ଏକାଦଶ ଶତାବ୍ଦୀକୁ ଧର୍ମ, ସଂସ୍କୃତି, ଶିଳ୍ପ ଓ କଳାକୃତିର ଏକ ପ୍ରତିଯୋଗିତାପୂର୍ଣ୍ଣ କାଳଖଣ୍ଡ ଭାବରେ ଗ୍ରହଣ କରାଯାଏ -ସଞ୍ଜୟ ରଥ ଭୁବନେଶ୍ୱର

Spread the love

ଏକାମ୍ର କ୍ଷେତ୍ର
ଆଈ ଧିରେ ଧିରେ ଆସି ଦାଣ୍ଡ ବାରଣ୍ଡାରେ ବସିପଡିଲେ।ପାନ ବଟାରୁ ପାନ ଖଣ୍ଡେ ବାହାରକରି ପାଟିକୁ ନେଇ ତାଙ୍କ ଚାରି ପାଖକୁ ଆଖି ବୁଲାଇ ଦେଖିଲେ ସାନ ସାନ ନାତି ନାତୁଣୀ ମାନେ ଯେପରି କାହାଣୀ ଶୁଣିବାକୁ ଏକାଠି ହୋଇ ବସନ୍ତି, ବସିଛନ୍ତି।ହେଲେ ଆଉ କିଛି ପିଲା ତାଙ୍କ ନାତି ନାତୁଣୀଙ୍କ ସାଙ୍ଗ ସାଥି ଆସି ଭିଡ ଜମାଇ ବସିଛନ୍ତି।ଆଈ ଆସିବା ମାତ୍ରେ ସେମାନେ ଆଈଙ୍କୁ ନମସ୍କାର ଜଣାଇ ମୁରୁକି ମୁରୁକି ହସି ଉତ୍କଣ୍ଠାର ସହିତ ଆଈଙ୍କ ମୁହଁକୁ ଚାହିଁ ବସିଲେ।ଆଈ ଆଉ କାଳବିଳମ୍ବ ନକରି ତାଙ୍କ କିହାଣୀ ଆରମ୍ଭ କଲେ।
ପିଲାମାନେ! ତୁମେମାନେ ଶୁଣିଥିଲ, ଶ୍ରୀକ୍ଷେତ୍ର, ବିରଜା କ୍ଷେତ୍ର , ଅର୍କକ୍ଷେତ୍ର ଓ ତୁଳସୀ କ୍ଷେତ୍ରର କାହାଣୀ। ଆସ ଏବେ ଆଉ ଗୋଟିଏ କ୍ଷେତ୍ରର କାହାଣୀ ଶୁଣିବା। ତୁମ ଭିତରୁ କିଏ କହିପାରିବ ଏକାମ୍ରକ୍ଷେତ୍ର କାହାକୁ କୁହାଯାଏ?
ରମୁ କହିଲା, ଆଈ ଓଡ଼ିଶାର ରାଜଧାନୀ ଭୁବନେଶ୍ବରକୁ ଏକାମ୍ରକ୍ଷେତ୍ର କୁହାଯାଏ।
ଆଈ ରମୁର ପିଠି ଥାପୁଡେଇ ଦେଇ କହିଲେ, ଧନ୍ୟବାଦ ରମୁ। ଏହି ରାଜଧାନୀ ଭୁବନେଶ୍ବର ନାମକରଣ କାହିଁକି ଏକାମ୍ରକ୍ଷେତ୍ର ହୋଇଛି ଜାଣିଛ? ଏହା ଅତୀତରେ ଏକ ବଣ ଜଙ୍ଗଲଭରା ଅଞ୍ଚଳ ଥିଲା।ପୃଥିବୀର ପ୍ରମୁଖ ଶୈବପୀଠ ମାନଙ୍କ ମଧ୍ୟରେ ଏହା ଏକ ଶ୍ରେଷ୍ଠ ଶୈବପୀଠ। ଯେଉଁଠାରେ ଆଜି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପବିତ୍ର ମନ୍ଦିର ଅଛି ସେହିଠାରେ ଏକ ବୃହତ୍ ଆମ୍ଵ ଗଛ ଥିଲା, ଯାହା ବାରମାସୀ ଫଳ ଫୁଲରେ ପରିପୂର୍ଣ୍ଣ ହୋଇ ରହୁଥିଲା।ଚିର ସବୁଜିମା ଭିତରେ ଏହି ସ୍ଥାନରେ ଚିର ବସନ୍ତ ପ୍ରବାହିତ ହେଉଥିଲା।ଏଠାରେ ଏପରି ପରିବେଶ ଥିଲା ଯେ ନାନା ପ୍ରକାର ପଶୁ ପକ୍ଷୀ ସଦା ସର୍ବଦା ବିଚରଣ କରୁଥିଲେ।ସେହି ଆମ୍ର କାନନ ଭିତରୁ ସବୁ ସମୟରେ କୋକିଳର ସୁମଧୁର କୁହୁ କୁହୁ ସ୍ଵର ଭାସି ଆସି ପରିବେଶକୁ ଅତ୍ୟନ୍ତ ଆକର୍ଷଣୀୟ କରି ଦେଉଥିଲା।ତାହା ଥିଲା ଏହି ଅଞ୍ଚଳର ଏକ ବୃହତ୍ ଆମ୍ଵ ଗଛ। ଯେଉଁଥିପାଇଁ ଏହାର ନାମ ଏକାମ୍ର କାନନ ବା ଏକାମ୍ରକ୍ଷେତ୍ର ହୋଇଛି।
