Spread the love

ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରଶିକ୍ଷଣ
ଚାରୋଟି ଟ୍ରେଡ୍ ର ବ୍ୟବହାରିକ ଦକ୍ଷତା ତାଲିମ୍ ପ୍ରଦାନ

ଭୁବନେଶ୍ବର, ୧୬ ନଭେମ୍ବର ୨୦୨୬ : ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଓ ଧନ୍ଦାମୂଳକ ଅଧ୍ୟାପକମାନଙ୍କ ପାଇଁ ପାଞ୍ଚ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ CTTC ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ (IHM)ଠାରେ ଆରମ୍ଭ ହୋଇଯାଇଛି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଏହି ପ୍ରଶିକ୍ଷଣର ଆୟୋଜନ କରାଯାଇଛି । ଏହି ପ୍ରଶିକ୍ଷଣରେ ଏଭିଟି (Audio-visual training), ଡିପି (Drone Pilot), କ୍ୟାଟେରିଂ, ରେସ୍ତୋରାଁ ପରିଚାଳନା, ପର୍ଯ୍ୟଟନ ଓ ଆତିଥ୍ୟ ଟ୍ରେଡ୍ ର ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଯୋଗ ଦେଇଛନ୍ତି । ବ୍ୟବହାରିକ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ନଭେମ୍ବର ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଚାଲିବ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ, ଉପନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ, ନିର୍ଦ୍ଦେଶାଳୟର ରିସର୍ଚ୍ଚ ଆସିସଟାଣ୍ଟ ଶ୍ରୀମତୀ ସ୍ମିତାରେଖା ମହାନ୍ତି, ସିଟିଟିସି ସିନିୟର ମ୍ୟାନେଜର୍ (ଟ୍ରେନିଂ) କେ.ଏମ୍ ରାଜନ୍ ଙ୍କ ସମେତ ଆଇ.ଏଚ୍. ଏମ୍ ଅଧ୍ୟକ୍ଷ ଶ୍ରୀମତୀ ଶାରଦା ଘୋଷ୍ ପ୍ରମୁଖ ଉପସ୍ଥିତ ଥିଲେ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ସିଟିଟିସି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ନିର୍ଦ୍ଦେଶକ ଶ୍ରୀମତୀ ପଟ୍ଟନାୟକ ଧନ୍ଦାମୂଳକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ଏଥିସହ ବିଦ୍ୟାଳୟ ଗୁଡିକରେ ଲ୍ୟାବ୍ ଗୁଡିକର ସୁପରିଚାଳନା, ଧନ୍ଦାମୂଳକ ଶିକ୍ଷାନୁଷ୍ଠାନକୁ ସଶକ୍ତ କରିବାରେ ବିଭାଗ ସର୍ବଦା ପ୍ରୟାସ କରି ଆସୁଥିବା ସେ ସୂଚନା ଦେଇଥିଲେ । ଏଥିସହ ଏହିଭଳି ପ୍ରଶିକ୍ଷଣ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଜ୍ଞାନ ଏବଂ ନିଯୁକ୍ତିଯୋଗ୍ୟ ଦକ୍ଷତା ଉଭୟ ହାସଲ କରିବାରେ ସହାୟତା କରିବ ବୋଲି ସେ କହିଛନ୍ତି ।

ସେହିପରି ଶ୍ରୀ ଜିତେନ୍ଦ୍ର ନାୟକ ଉଚ୍ଚମାନର ବ୍ୟବହାରିକ ପ୍ରଶିକ୍ଷଣ ସୁନିଶ୍ଚିତ କରିବା ପାଇଁ ସିଟିଟିସି ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ଭଳି ପ୍ରମୁଖ ପ୍ରତିଷ୍ଠାନର ସହଯୋଗକୁ ପ୍ରଶଂସା କରିବା ସହ ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଏଥିସହ ତାଲିମ୍ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନକୁ ଗୁରୁତ୍ବ ଦେଇଛନ୍ତି । ସିଟିଟିସିର ସିନିୟର୍ ମ୍ୟାନେଜର (ଟ୍ରେନିଂ) ଶ୍ରୀ କେ.ଏମ୍. ରାଜନ, ଛାତ୍ରଛାତ୍ରୀଙ୍କ ଉତ୍ସାହକୁ ପ୍ରଶଂସା କରିଥିଲେ ଏବଂ ଏକ ଦକ୍ଷ କର୍ମଶକ୍ତି ସୃଷ୍ଟି କରିବାର ରାଜ୍ୟର ଦୃଷ୍ଟିକୋଣକୁ ସମର୍ଥନ କରିବା ପାଇଁ ସିଟିଟିସି ସହଯୋଗ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । ସେହିପରି ଆଇ.ଏଚ୍. ଏମ୍ ଅଧ୍ୟକ୍ଷ ଶ୍ରୀମତୀ ଶାରଦା ଘୋଷ୍ ଆଗାମୀ ଦିନରେ ଆତିଥ୍ୟ ଓ ପର୍ଯ୍ୟଟନ ଶିଳ୍ପ ଏକ ଦ୍ରୁତ ବିକାଶଶୀଳ କ୍ଷେତ୍ର ଭାବେ ଉଭା ହେବା ସହ ଯୁବପିଢ଼ିଙ୍କ ପାଇଁ ଅସୀମ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ସିଟିଟିସ ପ୍ରଶିକ୍ଷଣରେ ସାତୋଟି ଜିଲ୍ଲା- ବାଲେଶ୍ବର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଦେବଗଡ଼, ଅନୁଗୋଳ, ଜଗତସିଂହପୁର ଜିଲ୍ଲାରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଯୋଗ ଦେଇଛନ୍ତି । ସେହିପରି ଆଇ.ଏଚ୍.ଏମ୍ ଠାରେ ବରଗଡ, କୋରାପୁଟ, କନ୍ଧମାଳ, ଖୋର୍ଦ୍ଧା, ବଲାଙ୍ଗୀର, ସୁନ୍ଦରଗଡ଼, କଳାହାଣ୍ଡିରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଯୋଗ ଦେଇଛନ୍ତି ।

ରୋଜାଲିନ୍ ସାହୁ
ଲୋକସମ୍ପର୍କ ଅଧିକାରୀ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