ଗଜପତି//୨୦୦ ବର୍ଷର ପୁରାତନ ଶ୍ରୀ ରସିକରାଜ ମହାପ୍ରଭୁ ମନ୍ଦିର ପୁନରୁଦ୍ଧାର ଓ ନିଟ ପରୀକ୍ଷାରେ 21 ତମ ରାଙ୍କ୍ ହାସଲ କରିଥିବା ଗରିବ ଚାଷୀ ପୁଅ କାଂହୁଙ୍କୁ ଡାକ୍ତରୀ ପାଠ ପଢିବା ପାଇଁ ସହାୟତା

Spread the love

୨୦୦ ବର୍ଷର ପୁରାତନ ଶ୍ରୀ ରସିକରାଜ ମହାପ୍ରଭୁ ମନ୍ଦିର ପୁନରୁଦ୍ଧାର ପାଇଁ ସମୀକ୍ଷା କଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି, ୩/୯(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ୱାର୍ଡ ନମ୍ବର-୩ରେ ଅବସ୍ଥିତ ଦୁଇ ଶତାବ୍ଦୀରୁ ଊର୍ଦ୍ଧ୍ୱ ପୁରାତନ ତଥା ଐତିହ୍ୟବହୁଳ ଶ୍ରୀ ଶ୍ରୀ ଶ୍ରୀ ରସିକରାଜ ମହାପ୍ରଭୁ ସ୍ୱାମୀ ମନ୍ଦିରର ପୁନରୁଦ୍ଧାରକୁ ନେଇ ଆଶା ସଞ୍ଚାର ହୋଇଛି। ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ରହିଥିବା ଏହି ପୁରାତନ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ନେଇ ଆଜି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ମନ୍ଦିର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।
ମନ୍ଦିର ପରିଦର୍ଶନ ସମୟରେ ମନ୍ଦିରର ପୁରାତନ ଇତିହାସ, ଧାର୍ମିକ ମହତ୍ତ୍ୱ ଓ ଏହା ସହିତ ଜଡ଼ିତ ଅନେକ ପୁରୁଣା ସ୍ମୃତି ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଯାଇଥିଲା। ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ଏହି ମନ୍ଦିର ସ୍ଥାନୀୟ ଲୋକଙ୍କ ଧାର୍ମିକ ଆସ୍ଥା, ପରମ୍ପରା ଓ ଭାବନାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଥିବା ଜାଣି ବିଧାୟକ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏତେ ପୁରାତନ ଓ ଐତିହ୍ୟବହୁଳ ମନ୍ଦିର ଆଜି ପର୍ଯ୍ୟନ୍ତ କାହିଁକି ସଠିକ୍ ଭାବେ ପୁନରୁଦ୍ଧାର ହୋଇପାରିନାହିଁ ବୋଲି ବିଧାୟକ ପ୍ରଶ୍ନ କରିଥିଲେ। ମନ୍ଦିରର ବର୍ତ୍ତମାନ ସ୍ଥିତି ଦେଖି ଏହାର ପୁନରୁଦ୍ଧାର ଆଉ ବିଳମ୍ବ କରାଯିବା ଉଚିତ ନୁହେଁ ବୋଲି ସେ ମତ ପ୍ରକାଶ କରିଥିଲେ। ପାରଳା ବିଧାୟକଙ୍କ ଏହି ସମୀକ୍ଷା ସମୟରେ ମନ୍ଦିର କମିଟି ସଦସ୍ୟ ଗୋପୀନାଥ ପରିଛା, ମୂରଲୀଧର ପରିଛା, ବରିଷ୍ଠ ନାଗରିକ ଗଜେନ୍ଦ୍ର ପଣ୍ଡା, ବସ୍ତି ବାସିନ୍ଦା ସଭାପତି ତଥା ସାମ୍ବାଦିକ କୃଷ୍ଣ କୁମାର ବେହେରା, ବସ୍ତି ବାସିନ୍ଦା ସମ୍ପାଦକ ତଥା ମନ୍ଦିର କମିଟି ସଦସ୍ୟ ମଧୁ ବେହେରା, ମୁନା ମହାରଣା, ପ୍ରଦୁନ ପଡ଼ିଆରିଙ୍କ ସମେତ ବହୁ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

ନିଟ ପରୀକ୍ଷାରେ 21 ତମ ରାଙ୍କ୍ ହାସଲ କରିଥିବା ଗରିବ ଚାଷୀ ପୁଅ କାଂହୁଙ୍କୁ ଡାକ୍ତରୀ ପାଠ ପଢିବା ପାଇଁ ସହାୟତାର ହାତ ବଢ଼ାଇଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି, 3/9(ତାରିଣୀ ପ୍ରସାଦ ପଣ୍ଡା):

ଚଳିତ ନିଟ ପରୀକ୍ଷାରେ 21 ତମ ରାଙ୍କ ହାସଲ କରିଥିବା ଗଜପତି ଜିଲ୍ଲାର ଗରିବ ଚାଷୀ ପୁଅ କାଂହୁଙ୍କୁ ଡାକ୍ତରୀ ପାଠ ପଢିବା ପାଇଁ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ସହାୟତାର ହାତ ବଢ଼ାଇଛନ୍ତି. ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗରିବୀ ଚାଷୀ କୂଳର ପୁଅ କାଂହୁ ଭୂୟାଁ ଚଳିତ ଏସଟି ବର୍ଗରେ ଓଡ଼ିଶାରେ ନିଟ ପରୀକ୍ଷାରେ 21 ତମ ରାଙ୍କ ହାସଲ କରିଛନ୍ତି.

ଆର୍ଥିକ ଅନଟନ ଯୋଗୁଁ ଡାକ୍ତରୀ ଶିକ୍ଷା ଜାରି ରଖିବା ନେଇ ଚିନ୍ତାରେ ଥିବା ଏହି ଚାଷୀ ପରିବାରର ଯୁବକଙ୍କୁ ଡାକ୍ତରୀ ପାଠ ପଢିବା ପାଇଁ ପାରଳାଖେମୁଣ୍ଡି ବିଧାୟକ ସାହାର୍ଯ୍ୟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି. ଡାକ୍ତରୀ ଶିକ୍ଷା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଯୁବକଙ୍କ ଭବିଷ୍ୟତ ଗଢ଼ିବାରେ ସହଯୋଗ କରିଥିବାରୁ ପରିବାର ପକ୍ଷରୁ ବିଧାୟକଙ୍କୁ କୃତଜ୍ଞତା ଜଣାଯାଇଛି।
ସୂଚନା ଅନୁଯାୟୀ, ଅତ୍ୟନ୍ତ ସାଧାରଣ ଚାଷୀ ପରିବାରରୁ ଆସିଥିବା ଏହି ଯୁବକ ନିଜର ପାଠପଢ଼ା ଜାରି ରଖି ଆଗକୁ ବଢ଼ିବାକୁ ଚାହୁଁଥିଲେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ତାଙ୍କ ଉଚ୍ଚଶିକ୍ଷାରେ ବାଧା ସୃଷ୍ଟି କରୁଥିଲା। ଏ ସମ୍ପର୍କରେ ଜାଣିବା ପରେ ବିଧାୟକ ରୂପେଶ ପାଣିଗ୍ରାହୀ ଯୁବକଙ୍କୁ ଆବଶ୍ୟକ ସହଯୋଗ ପ୍ରଦାନ କରିଥିଲେ।
ବିଧାୟକଙ୍କ ସହଯୋଗରେ ଯୁବକଙ୍କ ଡାକ୍ତରୀ ଶିକ୍ଷା ଜାରି ରଖିବାର ଆଶା ସଞ୍ଚାର ହୋଇଛି। ନିଜର ସ୍ୱପ୍ନ ପୂରଣ କରିବା ସହ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ସମାଜର ସବୁ ବର୍ଗର ଲୋକଙ୍କୁ ସେବା ପ୍ରଦାନ କରିବେ ବୋଲି କାଂହୁ ଭୂୟାଁ କହିଛନ୍ତି.

