ମନ୍ଥର ହେଉଛି ଦେଶର ଆର୍ଥିକ ଅଭିବୃଦ୍ଧି : ସର୍ବନିମ୍ନ ସ୍ତରରେ ଘରୋଇ ସଞ୍ଚୟ,ଦେଶର ଆର୍ଥିକ ମେରୁଦଣ୍ଡ କୁହାଯାଉଥିବା ମଧ୍ୟବିତ୍ତ ଶ୍ରେଣୀଙ୍କ ସ୍ଥିତି ଏବେ ବିପଦରେ। ସମ୍ପ୍ରତି ଦେଶରେ ମଧ୍ୟବିତ୍ତ ଶ୍ରେଣୀଙ୍କ ସଂଖ୍ୟା ୭୫ ନିୟୁତ ଓ ୨୦୩୦ ସୁଦ୍ଧା ଏହା ମୋଟ ପରିବାରର ୪୭%ରେ ପହଞ୍ଚିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରୁଛନ୍ତି-ପ୍ରଦୀପ କୁମାର ପଣ୍ଡା ଅର୍ଥନୀତିଜ୍ଞ ଭୁବନେଶ୍ୱର

Spread the love

ମନ୍ଥର ହେଉଛି ଦେଶର ଆର୍ଥିକ ଅଭିବୃଦ୍ଧି : ସର୍ବନିମ୍ନ ସ୍ତରରେ ଘରୋଇ ସଞ୍ଚୟ

ଦେଶର ଆର୍ଥିକ ମେରୁଦଣ୍ଡ କୁହାଯାଉଥିବା ମଧ୍ୟବିତ୍ତ ଶ୍ରେଣୀଙ୍କ ସ୍ଥିତି ଏବେ ବିପଦରେ। ସମ୍ପ୍ରତି ଦେଶରେ ମଧ୍ୟବିତ୍ତ ଶ୍ରେଣୀଙ୍କ ସଂଖ୍ୟା ୭୫ ନିୟୁତ ଓ ୨୦୩୦ ସୁଦ୍ଧା ଏହା ମୋଟ ପରିବାରର ୪୭%ରେ ପହଞ୍ଚିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରୁଛନ୍ତି। ମାତ୍ର ଦେଶର ସାମ୍ପ୍ରତିକ ସ୍ଥିତି ଏହି ବର୍ଗର ଆର୍ଥିକ ଅବସ୍ଥାକୁ ଦୁର୍ବଳ କରିଚାଲିଛି। ଦରଦାମ ବୃଦ୍ଧି, ମୁଦ୍ରାସ୍ଫୀତି ତୁଳନାରେ ଆୟ ବୃଦ୍ଧି ନ ହେବା, ନିଯୁକ୍ତି ସୁଯୋଗ ହ୍ରାସ ଏକ ସାମାଜିକ ସମସ୍ୟା ସୃଷ୍ଟି କରିଛି। ଏହି ସମୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଉପଯୋଗ ଏହି ବର୍ଗର ନିଯୁକ୍ତିକୁ ଅଧିକ ସଂକୁଚିତ କରିବାର ଆଶଙ୍କା ସୃଷ୍ଟି କରିଛି। ଯାହାଫଳରେ ଏହି ବର୍ଗ ଜଟିଳ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ଏବଂ ଏହାର ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ଭାରତର ଅର୍ଥନୀତି ଓ ମଧ୍ୟବିତ୍ତଙ୍କ ସ୍ଥିତି ସମ୍ପର୍କରେ ମାର୍ସ ଲସ୍‌ ଇନଭେଷ୍ଟମେଣ୍ଟ ମ୍ୟାନେଜର୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ପ୍ରକାଶିତ ହୋଇଛି ଏପରି ତଥ୍ୟ।

