କଣିହାଁ, ୨୩।୮(ଦର୍ଶନ ସମୀକ୍ଷା)ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ପାଳିତ ହେବାକୁ ଥିବା ୮୯ତମ ତାଳଚେର ପ୍ରଜାମଣ୍ଡଳ ଦିବସ ପୂର୍ବରୁ ତାଳଚେର ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ, କଣିହାଁ ଆନୁକୂଲ୍ୟରେ ‘ତାଳଚେର ପ୍ରଜାମଣ୍ଡଳ ସ୍ମାରକୀ ବକ୍ତୃତା, ପ୍ରବନ୍ଧ ଓ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା’ ଅନୁଷ୍ଠିତ ହୋଇଯାଇଛି।
କଣିହାଁସ୍ଥିତ ପିଏମ୍ ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ବକ୍ତୃତା ପ୍ରତିଯୋଗିତାର ବିଷୟ ‘ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ତ୍ୟାଗ ଓ ଆଦର୍ଶ ଆଜିର ଯୁବପିଢ଼ି ପାଇଁ କେତେ ପ୍ରାସଙ୍ଗିକ?’ ଏବଂ ପ୍ରବନ୍ଧ ପ୍ରତିଯୋଗିତାର ବିଷୟ ‘ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ଅମର ଶହୀଦ ବିକା ନାଏକ’ ରହିଥିଲା।
ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତାରେ କଣିହାଁ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ କନିଷ୍ଠ ଓ ବରିଷ୍ଠ ବିଭାଗରେ ମୋଟ ୮୪ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ମନୋନୀତ ୧୮ ଜଣ ଛାତ୍ରଛାତ୍ରୀଙ୍କୁ ଆସନ୍ତା ପ୍ରଜାମଣ୍ଡଳ ଦିବସ ଅବସରରେ ପୁରସ୍କୃତ କରାଯିବ।
ଟ୍ରଷ୍ଟ ସଭାପତି ବିନାୟକ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିଯୋଗିତାରେ ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ‘ପବିତ୍ର ପଥ’ର ସମ୍ପାଦକ ସଦାନନ୍ଦ ପ୍ରଧାନ, ତାଳଚେର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବିନାୟକ ଖିଲାର, ବରିଷ୍ଠ ଶିଶୁ ସାହିତ୍ୟିକ ନିର୍ଭୟ କୁମାର ପାଣି, ଅବସରପ୍ରାପ୍ତ ଶିକ୍ଷକ କୁଳମଣି ସାମଲ ଓ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ ପ୍ରତିଯୋଗିତା ପରିଚାଳନା କରିଥିଲେ।
ଗୋଷ୍ଠୀ ଶିକ୍ଷା ଅଧିକାରୀ, କଣିହାଁଙ୍କ ନିର୍ଦ୍ଦେଶକ୍ରମେ ପିଏମ୍ ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଅମିତ ଦେହୁରୀ ଓ ବିଦ୍ୟାଳୟର ସହକର୍ମୀମାନେ ଆବଶ୍ୟକ ସହଯୋଗ କରିଥିଲେ। ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ କୁମାର ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଟ୍ରଷ୍ଟର ସାଧାରଣ ସମ୍ପାଦକ କ୍ଷୀରସିନ୍ଧୁ ସେଠୀ ଓ କୋଷାଧ୍ୟକ୍ଷ କର୍ଣ୍ଣ କୁମାର ଭୂତିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଲେଖ ଭୂତିଆ, ମହେଶ୍ୱର ନାଏକ, ରମେଶ ସାମଲ ଓ କୁମୁଦବାନ୍ଧବ ନାଏକ ସଂଯୋଜନା ଦାୟିତ୍ୱ ତୁଲାଇଥିଲେ। ଟ୍ରଷ୍ଟର ଉପସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଆଇନ ପରାମର୍ଶଦାତା ତ୍ରିପୁରାରୀ ପ୍ରଧାନ, ଅନିଲ ପ୍ରଧାନ, ଉକାଳୁ ସାହୁ, ଦୟାନିଧି ନାଏକ, କଷ୍ଟୁ ଚରଣ ସାମଲ, ଜ୍ୟୋତିରଞ୍ଜନ ଧର, ଗୋବିନ୍ଦ ସାହୁ, ଚନ୍ଦନ ସ୍ୱରାଜ, ସୁଶାନ୍ତ ସାମଲ, ଦେବେନ୍ଦ୍ର ବାରିକ, ଲୋକନାଥ ସାହୁ, ସି.ଏନ୍.ଜେ. ରଥ, ସୁନୀଲ କୁମାର ପ୍ରଧାନଙ୍କ ସମେତ ଟ୍ରଷ୍ଟର ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ତ୍ୟାଗ, ସଂଗ୍ରାମ ଓ ଦେଶପ୍ରେମର ଆଦର୍ଶକୁ ନୂତନ ପିଢ଼ି ମଧ୍ୟରେ ପହଞ୍ଚାଇବା ସହ ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସ ପ୍ରତି ଛାତ୍ରଛାତ୍ରୀଙ୍କ ମନରେ ସଚେତନତା ଓ ଦେଶପ୍ରେମ ଜାଗ୍ରତ କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।











