Spread the love

ଗିରିକାନପଲ୍ଲୀରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୪୫ଟି ସମସ୍ୟାର ଶୁଣାଣି କଲେ ଜିଲ୍ଲାପାଳ

ମାଲକାନଗିରି ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା
ଗିରିକାନପଲ୍ଲୀ ଗ୍ରାମପଞ୍ଚାୟତ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଜନସାଧାରଣ ଯୋଗଦେଇ ନିଜ ନିଜର ସମସ୍ୟା ବିଷୟରେ ପ୍ରଶାସନକୁ ଅବଗତ କରାଇଥିଲେ। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକୁ ଗମ୍ଭୀରତାର ସହ ଶୁଣିବା ସହିତ ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଏହି ଶିବିରରେ ସମୁଦାୟ ୪୫ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୦ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୩୫ଟି ସାମୁଦାୟିକ ଅଭିଯୋଗ ରହିଥିଲା। ଶିବିରରେ ମୁଖ୍ୟତଃ ପାନୀୟ ଜଳ ଯୋଗାଣ, ନଳକୂପ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଣ, ଗ୍ରାମୀଣ ରାସ୍ତାଘାଟର ନିର୍ମାଣ ଓ ମରାମତି, ବିଦ୍ୟୁତ ସେବାରେ ସଂସ୍କାର, ଲୋ-ଭୋଲଟେଜ୍ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ନୂତନ ରାସନ କାର୍ଡ ପ୍ରଦାନ ଏବଂ ସ୍ଥାନୀୟ ଜମିବାଡ଼ି ବିବାଦ ଭଳି ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଅଭିଯୋଗ ଆସିଥିଲା।
ଜନସାଧାରଣଙ୍କ ସମସ୍ୟାର ତୃଣମୂଳ ସ୍ତରରେ ସମାଧାନ ଶେଷରେ, ପଞ୍ଜୀକୃତ ହୋଇଥିବା ସମସ୍ତ ଅଭିଯୋଗଗୁଡ଼ିକୁ ଏକ ନିର୍ଦ୍ଦିଷ୍ତ ସମୟସୀମା ମଧ୍ୟରେ ସମାଧାନ କରି ଆକ୍ସନ ଟେକେନ୍ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।