ଓଡିଶାର ହିମାଳୟ ମହେନ୍ଦ୍ରଗିରିରେ ସ୍କୁଟି ଦୁର୍ଘଟଣା, ଜଣେ ମୃତ, ଜଣେ ଆହତ
ପାରଳାଖେମୁଣ୍ଡି, 30/8(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ପବିତ୍ର ମହେନ୍ଦ୍ରଗିରି ପର୍ବତ ଅଞ୍ଚଳରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିବାର ଜଣାପଡିଛି । ସୂଚନା ପ୍ରକାରେ ଖୋର୍ଦ୍ଧା ଜଟଣୀରୁ ଗତକାଲି ବିଳମ୍ବିତ ରାତ୍ର 11ଘଣ୍ଟା ସମୟରେ ଦେବଗଡ ଜିଲ୍ଲା ଅନ୍ତର୍ଗତ ଭୂୟାଁସାହି ଗ୍ରାମର ସତ୍ୟବ୍ରତ ନାୟକ (19) ଙ୍କ ସମେତ ଖୋର୍ଦ୍ଧା ଜଟଣୀର ସାଶ୍ବତ କୁମାର ସାହୁ (19) ଏକ ସୁଜୁକି ଏସେସ୍ 125 ଓଡି 15 କ୍ୟୁ 8177 ନମ୍ବର ବିଶିଷ୍ଟ ସ୍କୁଟିରେ ମହେନ୍ଦ୍ରଗିରି ଅଭିମୁଖେ ବାହାରିଥିଲେ ।

ଆଜି ସକାଳୁ ସକାଳୁ ମହେନ୍ଦ୍ରଗିରି ଅଞ୍ଚଳରେ ପହଞ୍ଚି ପାର୍ବ୍ୟତ୍ୟ ଅଞ୍ଚଳ ବୁଲି ଦେଖିଥିଲେ । ମଧ୍ୟାହ୍ନ ସମୟରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିବା ସମୟରେ ମହେନ୍ଦ୍ରଗିରି ଘାଟିର ବୁରୁଖତ ଗେଟ୍ ନିକଟ ଅଞ୍ଚଳରେ କୌଣସି କାରଣରୁ ସ୍କୁଟିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ପ୍ରତ୍ୟେକ୍ଷ ଦର୍ଶୀମାନେ କହିବା ମୁତାବକ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘାଟିର ସିଧାସଳଖ ଥିବା ଏକ ରାସ୍ତାର ବାମପଟ ପଥରରେ ସ୍କୁଟିଟି ପିଟି ହୋଇଯାଇଥିବା ବେଳେ ଚାଳକ ଓ ଆରୋହୀ ଦୁଇ ଛିଟିକି ଘାଟି ତଳ ଅଞ୍ଚଳରେ ପଡିଯାଇଥିଲେ । ତେବେ ସାଶ୍ବତ ବର୍ତ୍ତିଯାଇଥିଲେ ମଧ୍ୟ ସତ୍ୟବ୍ରତ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଖବର ପାଇ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ଏବଂ ଏଏସ୍ଆଇ କେ.ରବିକୁମାରଙ୍କ ସହ ସଦଳେବଳେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛନ୍ତି । ଆହତ ସାଶ୍ବତ କଇଁପୁର ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ପରିବାର ବର୍ଗ ପହଞ୍ଚି ତାଙ୍କୁ ଭୁବନେଶ୍ବର ସ୍ଥିତ ଘରୋଇ ଚିକିତ୍ସାଳୟରେ ଅଧିକା ଚିକିତ୍ସା କରାଇବା ପାଇଁ ନେଉଥିବାର ଜଣାପଡିଛି । ଆସନ୍ତାକାଲି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ସତ୍ୟବ୍ରତଙ୍କ ଶବ ବ୍ୟବଚ୍ଛେଦ କରାଯିବ ଏବଂ ଏନେଇ ଗାରାବନ୍ଧ ଥାନାରେ 77/26 ନମ୍ବରରେ ଏକ ସଡକ ଦୁର୍ଘଟଣା ସମ୍ପର୍କିତ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ଶ୍ରୀ ନିସିକା ସୂଚନା ଦେଇଛନ୍ତି । ତେବେ ମୃତ ସତ୍ୟବ୍ରତ ନାୟକ ଏବଂ ଆହତ ସାଶ୍ବତ କୁମାର ସାହୁ ଉଭୟେ ବୀରସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ବିଟେକ୍ ଛାତ୍ର ବୋଲି ଜଣାପଡିଛି ।
ଗଜପତିରେ ଦାଦନ ଶ୍ରମିକଙ୍କ ଯାତନାର ଅନ୍ତ କେବେ?
ହାଇଦ୍ରାବାଦରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, 30/8(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାରୁ କାମ ଧନ୍ଦା ଅନ୍ବେଷଣରେ ପରିବାର ପରିପୋଷଣ ପାଇଁ ଘର ଦ୍ୱାର ଛାଡି ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଅନେକ ବ୍ୟକ୍ତି ଯାଉଛନ୍ତି. ହେଲେ କୌଣସି ନା କୌଣସି କାରଣରୁ ଏହି ଶ୍ରମିକମାନଙ୍କ ଅକାଳ ମୃତ୍ୟୁ ସେଠାରେ ହେଉଥିବା ଯୋଗୁଁ ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ସମ୍ପୃକ୍ତ ପରିବାର ସବୁଦିନ ପାଇଁ ଦୁଃଖ କଷ୍ଟ ସହ ଭୋକ ଉପାସରେ ଦିନ କାଟିବାକୁ ପଡୁଛି. ଗଜପତିରେ ଦାଦନ ଶ୍ରମିକଙ୍କ ଏଭଳି ଯାତନାର କାହାଣୀ ଅନ୍ତ କେବେ ତାହା ଏକ ବିରାଟ ପ୍ରଶ୍ନବାଚୀ? ହାଇଦ୍ରାବାଦରେ ପୁଣି ଜଣେ ଗଜପତିର ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି.

ଏହି ଶ୍ରମିକଙ୍କ ନିଜ ଝିଅ ବାହାଘର ବେଳର ଋଣର ବୋଝ ପରିଶୋଧ ପାଇଁ ହାଇଦ୍ରାବାଦ ଯାଇଥିଲେ. ହେଲେ ସଡ଼କ ଦୁର୍ଘଟଣା ତାଙ୍କ ଜୀବନର ସବୁ ଆଶାକୁ ଧୂଳିସାତ୍ କରିଦେଇଛି. ଶେଷରେ ରୋଜଗାର ପାଇଁ ଯାଇଥିବା ମୋହନା ବ୍ଲକ ଅନୁଗୁର ପଞ୍ଚାୟତର ତିଲିକଣ ଗ୍ରାମର ବାୟସ ରଇତ. ବାୟସ ରଇତଙ୍କ ମୃତଦେହ ଗାଁକୁ ଫେରିଛି. ଏହି ଘଟଣା ପରେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନୁଗୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତିଲିକଣ ଗାଁରେ ଶୋକର ଛାୟା ଖେଳିଯାଇଛି. ତିଲିକଣ ଗାଁର ବାୟସ ରଇତ (୫୯) ପରିବାରର ଆର୍ଥିକ ଆବଶ୍ୟକତା ପୂରଣ ସହ ଝିଅର ବାହାଘର ପାଇଁ ଧାରକରଜ କରିଥିଲ. ଗତ ଜୁନ୍ ମାସରେ ଝିଅର ବାହାଘର ସରିବା ପରେ ଋଣ ଶୁଝିବା ନେଇ ସେ ଚିନ୍ତିତ ଥିଲୋ ଏହି ପରିସ୍ଥିତିରେ ଅଧିକ ରୋଜଗାର ଆଶାରେ ହାଇଦ୍ରାବାଦର ଏକ କମ୍ପାନୀରେ କାମ କରିବାକୁ ଦାଦନ ଶ୍ରମିକ ଭାବେ ଯାଇଥିଲେ. ବାୟସ ତେବେ ଅଗଷ୍ଟ 27 ତାରିଖରେ ହାଇଦ୍ରାବାଦରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବାୟସ ଗୁରୁତର ଆହତ ହୋଇଥିଲୋ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା. ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା. ବାୟସଙ୍କ ମୃତ୍ୟୁ ଖବର ତିଲିକଣ ଗାଁରେ ପହଞ୍ଚିବା ପରେ ପରିବାର ଲୋକ ଭାଙ୍ଗିପଡ଼ିଛନ୍ତି. ଝିଅର ବାହାଘର ପାଇଁ କରିଥିବା ଋଣ ଶୁଝିବା ଆଶାରେ ଦୂର ହାଇଦ୍ରାବାଦକୁ ଯାଇଥିବା ବାୟସ ଆଉ ଜୀବିତ ଫେରିପାରିଲେ ନାହିଁ. ତାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ପରିବାର ସମେତ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି. ସମ୍ପୃକ୍ତ ପରିବାର ବର୍ତ୍ତମାନ ଅନାଥ ହୋଇପଡିଛନ୍ତି. ଏହି ଗରିବ ପରିବାରର ପରିପୋଷଣ ପାଇଁ ପ୍ରଶାସନ ଓ ସରକାର ଆବଶ୍ୟକତା ସହାୟତା ପ୍ରଦାନ କରନ୍ତୁ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି.











