Spread the love

ପ୍ରତିଷ୍ଠିତ ଇନ୍ଦରଜିତ୍ ଖୁରାନା ଜାତୀୟ ପୁରସ୍କାର–୨୦୨୬ରେ ସମ୍ମାନିତ ହେଲା ପିକକ୍

ଭୁବନେଶ୍ବର, ୨୫ ନଭେମ୍ବର ୨୦୨୬: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ଶିଶୁ ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ) ଶିଶୁମାନଙ୍କ କଲ୍ୟାଣ, ବିକାଶ, ଶିକ୍ଷା ଓ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସପ୍ତମ ଇନ୍ଦରଜିତ ଖୁରାନାଁ ଜାତୀୟ ପୁରସ୍କାର-୨୦୨୬ ଲାଭ କରିଛି।

ରୁଚିକା ସୋସିଆଲ ସର୍ଭିସ ଅର୍ଗାନାଇଜେସନ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ସମ୍ମାନଜନକ ପୁରସ୍କାରରେ ୧ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ସ୍ମୃତିଚିହ୍ନ ରହିଛି। ମଙ୍ଗଳବାର ଦିନ ଭୁବନେଶ୍ବର ସ୍ଥିତ ବୁଦ୍ଧ ମନ୍ଦିରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ବରିଷ୍ଠ ଗାନ୍ଧୀବାଦୀ ତଥା ସର୍ବୋଦୟ ନେତା ଶ୍ରୀ ପ୍ରହ୍ଲାଦ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଜୟ କିଷାନ ଟ୍ରଷ୍ଟର ଅଧ୍ଯକ୍ଷା ତଥା ମହିଳା ଓ ଶିଶୁ ବିକାଶ ବିଭାଗର ପୂର୍ବତନ ପରାମର୍ଶଦାତା ଶ୍ରୀମତୀ ସୁମିତ୍ରା ଜେନା ଏବଂ ଚାଇଲ୍ଡଫଣ୍ଡ ଇଣ୍ଡିଆର ଆଞ୍ଚଳିକ ମୁଖ୍ୟ ଶ୍ରୀ ସଞ୍ଜୀବ କୁମାର ବେହେରା ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସ୍ବର୍ଗତା ଇନ୍ଦରଜିତ୍ ଖୁରାନାଙ୍କୁ ସ୍ମରଣ କରି ଶ୍ରୀ ପ୍ରହ୍ଲାଦ କୁମାର ସିଂହ ବଞ୍ଚିତ ଓ ଅବହେଳିତ ଶିଶୁମାନଙ୍କ ସେବା ନିମନ୍ତେ ତାଙ୍କର ଜୀବନବ୍ୟାପୀ ସମର୍ପିତ ଅବଦାନ ଉପରେ ଆଲୋକପାତ କରିଥିଲେ। ରୁଚିକା ସୋସିଆଲ୍ ସର୍ଭିସ୍ ଅର୍ଗାନାଇଜେସନ୍‌ର ସମ୍ପାଦକ ଶ୍ରୀ ଉମାଶଙ୍କର ଷଡ଼ଙ୍ଗୀ ସୂଚନା ଦେଇଥିଲେ ଯେ, ଏକ ଉଚ୍ଚସ୍ତରୀୟ ବିଚାରକ ମଣ୍ଡଳୀ ଜାତୀୟ ପୁରସ୍କାର ପାଇଁ ପିକକ୍ କୁ ମନୋନୀତ କରିଛନ୍ତି।

ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ପିକକର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତି, ଏହି ସ୍ବୀକୃତି ପାଇଁ ରୁଚିକା ସୋସିଆଲ୍ ସର୍ଭିସ୍ ଅର୍ଗାନାଇଜେସନ୍ ଏବଂ ବିଚାରକ ମଣ୍ଡଳୀଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ। ସେ ସ୍ବର୍ଗତ ଇନ୍ଦରଜିତ୍ ଖୁରାନାଙ୍କ ପ୍ରେରଣାଦାୟୀ ଅବଦାନକୁ ସ୍ମରଣ କରିଥିଲେ। ରାସ୍ତାକଡ଼ ଏବଂ ବିଭିନ୍ନ ଦୃଷ୍ଟିରୁ ଅବହେଳିତ ଶିଶୁମାନଙ୍କ ନିମନ୍ତେ କାର୍ଯ୍ୟ କରିବା ସହ ସେମାନଙ୍କୁ ମୁଖ୍ୟସ୍ରୋତର ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ଦିଗରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ସେ ଉଲ୍ଲେଖ କରିଥିଲେ। ଏଥିସହିତ, ପୁରସ୍କାର ବାବଦକୁ ମିଳିଥିବା ଏକ ଲକ୍ଷ ଟଙ୍କା ରାସ୍ତାକଡ଼ ଓ ବସ୍ତି ଅଞ୍ଚଳର ଶିଶୁମାନଙ୍କ ଶିକ୍ଷାର ସ‌ହାୟତା ନିମନ୍ତେ ବିନିଯୋଗ କରାଯିବ ବୋଲି ସେ ଘୋଷଣା କରିଥିଲେ।

ପିକକର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି, କୋଷାଧ୍ୟକ୍ଷା ଶ୍ରୀମତୀ ରନ୍ଧା ଦାଶ ଏବଂ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଜ୍ୟୋତି ଶଙ୍କର ମହାନ୍ତିଙ୍କ ସହିତ ଶ୍ରୀ ପ୍ରଭାତ କୁମାର ସାହୁ, ବିଜୟ କୁମାର ସେନାପତି ଏବଂ ଯୁବ ଓ କିଶୋର-କିଶୋରୀ ଗୋଷ୍ଠୀର ସଦସ୍ୟମାନଙ୍କ ଉପସ୍ଥିତିରେ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତି ଏହି ପୁରସ୍କାର ଗ୍ରହଣ କରିଥିଲେ।

ଏହି ଜାତୀୟ ସମ୍ମାନ ପିକକ ର ସମସ୍ତ କର୍ମକର୍ତ୍ତା, ସ୍ଵେଚ୍ଛାସେବୀ, ସମୁଦାୟର ସଦସ୍ୟ ଓ ସ‌ହ‌ଯୋଗୀମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହା ପ୍ରତ୍ୟେକ ଶିଶୁର ଶିକ୍ଷା, ସୁରକ୍ଷା, ଅଂଶଗ୍ରହଣ ଓ ମର୍ଯ୍ୟାଦାପୂର୍ଣ୍ଣ ଶୈଶବ ସୁନିଶ୍ଚିତ କରିବା ପାଇଁ ପିକକ୍ ର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି।

ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍)

ଭୁବନେଶ୍ବର, ଓଡ଼ିଶା