ଶୁଣାଯାଏ, ଯେତେବେଳେ ଏଠାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ନଥିଲା, ଏହିଠାରେ ଅଲୌକିକ ଭାବରେ ଏକ ବୃହତ୍ ଗାଈ ଆସି ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ତାର ପହ୍ନାରୁ କ୍ଷୀର ଝରାଇ ଚାଲିଯାଏ।ଏହି କ୍ଷେତ୍ରରେ ଅନେକ ବାଘ , ହେଟାବାଘପରି ହିଂସ୍ର ଜୀବଜନ୍ତୁ ରହୁଥିଲେ ମଧ୍ୟ ସେହି ଗାଈର କିଛି କ୍ଷତି କରିପାରନ୍ତି ନାହିଁ।ଏହିପରି ଭାବରେ ଅନେକ ଦିନ ଅତିବାହିତ ହେବା ପରେ କେହି ଜଣେ ବ୍ରାହ୍ମଣ ଆସି ସେହି ସ୍ଥାନରେ ପୂଜାର୍ଚ୍ଚନା କରିବା ଆରମ୍ଭ କଲେ।ଧିରେ ଧିରେ କଥାଟି ଏ କାନରୁ ସେ କାନକୁ ଘୁରି ବୁଲିଲା।କଥାଟି ରାଜା ଯଯାତି କେଶରୀଙ୍କ କାନରେ ପହଞ୍ଚିଲା।ସୋମ ବଂଶୀୟ ରାଜା ଯଯାତି କେଶରୀ ତାଙ୍କର ପାତ୍ରମନ୍ତ୍ରୀଙ୍କ ସହିତ ସେହି ସ୍ଥାନ ପରିଦର୍ଶନ କରି ବିମୋହିତ ହୋଇଗଲେ।ତାଙ୍କ ରାଜ୍ୟରେ ଏପରି ଚିର ଵସନ୍ତ ପ୍ରବାହିତ ହେଉଥିବା ସ୍ଥାନ ପରିଦର୍ଶନ କରି ରାଜା ସେହିଠାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ବିଶିଷ୍ଟ ଶିଳ୍ପିଙ୍କ ଦ୍ଵାରା ନିର୍ମାଣ କରିବାପାଇଁ ନିର୍ଦ୍ଦେଶ ଦେଲେ।ଯଥା ସମୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସେହିଠାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୂଜାର୍ଚ୍ଚନା ହେଲା। ଏଠାରେ ଶିବଙ୍କ ସହିତ ମାଆ ପାର୍ବତୀଙ୍କ ମୂର୍ତ୍ତି ପୂଜା ପାଆନ୍ତି।ମନ୍ଦିରଟି ଏକାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବାର ପ୍ରମାଣ ମିଳେ।
