Spread the love

କନ୍ଧମାଳ : PIB ପକ୍ଷରୁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ..ଏବଂ ମାଓବାଦ ପ୍ରଭାବିତ ଅଞ୍ଚଳରେ ସ୍ଥାୟୀ ଶାନ୍ତି ପାଇଁ ବିକାଶ ହିଁ ମୁଖ୍ୟ ଆଧାର: PIB ଏଡିଜି ଅଖିଳ ମିଶ୍ର ଙ୍କ ବାର୍ତ୍ତା..

କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା

ଜିଲ୍ଲା କେ ପି ସାଲୁଙ୍କି ହୋଟେଲ ରେ କନ୍ଧମାଳ ଜିଲ୍ଲା ଆରକ୍ଷକ ଅଧିକାରୀ ହରିଶବିଶି ଙ୍କ ନେତୃତ୍ୱ ରେ ମାଓବାଦୀ ହିଂସାରୁ ଶାନ୍ତି, ପ୍ରଗତି ଓ ସାମାଜିକ-ଆର୍ଥିକ ପରିବର୍ତ୍ତନ ଦିଗରେ କନ୍ଧମାଳ ଜିଲ୍ଲାର ଯାତ୍ରାକୁ ନେଇ ଭାରତ ସରକାର ଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (PIB), ଭୁବନେଶ୍ୱର ପକ୍ଷରୁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଆୟୋଜିତ ହେଇଯାଇଛି l କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ପୋଲିସର ସହଯୋଗରେ ଆୟୋଜିତ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମାଓବାଦ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା, ସୁଶାସନ ଓ ସାମାଜିକ-ଆର୍ଥିକ ବିକାଶରେ ହୋଇଥିବା ପରିବର୍ତ୍ତନକୁ ଲୋକଲୋଚନକୁ ଆଣିବା l କର୍ମଶାଳାରେ PIB ଓ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ କମ୍ୟୁନିକେସନ୍ (CBC), ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ l କନ୍ଧମାଳ ଏସ୍‌ପି ରାମେନ୍ଦ୍ର ପ୍ରସାଦ, ବାଲିଗୁଡ଼ା ଏସ୍‌ଡିପିଓ ଶୁଭମ ସଞ୍ଜୟ ଭୋସଲେ, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ଶିକ୍ଷାବିତ୍ ଡ. ଏଲ୍‌ସି ମିଶ୍ର ଏବଂ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆଶିଷ କୁମାର ସରକାର ପ୍ରମୁଖ ଯୋଗଦେଇଥିଲେ l ଏଥିରେ ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀ, ଆତ୍ମସମର୍ପଣ କରିଥିବା କିଛି ପୂର୍ବତନ ମାଓବାଦୀ ଏବଂ କନ୍ଧମାଳ ସମେତ ପଡ଼ୋଶୀ ଅଞ୍ଚଳର ସାମ୍ବାଦିକମାନେ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ଏଡିଜି ଶ୍ରୀ ମିଶ୍ର କହିଥିଲେ ଯେ, ୩୧ ମାର୍ଚ୍ଚ ୨୦୨୬ରେ ଭାରତ ସରକାରଙ୍କ ଘୋଷଣା ପରେ ପୂର୍ବତନ ମାଓବାଦ ପ୍ରଭାବିତ ଜିଲ୍ଲାଗୁଡ଼ିକର ବିକାଶମୂଳକ ପ୍ରଗତିର ସମୀକ୍ଷା ଏହି ବିଶେଷ କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ l ମାଓବାଦ ପ୍ରଭାବିତ ଅଞ୍ଚଳରେ ୧୫,୧୯୯ କିଲୋମିଟର ରାସ୍ତା ନିର୍ମାଣ, ୯,୪୯୭ଟି ମୋବାଇଲ୍ ଟାୱାର ସ୍ଥାପନ ଏବଂ ୧,୮୦୪ଟି ବ୍ୟାଙ୍କ ଶାଖା ଉପଲବ୍ଧ ହେବା ଭଳି ସଫଳତା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ l ଏହି ବିକାଶମୂଳକ ପରିବର୍ତ୍ତନକୁ ଗଣମାଧ୍ୟମ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଭୟର ମନୋଭାବ ଦୂର କରିବା ଏବଂ ସ୍ଥାନୀୟ ଲୋକଙ୍କ ଅଭିଯୋଗର ସମାଧାନ ଉପରେ ସେ ଗୁରୁତ୍ୱ ଦେଇଥିଲେ l କନ୍ଧମାଳ ଏସ୍‌ପି ରାମେନ୍ଦ୍ର ପ୍ରସାଦ ଜିଲ୍ଲାରେ ମାଓବାଦ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ପୋଲିସର ସଫଳତା ବର୍ଣ୍ଣନା କରି କହିଥିଲେ ଯେ, ୨୦୨୫ରେ ଜିଲ୍ଲାରେ ୧୦୦ରୁ ଅଧିକ ସକ୍ରିୟ ମାଓବାଦୀ ଥିବାବେଳେ ୨୦୨୬ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା ଏକ ଅଙ୍କକୁ ହ୍ରାସ ପାଇଛି l ଏଥିରେ ଏସ୍‌ଓଜି, ଡିଭିଏଫ୍‌, ଗୁଇନ୍ଦା ବିଭାଗ ଓ ଜିଲ୍ଲା ପୋଲିସର ସମନ୍ୱିତ ପ୍ରୟାସ ସହ ସୁରକ୍ଷା କର୍ମୀଙ୍କ ବଳିଦାନର ଅବଦାନ ରହିଛି l “ହିଂସା କେବେବି ସମାଧାନର ପଥ ନୁହେଁ” ବୋଲି ଉଲ୍ଲେଖ କରି ସେ ଗଣତାନ୍ତ୍ରିକ ଉପାୟରେ ସମସ୍ୟାର ସମାଧାନ, ଆତ୍ମସମର୍ପଣକାରୀ ମାଓବାଦୀଙ୍କ ଥଇଥାନ ଓ ସ୍ଥାୟୀ ଶାନ୍ତି ପାଇଁ ସାମୂହିକ ପ୍ରୟାସ ଉପରେ ଆହ୍ୱାନ ଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ ଜିଲ୍ଲାରେ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଓ ଜନସାଧାରଣଙ୍କ ଅଭିଯୋଗର ସମାଧାନ ସମ୍ପର୍କରେ ଆଲୋକପାତ କରିଥିଲେ l ୫୦୦ରୁ ୬୦୦ ଜଣ ହିତାଧିକାରୀଙ୍କ ପେନସନ୍ ସମ୍ପର୍କିତ ଦୀର୍ଘଦିନର ବକେୟା ମାମଲାର ସମାଧାନ ସହ ସମ୍ପ୍ରତି ପ୍ରତିକୂଳ ପାଣିପାଗରେ ପ୍ରଭାବିତ ପରିବାରଙ୍କୁ ସହାୟତା ପ୍ରଦାନ ବିଷୟରେ ସେ କହିଥିଲେ l ଡ. ଏଲ୍‌ସି ମିଶ୍ର କନ୍ଧମାଳରେ ମାଓବାଦର ପ୍ରସାର ପଛରେ ଅର୍ଥନୈତିକ ଅଭାବ ଓ ଭିତ୍ତିଭୂମିର ଅଭାବକୁ ଗୁରୁତ୍ୱପୂର୍ଣ୍ଣ କାରଣ ଭାବେ ଉଲ୍ଲେଖ କରିଥିଲେ l ରାସ୍ତା, ଶିକ୍ଷା ଓ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ସହ ବୃତ୍ତି, ଛାତ୍ରାବାସ ଓ ‘ବିଶ୍ୱାସ, ନିର୍ମାଣ ଓ ଜନକଲ୍ୟାଣ’ ଭଳି ପଦକ୍ଷେପ ସମାବେଶୀ ବିକାଶରେ ସହାୟକ ହେଉଥିବା ସେ କହିଥିଲେ l ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆଶିଷ କୁମାର ସରକାର ‘ରାଇଜ୍ ଆଣ୍ଡ ଫଲ୍ ଅଫ୍ ମାଓଇଜମ୍’ ଶୀର୍ଷକ ଉପସ୍ଥାପନା ମାଧ୍ୟମରେ ଓଡ଼ିଶାରେ ମାଓବାଦର ଉତ୍ପତ୍ତି, ବିକାଶ ଓ ଏହାର ପ୍ରଭାବ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ l ୨୦୦୮ ଫେବୃଆରୀରେ ନୟାଗଡ଼ ଅସ୍ତ୍ରାଗାର ଆକ୍ରମଣ ଏବଂ ୩ ଫେବୃଆରୀ ୨୦୨୪ରେ କାକେରକୁପା ଗ୍ରାମରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଅଭିଯାନର ବିବରଣୀ ଦେଇଥିଲେ l ଏହି ଅଭିଯାନରେ ଇନ୍ସପେକ୍ଟର ଅମରେଶ ଚନ୍ଦ୍ର ନରେନ୍ଦ୍ରଙ୍କ ନେତୃତ୍ୱରେ ସାତଜଣିଆ ପୋଲିସ ଦଳ ମାଓବାଦୀଙ୍କ ସହ ମୁକାବିଲା କରିଥିବାବେଳେ ବରିଷ୍ଠ ମାଓବାଦୀ ଦାସରୁ ଓରଫ୍ ଦୁଦୁ ମୁଣ୍ଡାରୀ ନିହତ ହୋଇଥିଲେ l ଏହି ସମୟରେ ଏଏସ୍‌ଆଇ ଜିତେନ୍ଦ୍ର ନାଏକ ଗୁଳିମାଡ଼ରେ ଆହତ ହେଇଥିଲା l କର୍ମଶାଳାରେ ଆତ୍ମସମର୍ପଣ କରିଥିବା କିଛି ପୂର୍ବତନ ମାଓବାଦୀ ମଧ୍ୟ ନିଜର ଅନୁଭୂତି ବାଣ୍ଟିଥିଲେ l ମାଓବାଦୀ ସଂଗଠନରେ ଯୋଗଦେବା ପଛର ପରିସ୍ଥିତି ଓ ସେଠାକାର ବାସ୍ତବ ଜୀବନ ସମ୍ପର୍କରେ ସେମାନେ ନିଜ ମତ ରଖିବା ସହ ମୁଖ୍ୟସ୍ରୋତକୁ ଫେରିବା ଏବଂ ପୁନର୍ବାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l ପ୍ରାରମ୍ଭରେ CBCର ସହକାରୀ ନିର୍ଦ୍ଦେଶକ ତଥା ‘ବାର୍ତ୍ତାଳାପ’ର ନୋଡାଲ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବାବେଳେ PIB ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l PIB ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି ଓ ମିଡିଆ ଆଣ୍ଡ କମ୍ୟୁନିକେସନ୍ ଅଫିସର ସ୍ୱାଧୀନ ଶକ୍ତି ପ୍ରସାଦ କାର୍ଯ୍ୟକ୍ରମର ସମନ୍ୱୟ ଦାୟିତ୍ୱ ତୁଲାଇଥିଲେ l ଶେଷରେ ସାମ୍ବାଦିକମାନଙ୍କ ସହ ଏକ ଆଲୋଚନା ଅଧିବେଶନ ମଧ୍ୟ ଅନୁଷ୍ଠିତ ହେଇଥିଲା l (ସୂଚନା: PIB ଭୁବନେଶ୍ୱରର ପ୍ରେସ୍ ବିଜ୍ଞପ୍ତି ଆଧାରରେ)