ରାଉରକେଲା ଷ୍ଟିଲ ସିଟି ରୋଟାରୀ କ୍ଲବ ପକ୍ଷରୁ ଛତୁ ଚାଷ ପ୍ରଶିକ୍ଷଣ
ରାଉରକେଲା, ଦର୍ଶନ ସମୀକ୍ଷା
ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ଛତୁ ଚାଷ କମିଟି ପକ୍ଷରୁ ଖରିଆବାହାଲ ବସ୍ତିରେ ଆଡଲ୍ଟ ଲିଟେରାସୀ କ୍ଲାସରେ ଏକ ଛତୁ ଚାଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁଆଁରମୁଣ୍ଡାର ପ୍ରଶିକ୍ଷିକା ଶ୍ରୀମତୀ ଜୟନ୍ତୀ ଏହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ କ୍ଲବର ଉପ-ସଭାପତି ତଥା ଛତୁ ଚାଷ କମିଟିର ଅଧ୍ୟକ୍ଷା ରୋଟାରିଆନ୍ ଲଳିତା ମୁଦୁଲି ସ୍ୱାଗତ ଭାଷଣ ଦେଇ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ସେ ଛତୁ ଚାଷ ଏବଂ ଏହାର ଉପକାରିତା ବିଷୟରେ ଆଲୋଚନା କରିଥିଲେ। ରୋଟାରିଆନ୍ ନିବେଦିତା ମହାନ୍ତି ଛତୁର ବ୍ୟବହାର ଏବଂ ଏହା କିପରି ଆର୍ଥିକ ଲାଭ ଦେଇପାରିବ ସେ ବିଷୟରେ କହିଥିଲେ। ମିସ୍ ସୁଦୀପ୍ତା ମହାନ୍ତି ଆନ୍ତରିକ ପ୍ରୟାସ ଏବଂ ପରିଷ୍କାର ପରିଚ୍ଛନ୍ନତା ଛତୁ ଚାଷ ପାଇଁ କେତେ ଜରୁରୀ ତାହା ବୁଝାଇଥିଲେ।
ପ୍ରଶିକ୍ଷିକା ଶ୍ରୀମତୀ ଜୟନ୍ତୀ ପଲିଥିନ, ମଞ୍ଜି, ନଡା କଟା, ବେସନ ଇତ୍ୟାଦି ବ୍ୟବହାର କରି ପାଳ ଛତୁ ଚାଷ କିପରି କରାଯାଏ ତାହା ସୁନ୍ଦର ଭାବେ ପ୍ରଦର୍ଶନ କରିଥିଲେ।
ଶେଷରେ ରୋଟାରିଆନ୍ ଟୁନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରିଆନ୍ ନମିତା ଆଚାର୍ଯ୍ୟ, ରୋଟାରିଆନ୍ ଲଳିତା ମୁଦୁଲି, ରୋଟାରିଆନ୍ ନିବେଦିତା ମହାନ୍ତି ଓ ରୋଟାରିଆନ୍ ଟୁନି ସାହୁ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣରେ ୨୨ ଜଣ ହିତାଧିକାରୀ ଅଂଶଗ୍ରହଣ କରିଥିଲେ।











