ଗଜପତି ଜିଲ୍ଲା // ପୋଲିସ ଓ ସରକାରୀ ଓକିଲ ସମନ୍ୱୟ ବୈଠକ ପ୍ରଶଂସିତ ହେଲେ ଅଭିଯୋଜନ ଅଧିକାରୀ ଓ ଥାନାଧିକାରୀ ଓ ଓଡିଶା ପ୍ରଶାସନର ବ୍ୟାପକ ସଜାଗ ସତ୍ୱେ ଗଜପତିର 6 ଗୋଟି ଗ୍ରାମର ଶତାଧିକ ଭୋଟର ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଲେ

Spread the love

ଗୁଣାତ୍ମକ ମାମଲା ପରିଚାଳନା ପାଇଁ ପ୍ରଶଂସିତ ହେଲେ ଅଭିଯୋଜନ ଅଧିକାରୀ ଓ ଥାନାଧିକାରୀ

ପୋଲିସ ଓ ସରକାରୀ ଓକିଲ ସମନ୍ୱୟ ବୈଠକ

ପାରଳାଖେମୁଣ୍ଡି, 5/11(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ବଢୁଥିବା ଅପରାଧକୁ କମ କରାଯାଇ କିପରି ସମାଜରେ ଶାନ୍ତି ପ୍ରତିଷ୍ଠା କରାଯାଇପାରିବ, ସେ କଥାକୁ ନଜରରେ ରଖି ଆଜି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନାଙ୍କ ସଭାପତିତ୍ୱରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ତଥା ସରକାରୀ ଓକିଲମାନଙ୍କର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅବକାରୀ ବିଭାଗ ଆରକ୍ଷୀ ଉପ ଅଧିକ୍ଷକ ପ୍ରୀତିଧାରା ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରଞ୍ଚି ବାଗ, ଆର. ଉଦୟଗିରି ଏସ୍ଡିପିଓ ଆଇ.ପି.ଏସ. ରାକେଶ କୁମାର ସାହୁ, ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ତଥା ଅଭିଯୋଜନ ବିଭାଗର ସହ-ନିର୍ଦ୍ଦେଶକ ଡ଼ି.ଅନୁପରାଜ ଆଚାରି ପ୍ରମୁଖ ଉପସ୍ଥିତ ଥିଲେ।

ଆଜିର ଏହି ବୈଠକରେ ମୁଖ୍ୟତଃ ମାମଲାର ତଥ୍ୟାବଳୀ କିପରି ପ୍ରସ୍ତୁତ କରାଯିବା ସହ ତଦନ୍ତ ପ୍ରକ୍ରିୟାରେ ଥିବା ତ୍ରୁଟି-ବିଚ୍ୟୁତିକୁ ସୁଧରାଯିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହିତ ଜନସାଧାରଣଙ୍କୁ କିପରି ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରାଯାଇପାରିବ, ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଏତଦବ୍ୟତୀତ ଏହି ବୈଠକରେ ବିଭିନ୍ନ ସଙ୍ଗିନ ମାମଲାରେ ପୋଲିସ ତଥା ଅଭିଯୋଜକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ କିପରି ଦଣ୍ଡ ହାର ବୃଦ୍ଧି କରାଯାଇପାରିବ ସେ ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ସର୍ବଶେଷରେ ବିଭିନ୍ନ ନ୍ୟାୟାଳୟରେ ମାମଲା ପରିଚାଳନା କରି ଅପରାଧୀଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ କରାଇଥିବା ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଆସୋସିଏଟ ଲୟର ସୌମ୍ୟ ସୌରଭ ପଟ୍ଟନାୟକ ଓ ଏପିପି କେ.ଶ୍ରୀନିବାସ ରାଓ ତଥା ଗୁରାଣ୍ଡି ଥାନା ଅଧିକାରୀ ଅଶ୍ବିନୀ ଭିତିରିଆଙ୍କୁ ଶ୍ରୀ ମୀନା ମାନପତ୍ର ଦେଇ ସମ୍ମାନିତ କରି ଭବିଷ୍ୟତରେ ଏଭଳି ଆହୁରି ଉତ୍ତମ କାର୍ଯ୍ୟ କରି ଜନସାଧାରଣଙ୍କ ଆସ୍ଥାଭାଜନ ହେବା ନିମନ୍ତେ ଆହ୍ୱାନ ଦେଇ ବୈଠକ ଶେଷ କରିଥିଲେ।

ଓଡିଶା ପ୍ରଶାସନର ବ୍ୟାପକ ସଜାଗ ସତ୍ୱେ ଗଜପତିର 6 ଗୋଟି ଗ୍ରାମର ଶତାଧିକ ଭୋଟର ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଲେ
ପାରଳାଖେମୁଣ୍ଡି, 5/11(ତାରିଣୀ ପ୍ରସାଦ ପଣ୍ଡା):

ଓଡିଶା ପ୍ରଶାସନର ବ୍ୟାପକ ସଜାଗ, ଚେକପୋଷ୍ଟ, ପେଟ୍ରୋଲିଂ ବ୍ୟବସ୍ଥା ସତ୍ୱେ ଗଜପତି ଜିଲ୍ଲାର 6 ଗୋଟି ଗ୍ରାମର ଶତାଧିକ ଭୋଟର ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଥିବା ସୂଚନା ମିଳିଛି. ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିର୍ଦେଶକ୍ରମେ ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତର 6 ଗୋଟି ଗ୍ରାମରେ ଉପ-ଜିଲ୍ଲାପାଳ ଭଗବତ ସାମଲକଲ୍ୟାଣ ରାଓ, ଏଡିଏମ ଫାଲ୍ଗୁନୀ ମାଝୀ, ରାୟଗଡ ବିଡ଼ିଓ ସନ୍ତୋଷ ବାରିକ, ତହସିଲଦାର ସୁକାନ୍ତ ପ୍ରଧାନ, ଏସଡିପିଓ ମାଧବାନନ୍ଦ ନାୟକ, ଗାରାବନ୍ଧ ଆଇଆଇସି ପ୍ରଶାନ୍ତ କୁମାର ନିଶିକା ପ୍ରମୁଖଙ୍କ ନେତୃତ୍ୱରେ ଆନ୍ଧ୍ର ସୀମାନ୍ତରେ ଥିବା ଗଜପତି ଜିଲ୍ଲାର ମାଣିକପାଟଣା, ମାଧିଆଖୋଲ, ଗୁରୁଖୁଡି, ଗୁରୁସିଂ, ଅମରାସିଂ ଓ ଆଖଡ଼ା ଆଦି 6 ଗୋଟି ଗ୍ରାମରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସମ୍ପୂର୍ଣ ସଜାଗ ରହି ଚେକପୋଷ୍ଟ ଓ ପେଟ୍ରୋଲିଂ ବ୍ୟବସ୍ଥାକୁ ଜୋରଦାର କରିଥିଲେ.

ଯେପରିକି ଏହି ଅଞ୍ଚଳର କୌଣସି ବି ଓଡିଶାର ଗଜପତି ଜିଲ୍ଲାର ଭୋଟର ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ. ତଥାପି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଗଜପତି ଜିଲ୍ଲାର 6 ଗୋଟି ଗ୍ରାମର ଶତାଧିକ ଓଡିଶା ଭୋଟରମାନେ ଭୋଟ ଦେଇଛନ୍ତି ବୋଲି ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତର ସରପଞ୍ଚ ହରିବନ୍ଧୁ କାର୍ଜି ଅତ୍ୟନ୍ତ ଦୃଢତାର ସହ ପ୍ରକାଶ କରିଛନ୍ତି. ଶ୍ରୀ କାର୍ଜି କହିଛନ୍ତିଯେ ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆଖଡ଼ା, ମାଧିଆଖୋଲ 3 ଗୋଟି ଗ୍ରାମର ଲୋକେ ଆନ୍ଧ୍ରର ସାବାକୋଟା ଭୋଟ କେନ୍ଦ୍ରରେ, ଗୁରୁ ସିଂ ଓ ଅମାରଙ୍ଗୀ ଗ୍ରାମର ଭୋଟରମାନେ ସିପି ଭୋଟ କେନ୍ଦ୍ରରେ ଏବଂ ଗୁଡୁଖୁଡି ଗ୍ରାମର ଭୋଟରମାନେ ଆନ୍ଧ୍ର ଗୁଡାରସିଂ ଭୋଟ କେନ୍ଦ୍ରରେ ଆଜି ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ଭୋଟ ପ୍ରଦାନ କରିଛନ୍ତି. ଏହି 6 ଗୋଟି ଗ୍ରାମରୁ ଶତାଧିକ ଗଜପତିବାସୀ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଛନ୍ତି. ଏହାର ମୁଖ୍ୟ କାରଣ ହେଲା ଆନ୍ଧ୍ର ସରକାରଙ୍କ ଆମ୍ମାଓଡି ଯୋଜନାରେ ପାଠ ପଢ଼ୁଥିବା ଛାତ୍ରମାନଙ୍କୁ ବାର୍ଷିକ 15 ହଜାର ଟଙ୍କା, ମାଗଣା ପୋଷାକ ଓ ସମସ୍ତ ବହି ପତ୍ର, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଓଡିଶାରେ 1 ହଜାର ଟଙ୍କା ଦିଆ ଯାଉଥିବା ବେଳେ ଆନ୍ଧ୍ରରେ 4 ହଜାର ଟଙ୍କା ପ୍ରଦାନ ଏଭଳି ଆନ୍ଧ୍ର ସରକାରଙ୍କ ବହୁ ଲାଭଜନକ ଯୋଜନାରେ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକମାନେ ଆଗ୍ରହ ପ୍ରକାଶ କରି ଆନ୍ଧ୍ରର ବିଭିନ୍ନ ନିର୍ବାଚନରେ ଗତ 10 ବର୍ଷରୁ ଉର୍ଦ୍ଧ ହେଲା ଭାଗ ନେଇ ଆସୁଛନ୍ତି ବୋଲି ଗଙ୍ଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଜି ପ୍ରକାଶ କରି କହିଛନ୍ତି ଆଜି ସକାଳେ ଗଜପତି ଜିଲ୍ଲାର ପ୍ରଶାସନିକ ଓ ପୋଲିସଟିମ ପହଞ୍ଚିବା ପୂର୍ବରୁ ଭୋର ସକାଳ 5 ଘଣ୍ଟା ପୂର୍ବରୁ ଉପରୋକ୍ତ ଗ୍ରାମ ଗୁଡିକର ଲୋକମାନେ ଭୋଟ ଦେବାକୁ ଆନ୍ଧ୍ର ଚାଲି ଯାଇଥିଲେ. ହେଲେ ଏହାକୁ ଗଜପତି ଏଡିଏମ ଫାଲ୍ଗୁନୀ ମାଝୀ ଅସ୍ବୀକାର କରିଛନ୍ତି. ସେ କହିଛନ୍ତି ଆଜି ମୋର ନେତୃତ୍ୱରେ ଗୁରୁସିଂ ଓ ଓମାରଙ୍ଗୀ ଠାରେ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ସଜାଗ ରହି ଯେପରି ଏହି ଅଞ୍ଚଳର ଲୋକେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭାଗ ନ ନିଅନ୍ତି ସେଥିପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା. ଏଥିସହ ଅର୍ଣ୍ଣବ ବାତ୍ୟାଜନିତ ରିଲିଫ ପାଇଁ ପ୍ରତି ପରିବାରକୁ 50 କେଜି ଚାଉଳ ଓ 2 ହଜାର 500 ଟଙ୍କା ପ୍ରଦାନ କରାଯାଇଥିଲା. ଏଥିରେ ଏହି 2 ଟି ଗ୍ରାମର ସମସ୍ତ ଲୋକ ଉପସ୍ଥିତ ଥିଲେ. ଠିକ ଏହିପରି ବ୍ୟବସ୍ଥା ଅନ୍ୟ ସମସ୍ତ ଗ୍ରାମରେ ହୋଇଛି. ତେଣୁ ଓଡିଶାର କୌଣସି ଭୋଟର ଆନ୍ଧ୍ର ନିର୍ବାଚନରେ ଭାଗ ନେଇ ନାହାନ୍ତି ବୋଲି ଗଜପତି ଏଡିଏମ ଶ୍ରୀ ମାଝୀ ଅତ୍ୟନ୍ତ ଦୃଢତାର ସହ ପ୍ରକାଶ କରିଛନ୍ତି.