ଏକାଦଶ ଶତାବ୍ଦୀକୁ ଧର୍ମ, ସଂସ୍କୃତି, ଶିଳ୍ପ ଓ କଳାକୃତିର ଏକ ପ୍ରତିଯୋଗିତାପୂର୍ଣ୍ଣ କାଳଖଣ୍ଡ ଭାବରେ ଗ୍ରହଣ କରାଯାଏ।ସେହି କ୍ରମରେ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ କଳା ନୈପୁଣ୍ୟତାର ଶ୍ରେଷ୍ଠ କାରୁକାର୍ଯ୍ୟର ନିଦର୍ଶନ ସ୍ବରୂପ ମୁକ୍ତେଶ୍ଵର ମନ୍ଦିର, ପର୍ଶୁରାମେଶ୍ଵର ମନ୍ଦିର, ରାଜାରାଣୀ ମନ୍ଦିର, ବ୍ରହ୍ମେଶ୍ଵର ମନ୍ଦିର ଏବଂ ଶ୍ରୀଶ୍ରୀ ମୁକ୍ତ ଚିନ୍ତାମଣିଶ୍ଵର ମନ୍ଦିର ଗଢି ଉଠିଥିଲା। ଆଖପାଖ ଅଞ୍ଚଳରେ କଳା ସ୍ଥାପତ୍ୟର ନିଖୁଣ କାରୁକାର୍ଯ୍ୟ ସମ୍ପନ୍ନ ଅନେକ ମନ୍ଦିର ପ୍ରତିଷ୍ଠିତ ହୋଇଛି। ସେଥିପାଇଁ ଏହାକୁ ମନ୍ଦିରମାଳିନୀ ଭୁବନେଶ୍ୱରର କୁହାଯାଏ।
ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପରିସରରେ ମୁଖ୍ୟତଃ ଗର୍ଭଗୃହ, ଯଜ୍ଞଶାଳା, ଭୋଗ ମଣ୍ଡପ ଓ ନାଟ୍ୟ ମଣ୍ଡପ ପରି ଚାରିଟି ସ୍ଵତନ୍ତ୍ର ସ୍ଥାନ ରହିଛି।ଏହା ବ୍ୟତୀତ ଏହି ମନ୍ଦିରରେ ଅନ୍ନ ପ୍ରସାଦ ଲାଗିକରି ଭକ୍ତମାନଙ୍କ ସୁବିଧା ପାଇଁ ପ୍ରଶସ୍ତ କକ୍ଷ ନିର୍ମାଣ କରାଯାଇଛି।
ପ୍ରଭୁ ଲିଙ୍ଗରାଜଙ୍କର ଅବଢା ପ୍ରସାଦ ସହିତ ପ୍ରଭୁ ଅନନ୍ତ ବାସୁଦେବଙ୍କ ମନ୍ଦିରରେ ମଧ୍ୟ ଅନ୍ନ ପ୍ରସାଦ ଲାଗୁ କରି ଭକ୍ତମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ପ୍ରଚଳିତ ଅଛି। ଏହି ଅନ୍ନ ପ୍ରସାଦ ପ୍ରଚଳନ ପୃଷ୍ଠ ଭାଗରେ ଏକ ଧାର୍ମିକ ଚେତନା ରହିଛି।
ମହାରାଣୀ ସ୍ନାନ କରିବା ପରେ ଯେତେ ଦୁଃଖିରଙ୍କି ମାନେ ମନ୍ଦିର ପ୍ରାଙ୍ଗଣରେ ବସିଥାନ୍ତି ରାଣୀ ସେମାନଙ୍କୁ ପ୍ରତ୍ୟେକଦିନ ଦାନ କରି ସାରିବା ପରେ ନିଜେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବଢା ଅନ୍ନ ପ୍ରସାଦ ଗ୍ରହଣ କରୁଥିଲେ।ପୁରୀ ଶ୍ରୀକ୍ଷେତ୍ରରୁ ସେହି ଅବଢା ଅନ୍ନ ପ୍ରସାଦ ଆଣିବାପାଇଁ ଜଣେ ସ୍ଵତନ୍ତ୍ର ସେବକ ନିଯୁକ୍ତ ହୋଇଥିଲେ। ଥରେ କୌଣସି କାରଣ ବଶତଃ ଠିକ୍ ସମୟରେ ଅବଢା ଅନ୍ନ ପ୍ରସାଦ ଆଣି ପହଞ୍ଚିବାରେ ବିଳମ୍ବ ହେବାରୁ ସେଦିନ ରାଣୀ ସମ୍ପୂର୍ଣ୍ଣ ଉପବାସ ରହିଥିଲେ।