Spread the love

ଗ୍ରାମରକ୍ଷୀଙ୍କ ମହନୀୟତା….. ରକ୍ତଦାନ କରି ଗୁରୁତର ଶିଶୁର ପ୍ରାଣରକ୍ଷା କଲେ ପାରଳାଖେମୁଣ୍ଡି, 21/5(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଜଣେ ଗ୍ରାମରକ୍ଷୀଙ୍କ ମହନୀୟତା ଯୋଗୁଁ ଜଣେ ଗୁରୁତର ଶିଶୁର ପ୍ରାଣରକ୍ଷା ହୋଇଥିବା ଜଣା ପଡିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ଦୁର୍ଗମ ଗ୍ରାମାଞ୍ଚଳରୁ ଆସିଥିବା 9 ବର୍ଷୀୟ ଶିଶୁ ରକ୍ତହୀନତା ରୋଗରେ ପୀଡ଼ିତ ହୋଇ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଶିଶୁଟିର ଜୀବନରକ୍ଷା ପାଇଁ ଦୁଇ ୟୁନିଟ୍ ରକ୍ତର ଆବଶ୍ୟକତା ଥିଲା | ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୟୁନିଟ୍ ରକ୍ତ ମାଗଣାରେ ଯୋଗାଇ ଦିଆଯାଇଥିବା ବେଳେ ଅନ୍ୟ ଏକ ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ପରିବାର ଚିନ୍ତାରେ ପଡ଼ିଥିଲେ। ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ କାର୍ଯ୍ୟରତ ଏସ୍‌ଆଇ ପ୍ରଫୁଲ୍ଲ ଜାଗାରାଙ୍ଗାଙ୍କୁ ପରିବାର ପକ୍ଷରୁ ନିବେଦନ କରାଯାଇଥିଲା। ହାବିଲଦାର କନ୍ଦର୍ପ ପାତ୍ରଙ୍କ ସହଯୋଗରେ ନୂତନ ଭାବେ ନିଯୁକ୍ତି ହୋଇଥିବା ଗୃହରକ୍ଷୀ ରକି ମହାରଣା ଆଗେଇ ଆସି ‘ବି’ ପଜିଟିଭର ଏକ ୟୁନିଟ୍ ରକ୍ତଦାନ କରିଥିଲେ। ଫଳରେ ପୀଡ଼ିତ ଗୁରୁତର ଶିଶୁଟି ଆବଶ୍ୟକ ରକ୍ତ ପାଇ ସୁସ୍ଥ ହୋଇଥିଲେ ।
ସ୍ଥାୟୀ ଡାକ୍ତର ଫାର୍ମାସିଷ୍ଟ ନିଯୁକ୍ତି ଦାବିରେ ଗାରାବନ୍ଧ ଠାରେ ରାସ୍ତା ଅବରୋଧ ଓ ବିକ୍ଷୋଭ ପ୍ରଦଶନ
ପାରଳାଖେମୁଣ୍ଡି, 21/5(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାର ଗାରାବନ୍ଧ ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟସେବା। ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଜୀବନ ବିପନ୍ନ ହେଉଥିବା କାରଣରୁ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଅଞ୍ଚଳବାସୀ । ପାରଳାଖେମୁଣ୍ଡି ବ୍ରହ୍ମପୁର ମୂଖ୍ୟ ରାସ୍ତାର ଗାରାବନ୍ଧ ଠାରେ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରି ସ୍ଥାୟୀ ଡାକ୍ତର, ଫାର୍ମାସିଷ୍ଟ ନିଯୁକ୍ତି, ସ୍ବାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ନିୟୋଜିତ ସହ ୨୪ ଘଣ୍ଟା ମେଡିକାଲ ଖୋଲିବା ଦାବୀ ରଖି ସକାଳ 7 ଘଣ୍ଟା ଠାରୁ 11.30 ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ । ଦାବି ଥିଲା ଉତ୍ତମ ସ୍ୱାସ୍ଥ୍ୟ ସେବା ସହ ସମସ୍ତ ବ୍ୟବସ୍ତା ଯୋଗାଇଦେବା । ହେଲେ ଦୀର୍ଘ 8 ମାସ ହେଲା ଏହି ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ କର୍ଣ୍ଣପାତ କରୁନଥିବାରୁ ଶେଷରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିଲେ ଲୋକେ । ଫଳରେ ପାରଳାଖେମୁଣ୍ଡି-ବ୍ରହ୍ମପୁର ରାଜ୍ୟରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିବା ବେଳେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦୀର୍ଘ ୪ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତା ଅବରୋଧ ହୋଇଥିବା ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା, ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ମହାପାତ୍ର ଏବଂ ପୋଲିସ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ତଥା ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ହଟିବୁ ନାହିଁ ବୋଲି ଲୋକେ ଜିଦ୍ ଧରିଥିଲେ । ଶେଷରେ ପ୍ରଶାସନିକ ଅଧିକାରୀ ଓ ମେଡିକାଲ କର୍ତ୍ତୃପକ୍ଷ ଆପୋଷ ଆଲୋଚନା ପରେ ଦାବୀ ଗୁଡିକୁ ଶୀଘ୍ର ପୁରଣ କରାଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ରାସ୍ତାରୋକରୁ ହଟିଥିଲେ ଆନ୍ଦୋଳନକାରୀ । ଗାରାବନ୍ଧ ଅଞ୍ଚଳର ଜନସାଧାରଣଙ୍କ ଏହି ଆନ୍ଦୋଳନ ସମୟରେ ଅଞ୍ଚଳର ସମସ୍ତ ଦୋକାନ ବଜାର ସମ୍ପୂର୍ଣ ଭାବେ ବନ୍ଦ ଥିଲା.

Leave a Reply

Your email address will not be published. Required fields are marked *