Spread the love

ହଜିଯାଇଥିବା ବ୍ୟାଗ୍ ଫେରିପାଇ ଖୁସି ବ୍ୟକ୍ତ କଲେ ମହିଳା

ଲକ୍ଷ୍ମୀପୂଜା ଅବସରରେ ସୂଚନା କେନ୍ଦ୍ରର ସହାୟତାରେ ପ୍ରାୟ ୫୦୦ ଜଣ ଉପକୃତ

ଢେଙ୍କାନାଳ, ୧୧/୧୧: ଲକ୍ଷ୍ମୀପୂଜା ସମୟରେ ହଜିଯାଇଥିବା ନିଜ ହ୍ୟାଣ୍ଡବ୍ୟାଗ୍ ଫେରିପାଇ ଓଡ଼ାପଡ଼ା ବ୍ଲକ୍ ହାଟିଆବାହାଳ ଗ୍ରାମର ଶ୍ରୀମତୀ ମୀନାକ୍ଷୀ ପ୍ରଧାନ (୩୦) ଖୁସି ବ୍ୟକ୍ତ କରିବା ସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟକୁ ଧନ୍ୟବାଦ ଜଣାଇଛନ୍ତି।

Oplus_131072

ଗତ ନଭେମ୍ବର ୧ ତାରିଖରେ ଲକ୍ଷ୍ମୀପୂଜା ଅବସରରେ ତାଙ୍କର ହ୍ୟାଣ୍ଡବ୍ୟାଗ୍ ହଜିଯାଇଥିଲା। ବ୍ୟାଗ୍‌ରେ ସୁନା ଅଳଙ୍କାର, ନଗଦ ୩୦୦୦ ଟଙ୍କା, ଡେବିଟ୍ କାର୍ଡ, ମୋଟରସାଇକେଲ୍ ଚାବି ଓ ଔଷଧ ଭଳି ମୂଲ୍ୟବାନ ସାମଗ୍ରୀ ରହିଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସହଯୋଗରେ ତାଙ୍କୁ ସମସ୍ତ ସାମଗ୍ରୀ ସୁରକ୍ଷିତ ଭାବେ ଫେରାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ନିକଟରେ ସମାପ୍ତ ହୋଇଥିବା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା କେନ୍ଦ୍ର ସଫଳତାର ସହ ପରିଚାଳନା କରାଯାଇଥିଲା। ଏହି କେନ୍ଦ୍ର ମାଧ୍ୟମରେ ପୂଜା ସମୟରେ ଭିଡ଼ରେ ହଜିଯାଇଥିବା ବ୍ୟକ୍ତିଙ୍କୁ ଖୋଜିବା, ହଜିଯାଇଥିବା ସାମଗ୍ରୀ ଫେରସ୍ତ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରାୟ ୫୦୦ ଜଣଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି, ଶ୍ରୀ ସୁବାସ ଚନ୍ଦ୍ର ବିଶ୍ୱାଳ, ଶ୍ରୀ ହାଣ୍ଡିବନ୍ଧୁ ସାହୁ, ଶ୍ରୀ ଶରତ ଚନ୍ଦ୍ର ବେହେରା, ଶ୍ରୀ ଜୟଗୋପାଳ ବାରିକ, ଶ୍ରୀ ଶିବ ପ୍ରସାଦ ସାହୁ ଓ ଶ୍ରୀ ଅଜିତ ସାମଲ ପୂଜାର ସମଗ୍ର ଅବଧିରେ ନିଷ୍ଠାର ସହ ଏହି ସୂଚନା କେନ୍ଦ୍ରର ପରିଚାଳନା କରିଥିଲେ।