କନ୍ଧମାଳ : ଗିଡପାବାଲିରେ ଉଦ୍ଧାର କାର୍ଯ୍ୟ: ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର, ମୋଟ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି..ଜିଲ୍ଲାପାଳ ସୂଚନା
କନ୍ଧମାଳ: କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ରାଇକିଆ ବ୍ଲକ୍ ଗିଡପାବାଲି ଅଞ୍ଚଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟ (Rescue Operation)ର ଷଷ୍ଠ ଦିନରେ ଏକ ବଡ଼ ସଫଳତା ମିଳିଛି l ଘଟଣାସ୍ଥଳରେ ପଥର ତଳେ ଚାପି ହୋଇ ରହିଥିବା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହକୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି l ପୂର୍ବରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଜିର ୫ଟି ଶବ ମିଳିବା ପରେ ମୋଟ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି l ତାଲିକାଭୁକ୍ତ ୧୩ ଜଣଙ୍କ ମଧ୍ୟରୁ ଆଉ ୬ ଜଣ ଏବେ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି l
ମୃତକଙ୍କ ପରିଚୟ: ପରିବାର ଲୋକଙ୍କ ଉପସ୍ଥିତିରେ ଉଦ୍ଧାର ମୃତଦେହଗୁଡ଼ିକର ଚିହ୍ନଟ କରାଯାଇଛି l ମୃତକମାନେ ହେଲେ:
- ଭୂମିକା ପ୍ରଧାନ (ପ୍ରାୟ ୨୭ ବର୍ଷ)
- ବିଜୟ ପ୍ରଧାନ (ପ୍ରାୟ ୨୫ ବର୍ଷ)
- ବାଗ୍ରୀ ପ୍ରଧାନ (ପ୍ରାୟ ୧୪ ବର୍ଷ)
- ଅରୁଣା ପ୍ରଧାନ (ପ୍ରାୟ ୭ ବର୍ଷ)
- ବିଜୟଲକ୍ଷ୍ମୀ ପ୍ରଧାନ (ପ୍ରାୟ ୬ ବର୍ଷ)
ଘଟଣାସ୍ଥଳରେ ଶେଷକୃତ୍ୟ ସମ୍ପନ୍ନ:
ପରିବାରବର୍ଗଙ୍କ ଇଚ୍ଛା ଅନୁସାରେ ଓ ସେମାନଙ୍କ ଆବେଗକୁ ସମ୍ମାନ ଜଣାଇ ପ୍ରଶାସନର ସହଯୋଗରେ ଘଟଣାସ୍ଥଳରେ ହିଁ ସମସ୍ତ ୫ ଜଣଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଛି। ଏହି ଦୁଃଖଦ ସମୟରେ ପ୍ରଶାସନ ପରିବାର ସହିତ ସମ୍ପୂର୍ଣ୍ଣ ରୂପେ ଛିଡ଼ା ହୋଇଛି ଏବଂ ନିୟମ ଅନୁଯାୟୀ ସେମାନଙ୍କ ଥଇଥାନ (Rehabilitation) ପାଇଁ ଗଞ୍ଜାମ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଅଧିକାରୀ ଜଣାଇଛନ୍ତି l କିଛି ପରିବାର ରାୟଗଡ଼ା ନିକଟରେ ଓ କିଛି କନ୍ଧମାଳରେ ରହିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ସେହି ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯାଉଛି l ଜାରି ରହିବ ଉଦ୍ଧାର କାର୍ଯ୍ୟ:ପାଗରେ ଉନ୍ନତି ଆସିବା ଯୋଗୁଁ ମାଟି ଧସିବା କମିଛି ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେଇଛି l ବର୍ତ୍ତମାନ ଘଟଣାସ୍ଥଳରେ ଓଡ୍ରାଫ୍ (ODRAF), ଅଗ୍ନିଶମ ବାହିନୀ (Fire Services), DVI ଏବଂ SCU ଟିମ୍ ନିୟୋଜିତ ଅଛନ୍ତି। କ୍ଷେତ୍ରରେ ପ୍ରାୟ ୧୦୦ ରୁ ଅଧିକ କର୍ମଚାରୀ ଓ ମୋଟାମୋଟି ଭାବେ ୨୦୦ ରୁ ୨୫୦ ଜଣିଆ ଟିମ୍ ଏହି ମିଶନରେ ସାମିଲ ରହିଛନ୍ତି l ରେଳବାଇର ବ୍ଲାଷ୍ଟିଂ ଓ ମାଇନିଂ ଟିମ୍ ବିଶାଳ ପଥରଗୁଡ଼ିକୁ ବ୍ଲାଷ୍ଟ କରି ହଟାଇବାରେ ସାହାଯ୍ୟ କରିବା ପରେ ଫେରିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ପୁନର୍ବାର ଡକାଯିବ l ନିଖୋଜ ଥିବା ବାକି ୬ ଜଣଙ୍କୁ ଖୋଜିବା ପାଇଁ ଆଗାମୀ ଦିନରେ ମଧ୍ୟ ରେସ୍କ୍ୟୁ ଅପରେସନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି l











