ମୟୂରଭଞ୍ଜରେ ଲଜ୍ଜା: କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ଦଶମ ଶ୍ରେଣୀ ଛାତ୍ରୀଙ୍କ ପୁତ୍ର ସନ୍ତାନ ପ୍ରସବ
ପ୍ରଦୀପ କୁମାର ପଣ୍ଡା (ଦର୍ଶନ ସମୀକ୍ଷା) ଭୁବନେଶ୍ୱର
ମୟୂରଭଞ୍ଜ ଜିଲ୍ଲା ଏକ ବ୍ଲକରେ ଅଭାବନୀୟ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲରେ ଆବାସିକ ଶିକ୍ଷା ଲାଭ କରୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ବୁଧବାର ସକାଳେ ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଆଦିବାସୀ ହଷ୍ଟେଲରେ ଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ଥାନୀୟ ସମ୍ପ୍ରଦାୟ ତଥା ଜନସାଧାରଣରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି)ର ଛାତ୍ରୀନିବାସରେ ରହି ସମ୍ପୃକ୍ତ ଛାତ୍ରୀଜଣକ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଗତ ମଙ୍ଗଳବାର ସେ ହଠାତ୍ ଅସୁସ୍ଥତା ଅନୁଭବ କରିବା ସହିତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିସ୍ଥିତି ଦେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତରୀ ପରୀକ୍ଷା ନିରୀକ୍ଷା ପରେ ଛାତ୍ରୀଜଣକ ପ୍ରାୟ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ତୁରନ୍ତ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ (ପିଆରଏମ) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବୁଧବାର ସକାଳେ ସେଠାରେ ଛାତ୍ରୀଜଣକ ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି। ବର୍ତ୍ତମାନ ଉଭୟ ମା’ ଓ ନବଜାତ ଶିଶୁ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସନ୍ତାନ ପ୍ରସବ କରିଥିବା ଛାତ୍ରୀଙ୍କ ବୟସ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୋଲି ଅସମର୍ଥିତ ସୂତ୍ରରୁ ପ୍ରକାଶ ପାଇଛି।
ପ୍ରଶ୍ନ ଘେରରେ ହଷ୍ଟେଲ କର୍ତ୍ତୃପକ୍ଷ ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା: ସରକାରୀ ନିୟମ ଅନୁସାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସରେ ନିୟମିତ ବ୍ୟବଧାନରେ ଛାତ୍ରୀମାନଙ୍କ ମାସିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି। ଏହା ସହିତ ହଷ୍ଟେଲରେ ଦାୟିତ୍ୱରେ ଥିବା ମହିଳା ମେଟ୍ରୋନ ଓ ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତି ସତ୍ତ୍ୱେ ଜଣେ ଆବାସିକା ଛାତ୍ରୀ ୭ ମାସ ଧରି ଗର୍ଭବତୀ ଥିବା କଥା କର୍ତ୍ତୃପକ୍ଷ କିଭଳି ଜାଣିପାରିଲେ ନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ନା ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଥିଲା, ତାହାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି।
ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ, ଜିଲ୍ଲା ବାଳିକା ସଂଯୋଜକଙ୍କୁ ବାରମ୍ବାର ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍ ଉଠାଇ ନ ଥିଲେ। ଏ ନେଇ ସ୍ଥାନୀୟ ଥାନାରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଅଭିଯୋଗ କିମ୍ବା ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ଓ ବୁଦ୍ଧିଜୀବୀ ମହଲରେ ଦାବି ଜୋର ଧରିଛି।