ରିପୋର୍ଟ ଅନୁସାରେ ୨୦୨୩ ନଭେମ୍ବର ମାସ ପରଠାରୁ ଭାରତୀୟ କମ୍ପାନୀଗୁଡ଼ିକର ଆୟ ହ୍ରାସ ପାଇଛି। ଏହାର କାରଣ ହେଉଛି ଦେଶର ମଧ୍ୟବିତ୍ତ ବର୍ଗଙ୍କ ଦ୍ୱାରା ବ୍ୟୟ ହ୍ରାସ। ମଧ୍ୟବିତ୍ତ ବର୍ଗଙ୍କ ପାଖରେ ଅର୍ଥର ଅଭାବ ଥିବାରୁ, ଭାରତୀୟ କମ୍ପାନୀଗୁଡ଼ିକର ଲାଭ ହ୍ରାସ ପାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ତଥ୍ୟ ଅନୁସାରେ ୨୦୨୪ ଆର୍ଥିକବର୍ଷରେ ଘରୋଇ ସଞ୍ଚୟ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ସର୍ବନିମ୍ନ ଅଂଶ ଥିଲା। ଏହା ଗତ ୫୦ ବର୍ଷ ମଧ୍ୟରେ ସର୍ବନିମ୍ନ। ମଧ୍ୟବିତ୍ତ ବର୍ଗଙ୍କ ନିକଟରେ ଯାହା ସଞ୍ଚିତ ଅର୍ଥ ୨୦୨୪ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଯାଇଛି। ବିଗତ ୮ ବର୍ଷ ମଧ୍ୟରେ ଦେଶର ମୁଦ୍ରାସ୍ଫୀତି ତୁଳନାରେ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇନାହିଁ। ୨୦୧୬ ପୂର୍ବରୁ କର୍ମଚାରୀଙ୍କ ଦରମା ମୁଦ୍ରାସ୍ଫୀତି ଅନୁପାତରେ ବୃଦ୍ଧି ପାଉଥିଲା, କିନ୍ତୁ ଏବେ ତାହା ହେଉନାହିଁ। ଫଳରେ ଦେଶ ଏବେ ଆର୍ଥକ ମାନ୍ଦାବସ୍ଥା ଆଡକୁ ମୁହାଁଉଛି। ଜିଡିପିର ୬୦% ଅଂଶ ଥିବା ଉପଭୋକ୍ତା ବ୍ୟବହାର ବା ଉପଯୋଗିତା ହାର ୨୦୨୧-୨୩ପରଠାରୁ ହ୍ରାସ ପାଇଛି। ଗାଡ଼ି, ଘର କିଣା ଓ ଭ୍ରମଣ ଚାହିଦା ବି ହ୍ରାସ ପାଇଛି। ଏପରିକି ୨୦୨୫ ଆର୍ଥିକ ବର୍ଷରେ ନିଫ୍ଟି କମ୍ପାନୀଗୁଡ଼ିକର ଆୟରେ ଏକ ବଡ଼ ହ୍ରାସ ଘଟିଛି ବୋଲି ମାର୍ସ ଲସ୍‌ ଇନଭେଷ୍ଟମେଣ୍ଟ ମ୍ୟାନେଜର୍ସର ପ୍ରତିଷ୍ଠାତା ସୌରଭ ମୁଖାର୍ଜୀ ପ୍ରକାଶ କରିଛନ୍ତି ।

ଏହି ରିପୋର୍ଟ ଅନୁଯାୟୀ, ୨୦୨୦ ପୂର୍ବରୁ ପ୍ରାୟ ୧୦ ବର୍ଷ ବ୍ୟବଧାନରେ ଚାକିରିଜୀବୀଙ୍କ ଆୟରେ ଏକ ବଡ଼ଧରଣର ବୃଦ୍ଧି ଘଟୁଥିଲା। ହାରାହାରି ବାର୍ଷିକ ୬% ହାରରେ ଆୟ ବୃଦ୍ଧି ପାଉଥିଲା। ମାତ୍ର ଆର୍ଥିକ ବର୍ଷ ୨୦୨୦ ପରଠାରୁ ଏହି ଅଭିବୃଦ୍ଧି ପ୍ରତିବର୍ଷ ମାତ୍ର ୩% କୁ ହ୍ରାସ ପାଇଛି। ଆଇଟି, ସଫ୍ଟୱେର୍‌ ଏବଂ ଖୁଚୁରା ବା ରିଟେଲ କ୍ଷେତ୍ରରେ ନିଯୁକ୍ତି ସ୍ଥିର ହୋଇଯାଇଛି। ଭାରତୀୟ ଆଇଟି କମ୍ପାନୀଗୁଡ଼ିକ ଖୋଲାଖୋଲି ଭାବରେ କର୍ମଚାରୀମାନଙ୍କୁ ଛଟେଇ କରୁଛନ୍ତି। ଜୁଲାଇମାସରେ ଟିସିଏସ ପ୍ରାୟ ୧୨,୦୦୦ ଛଟେଇ ଘୋଷଣା କରିଥିଲା। ଅଧା ଲୋକଙ୍କୁ ଚାକିରିରୁ ବିଦା କରିବାକୁ ଏଚ୍‌ସିଏଲ୍‌ ଲକ୍ଷ୍ୟ ରଖିଛି । ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଅନୁରୂପ ଧାରାରେ ଚାଲିଛନ୍ତି। ତେଣୁ ଦରମା ବୃଦ୍ଧି, ଚାକିରି ସୁଯୋଗ ବୃଦ୍ଧି ନ ଘଟେ ତେବେ ଭାରତରେ ମଧ୍ୟବିତ୍ତ ବର୍ଗର ଆର୍ଥିକ ଅବସ୍ଥା ଆହୁରି ଖରାପ ହୋଇଯାଇପାରେ, ଯାହା ଦେଶର ପ୍ରଗତିକୁ ରୋକିପାରେ ବୋଲି ଏଥିରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *