Spread the love

ଝାରସୁଗୁଡ଼ା : ପଞ୍ଚପଡ଼ାରେ ସରକାରୀ ଜମି ଜବରଦଖଲ ଯାଞ୍ଚ କଲେ ଜିଲ୍ଲାପାଳ; ତୃତୀୟ ଲିଙ୍ଗୀ ସମୁଦାୟଙ୍କ ସହ କଲେ ଆଲୋଚନା…

ଝାରସୁଗୁଡ଼ା କୁନା ଦିଗାଲ ଦର୍ଶନ ସମୀକ୍ଷା

ଏକତାଳି ରାଜସ୍ୱ ନିରୀକ୍ଷକ ସର୍କଲ ଅନ୍ତର୍ଗତ ପଞ୍ଚପଡ଼ା ଅଞ୍ଚଳରେ ସରକାରୀ ଜମି ଜବରଦଖଲ ହୋଇଥିବା ଅଭିଯୋଗ ଉପରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ସ୍ଥଳ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିଛନ୍ତି l ଏହି ଗସ୍ତ ସମୟରେ ତହସିଲଦାର ଶ୍ରୀ ସଦାକାର କୁମ୍ଭାରଙ୍କ ସମେତ ସ୍ଥାନୀୟ ରାଜସ୍ୱ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ l ପରିଦର୍ଶନ କାଳରେ ଜିଲ୍ଲାପାଳ ସରକାରୀ ଜମିର ବର୍ତ୍ତମାନ ସ୍ଥିତି ଏବଂ ସୀମା ନିର୍ଦ୍ଧାରଣ ସମ୍ପର୍କରେ ତହସିଲଦାର ତଥା ରାଜସ୍ୱ କର୍ମଚାରୀଙ୍କ ଠାରୁ ବିସ୍ତୃତ ସୂଚନା ନେଇଥିଲେ l ସରକାରୀ ଜମିର ସଠିକ ସଂରକ୍ଷଣ ଏବଂ ଅଣ-ଅଧିକୃତ ଦଖଲ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି l ଏଥିସହିତ ପଞ୍ଚପଡ଼ାରେ ବସବାସ କରୁଥିବା ତୃତୀୟ ଲିଙ୍ଗ ସମୁଦାୟ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଜିଲ୍ଲାପାଳ ସିଧାସଳଖ ଭାବେ ଆଲୋଚନା କରିଥିଲେ l ସେମାନଙ୍କର ରହଣି ସ୍ଥଳ, ମୌଳିକ ସୁବିଧା ଏବଂ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ପଚାରି ବୁଝିଥିଲେ l ସେମାନଙ୍କ ସାମାଜିକ ସୁରକ୍ଷା ଓ ନ୍ୟାର୍ଯ୍ୟ ଅଧିକାରକୁ ଧ୍ୟାନରେ ରଖି ପ୍ରଶାସନ ପକ୍ଷରୁ ସହଯୋଗ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ l