Spread the love

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଆସ୍ଥା ଓ ନିଷ୍ଠାର ସମାହାର

ପ୍ରଦୀପ କୁମାର ପଣ୍ଡା
ଦର୍ଶନ ସମୀକ୍ଷା, ଭୁବନେଶ୍ୱର

ପରିକ୍ରମା ପ୍ରକଳ୍ପ ଲୋକାର୍ପିତ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଗଜପତି ମହାରାଜାଙ୍କ ଉପସ୍ଥିତିରେ ଲୋକାର୍ପଣ କଲେ ମୂଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ପୂର୍ଣ୍ଣାହୁତି ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ହୋମ ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିବ ନାମ ସଂକୀର୍ତ୍ତନ ଶୋଭାଯାତ୍ରା। ଏହା ଆଗରୁ ପଞ୍ଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ସଂସ୍କାରିତ ଜଳ ସିଞ୍ଚନ ହୋଇଛି। ଚାରି ଦ୍ୱାରରେ ବେଦ ପାଠ ବି କରାଯାଇଛି ।

କୋଟି କୈବଲ୍ୟନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ପ୍ରତି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ। ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ବାସର ପ୍ରତିଫଳନ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ। ମହାପ୍ରଭୁଙ୍କ ପ୍ରତି ଥିବା ଆସ୍ଥା ଓ ତାଙ୍କ କାମ କରିବା ପାଇଁ ଯେଉଁ ନିଷ୍ଠା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖାଇଛନ୍ତି ତାହା ଅନନ୍ୟ। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ବାଧାବିଘ୍ନକୁ ଦୂର କରି ପ୍ରକଳ୍ପର ‌ଲୋକାର୍ପଣ ଉତ୍ସବ ଆୟୋଜନ କରିବାଲାଗି ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଏହି ପ୍ରକଳ୍ପ ସହ ସମ୍ପୃକ୍ତ ସମସ୍ତ କର୍ମଚାରୀ, ଶ୍ରମିକଙ୍କୁ ଉତ୍ସାହିତ କରିଛି। ପୁରୀବାସୀଙ୍କ ତ୍ୟାଗ, ସେବାୟତଙ୍କ ଆଗ୍ରହ ଏପରି ଏକ ମହତ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଯାଉଛି।

୨୦୨୧ ନଭେମ୍ବର ୨୪ ତାରିଖ ଥିଲା ଏକ ଐତିହାସିକ ଦିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ମହାରାଜାଙ୍କ ଉପସ୍ଥିତିରେ ବହୁ ପ୍ରତୀକ୍ଷିତ ତଥା ଅଦ୍ବିତୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏଥିପାଇଁ ତିନିଦିନ ଧରି ଚାଲିଥିଲା ମହାଯଜ୍ଞ। ଏହି ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ପରିଧିରେ ଜମି ଦେଇଥିବା ୧୮ଟି ମଠର ମହନ୍ତ ଓ ୧୦୮ଜଣ ବ୍ୟକ୍ତିଗତ ଜମିଦାତାଙ୍କୁ ବି ସମ୍ବର୍ଦ୍ଧିତ କରାଯାଇଥିଲା। ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସର ରୁପା ସ୍ମୃତିଫଳକ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ, ଶିରି କପଡ଼ା, ଫୁଲ, ତୁଳସୀ, ନିର୍ମାଲ୍ୟ, ରଥ କାଠ, ରଥ ଦଉଡ଼ି, ଶରଧାବାଲିର ବାଲି ଆଦି ଦେଇ ସମ୍ମାନିତ କରାଯାଇଥିଲା। ସୂଚନାଯୋଗ୍ୟ, ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ ପାଇଁ ଅବଢ଼ା ଯୋଜନାରେ ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ୨୨ଟି ପ୍ରକଳ୍ପ ପାଇଁ ୩୨ଶହ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ୨୦୧୯ ଅକ୍ଟୋବର ୧୯ରେ ଏହା ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଲାଭ କରିଥିଲା। ଏଥିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉନ୍ନତୀକରଣ ସହ ଅନ୍ୟାନ୍ୟ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା।

Leave a Reply

Your email address will not be published. Required fields are marked *