ଏସ୍.କେ.ସି.ଜି. ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ଯୁବା ସମ୍ବାଦ’ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୫.୧୧(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ଏସ୍.କେ.ସି.ଜି. ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମେରା ଯୁବା ଭାରତ, ଗଜପତି ପକ୍ଷରୁ ‘ନିଜ ଭୋଟକୁ ଜାଣନ୍ତୁ’ (Know Your Vote) ବିଷୟବସ୍ତୁକୁ ନେଇ ‘ଯୁବା ସମ୍ବାଦ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି. ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଇଂରାଜୀ ବିଭାଗର ମୁଖ୍ୟ ଡ. ସୁଭାଷ ଚନ୍ଦ୍ର ପ୍ରଧାନ, ଓଡ଼ିଆ ବିଭାଗର ଶ୍ରୀ ବିପ୍ଳବ ରଞ୍ଜନ ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ଯୁବ ଆଇକନ୍ ଶ୍ରୀକାନ୍ତ ବେହେରା ଏବଂ ସାମାଜିକ ଗଣମାଧ୍ୟମ ପ୍ରଭାବକ ଶ୍ରୀ ପୋଲାକି ମଣିକାନ୍ତ ଓ ଶ୍ରୀ ମୋଦି ମୋହନ ରାଓ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ଅତିଥିମାନେ ମତଦାନର ଗୁରୁତ୍ୱ, ମତାଧିକାରର ସଠିକ୍ ବ୍ୟବହାର ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ସମ୍ପର୍କରେ ନିଜର ମତାମତ ରଖିଥିଲେ। ଯୁବପିଢ଼ିଙ୍କୁ ସଚେତନ ଓ ଦାୟିତ୍ୱବାନ ଭୋଟର ଭାବେ ଗଢ଼ିତୋଳିବା ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ।
ଏହାପରେ ଯୁବ ଆଇକନ୍ ଶ୍ରୀକାନ୍ତ ବେହେରା ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ମତଦାନର ମହତ୍ତ୍ୱ, ଭୋଟରଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଯୁବକଯୁବତୀମାନଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ଯୁବକଯୁବତୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯିବା ସହ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ଓ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା।
ଗଜପତି ଜିଲ୍ଲାର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କିଶୋର ଭେମୁଲାୱାଡାଙ୍କ ନିର୍ଦ୍ଦେଶନା ଓ ଉପସ୍ଥିତିରେ ଏବଂ ଏସ୍.କେ.ସି.ଜି. ସ୍ୱୟଂଶାସିତ ମହାବିଦ୍ୟାଳୟର ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।