ଏକଥା ଜାଣିବା ପରେ ରାଜା ତତ୍କାଳୀନ ମହାନ୍ ଧର୍ମ ଗୁରୁ ପ୍ରଭୁ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀ ଶ୍ରୀ ଅନନ୍ତ ବାସୁଦେବଙ୍କ ନିକଟରେ ଅବଢା ଅନ୍ନପ୍ରସାଦ ଲାଗି କରିବାର ଅନୁମତି ପାଇଥିଲେ।ସେହି ଦିନଠାରୁ ଶ୍ରୀ ଶ୍ରୀ ଅନନ୍ତ ବାସୁଦେବଙ୍କ ମନ୍ଦିରରେ ଅବଢା ଅନ୍ନ ପ୍ରସାଦ ଠାକୁରଙ୍କୁ ଲାଗି ହୋଇ ଆସୁଅଛି।
ଏହି କ୍ଷେତ୍ର ହରିହରଙ୍କ ମିଳନ ସ୍ଥଳୀ ଭାବରେ ପରିଚିତ ହୋଇଅଛି। ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ପରି ଏଠାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଋକୁଣା ରଥ ଯାତ୍ରା ମହା ଜାକଜମକରେ ପାଳନ କରାଯାଏ। ମନ୍ଦିରର ଉଚ୍ଚତା ପ୍ରାୟ ଏକଶହ ଅଶୀଫୁଟ ଏବଂ ଏହା ପ୍ରାୟ ଅଢେଇ ଏକର ପରିସୀମାରେ ଅବସ୍ଥିତ। ମନ୍ଦିର ପ୍ରାଙ୍ଗଣରେ ଥିବା ମରିଚି କୁଣ୍ଡ ପାଣି ପାଇଁ ଅଶୋକାଷ୍ଟମୀ ଦିନ ଭକ୍ତମାନେ ଗହଳି ଲଗାଇଥାନ୍ତି।ଏହି କୁଣ୍ଡର ପ୍ରଥମ ପାଣି ନିଲାମ ହୋଇଥାଏ।କଥିତ ଅଛି ଏହି କୁଣ୍ଡର ପାଣି ପିଇଲେ ଅପୁତ୍ରିକ ପୁତ୍ର ସନ୍ତାନ ଲାଭ କରେ ଏବଂ ସନ୍ତାନ ସନ୍ତତି ହେଉନଥିବା ନାରୀ ସନ୍ତାନ ସମ୍ଭବା ହୁଅନ୍ତି।
ଏକାମ୍ରକ୍ଷେତ୍ର ଭୁବନେଶ୍ୱର ରାଜଧାନୀ ହେବାପରେ ଏଠାର ରାସ୍ତା ପ୍ରଶସ୍ତିକରଣ ହୋଇ ଯାତ୍ରୀମାନଙ୍କ ପାଇଁ ଅନେକ ସୁବିଧା କରାଯାଇଛି। ସହରୀକରଣ ଦ୍ଵାରା ଅତୀତର ପ୍ରାକୃତିକ ପରିବେଶ ଆଜି ନାହିଁ ସତ ହେଲେ ଶ୍ରୀକ୍ଷେତ୍ର ପୁରୀ, ଅର୍କକ୍ଷେତ୍ର କୋଣାର୍କ ଏବଂ ଚକ୍ରକ୍ଷେତ୍ର ଭୁଵନେଶ୍ଵରକୁ ସ୍ଵର୍ଣ୍ଣ ତ୍ରିଭୁଜରେ ପରିଣତ କରାଯାଇ ଯାତାୟାତର ଅନେକ ସୁବିଧା କରା ଯାଇଛି।
ପିଲାମାନେ!ଆଜି ଏତିକି।ସମୟ ହୋଇଗଲାଣି। ଏବେ ତୁମେ ମାନେ ଯାଅ।ଆଗକୁ ଆହୁରି ଅନେକ ସୁନ୍ଦର ସୁନ୍ଦର କାହାଣୀ କହିବାକୁ ଅଛି।ଶୁଣିବାକୁ ଭୁଲିବନି।
ପିଲାମାନେ ଏପରି ଏକ ସୁନ୍ଦର କାହାଣୀ ଶୁଣି, ଆଈଙ୍କୁ ଧନ୍ୟବାଦ ଦେଇ ବିଦାୟ ନେଲେ।
🌄🌴🌹✍️ ସଞ୍ଜୟ ✍️ 🌹 🌳 🌝

Leave a Reply

Your email address will not be published. Required fields are marked *