ମାଲକାନଗିରି ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ଅବସରରେ ଏକ ଘଣ୍ଟା ଖେଳ ପଡ଼ିଆରେ ଅଭିଯାନ ସମଗ୍ର ଜିଲ୍ଲାରେ ବ୍ୟାପକ ଭାବେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଦ୍ୟାଳୟ ସମେତ ମାଲକାନଗିରି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିସରରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଛି। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା।
ଜିଲ୍ଲା ସ୍ତରୀୟ ଏହି ପାଳନ ଅବସରରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଏକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ, ମାଲକାନଗିରି ଆଦର୍ଶ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ, ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାସ ଉପସ୍ଥିତ ରହି ଖେଳାଳିମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା।
ଏହି ସ୍ମରଣୀୟ ଅବସରରେ ଅତିରିକ୍ତ ଜିଲ୍ଲାପାଳ କ୍ରୀଡ଼ାବିତ୍ ଓ ଯୁବ ସମାଜକୁ ଏକ ବିଶେଷ ବାର୍ତ୍ତା ଦେଇ କହିଛନ୍ତି ଯେ, ଖେଳ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଜୀବନରେ ଶୃଙ୍ଖଳା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଏକତା ବଜାୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।











