ବଡବିଲ // ୨ୟ ସ୍ତ୍ରୀ ଘରକୁ ଫେରିବାକୁ ମନା କରିବାରୁ ୧୩୨ କେ.ଭି. ଟାୱାର ଉପରେ ଚଢ଼ିଲେ ଯୁବକ

Spread the love

୨ୟ ସ୍ତ୍ରୀ ଘରକୁ ଫେରିବାକୁ ମନା କରିବାରୁ ୧୩୨ କେ.ଭି. ଟାୱାର ଉପରେ ଚଢ଼ିଲେ ଯୁବକ, ୨ ଘଣ୍ଟା ପରେ ହେଲେ ଉଦ୍ଧାର ।
ତା -06/06/2026
ଦର୍ଶନ ସମୀକ୍ଷା ବଡ଼ବିଲ

କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଗାଁରେ ଶନିବାର ଜଣେ ଯୁବକଙ୍କ ହାଇ ଡ୍ରାମା ଦେଖିବାକୁ ମିଳିଛି । ୨ୟ ସ୍ତ୍ରୀ ତାଙ୍କ ସହିତ ଘରକୁ ଫେରିବାକୁ ମନା କରିବାରୁ ଏହି ଯୁବକ ଜଣକ ୧୩୨ କେ.ଭି. ହାଇଟେନ୍ସନ୍ ବିଦ୍ୟୁତ ଟାୱାର ଉପରକୁ ଚଢ଼ି ଯାଇଥିଲେ। ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସେ ଟାୱାର ଉପରେ ରହିବା ପରେ ବଡ଼ବିଲ ପୋଲିସ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଉଦ୍ଧାର ଯୁବକ ଜଣକ ହେଲେ ବଡ଼ବିଲ ମାଗାଜିନ୍ ହଟିଂ ଅଞ୍ଚଳର ଅର୍ଜ୍ଜୁନ ଗୋପ୍। ସୂଚନା ଅନୁସାରେ, ଅର୍ଜ୍ଜୁନଙ୍କର ତିନିଜଣ ସ୍ତ୍ରୀ ଥିବାବେଳେ ୨ୟ ସ୍ତ୍ରୀଙ୍କ ସହ ଝଗଡ଼ା ଓ ମାଡ଼ପିଟ ଘଟଣା ପରେ ସେ ନିଜର ଏକ ଛୋଟ ପିଲାକୁ ନେଇ ଉଲିବୁରୁସ୍ଥିତ ତାଙ୍କ ଭିଣୋଇଙ୍କ ଘରେ ରହୁଥିଲେ।

ଶନିବାର ଅର୍ଜ୍ଜୁନ ସ୍ତ୍ରୀଙ୍କୁ ଘରକୁ ନେବା ପାଇଁ ସେଠାକୁ ଯାଇଥିଲେ। କିନ୍ତୁ ସ୍ତ୍ରୀ ତାଙ୍କ ସହିତ ଫେରିବାକୁ ମନା କରିବାରୁ ସେ ଉତ୍ତେଜିତ ହୋଇ ନିକଟରେ ଥିବା ୧୩୨ କେ.ଭି. ହାଇଟେନ୍ସନ୍ ଟାୱାର ଉପରକୁ ଚଢ଼ି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ବଡ଼ବିଲ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବହୁ ସମୟ ଧରି ଯୁବକଙ୍କୁ ବୁଝାସୁଝା କରିବା ସହ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଇ ଉଦ୍ଧାର ଅଭିଯାନ ଚଳାଇଥିଲେ। ଶେଷରେ ତାଙ୍କୁ ତଳକୁ ଆଣିବାରେ ସଫଳ ହୋଇଥିଲେ। ତେବେ ପ୍ରବଳ ଖରାରେ ଦୀର୍ଘ ସମୟ ଟାୱାର ଉପରେ ରହିଥିବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ଉଦ୍ଧାର ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବଡ଼ବିଲ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଏହି ଘଟଣା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।

Leave a Reply

Your email address will not be published. Required fields are marked *