ପ୍ରବଳ ବର୍ଷାରେ ଓଡିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ବି୍ପତ୍ତି ବେଳେ ଗଜପତିରେ ଜଳାଭାବ……

ପାହାଡିଆ ନାଳର ଚୁଆ ପାଣି ଉପରେ 200 ଲୋକଙ୍କ ଭରସା ପାରଳାଖେମୁଣ୍ଡି, 3/9(ତାରିଣୀ ପ୍ରସାଦ ପଣ୍ଡା):

ପ୍ରବଳ ବର୍ଷାରେ ଓଡିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ବି୍ପତ୍ତି ଦେଖା ଦେଇଥିବା ବେଳେ ଗଜପତିରେ ଜଳାଭାବ ଦେଖା ଦେଇଛି. ଗଜପତି ଜିଲ୍ଲାର ସମ୍ବଲପୁର ପଞ୍ଚାୟତର ଦୁର୍ଗମ ବନ ପାହାଡ଼ ଘେରା ଯାଜପୁର ଗ୍ରାମରେ ବର୍ତ୍ତମାନ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି. ଏହି ଗ୍ରାମରେ ବସବାସ କରୁଥିବା 200 ରୁ ଉର୍ଦ୍ଧ ଲୋକଙ୍କ ପିଇବା ପାଣି ପାଇଁ ପାହାଡିଆ ନାଳର ଚୁଆ ପାଣି ଉପରେ ଲୋକେ ଭରସା କରି ଜୀବନଯାପନ କରୁଥିବା ସୂଚନା ମିଳିଛି. ଦୁର୍ଗମ ଯାଜପୁର ଗାଁର ଲୋକଙ୍କ ପାଇଁ ପାନୀୟଜଳ ଏବେ ବି ଏକ ବଡ଼ ସମସ୍ୟା ହୋଇ ରହିଛି। ପ୍ରାୟ ୨୦୦ ଜନବସତି ଥିବା ଏହି ଗାଁରେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ପାନୀୟଜଳ ବ୍ୟବସ୍ଥା ହୋଇନଥିବାରୁ ବର୍ଷତମାମ ଲୋକେ ଝରଣାର ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ଗାଁରେ ପାନୀୟ ଜଳଯୋଗାଣ ପାଇଁ ଗୋଟିଏ ମାତ୍ର କୂଅ ଖୋଳାଯାଇଛି।

ହେଲେ ସେଥିରୁ ଗୋଳିଆ ପାଣି ବାହାରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଏହି ପାଣି ପିଇବା ତ ଦୂରର କଥା, ଦୈନନ୍ଦିନ ବ୍ୟବହାର ପାଇଁ ମଧ୍ୟ ଉପଯୋଗୀ ହେଉନାହିଁ ବୋଲି ଲୋକେ ଅଭିଯୋଗ କରି କହିଛନ୍ତି ଗ୍ରାମଠାରୁ କିଛି ଦୂରରେ ଲୋକେ ଜଙ୍ଗଲ ମଧ୍ୟରେ ଥିବା ଝରଣା ନିକଟକୁ ଯାଇ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ବର୍ଷା ଦିନେ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ୁଛି। ଝରଣାର ପାଣି ମାଟି ଓ ଅଳିଆ ଆବର୍ଜନାରେ ମିଶି ଗୋଳିଆ ହୋଇଯାଉଥିବାରୁ ଏହାକୁ ପାନୀୟ ଜଳ ରୂପେ ବ୍ୟବହାର କରିପାରୁନାହାନ୍ତି ବୋଲି ଗ୍ରାମବାସୀମାନେ ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରି ସରକାର ଏସବୁକୁ ଦୃଷ୍ଟିରେ ରଖି ପିଇବା ପାଣି ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି.