ ଦିଅନ୍ତି । ଯାହାର ପ୍ରବର୍ତ୍ତକ ହେଉଛନ୍ତି ବଡଛତା ମଠର ସନ୍ଥ ରଘୁବର ଦାସ । ତାଙ୍କ ସମୟରୁ ହିଁ ଏହି ବେଶର ସମସ୍ତ ଖର୍ଚ୍ଚ ମଠ ବହନ କରି ଆସୁଛି। ସେବେଠାରୁ ନିରବଚ୍ଛିନ୍ନ ଭାବେ ଏହି ବେଶ କରାଯାଉଛି। ସୋଲ, କନା, କଇଥ ଅଠା, ରଙ୍ଗରେ ଆରମ୍ଭ ହୁଏ ବେଶ। ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତ ସରି ରାତିରେ ଚନ୍ଦନଲାଗି ଓ ବଡ଼ସିଂହାର ବେଶ ସମୟରେ ଏହି ବେଶ ଅନୁଷ୍ଠିତ ହୁଏ। ବେଶ ପରେ ଶ୍ରୀଜିଉଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖିରି ଓ ଅମାଲୁ ଭୋଗ ଲାଗି ହୁଏ।
କିମ୍ବଦନ୍ତୀ ଅନୁସାରେ ଉତ୍ତର ଭାରତର ସନ୍ଥ ମନୋହର ଦାସ। ଶ୍ରୀଜୀଉ ଦର୍ଶନ ପାଇଁ ମାଇଲ ମାଇଲ ଦୂରରୁ ଚାଲିକି ପୁରୀ ଆସୁଥାନ୍ତି । ବାଟରେ ପଦ୍ମ ପୋଖରୀ ଦେଖନ୍ତି। ଶୀତ ଦିନେ ପଦ୍ମ ପୋଖରୀ ପୁଷ୍ପ ପୂର୍ଣ୍ଣ ହୋଇପଡିଥିବାରୁ ସେ ଆଶ୍ଚର୍ଯ୍ୟ ହୁଅନ୍ତି ଓ ମହାପ୍ରଭୁଙ୍କ ନିମିତ୍ତ ପଦ୍ମ ତୋଳି ଦିଅନ୍ତି। ନିଜ ଅଙ୍ଗବସ୍ତ୍ରରେ ଗୁଡ଼ାଇ ଏହାକୁ ଧରି ବାବାଜୀ ଚାଲନ୍ତି ଶ୍ରୀକ୍ଷେତ୍ର । ହେଲେ ପହଞ୍ଚୁ ପହଞ୍ଚୁ ବିଳମ୍ବ ହେବାରୁ ପଦ୍ମ ଫୁଲ ମଉଳି ଯାଇଥାଏ । ସେବକଗଣ ଏହି ଫୁଲ ଲାଗି ହେବା ସମ୍ଭବ ନୁହେଁ କହି ଫିଙ୍ଗି ଦିଅନ୍ତି। ଦୁଃଖରେ ମ୍ରିୟମାଣ ସାଧୁ ସିଂହଦ୍ୱାର ସମ୍ମୁଖରେ ମୂର୍ଚ୍ଛା ଯାନ୍ତି । ଭାବଗ୍ରାହୀ ମହାପ୍ରଭୁ ଜଗନ୍ନାଥ ଭକ୍ତର ଦୁଃଖ ବୁଝନ୍ତି ଆଉ ସ୍ୱପ୍ନାଦେଶ ହୁଏ ସେହି ମଉଳି ଯାଇଥିବା ପଦ୍ମ ଫୁଲରେ ଶ୍ରୀଅଙ୍ଗ ଶୃଙ୍ଗାର ପାଇଁ । ମନ୍ଦିରକୁ ଦଉଡି ଆସନ୍ତି ଗଜପତି । ମଉଳି ଯାଇଥିବା ପଦ୍ମ ଲାଗି ହୁଅନ୍ତି ବଡଠାକୁର । ଶୁଷ୍କ ଫୁଲ ଜୀବନ ପାଏ। ଅଶ୍ରୁପାତ ହୁଏ ସାଧୁଙ୍କର। ସେବେଠାରୁ ଆରମ୍ଭ ହୁଏ ପଦ୍ମବେଶ ପରମ୍ପରା । ହେଲେ ଶୀତ ଋତୁରେ ପଦ୍ମ ସଂଗ୍ରହ ସମ୍ଭବ ନୁହେଁ ଭାବି ବଡ଼ଛତା ମଠର ତତ୍କାଳୀନ ମହନ୍ତ ରଘୁବର ଦାସ ଆରମ୍ଭ କରନ୍ତି ଭିନ୍ନ ପରମ୍ପରା। ସୋଲ, କନା, କଇଥ ଅଠା, ରଙ୍ଗରେ ଆରମ୍ଭ ହୁଏ ବେଶ। ସେବେଠାରୁ ନିରବଚ୍ଛିନ୍ନ ଭାବେ ଏହି ବେଶ ଅନୁଷ୍ଠିତ ହେଉଛି। ଏହା ଶ୍ରୀଜୀଉଙ୍କ ଏକ ଆକର୍ଷଣୀୟ ବେଶ। ଯେଉଁଥିରେ ତିନି ଠାକୁରେ ତିନି ପ୍ରସ୍ପୁଟିତ ପଦ୍ମ ହୋଇ ରତ୍ନସିଂହାସନରେ ଛିଡା ହୋଇଥାନ୍ତି । ଏବଂ ଦୁଇ ଯୋଡ଼ା ହଂସ ପଦ୍ମରୁପି ମହାପ୍ରଭୁଙ୍କୁ ଚୁମ୍ବନ ଦେବା ଢଙ୍ଗରେ ରହିଥାନ୍ତି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଭକ୍ତମାନେ ଚାତକ ପରି ଚାହିଁ ରହିଥାନ୍ତି ।